ଆଜିକୁ ବର୍ଷେ ହେବ କୋଲାଟି ନାରାୟଣ ପ୍ରତିଦିନ ଜାକମପୁଡ଼ି ଗାଁରୁ କ୍ରିଷ୍ଣା ନଦୀ ତଟରେ ଥିବା ବିଜୟୱାଡ଼ା ସହରର ପ୍ରସିଦ୍ଧ ପୁନାମି ଘାଟକୁ ଚାଲିଚାଲି ଯାଉଛନ୍ତି। ବାଟ ୬ କିଲୋମିଟର। ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ସେ ଆଉ କିଛି ଲୋକଙ୍କ ସହ ମାଛ ଧରନ୍ତି ଏବଂ ନଦୀ ତଟରେ ବସି ବିକ୍ରି କରନ୍ତି। 

ଆଂଶିକ ଦୃଷ୍ଟି ବାଧିତ ୨୭ ବର୍ଷୀୟ ନାରାୟଣ, ଏହା ପରେ ପୁଣି ୬ କିଲୋମିଟର ଚାଲିଚାଲି ଘରକୁ ଫେରନ୍ତି। ସେ କହନ୍ତି, ‘‘ମୁଁ ଚାଲି ଚାଲି ଆସେ, କାରଣ ଅଟୋରିକ୍ସା ଭଡ଼ା ୪୦ ଟଙ୍କା ଦେବାକୁ ମୋର କ୍ଷମତା ନାହିଁ।’’ ‘‘ଦିନକୁ ଅତି ବେଶିରେ ୫୦-୧୦୦ ଟଙ୍କା ମୋର ରୋଜଗାର।’’ ତାଙ୍କର ଦୁଇ ଝିଅ ମଧ୍ୟ ଆଂଶିକ ଦୃଷ୍ଟିବାଧିତ। ଜଣେ ଚାରି ବର୍ଷର ଓ ଆଉ ଜଣଙ୍କ ବୟସ ୨ ବର୍ଷ। 

ପୁନ୍ନାମି ଘାଟରେ ଥିବା ତାଙ୍କ ଘର, ଯେଉଁଠି ସେ ଜନ୍ମରୁ ଥିଲେ, ୨୦୧୬ ମଧ୍ୟ ଭାଗରେ ତାକୁ ଭାଙ୍ଗି ଦିଆଗଲା। ଏହାପରେ ୧୨ କିଲୋମିଟର ବାଟ ଚାଲିବାକୁ ନାରାୟଣ ବାଧ୍ୟ ହେଉଛନ୍ତି। ସେଇ କଚ୍ଚା ଘରଟି ତାଙ୍କ ଭାଇଙ୍କର ଥିଲା। ନାରାୟଣ ତାଙ୍କୁ ବେଳେ ବେଳେ ଅଳ୍ପ କିଛି ଭଡ଼ା ଦିଅନ୍ତି। ଏବେ ଜାକମପୁଡ଼ିର ଓ୍ୱାଇଏସଆର କଲୋନୀରେ ମାସକୁ ୧,୦୦୦ ଟଙ୍କା ଭଡ଼ା ଦେଇ ରହୁଛନ୍ତି। (ଉଛେଦ ପରେ ତାଙ୍କ ଭାଇ ମଧ୍ୟ ସେଠାକୁ ସ୍ଥାନାନ୍ତର ହୋଇଛନ୍ତି, କିନ୍ତୁ ସେଇ ଛୋଟ ଜାଗାରେ ନାରାୟଣଙ୍କ ପରିବାର ରହିବା ସମ୍ଭବ ନୁହେଁ।) 

Narayana, the visually challenged fisherman
PHOTO • Rahul Maganti
Lanke Maheshwari cleaning fish
PHOTO • Rahul Maganti

୨୦୧୬ରେ, ମତ୍ସ୍ୟଜୀବୀ କୋଲାଟି ନାରାୟଣ (ବାମ), ଓ ମତ୍ସ୍ୟ କର୍ମୀ ଲଙ୍କେ ମହେଶ୍ୱରୀ (ଡାହଣ), ବିଜୟୱାଡ଼ାର ପୁନ୍ନାମି ଘାଟରୁ ସ୍ଥାନାନ୍ତର ହୋଇଥିଲେ, ଯେତେବେଳେ ନୂଆ ଘାଟ ନିର୍ମାଣ ପାଇଁ ପ୍ରାୟ ୨,୦୦୦ ଘର ଭଙ୍ଗା ଯାଇଥିଲା। ୧୨ ବର୍ଷରେ ଥରେ ପାଳିତ ହେଉଥିବା ଏକ ଉତ୍ସବ ପାଇଁ ନୂଆ ଘାଟ ନିର୍ମାଣ କରିଥିଲେ ରାଜ୍ୟ ସରକାର। 

