ତଥାପି ସେମାନେ ତହସିଲ ଅଫିସରେ ପତାକାଟି ସାଇତି ରଖିଛନ୍ତି। କେବଳ ଏଇଠି, ଅଗଷ୍ଟ ୧୮ ତାରିଖରେ ସେମାନେ ଏହି ପତାକା ଉତ୍ତୋଳନ କରନ୍ତି। ୧୯୪୨ ମସିହା ଏହି ଦିନ ଉତ୍ତର ପ୍ରଦେଶ ଘାଜିପୁର ଜିଲ୍ଲାର ଏହି ଅଞ୍ଚଳ ନିଜକୁ ବ୍ରିଟିଶଠାରୁ ସ୍ୱାଧୀନ ଘୋଷଣା କରିଥିଲା। ମୁହମ୍ମଦାବାଦର ତହସିଲଦାର ଭିଡ଼ ଉପରେ ଗୁଳିମାଡ କରି ଶେରପୁର ଗାଁର ଆଠ ଜଣଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ଭିତରୁ ଅଧକାଂଶ କଂଗ୍ରେସ କର୍ମୀ ଯାହାର ନେତୃତ୍ୱ ନେଇଥିଲେ ଶିବ ପୂଜନ ରାୟ। ମୁହମ୍ମଦାଦାବ ତହସିଲ କୋଠା ଉପରେ ତ୍ରିରଙ୍ଗା ଉଡାଇବା ଉଦ୍ୟମବେଳେ ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା।
ସାରା ଦେଶରେ ସଂଗ୍ରାମରେ ନିଆଁ ଧରିଥିଲା। ଏହି ଜିଲ୍ଲାରେ ଅଗଷ୍ଟ ୧୦ରେ ୧୨୯ ଜଣ ନେତାଙ୍କ ବିରୋଧରେ ବ୍ରିଟିଶ ଗିରଫ ପରଓ୍ୱାନା ଜାରି କରିଥିଲା। ସେହି ୧୯ ସୁଦ୍ଧା ପୂରା ଘାଜିପୁରକୁ ଲୋକେ ନିଜ ନିୟନ୍ତ୍ରଣକୁ ନେଇଥିଲେ ଆଉ ତିନି ଦିନ ପାଇଁ ସରକାର ଚଳାଇଥିଲେ।
ଏହା ଆତଙ୍କରାଜ ବୋଲି ଜିଲ୍ଲା ଗାଜେଟରେ ବ୍ରିଟିଶ ପ୍ରତିକ୍ରିୟା ପ୍ରକାଶ ପାଇଲା। ଏହା ପରେ ଗୋଟିଏ ପରେ ଗୋଟିଏ ଗାଁରେ ଲୁଟପାଟ ହେଲା, ଗୃହଦାହ ହେଲା। ପୋଲିସ ଏବଂ ଫୌଜ ଲଗାଇ ‘ଭାରତ ଛାଡ’ ଆନ୍ଦୋଳନକାରୀଙ୍କୁ ଦମନ କରାଗଲା। ମାତ୍ର କିଛି ଦିନ ମଧ୍ୟରେ ଜିଲ୍ଲାର ପାଖାପାଖି ୧୫୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଗୁଳି କରି ହତ୍ୟା କରାଗଲା। ଦସ୍ତାବିଜ ଅନୁସାରେ ପୋଲିସ ଏବଂ ବ୍ରିଟିଶ କର୍ମଚାରୀ ସାଧାରଣ ଜନତାଙ୍କଠାରୁ ୩୫ ଲକ୍ଷ ଟଙ୍କା ଲୁଟ୍ କଲେ। ୭୪ ଜଣ ଗ୍ରାମବାସୀଙ୍କୁ ଜାଳି ଦିଆଗଲା। ଘାଜିପୁର ଲୋକେ ସାମୁହିକ ଭାବେ ୪.୫ ଲକ୍ଷ ଟଙ୍କା ଜରିମାନା ଦେଲେ। ସେତେବେଳେ ଏହି ଟଙ୍କା ଖୁବ୍ ଅଧିକ ଥିଲା।
