ଏହି କାହାଣୀ ହେଉଛି ପରୀର ପରିବେଶ ପରିବର୍ତ୍ତନ ଉପରେ ସିରିଜ୍ର ଏକ ଅଂଶ, ଯାହାକି ୨୦୧୯ ମସିହା ପାଇଁ ପରିବେଶ ସମ୍ପର୍କିତ ରିପୋର୍ଟିଂ ବର୍ଗରେ ରାମନାଥ ଗୋଏଙ୍କା ପୁରସ୍କାର ଲାଭ କରିଥିଲା।


Solapur, Maharashtra
|WED, AUG 21, 2019
ସାଙ୍ଗୋଲ୍ରେ ‘ସବୁକିଛି ଓଲଟପାଲଟ ହୋଇଯାଇଛି’
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲ୍ ତାଲୁକାର ଗ୍ରାମଗୁଡ଼ିକରେ ଚର୍ଚ୍ଚାର ଏକମାତ୍ର ବିଷୟ ହେଉଛି କିପରି ଭାବରେ ଖରା ଓ ବର୍ଷାର ପାରମ୍ପରିକ ଚକ୍ରରେ ବିଭ୍ରାଟ ସୃଷ୍ଟି ହୋଇଛି - ଏବଂ କାହିଁକି ଓ ତାହାର ପ୍ରଭାବ ସହିତ
Reporter
Editor
Series Editors
Translator
୫୩ ବର୍ଷ ବୟସ୍କ ଦ୍ୟାନୁ ଖରାତ୍, ଅପରାହଣରେ ତାଙ୍କର ଇଟା କାନ୍ଥ ଓ ମାଟି ଚଟାଣର ଘରେ ବସି କହନ୍ତି ‘‘ଯଦି ମୁଁ ଏହା କହିବି, ଲୋକେ ମୋତେ ପାଗଳ ବୋଲି କହିବେ।’’ ‘‘ କିନ୍ତୁ ୩୦-୪୦ ବର୍ଷ ତଳେ, ବର୍ଷା ଋତୁରେ ବନ୍ୟାପାଣିରେ ଆମ ଜମିକୁ ମାଛ ଚାଲି ଆସୁଥିଲେ (ପାଖରେ ଥିବା ଝରଣାରୁ)। ମୁଁ ନିଜ ହାତରେ ମାଛ ଧରୁଥିଲି।’’
ଜୁନ୍ ମଝାମଝି ବେଳକୁ ଏବଂ ଆମେ ତାଙ୍କ ଘରେ ପହଞ୍ଚିବାର ଠିକ୍ ପୂର୍ବରୁ ଖରାତ୍ ୱସ୍ତି ସାହିରେ ଏକ ୫,୦୦୦ ଲିଟର ପାଣି ଟ୍ୟାଙ୍କର୍ ପ୍ରବେଶ କରୁଥିବାର ଶବ୍ଦ ଶୁଣିଲି। ଖରାତ୍, ତାଙ୍କ ପତ୍ନୀ ଫୁଲବାଇ ଏବଂ ଅନ୍ୟ ୧୨ ଜଣଙ୍କୁ ନେଇ ଗଠିତ ତାଙ୍କର ଯୌଥ ପରିବାର, ସମସ୍ତେ ଡ୍ରମ୍, ଗରା, ମାଠିଆ ଓ ବିଭିନ୍ନ ପାତ୍ରରେ ପାଣି ସାଇତି ରଖିବାରେ ବ୍ୟସ୍ତ ଥିଲେ। ସପ୍ତାହେ ପରେ ପାଣି ଟ୍ୟାଙ୍କର୍ ଆସିଛି, ଉତ୍କଟ ଜଳସଙ୍କଟ ଦେଖାଦେଇଛି।
‘‘ଆପଣ ବିଶ୍ୱାସ କରିବେ ନାହିଁ, ୫୦-୬୦ ବର୍ଷ ତଳେ, ଏତେ ଜୋର୍ ବର୍ଷା ହେଉଥିଲା ଯେ ଆଖି ଖୋଲି ହେଉନଥିଲା।’’ ୭୫ ବର୍ଷ ବୟସ୍କ ଗଙ୍ଗୁବାଇ ଗୁଲିଗ୍ ଆମକୁ କହିଲେ, ସେ ସାଙ୍ଗୋଲା ତାଲୁକାର ଖରାତ୍ ୱସ୍ତିଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଗୌଡୱାଡ଼ି ଗ୍ରାମରେ ତାଙ୍କର ଘର ପାଖ ନିମ ଗଛ ଛାଇରେ ବସିଥିଲେ। ତାଙ୍କ ଗାଁରେ ପ୍ରାୟ ୩୨୦୦ ଲୋକ ବାସ କରନ୍ତି। ‘‘ଆପଣମାନେ ଏଠାକୁ ଆସିଲା ବେଳେ ବାଟରେ ସେହି ବବୁଲ୍ ଗଛଗୁଡ଼ିକ ଦେଖିଲେ ତ? ସମ୍ପୂର୍ଣ୍ଣ ଜମିରେ ବଢ଼ିଆ ମଟକି (ମୋଥ୍ ବିନ୍) ଉତ୍ପାଦନ ହେଉଥିଲା। ଏହି ମୁରୁମ୍ (ବାସାଲଟିକ୍ ପଥର) ବର୍ଷା ପାଣିକୁ ଧରି ରଖୁଥିଲା ଏବଂ ଝରଣାଗୁଡ଼ିକ ଆମ ଜମି ପର୍ଯ୍ୟନ୍ତ ଲମ୍ବିଥିଲା। ଗୋଟିଏ ଏକର ଜମିରେ ମାତ୍ର ଚାରି ଧାଡ଼ିର ବାଜରାରୁ ୪-୫ ବସ୍ତା (୨-୩ କ୍ୱିଣ୍ଟାଲ୍) ଅମଳ ହେଉଥିଲା। ମାଟି ଭାରି ଉର୍ବର ଥିଲା’’
ଏବଂ ହାଉସାବାଇ ଅଲଦର୍, ଯାହାର ବୟସ ପ୍ରାୟ ୮୦ ପାଖାପାଖି, ସେ ତାଙ୍କ ପରିବାରର ଜମିରେ ଥିବା ଯାଆଁଳା କୂଅ ବିଷୟରେ ମନେ ପକାନ୍ତି, ତାଙ୍କ ସାହି ଗୌଡ଼ୱାଡ଼ିଠାରୁ ବେଶୀ ଦୂର ନୁହେଁ। ‘‘ଉଭୟେ କୂଅ ବର୍ଷାଦିନେ ପାଣିରେ ପୂର୍ଣ୍ଣ ହୋଇଥାଏ (ପ୍ରାୟ ୬୦ ବର୍ଷ ତଳେ)। ପ୍ରତିଟିରେ ଦୁଇଟି ଲେଖାଏଁ ମୋଟେ (ବଳଦ ଟାଣୁଥିବା ପୁଲି ବ୍ୟବସ୍ଥା) ରହିଥିଲା ଏବଂ ଚାରୋଟିଯାକ ଏକ ସମୟରେ ଚାଲୁଥିଲା। ଦିନ ହେଉ ବା ରାତି ସବୁ ସମୟରେ ମୋ ଶ୍ୱଶୁର ପାଣି କାଢ଼ି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରୁଥିଲେ। ଏବେ, କେହି ମାଠିଆଏ ପାଣିବି ମାଗିପାରିବେ ନାହିଁ। ସବୁ କିଛି ଓଲଟପାଲଟ ହୋଇଯାଇଛି।’’

Sanket Jain