୨୦୧୬ ଜୁନ ଓ ଜୁଲାଇ ମାସରେ ବିଜୟୱାଡ଼ାରେ ପ୍ରାୟ ୨,୦୦୦ ଘର ଭାଂଗି ଦିଆଯାଇଥିଲା। ଏଥିରୁ ଅଧିକାଂଶ ଘର ମତ୍ସଜୀବୀଙ୍କର ଥିଲା। ସେମାନଙ୍କ ଜାଗାରେ ଭକ୍ତଙ୍କ ପାଇଁ ୧୮ଟି ଘାଟ ତିଆରି ହେଲା। ୧୨ ବର୍ଷରେ ଥରେ ପାଳିତ ହେଉଥିବା କ୍ରିଷ୍ଣା ପୁଷ୍କରଲୁ ଉତ୍ସବରେ ଯୋଗ ଦେବାକୁ ଆସୁଥିବା ଭକ୍ତଙ୍କ ପାଇଁ ଘାଟ ତିଆରି ହୋଇଥିଲା। ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ପୁରୁଣା ଛୋଟ ପୁନ୍ନାମି ଘାଟକୁ ମଧ୍ୟ ସଂପ୍ରସାରଣ କରି ଖୁବ୍ ବଡ଼ କରାଗଲା - ଦେବୀ କନକଦୁର୍ଗାଙ୍କ ଇନ୍ଦ୍ର କେଲାଦ୍ରୀ ମନ୍ଦିରକୁ ଲାଗିଥିବା ଏହା ଏକ ‘ଭିଆଇପି’ ଘାଟ।

ବିଜୟୱାଡ଼ା-ହାଇଦ୍ରାବାଦ ଜାତୀୟ ରାଜପଥ ନିକଟରେ ଇବ୍ରାହିମପାଟନମ୍ ସହର ନିକଟରୁ ପ୍ରକାଶମ୍ ବ୍ୟାରେଜ ପର୍ଯ୍ୟନ୍ତ ନଦୀ ତଟରେ ୨୦ କିଲୋମିଟର ପର୍ଯ୍ୟନ୍ତ ସ୍ଥାନକୁ ମୁକ୍ତ କରାଗଲା। ଏହି ଉତ୍ସବ ପାଇଁ ଜନସାଧାରଣଙ୍କ ଅର୍ଥର ୧,୦୦୦ କୋଟି (ଖବରକାଗଜରେ ପ୍ରକାଶିତ ରିପୋର୍ଟ) ଖର୍ଚ୍ଚ କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।

ଉତ୍ସବର ଗୋଟିଏ ବର୍ଷ ପରେ ଘାଟ ମରୁଭୂମି ପରି ଦେଖାଗଲା। ପୁନ୍ନାମି ଘାଟରେ ମାଛ ସଫା କରୁଥିବା ୬୦ ବର୍ଷୀୟା ଲଙ୍କେ ମାହେଶ୍ୱରୀ ଓ୍ୱାଇଏସଆର କଲୋନୀରେ ନାରାୟଣଙ୍କ ପଡ଼ୋଶୀ। ସେ କହିଲେ, ‘’୭୦ ବର୍ଷର ଏହା ଏକ ମାଛ ବଜାର [ଧିବର ସଂପ୍ରଦାୟ ଲୋକଙ୍କ ଘର ମଧ୍ୟ]। ସେଦିନ କିନ୍ତୁ ଆମ ଘରର କାନ୍ଥକୁ ବୁଲଡୋଜର ଖସାଇଦେଲା। ଆମ ଖାଇବା ଥାଳିରେ ଇଟା ଆଉ ମାଟି ପଡ଼ିଲା। ଆମର ଗୋଟିଏ ମନ୍ଦିର ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଛୋଟ ଆଶ୍ରୟସ୍ଥଳୀଟିଏ ଥିଲା। ସେମାନେ ସବୁ କିଛି ମାଟିରେ ମିଶାଇ ଦେଲେ।’’ 