ଶେରପୁରକୁ ଶାସ୍ତି ଦେବା ପାଇଁ ବ୍ରିଟିଶ କର୍ମଚାରୀମାନେ ଜଣଜଣ କରି ବାହାରିଲେ। ଏଠାକାର ସବୁଠୁ ବୟୋଜ୍ୟେଷ୍ଠ ଦଳିତ ବ୍ୟକ୍ତି ହରି ଶରଣ ରାମ ସେଦିନର ସ୍ମୃତିଚାରଣ କରି କହନ୍ତି : “ଗାଁରେ ଚଢେଇଟିଏ ବି ନଥିଲା। କେବଳ ଅସମର୍ଥ ଲୋକେ ଗାଁ ଛାଡି ଯାଇପାରି ନଥିଲେ।” ପୂରା ଘାଜିପୁରକୁ ବ୍ରିଟିଶ ସରକାର ଶିକ୍ଷା ଦେବାକୁ ଚାହିଁଲା। ୧୮୫୦ରୁ ଏହି ଜିଲ୍ଲାର ବ୍ରିଟିଶ ବିରୋଧୀ ରେକର୍ଡ ରହିଛି ଯେତେବେଳେ ନୀଳ ଚାଷୀଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ଏବେ ଗାଁ ଲାଠି ଆଉ ଗୁଳି ଖାଉଛି।
ଏହି ଦିନ ମୁହମ୍ମଦାବାଦ ତହସିଲ କାର୍ଯ୍ୟାଳୟରେ ରାଜନୈତିକ ତୀର୍ଥଯାତ୍ରୀଙ୍କ ସମାଗମ ହୁଏ। ଏଠାକୁ ପରିଦର୍ଶନରେ ଆସିଥିବା ରାଜନେତାଙ୍କ ମଧ୍ୟରେ ଚାରି ଜଣ ପ୍ରଧାନମନ୍ତ୍ରୀ ଅଛନ୍ତି। ସେମାନେ ପ୍ରଧାନମନ୍ତ୍ରୀତ୍ୱକାଳରେ ଆସିଛନ୍ତି ବା ପରେ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ଊତ୍ତର ପ୍ରଦେଶର ପ୍ରାୟ ସମସ୍ତ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଛନ୍ତି। ସହିଦ ସ୍ମାରକ ସମିତିର ମୁଖ୍ୟ ଲକ୍ଷ୍ମଣ ରାୟ କହନ୍ତି, ପ୍ରତି ବର୍ଷ ଅଗଷ୍ଟ ୧୮ ତାରିଖରେ ଏହି ତହସିଲ କାର୍ଯ୍ୟାଳୟରେ ଆଠ ଜଣ ସହିଦଙ୍କ ସ୍ମୃତିଚାରଣକରାଯାଇଥାଏ। ସେ ଆମକୁ ସ୍ୱାଧୀନତା ସଂଗ୍ରାମୀଙ୍କର ସେହି ମୂଳ ପତାକାଟିକୁ ଦେଖାଇଲେ। ପତାକାଟି କ୍ଷୟ ହୋଇଗଲାଣି। ତଥାପି ଯତ୍ନର ସହ ତାକୁ ସାଇତି ରଖାଯାଇଛି। ସେ ଗର୍ବର ସହ କହନ୍ତି, “ଏଠାକୁ ଆସୁଥିବା ସବୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ପତାକାକୁ ପୂଜା କରନ୍ତି।”
ଶେରପୁର ଏହି ପୂଜାରୁ ବେଶି କିଛି ଫାଇଦା ପାଇନି। କିନ୍ତୁ ଜାତି, ଶ୍ରେଣୀ, ସମୟ ଏବଂ ସମାଜ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱପୂର୍ଣ୍ଣ ବଳୀଦାନର ସ୍ମୃତିକୁ ରଂଗ ଦେଇଛି। ଜଣେ ସ୍ୱେଚ୍ଛାସେବୀ କହିଲେ, “ଆଠ ଜଣ ସହିଦ ଥିଲେ। କିନ୍ତୁ ଏହି ସହିଦଙ୍କ ପାଇଁ ପାଖାପଖି ୧୦ଟି ସ୍ମାରକ କମିଟି ରହିଛି।” ଏହି କମିଟିଗୁଡିକ ମଧ୍ୟରୁ କେକେତ ବିଭିନ୍ନ ଅନୁଷ୍ଠାନ ଚଳାଉଛନ୍ତି। କେତେକ କମିଟି ସହିଦଙ୍କ ପୁଅମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ସହିଦ ପୁତ୍ର ଭାବରେ ଏଠି ସେମାନଙ୍କ ପରିଚୟ ରହିଛି।