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲ୍ ତାଲୁକାରେ ଏବେ ଏପରି କାହାଣୀ ଶୁଣିବାକୁ ମିଳୁଛି, ଯଦିଓ ଏହି ଅଞ୍ଚଳ ମାନ୍ଦେଶରେ ଅବସ୍ଥିତ, ଏକ ‘ବୃଷ୍ଟି ଛାୟା’ ଅଞ୍ଚଳ (ପର୍ବତ ଶ୍ରେଣୀ ଦ୍ୱାରା ବର୍ଷା କରାଉଥିବା ବାୟୁର ଆଶ୍ରୟସ୍ଥଳ ହୋଇଥାଏ)। ଏହି ଅଞ୍ଚଳ ସୋଲାପୁର ଜିଲ୍ଲାର ସାଙ୍ଗୋଲ୍ (ସାଧାରଣରେ ସାଙ୍ଗୋଲା ବୋଲି କୁହାଯାଏ) ଏବଂ ମାଲସିରାସ୍ ତାଲୁକାକୁ ନେଇ ଗଠିତ; ସାଙ୍ଗଲି ଜିଲ୍ଲାରେ ଜାଟ୍, ଅଟପଡ଼ି ଏବଂ କବତେମହାଙ୍କାଲ୍ ତାଲୁକାକୁ ନେଇ ଗଠିତ; ଏବଂ ଏହା ମଧ୍ୟରେ ରହିଛି ସତାରା ଜିଲ୍ଲାର ମ୍ୟାନ୍ ଏବଂ ଖତାବ ତାଲୁକା।
ଭଲ ବର୍ଷା ଏବଂ ମରୁଡ଼ି ଏଠାରେ ଚକ୍ରାକାରରେ ଦୀର୍ଘଦିନରୁ ଚାଲିଆସୁଛି ଏବଂ ଏହି ଉତ୍କଟ ଜଳସଙ୍କଟ ସମୟରେ ଲୋକଙ୍କ ମନରେ ପ୍ରବଳ ଜଳ ପ୍ରବାହିତ ହେବାର ସ୍ମୃତି ଉଙ୍କି ମାରୁଛି। କିନ୍ତୁ ଲୋକେ କଥାବାର୍ତ୍ତା ହେଉଛନ୍ତି ଏବେ ଏ ଗାଁର କାହାଣୀ କିପରି ‘‘ସବୁକିଛି ଓଲଟପାଲଟ ହୋଇଯାଇଛି’’, ଅତୀତରେ ଚାରିଆଡ଼େ ଜଳର ଅଭାବ ନଥିଲା, କିନ୍ତୁ ଏବେ ସେହି ଋତୁଚକ୍ରରେ ବିଭ୍ରାଟ ହୋଇଛି। ସେତିକି ନୁହେଁ ଗୌଡ଼ୱାଡ଼ିର ନିବୃତ୍ତି ସେଣ୍ଡଗେ ଦୁଃଖର ସହ କହନ୍ତି ‘‘ଏବେ ବର୍ଷା ମୋ ସ୍ୱପ୍ନରେ ଦେଖିବା ମଧ୍ୟ ବନ୍ଦ ହୋଇଗଲାଣି।’’
‘‘ଏହି ଜମି, ଯେଉଁଠାରେ ଏବେ ଶିବିର ପଡ଼ିଛି, ଦିନେ ବାଜରା ଚାଷ ପାଇଁ ପ୍ରସିଦ୍ଧ ଥିଲା। ମୁଁ ମଧ୍ୟ ଅତୀତରେ ଏଇ ଜମିରେ ଚାଷ କରିଛି...’’ ୮୩ ବର୍ଷ ବୟସ୍କ ବିତୋବା ସୋମା ଗୁଲିଗ୍ କହନ୍ତି। ଲୋକେ ତାଙ୍କୁ ସ୍ନେହରେ ତାତ୍ୟା କହନ୍ତି। ସେ ମେ ମାସର ଧୁ ଧୁ ଖରା ବେଳେ ଗୌଡ଼ୱାଡିର ଏକ ଗୋ ଶିବିରରେ ନିଜ ପାଇଁ ପାନ ଭାଙ୍ଗୁ ଭାଙ୍ଗୁ କହନ୍ତି ‘‘ଏବେ ସବୁକିଛି ବଦଳି ଯାଇଛି,’’ ତାହା ସହିତ ବ୍ୟସ୍ତ ହୋଇ କହନ୍ତି ‘‘ବର୍ଷା ଆମ ଗାଁରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଛି’’।
ତାତ୍ୟା, ଯେ କି ଦଳିତ ହୋଲାର ସମ୍ପ୍ରଦାୟର, ସାରା ଜୀବନ ଗୌଡ଼ୱାଡିରେ ବିତାଇଛନ୍ତି। ତାଙ୍କର ପୂର୍ବ ୫-୬ ପୁରୁଷରୁ ଏଠାରେ ରହି ଆସୁଛନ୍ତି। ଏବେ ଜୀବନ ଭାରି କଠିନ ହୋଇପଡ଼ିଛି। ୬୦ ବର୍ଷରୁ ଅଧିକ ହେଲାଣି, ସେ ଏବଂ ତାଙ୍କର ସ୍ତ୍ରୀ ଗଙ୍ଗୁବାଇ ଅନ୍ୟମାନଙ୍କ ଚାଷ ଜମିରେ ମୂଲ ଲାଗିବା ପାଇଁ ଆଖୁ କାଟିବାକୁ ସାଙ୍ଗଲି ଓ କୋହ୍ଲାପୁର୍ ଚାଲି ଆସିଛନ୍ତି ଏବଂ ତାଙ୍କ ଗାଁରେ ଏବଂ ଚାରିପଟେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ଥାନରେ କାମ କରୁଛନ୍ତି। ‘‘ଆମ ଚାରି ଏକର ଜମି ମାତ୍ର ୧୦- ୧୨ ବର୍ଷ ତଳେ କିଣାଯାଇଥିଲା। ତାହା ପରଠାରୁ, ଏବେ କେବଳ କଠିନ ପରିଶ୍ରମ କରୁଛୁ,’’ ସେ କହନ୍ତି।

Sanket Jain
ଏବେ, ତାତ୍ୟା ମାନ୍ଦେଶରେ କ୍ରମାଗତ ମରୁଡ଼ିକୁ ନେଇ ବେଶ୍ ଚିନ୍ତିତ। ୧୯୭୨ ମସିହା ପରଠାରୁ ଖରାଦିନ ପରେ ଭଲ ବର୍ଷା ହେବାର ପ୍ରାକୃତିକ ଚକ୍ର କେବେ ବି ସାଧାରଣ ଭାବରେ ଘଟିନାହିଁ, ସେ କହନ୍ତି। ‘‘ପ୍ରତି ବର୍ଷ କମି କମି ଯାଇଛି। ଆମେ କେବେ ବି (ପ୍ରାକ୍ ମୌସୁମୀ) ୱାଲିୱ ବର୍ଷା କିମ୍ବା ମୌସୁମୀ ଫେରିଲାବେଳର ବର୍ଷା (ଯଥେଷ୍ଟ) କିଛି ଦେଖିନାହୁଁ। ଏବଂ ଦିନକୁ ଦିନ ଉତ୍ତାପ ବଢ଼ି ଚାଲିଛି। ଯଦିଓ ଗତ ବର୍ଷ (୨୦୧୮)ରେ ଅତିକମ୍ରେ ଭଲ ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲା, ଏବର୍ଷ... ଏପର୍ଯ୍ୟନ୍ତ କିଛି ଦେଖା ନାହିଁ। ଜମି କେମିତି ଶୀତଳ ହେବ?’’