Punnami Ghat, after the houses are demolished. You could see cots and utensils still lying there
PHOTO • Rahul Maganti
Houses and flats at YSR Colony
PHOTO • Rahul Maganti

ମତ୍ସଜୀବୀଙ୍କ ଘର ଭାଙ୍ଗିଯିବା ପରେ ପୁନାମୀ ଘାଟ (ବାମ)ର ଦୃଶ୍ୟ। ଜାକମପୁଡ଼ି ଗାଁର ୱାଇଏସଆର କଲୋନୀରେ ସେମାନଙ୍କ ନୂଆ ଘର (ଡାହଣ)  

ଭଙ୍ଗା ଯାଇଥିବା ଅଧିକାଂଶ ଘରର ଜମି ପଟ୍ଟା (ଟାଇଟେଲସ) ନ ଥିଲା। ରାଜ୍ୟ ସରକାର ସେସବୁକୁ “ଜବରଦଖଲ’’ ଘୋଷଣା କଲେ ଆଉ ସେଥିପାଇଁ କ୍ଷତିପୂରଣ ପାଇବାକୁ ସେମାନେ ଯୋଗ୍ୟ ହେଲେନି। ପ୍ରତିବାଦରେ କ୍ଷତିଗ୍ରସ୍ତ ପରିବାର ଓ ଉଛେଦ ସ୍ଥଳରେ ଥିବା କେତେକ ସଂଗଠନ ବାରମ୍ବାର ବିକ୍ଷୋଭ କରିବା ସହ ନିକଟରେ ଥିବା ଜାତୀୟ ରାଜପଥ ଅବରୋଧ କଲେ। ଏହା ପରେ ୨୦୧୬ ସେପ୍ଟେମ୍ବର ମାସରେ ରାଜସ୍ୱ ବିଭାଗ ଏହି ପରିବାରମାନଙ୍କୁ ୬୬,୦୦୦ ଟଙ୍କା ସହାୟତା ଘୋଷଣା କଲା। କୁହାଗଲା ଏହି ଅର୍ଥରେ ୱାଇଏସଆର କଲୋନୀରେ ଘର ମିଳିବ। ସମ୍ବଳ ଥିବା ଲୋକ ଘର କିଣିଲେ। ନାରାୟଣଙ୍କ ଭଳି ଅନ୍ୟମାନେ ଭଡା ନେଇ ରହିବାକୁ ବାଧ୍ୟ ହେଲେ। 

ଜବାହରଲାଲ ନେହରୁ ନେସନାଲ ଅର୍ବାନ ରିନ୍ୟୁଆଲ ମିଶନ ଅଧିନରେ ରାଜ୍ୟ ସରକାରଙ୍କ ଦ୍ୱାରା ୱାଇଏସଆର କଲୋନୀ ନିର୍ମିତ ହୋଇଥିଲା। ବିଜୟୱାଡ଼ା ଓ ଏହାର ଆଖାପାଖରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅନେକ ସଂପ୍ରଦାୟର ଲୋକ ଏଠାକୁ ସ୍ଥାନାନ୍ତର ହୋଇଛନ୍ତି। କିନ୍ତୁ ଏହି କଲୋନୀର ଭିତ୍ତିଭୂମି ଅତ୍ୟନ୍ତ ଶୋଚାନୀୟ - କାଁ ଭାଁ ଏଠାରୁ ବସ୍ ସହରକୁ ଯାଏ, ଖରାପ ପରିମଳ ବ୍ୟବସ୍ଥା ସାଙ୍ଗକୁ ପାଖରେ ସରକାରୀ ଡାକ୍ତରଖାନା ନାହିଁ କି ସ୍କୁଲ ନାହିଁ। 

Kondaveeti Vagu Lift Irrigation Scheme under construction
PHOTO • Rahul Maganti

କ୍ରିଷ୍ଣା ନଦୀର ଡାହଣ ପଠାରେ କୋଣ୍ଡାବେତି କେନାଲ ଯୋଜନା ପାଇଁ ହଜାର ହଜାର ଲୋକ ସ୍ଥାନାନ୍ତର ହୋଇପାରନ୍ତି

