ତାଙ୍କର ବୟସ ମାତ୍ର ୧୯ବର୍ଷ , ହେଲେ, ଶିବାନୀଙ୍କୁ ଲାଗୁଛି ଯେପରି ତାଙ୍କ ପାଖରେ ଆଉ ସମୟ ନାହିଁ ।
ପ୍ରାୟ ଚାରି ବର୍ଷ ହେବ ସେ ତାଙ୍କ ପରିବାରକୁ କୌଣସି ପ୍ରକାରେ ତାଙ୍କ ବିବାହ ଆୟୋଜନ କରିବାଠାରୁ ଦୂରେଇ ରଖିବାରେ ସମର୍ଥ ହୋଇପାରିଛନ୍ତି – ଏପରି ଏକ ବିଳାସ ଯାହା ସେ ଆଉ ବହୁଦିନ ପର୍ଯ୍ୟନ୍ତ ଉପଭୋଗ କରିବାକୁ ସମର୍ଥ ହୋଇପାରିବେନି ବୋଲି ସେ ବିଶ୍ୱାସ କରନ୍ତି । “ଆଉ କେତେଦିନ ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ଅଟକାଇ ରଖିପାରିବି, ତାହା ମୁଁ ଜାଣେନାହିଁ,” ବୋଲି ସେ କୁହନ୍ତି । “ ଦିନେ ନା ଦିନେ ଏହା ନିଶ୍ଚିତଭାବେ ଶେଷ ହୋଇଯିବ’’।
ବିହାରର ସମସ୍ତିପୁର ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ଗଙ୍ଗସରାରେ ଝିଅମାନଙ୍କୁ ସାଧାରଣତଃ ସେମାନେ ବିଦ୍ୟାଳୟରେ ଦଶମ ଶ୍ରେଣୀ ସମ୍ପୂର୍ଣ୍ଣ କରିବା ପୂର୍ବରୁ ବା ସେମାନଙ୍କୁ ୧୭ - ୧୮ ବର୍ଷ ହୋଇଗଲେ ସେମାନଙ୍କ ବିବାହ କରିଦିଆଯାଏ ।
ଶିବାନୀ ( ଏହି କାହାଣୀରେ ସମସ୍ତ ନାମ ବଦଳାଯାଇଛି) କୌଣସି ପ୍ରକାରେ ଏହାର ପ୍ରତିରୋଧ ଜାରି ରଖିବାକୁ ସମର୍ଥ ହୋଇପାରିଛନ୍ତି ଓ ସେ ବର୍ତ୍ତମାନ ବିକମ୍ ଡିଗ୍ରୀ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ସେ ମହାବିଦ୍ୟାଳୟକୁ ଯିବା ପାଇଁ ସବୁବେଳେ ଇଚ୍ଛୁକ ଥିଲେ, ହେଲେ, ସେ ଏତେ ଏକଲା ହୋଇଯିବେ ବୋଲି କେବେ ମଧ୍ୟ ଭାବିନଥିଲେ । “ଗାଁରେ ଥିବା ମୋର ସମସ୍ତ ସାଙ୍ଗ ବାହା ହୋଇଗଲାଣି । ମୋର ସମସ୍ତ ସାଙ୍ଗସାଥି ଯେଉଁମାନଙ୍କ ସହିତ ମିଶି ମୁଁ ସାନରୁ ବଡ ହୋଇଛି ଓ ଯେଉଁମାନଙ୍କ ସହିତ ମୁଁ ବିଦ୍ୟାଳୟକୁ ଯାଉଥିଲି, ସେମାନେ ସମସ୍ତେ ମତେ ଛାଡି ଚାଲିଗଲେଣି” ବୋଲି ସେ ତାଙ୍କ ନିଜ ଘରେ ବସି ଏ ବିଷୟରେ ଖୋଲାଖୋଲି କଥା ହେବା