ଗୌଡ଼ୱାଡ଼ିର ଅନ୍ୟ ବୟସ୍କ ବାସିନ୍ଦାମାନେ ୧୯୭୨ର ମରୁଡ଼ିକୁ ମନେ ପକାଇ କହନ୍ତି ଯେ ଏହାଥିଲା ଗାଁରେ ବର୍ଷା ଓ ମରୁଡ଼ି ଚକ୍ରର ଏକ ପରିବର୍ତ୍ତନ ବିନ୍ଦୁ। ସେହି ବର୍ଷ ସୋଲାପୁର ଜିଲ୍ଲାରେ ୩୨୧ ମିଲିମିଟର ବୃଷ୍ଟିପାତ ହୋଇଥିଲା (ଭାରତୀୟ ପାଣିପାଗ ବିଭାଗ ତଥ୍ୟ ବ୍ୟବହାର କରି ଇଣ୍ଡିଆ ୱାଟର ପୋର୍ଟାଲ୍ ଦର୍ଶାଉଛି) - ଯାହାକି ୧୯୦୧ ମସିହାଠାରୁ - ସର୍ବନିମ୍ନ ବୃଷ୍ଟିପାତ ଥିଲା।
ଗଙ୍ଗୁବାଇଙ୍କ ପାଇଁ, ୧୯୭୨ର ମରୁଡ଼ିର ସ୍ମୃତି କଠିନ ପରିଶ୍ରମର - ଏପରିକି ଅତି କଠିନ ପରିଶ୍ରମ ଏବଂ କ୍ଷୁଧାର ସ୍ମୃତିଚାରଣ। ‘‘ଆମେ ରାସ୍ତା ତିଆରି କଲୁ, କୂଅ ଖୋଳିଲୁ, ପଥର ଭାଙ୍ଗିଲୁ (ମରୁଡ଼ି ସମୟରେ ମଜୁରୀ ପାଇଁ)। ପେଟରେ ଭୋକ ଥିଲା ଆଉ ଦେହରେ ଶକ୍ତି ଥିଲା। ମୁଁ ୧୦୦ କ୍ୱିଣ୍ଟାଲ୍ ଗହମ ଗୁଣ୍ଡ କରିବା ପାଇଁ ୧୨ ଅଣା (୭୫ ପଇସା)ରେ କାମ କରିଛି। ସେହି (ବର୍ଷ)ଠାରୁ ସବୁକିଛି ବିଗିଡ଼ିଗଲା,’’ ସେ କହନ୍ତି।

Sanket Jain

Medha Kale
‘‘ମରୁଡ଼ି ଏତେ ଭୟଙ୍କର ଥିଲା, ମୁଁ ମୋର ୧୨ଟି ଗାଈଙ୍କୁ ଧରି ୧୦ ଦିନ କାଳ ଚାଲି ଚାଲି କୋହ୍ଲାପୁରରେ ପହଞ୍ଚିଥିଲି’’, ଗୋ ଶିବିରରେ ଏକ ଚାହା ଦୋକାନରେ ୮୫ ବର୍ଷ ବୟସ୍କ ଦାଦା ଗଡ଼ାଡ଼େ କହନ୍ତି। ‘‘ମୀରାଜ ରାସ୍ତାରେ ଥିବା ନିମ ଗଛଗୁଡ଼ିକ ସମ୍ପୂର୍ଣ୍ଣ ଥୁଣ୍ଟା ହୋଇ ଯାଇଥିଲା। ସମସ୍ତ ଡାଳପତ୍ର ଗାଈ ଓ ମେଣ୍ଢାଙ୍କୁ ଖାଇବାକୁ ଦିଆଯାଇଥିଲା। ତାହା ହେଉଛି ମୋ ଜୀବନର ସବୁଠାରୁ ଖରାପ ଦିନ। ତାହା ପରଠାରୁ ସବୁକିଛି ବିଗିଡ଼ି ଯାଇଛି, ଏପର୍ଯ୍ୟନ୍ତ ପୂର୍ବ ଅବସ୍ଥା ଫେରି ପାରିନି।’’
ଦୀର୍ଘ ଦିନର ମରୁଡ଼ି ଯୋଗୁଁ, ୨୦୦୫ରେ ମନ୍ଦେଶର ମରୁଡ଼ି ପ୍ରପୀଡ଼ିତ ବ୍ଲକ୍ଗୁଡ଼ିକୁ ସୋଲାପୁର, ସାଙ୍ଗଲି ଓ ସତାରାରୁ ପୃଥକ କରି ଅଲଗା ଜିଲ୍ଲା ଗଠନ କରିବାକୁ ଦାବି କରାଯାଇଥିଲା। (ଯେତେବେଳେ ଏହାର ନେତାମାନେ ଏହି ଅଞ୍ଚଳରେ ଜଳସେଚନ ଯୋଜନା ପରି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ଆରମ୍ଭ କଲେ ଏହି ଆନ୍ଦୋଳନ ଦବି ଯାଇଥିଲା)।
ଯଦିଓ ୧୯୭୨ ମରୁଡ଼ିକୁ ଗୌଡ଼ୱାଡ଼ିର ଲୋକେ ଏକ ମାଇଲଖୁଣ୍ଟ ବୋଲି କହନ୍ତି, ସରକାରୀ ୱେବସାଇଟରୁ ଜଣାପଡ଼ୁଛି ଯେ ସୋଲାପୁର ଜିଲ୍ଲାରେ ୨୦୦୩ରେ (୨୭୮.୭ ମିଲିମିଟର) ଏବଂ ୨୦୧୫ରେ (୨୫୧.୧୮ ମିଲିମିଟର) ବୃଷ୍ଟିପାତ ହୋଇଥିଲା ଯାହାକି ପୂର୍ବାପେକ୍ଷା କମ୍।
ଏବଂ ୨୦୧୮ରେ, ସାଙ୍ଗୋଲ ଜିଲ୍ଲାରେ ୨୪୧.୬ ମିଲିମିଟର ବୃଷ୍ଟିପାତ ହୋଇଥିଲା, ଏହା ହେଉଛି ୨୦ ବର୍ଷର ସର୍ବନିମ୍ନ ବୃଷ୍ଟିପାତ, ମାତ୍ର ୨୪ ଦିନ ବର୍ଷା ହୋଇଥିଲା, ମହାରାଷ୍ଟ୍ର, କୃଷି ବିଭାଗର ପୋର୍ଟାଲର ‘ବୃଷ୍ଟିପାତ ରେକର୍ଡିଂ ଏବଂ ସମୀକ୍ଷା’ରେ ଦର୍ଶାଯାଇଛି। ଏକ ‘ସାଧାରଣ’ ବୃଷ୍ଟିପାତ ବ୍ଲକ ପାଇଁ, ବିଭାଗୀୟ ଟିପ୍ପଣୀ ହେଉଛି ପ୍ରାୟ ୫୩୭ ମିଲିମିଟର।