କ୍ରିଷ୍ଣା ନଦୀର ବାମ ପାର୍ଶ୍ୱରେ, କ୍ରିଷ୍ଣା ନଦୀ ଓ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ସୀମାନ୍ତରେ ବିଜୟୱାଡ଼ା ଅବସ୍ଥିତ। ନଦୀର ଡାହଣ ତଟରେ ଥିବା ବସତି ମଧ୍ୟ ବିସ୍ଥାପିତ ହେଉଛି। କ୍ରିଷ୍ଣା ନଦୀର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ତଟବର୍ତ୍ତୀ ରାଜଧାନୀ ଅମରାବତୀ ସରକାରଙ୍କ ସୋକେଶ। ୧୦ଟି ମାଛଧରା ଘାଟରେ ରହୁଥିବା ପ୍ରାୟ ୪,୦୦୦ ମତ୍ସ୍ୟଜୀବୀ ପରିବାର ଏଠାରୁ ସ୍ଥାନାନ୍ତର ହୋଇପାରନ୍ତି। ଘାଟରେ ଅବସ୍ଥାପିତ ଏହି ୧୦ଟି ଗାଁର ଲୋକ ସଂଖ୍ୟା ପାଖାପାଖି ୫୦,୦୦୦ (କ୍ୟାପିଟାଲ ରିଜନ୍ ଡେଭେଲପମେଣ୍ଟ ଅଥରିଟିଙ୍କ ତଥ୍ୟ ଅନୁଯାୟୀ)। 

ଏହି ୧୦ଟି ଘାଟରୁ ଗୋଟିଏ ହେଉଛି ପୋଲକମ୍ପାଡ଼ୁ। ୨୦୧୭ ପ୍ରଥମ ଭାଗରେ, ଏହି ଘାଟରେ ରହୁଥିବା ମତ୍ସଜୀବୀମାନେ କୋଣ୍ଡାବେତି ବାଗୁ ଫ୍ଲଡ଼୍ ୱାଟର ପମ୍ପିଙ୍ଗ ସ୍କିମ୍ ପାଇଁ ବିସ୍ଥାପନ ବିରୋଧରେ ଲଗାତାର ୧୦୮ ଦିନ ଅନଶନ କରିଥିଲେ। ଏହି ଘାଟ ଏବେ ନୂଆ ‘ବିଶ୍ୱ-ସ୍ତରୀୟ’ ସହରର ମୁଖାଶାଳା। ଅମରାବତୀର ଡାହାଣ ପଟକୁ ନିର୍ମିତ ହେଉଥିବା ଏହି ଯୋଜନା ପାଇଁ ବ୍ୟୟ ଅଟକଳ ରହିଛି ୨୩୦ କୋଟି ଟଙ୍କା (ଯୋଜନା ତଥ୍ୟ ଅନୁଯାୟୀ)। ରାଜଧାନୀ ଅଞ୍ଚଳକୁ ବନ୍ୟାମୁକ୍ତ କରିବା ଏହି ଯୋଜନାର ଲକ୍ଷ୍ୟ। କୋଣ୍ଡାବେତି ବାଗୁ (କେନାଲ) ଠାରୁ କ୍ରିଷ୍ଣା ନଦୀର ତଟ ପର୍ଯ୍ୟନ୍ତ ଲମ୍ବିଛି ଯୋଜନା। 

Fishermen and fishermen sitting in the Polakampadu Revu as there is hardly any work
PHOTO • Rahul Maganti
Mahalakshmi
PHOTO • Rahul Maganti

୨୦୧୭ରେ, କୋଣ୍ଡାବେତି କେନାଲ ଯୋଜନାରେ ବିସ୍ଥାପନକୁ ବିରୋଧ କରି ରାବୁଲା ମହାଲକ୍ଷ୍ମୀ (ଡାହଣ)ଙ୍କ ସମେତ ପୋଲକମ୍ପାଡ଼ୁ ଗାଁର ମତ୍ସ୍ୟଜୀବୀ (ବାମ), ୧୦୮ ଦିନ ପାଇଁ ପ୍ରତୀକ ଅନଶନ କରିଛନ୍ତି। 

​‌​୫୫ ବର୍ଷୀୟା ରାବୁଲା ମହାଲକ୍ଷ୍ମୀ କହନ୍ତି, ‘‘ପ୍ରଥମେ ବନ୍ୟା ପ୍ରବଣ ଅଞ୍ଚଳରେ ରାଜଧାନୀ ନିର୍ମାଣ କରିବା ଏବଂ ପରେ ବନ୍ୟା ସମସ୍ୟା ସମାଧାନ ପାଇଁ କୋଣ୍ଡାବେତି ଯୋଜନା [ପ୍ରସ୍ତୁତ କରିବା] ସରକାରଙ୍କର ବୋକାମୀ।’’ ପୋଲକମ୍ପାଡ଼ୁ ଘାଟରେ ମାଛ ପରିସ୍କାର କରି ଯାହା ରୋଜଗାର କରନ୍ତି, ସେଥିରେ ଜୀବିକା ନିର୍ବାହ କରନ୍ତି ରାବୁଲା ମହାଲକ୍ଷ୍ମୀ। 