ବିପଦପୂର୍ଣ୍ଣ ଭାବି ଦିନେ ଅପରାହ୍ନରେ ତାଙ୍କ ପଡୋଶୀ ଘରେ ବସି କହିଲେ । ଏପରିକି ଏଠାରେ ମଧ୍ୟ ସେ ଘର ବାଡିପଟେ, ଯେଉଁଠାରେ ଛେଳିମାନେ ରୁହନ୍ତି, ସେଠାରେ କଥା ହେବା ଉପରେ ଜୋର୍ ଦେଇଥିଲେ । "କରୋନା ସମୟରେ ମହାବିଦ୍ୟାଳୟରେ ମୋ ସହିତ ପଢୁଥିବା ମୋର ଶେଷ ସାଥିର ମଧ୍ୟ ବିବାହ ହୋଇଯାଇଛି” ବୋଲି ମଧ୍ୟ ସେ ଜଣାଇଲେ ।
ତାଙ୍କ ସମ୍ପ୍ରଦାୟରେ, ସେ କୁହନ୍ତି ଯେ ମହାବିଦ୍ୟାଳୟକୁ ଯିବା ପାଇଁ ଝିଅମାନେ କ୍ୱଚିତ୍ ସୁଯୋଗ ପାଇଥାନ୍ତି । ଶିବାନୀ ରବିଦାସ ସମ୍ପ୍ରଦାୟର ଅଟନ୍ତି ( ଚାମର ଜାତିର ଏକ ଉପ-ଗୋଷ୍ଠୀ) ,ଏକ ମହାଦଳିତ – ଏକ ସମଷ୍ଟିଗତ ଶବ୍ଦ ଯାହା ୨୦୦୭ରେ ବିହାର ସରକାରଙ୍କ ଦ୍ୱାରା ୨୧ଟି ଚରମ ଅବହେଳିତ ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସୂଚିତ କରିବା ପାଇଁ ବ୍ୟବହାର କରାଯାଇଥିଲା ।
ତାଙ୍କର ଏକଲାପଣ ଏପର୍ଯ୍ୟନ୍ତ ଅବିବାହିତ ରହିଥିବା ଯୋଗୁ ସେ ସମ୍ମୁଖୀନ ହେଉଥିବା ସାମାଜିକ ଅପବାଦ ଓ ବିବାହ କରିବା ପାଇଁ ତାଙ୍କର ପରିବାରର ସଦସ୍ୟ, ପଡୋଶୀ ଓ ପରିଚିତ ବ୍ୟକ୍ତିମାନଙ୍କଠାରୁ ପଡୁଥିବା ଚାପ ଯୋଗୁ ବହୁଗୁଣିତ ହୋଇଯାଇଛି । “ମୋର ବାପା କହୁଛନ୍ତି ଯେ ମୁଁ ଯଥେଷ୍ଟ ପାଠ ପଢିଲିଣି । ହେଲେ, ମୁଁ ଜଣେ ପୋଲିସ୍ ଅଧିକାରୀ ହେବାକୁ ଚାହୁଁଛି । ମୁଁ ଏତେ ମହତ୍ୱାକାଂକ୍ଷୀ ହେବା ଉଚିତ ନୁହେଁ ବୋଲି ସେ ଭାବନ୍ତି । ସେ କୁହନ୍ତି ଯଦି ମୁଁ ମୋର ପାଠପଢା ଜାରି ରଖେ, ତାହାହେଲେ କିଏ ମତେ ବାହା ହେବ ?” ବୋଲି ସେ କୁହନ୍ତି । “ଏପରିକି ଆମ ସମ୍ପ୍ରଦାୟରେ ପୁଅମାନେ ମଧ୍ୟ ଶୀଘ୍ର ବିବାହ କରନ୍ତି । ବେଳେବେଳେ ମୁଁ ଭାବେ ଯେ ମୁଁ କ’ଣ ଏସବୁ ଛାଡିଦେବା ଦରକାର , ହେଲେ, ଏବେ ମୁଁ ଏତେ ଦୂର ଆସିଗଲିଣି ଓ ମୁଁ ମୋର ସ୍ୱପ୍ନ ସାକାର କରିବାକୁ ଚାହୁଁଛି ।’’