ତେଣୁ ଚାରିଆଡ଼େ ଜଳମୟ ହେବାର ଦୃଶ୍ୟ ଯେମିତି ଅଦୃଶ୍ୟ ହୋଇଯାଇଛି, ଶୁଷ୍କ ଦିନ ସଂଖ୍ୟା ବୃଦ୍ଧି ପାଇବା ସହ ଉତ୍ତାପ ଓ ମାସ ମାସ ଧରି ଜଳସଙ୍କଟ ବୃଦ୍ଧି ପାଇବାରେ ଲାଗିଛି।

Medha Kale
ଏ ବର୍ଷ ମେ ମାସରେ ତାପମାତ୍ରା ଗୌଡ଼ୱାଡ଼ିର ଗୋ ଶିବିରରେ ୪୬ ଡିଗ୍ରୀରେ ପହଞ୍ଚିଥିଲା। ଅତିରିକ୍ତ ଉତ୍ତାପ ଯୋଗୁଁ ମାଟି ଓ ପବନ ଶୁଖିଯାଇଥିଲା। ଜଳବାୟୁ ଓ ବିଶ୍ୱତାପନର ଇଣ୍ଟରଆକ୍ଟିଭ୍ ପୋର୍ଟାଲ୍ ତଥ୍ୟ ଅନୁଯାୟୀ ନ୍ୟୁୟର୍କ ଟାଇମସ୍ ଦର୍ଶାଇଛି ଯେ ୧୯୬୦ ମସିହାରେ ଯେତେବେଳେ ତାତ୍ୟାଙ୍କର ବୟସ ୨୪ ବର୍ଷ ଥିଲା ସାଙ୍ଗୋଲରେ ୧୪୪ ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିଲା। ଆଜିକାଲି ଏହି ସଂଖ୍ୟା ବୃଦ୍ଧି ପାଇ ୧୭୭ରେ ପହଞ୍ଚିଛି ଏବଂ ଯଦି ସେ ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହନ୍ତି ତେବେ ୨୦୩୬ ବେଳକୁ ଏହି ସଂଖ୍ୟା ୧୯୩ ଦିନରେ ପହଞ୍ଚିବ।
ଗୋ ଶିବିରରେ ବସି, ତାତ୍ୟା ମନେ ପକାନ୍ତି, ‘‘ପୂର୍ବେ ସବୁକିଛି ଠିକ୍ ସମୟରେ ହେଉଥିଲା। ମୃଗ ବର୍ଷା (ମୃଗ ବା ଓରିଅନ୍ ନକ୍ଷତ୍ରପୁଞ୍ଜ ଦେଖାଯିବା ସହିତ) ସବୁବେଳେ ଜୁନ୍ ୭ ତାରିଖରୁ ଆରମ୍ଭ ହେଉଥିଲା ଏବଂ ଏତେ ଭଲ ବର୍ଷା ହେଉଥିଲା ଯେ ଭିବଘାଟ (ଝରଣା)ରେ ଜଳ ପୌଷ (ଜାନୁୟାରୀ) ମାସ ପର୍ଯ୍ୟନ୍ତ ରହୁଥିଲା। ‘‘ଯେତେବେଳେ ରୋହିଣୀ (ନକ୍ଷତ୍ର, ମେ ଶେଷ ବେଳକୁ) ଦେଖାଯାଉଥିଲା ଏବଂ ମୃଗ ବର୍ଷା ହେଉଥିଲା, ଆକାଶ ଶସ୍ୟକୁ ସୁରକ୍ଷା ଦେଉଥିଲା। ଏହି ବର୍ଷା ପୁଷ୍ଟିକର ହୋଇଥାଏ ଏବଂ ଏପରି ବର୍ଷା ଯିଏ ଖାଆନ୍ତି ସୁସ୍ଥ ହୋଇଥାନ୍ତି। କିନ୍ତୁ ଆଜିକାଲି ଆଉ ସେ ଋତୁ ନାହିଁ।’’
ଅନ୍ୟ କୃଷକମାନେ ଯେଉଁମାନେ ଗୋ ଶିବିରରେ ବସିଛନ୍ତି ସେମାନେ ମଧ୍ୟ ତାଙ୍କ ସହ ଏକମତ। ସମସ୍ତେ ବର୍ଷାକୁ ନେଇ ଅନିଶ୍ଚିତତା ବୃଦ୍ଧି ପାଉଥିବା ବିଷୟରେ ବ୍ୟସ୍ତବିବ୍ରତ। ‘‘ଗତବର୍ଷ, ପଞ୍ଚାଙ୍ଗ (ଚନ୍ଦ୍ର ପଞ୍ଜିକା ଅନୁସାରେ ହିନ୍ଦୁ ଭବିଷ୍ୟବାଣୀ) କହିଛି ‘ଘାଭେଲରୁ ପାଭେଲ୍’ - ‘ଯେଉଁମାନେ ଠିକ୍ ସମୟରେ ବୁଣିବେ, ସେମାନେ ଭଲ ଅମଳ ପାଇବେ।’ କିନ୍ତୁ ଠାଏ ଠାଏ ଏବେ ବର୍ଷା ହେଉଛି, ସମୁଦାୟ ଜମି ବର୍ଷାରେ ଭିଜିବ ନାହିଁ,’’ ବୁଝାଇ କହନ୍ତି ତାତ୍ୟା।
ରାସ୍ତା ଆରପଟେ, ଶିବିରରେ ତମ୍ବୁ ଭିତରେ ବସିଥିଲେ ଖରାତ ୱସ୍ତିର ଫୁଲବାଇ ଖରାତ, ତାଙ୍କର ବୟସ ୫୦ ବର୍ଷ ହେବ - ସେ ଡଙ୍ଗର (ଯାଯାବର ଆଦିବାସୀ ଭାବରେ ତାଲିକାଭୁକ୍ତ) ସମ୍ପ୍ରଦାୟର ଅଟନ୍ତି, ଏବଂ ତାଙ୍କ ସାଙ୍ଗରେ ଅଛନ୍ତି ତିନୋଟି ମଇଁଷି ଏବଂ ‘ସମସ୍ତ ନକ୍ଷତ୍ର ଚଳନ ସମୟରେ ଠିକ୍ ସମୟରେ ବର୍ଷା’ ବିଷୟରେ ସେ ଆଶଙ୍କା ପ୍ରକାଶ କରନ୍ତି।’ ସେ କହନ୍ତି, ‘‘କେବଳ ଦୋଣ୍ଡ୍ୟାଚା ମାସ (ଯୋଡ଼ା ମାସ) (ହିନ୍ଦୁ ଚନ୍ଦ୍ର ପଞ୍ଜିକା ଅନୁସାରେ ପ୍ରତି ୩ ମାସରେ ଥରେ ପଡ଼ୁଥିବା ଦୋମାସୀ ବା ଏକ ଅତିରିକ୍ତ ମାସ) ଆସିଲେ, ବର୍ଷା ଶାନ୍ତ ହେବ। ଆଗାମୀ ଦୁଇ ବର୍ଷ ଆମେ ଭଲ ବର୍ଷା ଦେଖିବୁ କିନ୍ତୁ ଗତ ବହୁ ବର୍ଷ ଧରି ବର୍ଷା ଯେମିତି ନିରବ ହୋଇଯାଇଛି।’’