ସେ କହନ୍ତି, ‘‘ମୁଁ ସପ୍ତାହସାରା ଦିନକୁ ୫୦ ଟଙ୍କା ଓ ରବିବାର ୧୫୦ ଟଙ୍କା ରୋଜଗାର କରେ। ଏବେ କିନ୍ତୁ ନଦୀରେ ଆଉ ମାଛ ନାହାନ୍ତି [କାରଖାନାର ବର୍ଜ୍ୟବସ୍ତୁ ପ୍ରଦୂଷିତ କରିବା ଦ୍ୱାରା] ... ।’’ ମହାଲକ୍ଷ୍ମୀଙ୍କ ଦୁଇ ଝିଅରୁ ଜଣେ ବିବାହିତା ଓ ଆଉ ଜଣେ ଛାଡ଼ପତ୍ର ପାଇଛନ୍ତି। ସେମାନେ ମଧ୍ୟ ଜୀବିକା ହରାଇଛନ୍ତି। ସେମାନେ କୃଷି ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଗତ ଦୁଇ ବର୍ଷ ହେଲା ନୂଆ ରାଜଧାନୀ ସହରର ଅଂଶଭାବେ ଚାଷଜମିରେ ଆପାର୍ଟମେଣ୍ଟ ଗଢି ଉଠୁଛି। ସେମାନେ ଯେଉଁ କ୍ଷେତରେ କାମ କରୁଥିଲେ, ସେ କ୍ଷେତ ଆଉ ନାହିଁ। ମହାଲକ୍ଷ୍ମୀ କହନ୍ତି, ‘‘ପୂର୍ବରୁ ଆମେ ପଡ଼ୋଶୀଙ୍କୁ ମାଛ ଦେଉଥିଲୁ। ଏବେ ଆଉ ଦେଇ ପାରୁନୁ। ସବୁ ମାଛ ବିକ୍ରି କରୁଛୁ। ଏହା ପରେ ବି ଆୟ ନାହିଁ। ’’ 

ପୋଲକମ୍ପାଡ଼ୁ ମତ୍ସ୍ୟଜୀବୀ ସମବାୟ ସମିତି (୧୯୫୪ ରେ ସ୍ଥାପିତ)ର ସଭାପତି ଭେଙ୍କଟ ନାରାୟଣ କହନ୍ତି, ‘‘କୋଣ୍ଡାବେତି ବାଗୁ ଯୋଜନାର ପ୍ରକୃତ ଲକ୍ଷ୍ୟ ହେଉଛି, ଗୋଟେ ବିଶ୍ୱସ୍ତରୀୟ ସହରର ପ୍ରବେଶ ପଥରେ, ଯେଉଁବାଟେ ଅତ୍ୟାଧୁନିକ କାର ଆଣି ସୁଟ୍ ବୁଟ୍ ପିନ୍ଧା ବାବୁମାନେ ଆସବେ, ସେଠି ଶ୍ରମିକ [ଏବଂ ମତ୍ସଜୀବୀମାନେ] ରହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚାହାନ୍ତି ନାହିଁ। ସେ ଆମକୁ ବାହାର କରିଦେବାକୁ ଚାହାନ୍ତି। ସେଥିପାଇଁ ଏହି ଯୋଜନା ଏକ ବାହାନା ମାତ୍ର।’’ ଗୁଣ୍ଟୁର ଜିଲ୍ଲାର ତଡିପାଲୀ, ଉଣ୍ଡାବାଲୀ ଓ ସୀତାନଗରମ ଗାଁର ପ୍ରାୟ ୪୦୦ ମତ୍ସଜୀବୀ ପରିବାର ଏହି ସମିତିର ସଦସ୍ୟ। ଏହି ଅଞ୍ଚଳରେ ଏଭଳି ୧୦ଟି ମତ୍ସଜୀବୀ ସମିତି ରହିଛି। 