ଏହି ପରିବର୍ତ୍ତନଗୁଡ଼ିକୁ ଗ୍ରହଣ କରିବା ପାଇଁ ବହୁ କୃଷକ ତାଙ୍କ ଚାଷ ସୂଚୀରେ ପରିବର୍ତ୍ତନ କରିଛନ୍ତି। ସାଙ୍ଗୋଲର ସାଧାରଣ କୃଷି ଶୈଳୀ, ଏଠାରେ କୁହାଯାଏ ମଟ୍କୀ (ମୋଥ୍ବିନ୍), ହୁଲେଜ୍ (କୋଳଥ), ବାଜରା ଏବଂ ହରଡ଼ ଖରିଫ୍ ଋତୁ ପାଇଁ ଥିଲା; ଏବଂ ଗହମ, ଚଣା ଓ ଯଅ ରବି ଋତୁର ଫସଲ ଥିଲା। ଖରା ଦିନିଆ ମକା ଓ ଯଅ ମଧ୍ୟ ଗୋଖାଦ୍ୟ ଫସଲ ଭାବରେ ଚାଷ କରାଯାଉଥିଲା।
‘‘ଗତ ୨୦ ବର୍ଷଠାରୁ, ମୁଁ ଏହି ଗାଁରେ ମଟ୍କୀ (ଦେଶୀ) କେହି ବୁଣିବା ଦେଖିନାହିଁ। ଦେଶୀ ବାଜରା ଏବଂ ହରଡ଼ ଅବସ୍ଥା ମଧ୍ୟ ସମାନ। ଖପ୍ଲି ପ୍ରକାରର ଗହମ ଆଉ ବୁଣାଯାଉନାହିଁ, ହୁଲେଜ୍ ବା ସିସେମ୍ (କୋଳଥ ଏବଂ ରାଶି) ମଧ୍ୟ ଚାଷ ହେଉନାହିଁ,’’ ଅଲ୍ଦର ୱସ୍ତି ସାହିର ହାଉସା ବାଇ କହନ୍ତି।

Sanket Jain

Sanket Jain
ବିଳମ୍ବରେ ମୌସୁମୀ ପହଞ୍ଚିବା ସହିତ - ଜୁନ୍ ଶେଷ ବେଳକୁ, ଏପରିକି ଜୁଲାଇ ଆରମ୍ଭ ବେଳକୁ ମୌସୁମୀ ପହଞ୍ଚେ- ଏବଂ ସେପ୍ଟେମ୍ବର ଆରମ୍ଭ ବେଳକୁ ମୌସୁମୀ ଫେରିଯାଏ, ଏବେ କ୍ୱଚିତ ବର୍ଷା ହେଉଛି - ଚାଷୀମାନେ ହାଇବ୍ରିଡ୍ ପ୍ରକାରର କମ୍ ଅବଧିର ଫସଲ ଚାଷ କରିବାକୁ ବାଛୁଛନ୍ତି। ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ମାସ ଆବଶ୍ୟକ ହେଉଛି। ‘‘ଦେଶୀ ବାଜରା, ମଟ୍କୀ, ଯଅ ଏବଂ ହରଡ଼ ପ୍ରକାରଗୁଡ଼ିକ ପାଞ୍ଚ ମାସ (ଦୀର୍ଘ ଅବଧି) ସମୟ ଲାଗିଥାଏ, ଏସବୁ ଲୋପପାଇବା ଆରମ୍ଭ ହେଲାଣି କାରଣ ମାଟିରେ ଯଥେଷ୍ଟ ଆର୍ଦ୍ରତା ନାହିଁ,’’ କହନ୍ତି ନବନାଥ ମାଲି। ତାଙ୍କ ସହିତ ଗୌଡ଼ୱାଡିର ଅନ୍ୟ ୨୦ ଜଣ କୃଷକ, କୋହ୍ଲାପୁରର ଆମିକସ୍ ଆଗ୍ରୋ ଗ୍ରୁପ୍ର ସଦସ୍ୟ ଅଛନ୍ତି ଯେଉଁମାନେ କି ଏକ ଦେୟ ସହିତ ଏସଏମଏସ ମାଧ୍ୟମରେ ପାଣିପାଗ ପୂର୍ବାନୁମାନ ପ୍ରଦାନ କରନ୍ତି।
ଅନ୍ୟ ଫସଲରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବା ପାଇଁ, କେତେକ କୃଷକ ପ୍ରାୟ ୨୦ ବର୍ଷ ତଳେ ଡାଳିମ୍ବ ଚାଷ କରିବା ଆରମ୍ଭ କରିଥିଲେ। ରାଜ୍ୟ ସରକାର ମଧ୍ୟ ରିହାତି ସହ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସମୟ କ୍ରମେ, ଦେଶୀ ପ୍ରକାରରୁ କୃଷକମାନେ ହାଇବ୍ରିଡ୍, ବିଦେଶୀ ପ୍ରକାରକୁ ଚାଷ ଶୈଳୀ ବଦଳାଇଲେ। ‘‘ଆମେ ଆରମ୍ଭରେ (ପ୍ରାୟ ୧୨ ବର୍ଷ ତଳେ) ଏକର ପିଛା ୨-୩ ଲକ୍ଷ ଟଙ୍କା ଆୟ କରୁଥିଲୁ। କିନ୍ତୁ ଗତ ୮-୧୦ ବର୍ଷ ହେଲା ଏହି ଫଳ ବଗିଚାରେ ତେଲିଆ (ବୀଜାଣୁଜନିତ ଅଙ୍ଗମାରୀ) ରୋଗ ବ୍ୟାପିଯାଇଛି। ମୋର ଅନୁଭବ ଜଳବାୟୁ ପରିବର୍ତ୍ତନ କାରଣରୁ ଏହା ହେଉଛି। ଗତବର୍ଷ ଆମକୁ ଆମ ଫଳ କିଲୋ ପିଛା ୨୫- ୩୦ ଟଙ୍କାରେ ବିକିବାକୁ ପଡ଼ିଲା। ପ୍ରକୃତିର ଏହି ଦୁର୍ବିପାକ ସମ୍ମୁଖରେ ଆମେ ବା କଣ କରିପାରିବୁ?’’ ପଚାରନ୍ତି ମାଲି।
ମୌସୁମୀ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ବୃଷ୍ଟିପାତରେ ପରିବର୍ତ୍ତନ କୃଷି ଶୈଳୀ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ମୌସୁମୀ ପରବର୍ତ୍ତୀ ବୃଷ୍ଟିପାତ- ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ - ସାଙ୍ଗୋଲରେ ବହୁ ପରିମାଣରେ ହ୍ରାସ ପାଇଛି। ୨୦୧୮ରେ, ଏହି ବ୍ଲକ୍ରେ ମୌସୁମୀ ପରବର୍ତ୍ତୀ ବୃଷ୍ଟିପାତ ମାତ୍ର ୩୭.୫ ମିଲିମିଟର ହୋଇଥିବା କୃଷି ବିଭାଗ ତଥ୍ୟରୁ ଜଣାପଡ଼ିଛି, ଯେତେବେଳେ କି ୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ଦୁଇ ଦଶନ୍ଧିର ହାରାହାରି ହେଉଛି ୯୩.୧୧ ମିଲିମିଟର।
‘‘ସମୁଦାୟ ମନ୍ଦେଶ ଅଞ୍ଚଳ ପାଇଁ ବଡ଼ ଚିନ୍ତାର ବିଷୟ ହେଉଛି ମୌସୁମୀ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ବର୍ଷା ନହେବା,’’ କହନ୍ତି ଚେତନା ସିହ୍ନା, ମନ୍ ଦେଶୀ ପ୍ରତିଷ୍ଠାନର ପ୍ରତିଷ୍ଠାତା, ଯେ କି କୃଷି, ଋଣ ଏବଂ ଉଦ୍ୟୋଗ ସମସ୍ୟା କ୍ଷେତ୍ରରେ ଗ୍ରାମୀଣ ମହିଳାଙ୍କ ସହିତ କାର୍ଯ୍ୟ କରୁଛନ୍ତି। (ଏହି ପ୍ରତିଷ୍ଠାନ ରାଜ୍ୟରେ ଏହି ବର୍ଷ ଜାନୁଆରୀ ୧ ତାରିଖରେ ପ୍ରଥମ ଗୋ ଶିବିର, ସତାରା ଜିଲ୍ଲାର ମ୍ୟାନ୍ ବ୍ଲକ୍ରେ ମାସୁୱାଡଠାରେ ଆରମ୍ଭ କରିଛି, ଯେଉଁଠାରେ ୮,୦୦୦ରୁ ଅଧିକ ଗୋରୁଙ୍କୁ ଆଶ୍ରୟ ଦିଆଯାଇଛି)। ‘‘ମୌସୁମୀ ଫେରିବା ହେଉଛି ଆମର ଜୀବନରେଖା କାରଣ ଆମ୍ଭେମାନେ ଖାଦ୍ୟଶସ୍ୟ ଓ ଗୃହପାଳିତ ପଶୁଙ୍କ ଚାରା ପାଇଁ ରବି ଫସଲ ଉପରେ ନିର୍ଭର କରୁ। ମୌସୁମୀ ଫେରିବା ସମୟରେ ୧୦ ବର୍ଷରୁ ଅଧିକ ହେଲାଣି ବର୍ଷା ହେଉନାହିଁ, ଏହା ଗୋପାଳନ କରୁଥିବା ଓ ମନ୍ଦେଶର ଅନ୍ୟ ସମ୍ପ୍ରଦାୟ ଉପରେ ବ୍ୟାପକ ପ୍ରଭାବ ପକାଉଛି।’’

Sanket Jain

Sanket Jain
କିନ୍ତୁ ବୋଧହୁଏ କୃଷି କ୍ଷେତ୍ରରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଆଖୁ ଚାଷର ପ୍ରସାର। ୨୦୧୬-୧୭ ବର୍ଷରେ ସୋଲାପୁର ଜିଲ୍ଲାରେ ୧୦୦,୫୦୫ ହେକ୍ଟର ଜମିରେ ୬୩୩,୦୦୦ ଟନ୍ ଆଖୁଚାଷ କରାଯାଇଛି, ମହାରାଷ୍ଟ୍ର ସରକାରଙ୍କର ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତଥ୍ୟରୁ ଜଣାପଡ଼ିଛି। କେତେକ ଖବରର ରିପୋର୍ଟ ଅନୁଯାୟୀ ଏ ବର୍ଷ ଜାନୁଆରୀ ବେଳକୁ, ସୋଲାପୁର ଆଖୁ ପେଡ଼ା ଋତୁରେ ଶ୍ରେଷ୍ଠରେ ରହିଥିଲା। ଏହା ଅକ୍ଟୋବର ମାସରେ ଆରମ୍ଭ ହୋଇଥିଲା, ୧୦ ନିୟୁତ ଟନ୍ରୁ ଅଧିକ ଆଖୁ ୩୩ଟି ପଞ୍ଜୀକୃତ ଚିନି କଳରେ (ସୁଗାର କମିଶନରେଟ୍ ତଥ୍ୟ) ଅନୁଯାୟୀ ପେଡ଼ା ଯାଇଥିଲା।
ମାତ୍ର ଗୋଟିଏ ଟନ୍ ଆଖୁ ପେଡ଼ିବା ପାଇଁ, ରଜନୀଶ ଯୋଶୀ କହନ୍ତି, ସୋଲାପୁରର ଜଣେ ସାମ୍ବାଦିକ ଓ ଜଳ ସଂରକ୍ଷଣ କର୍ମୀ କହନ୍ତି ଯେ ୧,୫୦୦ ଲିଟର ପାଣି ଆବଶ୍ୟକ ହୋଇଥାଏ। ଏହାର ଅର୍ଥ ହେଉଛି କେବଳ ସୋଲାପୁର ଜିଲ୍ଲାରେ ଅକ୍ଟୋବର -୨୦୧୮ରୁ ଜାନୁଆରୀ ୨୦୧୯ ମଧ୍ୟରେ - ଆଖୁ ଚାଷ କ୍ଷେତ୍ରରେ ୧୫ ନିୟୁତ ଘନମିଟର ଜଳ ଖର୍ଚ୍ଚ ହୋଇଥିଲା।