କୋଣ୍ଡାବେତି କେନାଲ ଯୋଜନାର ଅଂଶ ଭାବେ ୧୦ ସେଡ୍ ସହିତ ଦୁଇ ଏକର ପରିମିତ ଏକ ଘାଟ ଏବଂ ବଜାରକୁ ଜାନୁଆରୀ ମାସରେ ଭାଙ୍ଗି ଦିଆଗଲା। କିନ୍ତୁ ମତ୍ସ୍ୟଜୀବୀଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପାଇଁ ସେଭଳି କୌଣସି ସରକାରୀ ଯୋଜନା ଘୋଷଣା ହୋଇ ନଥିଲା। ସ୍ଥାନାନ୍ତର ହୋଇଥିବା ପରିବାରମାନେ ପ୍ରତିବାଦ କରିବାରୁ ବୋଟ୍ ପିଛା ୫୦, ୦୦୦ ହଜାର ଟଙ୍କା ଓ ମାଛ ସଫା କରୁଥିବା ମହିଳାଙ୍କ କ୍ଷତିପୂରଣ ବାବଦକୁ ୨୫,୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କିଛି ମିଳି ନାହିଁ।

Venkata Narayana, President of the Polakampadu Fishermen Cooperative Society
PHOTO • Rahul Maganti
The recently built shed for the Polakampadu Fishermen Cooperative Society after around 10 of them are demolished for KLIS
PHOTO • Rahul Maganti

ପୋଲକମ୍ପାଡ଼ୁ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ଭେଙ୍କଟ ନାରାୟଣ; ଥରେ ଭାଙ୍ଗି ଦେବା ପରେ ଏହାର ଘର ଆଉ ଥରେ ତିଆରି ହୋଇଛି

ତେବେ ପୋଲକମ୍ପାଡ଼ୁ ଘାଟ ଏବଂ ବଜାରର ବିକଳ୍ପ ଭାବେ ସରକାର ଗୋଟିଏ ଏକର ଜାଗା ଦେଇଛନ୍ତି, ପ୍ରାୟ ୨୦୦ ମିଟର ଉଜାଣିରେ। କିନ୍ତୁ ଏହି ଜାଗାର ଏକ ଅଂଶ ଜଣେ ରାଜନେତା ମାଡ଼ି ବସିଛନ୍ତି। ବାଡ଼ ବୁଲାଇ ଆବଦ୍ଧ କରିଛନ୍ତି। ଏଠି ଗୋଟିଏ ମାତ୍ର ଅସ୍ଥାୟୀ କୁଡ଼ିଆକୁ ଛାଡିଦେଲେ ମତ୍ସଜୀବୀଙ୍କ ଦୈନନ୍ଦିନ ଜୀବନ ଜୀବିକା ପାଇଁ କୌଣସି ଭିତ୍ତିଭୂମି ନାହିଁ। 

ଅମରାବତୀର ଅନ୍ୟ ଯୋଜନାଗୁଡ଼ିକ ମଧ୍ୟ ଗତିଶୀଳ - ୱାଟରପାର୍କ ଓ ନଦୀତଟରେ ୱିକଏଣ୍ଡ ଗେଟ୍‌ୱେ ଆଦି। ଏହା ଭିତରେ ନଦୀରୁ ମାଛ କମୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଆୟର ମୁଖ୍ୟ ଉତ୍ସ ମଧ୍ୟ ଶୁଖିବାରେ ଲାଗିଛି। ଭେଙ୍କଟ କହନ୍ତି, ‘‘୪୦୦ ମତ୍ସଜୀବୀଙ୍କ ମଧ୍ୟରୁ ଅତି ବେଶୀରେ ଏବେ ୧୦୦ ଜଣ [ମାଛ ଧରିବା ଚାଲୁ ରଖିଛନ୍ତି] ଅଛନ୍ତି’’। ‘‘ଅନ୍ୟମାନେ ବିଜୟୱାଡ଼ା ଓ ଗୁଣ୍ଟୁରରେ ଏବେ ନିର୍ମାଣ ଶ୍ରମିକ ଭାବେ ଦିନ ମଜୁରି କରୁଛନ୍ତି।’’ ସମ୍ଭବତଃ ସେଇ ସମାନ ଜାଗାରେ ତାଙ୍କ ଜୀବନ ଭାଙ୍ଗିଯାଉଛି। 

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Other stories by Rahul Maganti