ଗୋଟିଏ ଅର୍ଥକାରୀ ଫସଲରେ ଏତେ ଅଧିକ ପରିମାଣର ଜଳ ବ୍ୟବହାର ସହିତ, ଏହି ଅଞ୍ଚଳରେ ଅନ୍ୟ ଫସଲ ପାଇଁ ଜଳ ଉପଲବ୍ଧତା ଆହୁରି ଅଧିକ କମିଯାଇଥିଲା, ଏହି ଅଞ୍ଚଳରେ କମ୍ ବୃଷ୍ଟିପାତ ଓ ଜଳସେଚନର ଅଭାବ ପୂର୍ବରୁ ରହିଛି। ଗୌଡ଼ୱାଡି, ୧,୩୬୧ ହେକ୍ଟର (ଜନଗଣନା ୨୦୧୧ ଅନୁଯାୟୀ) ପରିମିତ, ଏହାର ଅଧିକାଂଶ ସ୍ଥାନ ଚାଷ ଜମି, ମାତ୍ର ୩୦୦ ହେକ୍ଟର ଜଳସେଚିତ, ନବନାଥ ମାଲି ଆନୁମାନିକ ଭାବରେ କହନ୍ତି ଯେ - ଅବଶିଷ୍ଟ ଅଞ୍ଚଳ ହେଉଛି ବର୍ଷା ଜଳ ଉପରେ ନିର୍ଭରଶୀଳ ଜମି। ସୋଲାପୁର ଜିଲ୍ଲାରେ, ସରକାରୀ ତଥ୍ୟ ଦର୍ଶାଉଛି ଯେ ମୋଟ ଜଳସେଚନର ସମ୍ଭାବନା ୭୭୪,୩୧୫ ହେକ୍ଟର ପାଇଁ ରହିଛି, ୨୦୧୫ରେ ମାତ୍ର ୩୯.୪୯% ଜଳସେଚିତ ଥିଲା।
ଏବଂ ଶସ୍ୟ ଆଛାଦନ ହାନି (କମ୍ ଅବଧିର ଫସଲ ଚାଷକୁ ପରିବର୍ତ୍ତନ କାରଣରୁ, ବୃଷ୍ଟିପାତ ହ୍ରାସ ସହିତ ଖାପଖୁଆଇବା ପାଇଁ), ଉତ୍ତାପ ବୃଦ୍ଧି ଯୋଗୁଁ, କୃଷକମାନେ କହନ୍ତି ଯେ ମାଟି ଅଧିକରୁ ଅଧିକ ଶୁଖିଯାଉଛି। ହାଉସାବାଇ କହନ୍ତି ଏବେ ମାଟିର ଆର୍ଦ୍ରତା “ଛଅ- ଇଞ୍ଚ ଗଭୀର ମଧ୍ୟ ନୁହେଁ’’।

Medha Kale
ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ୨୦୧୮ ମସିହାରେ ଭୂତଳ ଜଳ ସର୍ବେକ୍ଷଣ ଓ ଉନ୍ନୟନ ଏଜେନ୍ସି ସମ୍ଭାବ୍ୟ ଜଳ ସଙ୍କଟ ରିପୋର୍ଟରେ ଦର୍ଶାଇଛି ଯେ, ସାଙ୍ଗୋଲର ସମସ୍ତ ୧୦୨ଟି ଗ୍ରାମରେ, ଭୂତଳ ଜଳସ୍ତର ୧ ମିଟରରୁ ଅଧିକ ତଳକୁ ଖସିଯାଇଛି। ‘‘ମୁଁ ବୋରୱେଲ୍ ଖୋଳିବାକୁ ଚେଷ୍ଟା କଲି, କିନ୍ତୁ ୭୫୦ ଫୁଟ ତଳେ ମଧ୍ୟ ପାଣି ପଡ଼ିଲା ନାହିଁ। ଭୂମି ସମ୍ପୂର୍ଣ୍ଣ ଭାବରେ ଶୁଖି ଯାଇଛି,’’ କହନ୍ତି ଜ୍ୟୋତିରାମ ଖାଣ୍ଡାଗଲେ, ଯାହାର ପ୍ରାୟ ୪ ଏକର ଜମି ଅଛି ଓ ସେ ଗୌଡ଼ୱାଡିରେ କେଶ କାଟିବା ଦୋକାନ ଚଲାଉଛନ୍ତି। ‘‘ଗତ କିଛି ବର୍ଷ ହେଲା ଉଭୟ ରବି ଓ ଖରିଫ୍ ଋତୁରେ ଭଲ ଅମଳର କୌଣସି ଭରସା ନାହିଁ,’’ ସେ କହନ୍ତି। ମାଲି ଅନୁମାନ କରନ୍ତି ଯେ କେବଳ ଗୌଡ଼ୱାଡିରେ ୧୫୦ଟି ଘରୋଇ ନଳକୂଅ ଅଛି, ତାହା ମଧ୍ୟରୁ ଅତି କମ୍ରେ ୧୩୦ଟି ଶୁଖିଯାଇଛି - ଏବଂ ଲୋକେ ପାଣି ପାଇବା ପାଇଁ ୧,୦୦୦ ଫୁଟ୍ ପର୍ଯ୍ୟନ୍ତ ମଧ୍ୟ ଖୋଳୁଛନ୍ତି।
ବ୍ୟାପକ ପରିମାଣରେ ଆଖୁ ଚାଷ ମଧ୍ୟ ଖାଦ୍ୟଶସ୍ୟ ଚାଷ କରାଯାଉନାହିଁ। ୨୦୧୮- ୧୯ ରବି ଋତୁରେ, ସୋଲାପୁର ଜିଲ୍ଲାରେ ମାତ୍ର ୪୧% ଯଅ ଏବଂ ୪୬% ମକା ଚାଷ ରେକର୍ଡ କରାଯାଇଛି, କୃଷି ବିଭାଗ ଜଣାଇଛି। ମହାରାଷ୍ଟ୍ର ବ୍ୟାପୀ ଯେଉଁ ସ୍ଥାନରେ ଯଅ ଚାଷ କରାଯାଉଥିଲା ସେ ସବୁ ୫୭% ଏବଂ ମକା ଫସଲ ୬୫% ହ୍ରାସ ପାଇଛି, ରାଜ୍ୟର ଇକୋନୋମିକ୍ ସର୍ଭେ ୨୦୧୮-୧୯ରେ ଦର୍ଶାଯାଇଛି । ଏବଂ ଉଭୟ ଫସଲର ଅମଳ ପ୍ରାୟ ୭୦% ହ୍ରାସ ପାଇଛି।
ଉଭୟ ଫସଲ ମନୁଷ୍ୟ ଓ ଗୃହପାଳିତ ପଶୁମାନଙ୍କ ପାଇଁ ଗୋଖାଦ୍ୟ ନିମନ୍ତେ ଖାଦ୍ୟଶସ୍ୟର ଏକ ମହତ୍ୱପୂର୍ଣ୍ଣ ଉତ୍ସ ହୋଇଥାଏ। ଗୋଖାଦ୍ୟର ଅଭାବ ଯୋଗୁଁ ସରକାର (ଏବଂ ଅନ୍ୟମାନେ) ସାଙ୍ଗୋଲରେ ଖରା ମାସରେ ଗୋ ଶିବିର ଆରମ୍ଭ କରିବାକୁ ବାଧ୍ୟ ହୋଇଛନ୍ତି - ୨୦୧୯ ମସିହାରେ ଏ ପର୍ଯ୍ୟନ୍ତ ୧୦୫ଟି ଶିବିରରେ ୫୦,୦୦୦ ପାଖାପାଖି ଗୋରୁ ଆଶ୍ରୟ ନେଇଥିବା, ପୋପୋଟ୍ ଗଡ଼ାଡେ ଅନୁମାନ କରନ୍ତି। ସେ ହେଉଛନ୍ତି ଦୁଗ୍ଧ ସମବାୟର ଜଣେ ନିର୍ଦ୍ଦେଶକ ଏବଂ ସେ ହିଁ ଗୌଡ଼ୱାଡିରେ ଗୋ ଶିବିର ଆରମ୍ଭ କରିଥିଲେ ଏବଂ ଏହି ଶିବିରରେ ଗୋରୁମାନେ କଣ ଖାଆନ୍ତି। ସମାନ ଆଖୁ ଯାହାକି ପ୍ରତି ହେକ୍ଟର ପିଛା ୨୯.୭ ନିୟୁତ ଲିଟର ପାଣି (ଆନୁମାନିକ ଭାବରେ ଦର୍ଶାଯାଇଥିବା) ଆବଶ୍ୟକ କରିଥାଏ।
ତେଣୁ, ସାଙ୍ଗୋଲରେ ପରସ୍ପର ସହିତ ଜଡ଼ିତ ହୋଇଥିବା ବହୁ ପରିବର୍ତ୍ତନ ଭିତରେ ଭିତରେ ଚାଲିଛି, ଯାହାକି ‘ପ୍ରକୃତି’ର ଏକ ଅଂଶ କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ମନୁଷ୍ୟମାନଙ୍କ ଦ୍ୱାରା ସେସବୁ ଗତିଶୀଳ ହେଉଛି। ଏଗୁଡ଼ିକ ମଧ୍ୟରେ ବୃଷ୍ଟିପାତ ହ୍ରାସ, କମ୍ ଦିନ ବର୍ଷା ହେବା, ତାପମାତ୍ରା ବୃଦ୍ଧି ପାଇବା, ଅଧିକ ଦିନ ଅତିରିକ୍ତ ଉତ୍ତାପ, ପ୍ରାକ୍ ଓ ପରବର୍ତ୍ତୀ ମୌସୁମୀ ବର୍ଷା ପ୍ରାୟ ନ ହେବା ଏବଂ ମାଟିର ଆର୍ଦ୍ରତା ହାନି ରହିଛି। ଏହା ସହିତ ଶସ୍ୟ ଚାଷରେ ପରିବର୍ତ୍ତନ - କମ୍ ଅବଧି ପ୍ରକାରର ଚାଷ ଏବଂ ଫଳରେ ଶସ୍ୟ ଆଛାଦନ ହ୍ରାସ, ଦେଶୀ ପ୍ରକାର ସଂଖ୍ୟା ହ୍ରାସ, ଅଳ୍ପ ଖାଦ୍ୟଶସ୍ୟ ଚାଷ ଯେପରିକି ଯଅ ଏବଂ ଅଧିକ ଅର୍ଥକାରୀ ଫସଲ ଯେପରିକି ଆଖୁ ଚାଷ - ନିମ୍ନମାନର ଜଳସେଚନ, ଭୂତଳ ଜଳ ସ୍ତର ହ୍ରାସ - ଏବଂ ଅନ୍ୟାନ୍ୟ।
ଯେତେବେଳେ ପଚରାଗଲା କେଉଁ କାରଣରୁ ଏସବୁ ପରିବର୍ତ୍ତନ ହେଉଛି, ଗୌଡ଼ୱାଡି ଗୋ ଶିବିରର ତାତ୍ୟା ହସି ଦେଇ କହିଲେ, ‘‘ଯଦି ଆମେ ବର୍ଷା ଦେବତାଙ୍କର ମନ ପଢ଼ିପାରନ୍ତେ ଏମିତି ହୁଅନ୍ତା ନାହିଁ! ଯେତେବେଳେ ମଣିଷ ଲୋଭୀ ହୋଇଯାଉଛି, ବର୍ଷା କେମିତି ହେବ? ମନୁଷ୍ୟମାନେ ନିଜର କାର୍ଯ୍ୟଧାରା ବଦଳାଉଛନ୍ତି, ପ୍ରକୃତି କାହିଁକି ବଦଳାଇବ ନାହିଁ?’’

Sanket Jain
ଲେଖକ ସାମାଜିକ କର୍ମୀ ଶାହାଜୀ ଗଡ଼ାହିରେ ଏବଂ ଦତ୍ତା ଗୁଲିଗଙ୍କୁ ତାଙ୍କର ସମୟ ଓ ମୂଲ୍ୟବାନ ତଥ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଚ୍ଛଦ ଫଟୋ: ସଙ୍କେତ ଜୈନ/ପରୀ
ପରୀ ଦେଶ ବ୍ୟାପି ୟୁଏନଡିପି - ସମର୍ଥିତ ପ୍ରୟାସର ଅଂଶ ଭାବରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରୁଛି, ଏହା ସାଧାରଣ ଲୋକଙ୍କର ବାସ୍ତବ ଅନୁଭୂତି ଓ ସ୍ୱର ମାଧ୍ୟମରେ ସତ୍ୟତାକୁ ଉପସ୍ଥାପିତ କରୁଛି।
ଆପଣ ଏହି ଲେଖା ପ୍ରକାଶ କରିବାକୁ ଚାହାଁନ୍ତି କି ? ଦୟାକରି [email protected]ଙ୍କୁ ଏକ ପ୍ରତିଲିପି ପ୍ରଦାନ କରିବା ସହିତ [email protected] ଙ୍କୁ ଲେଖନ୍ତୁ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସାଙ୍ଗୋଲ୍ରେ-ସବୁକିଛି-ଓଲଟପାଲଟ-ହୋଇଯାଇଛି

