ଶୀତଲ କହନ୍ତି, "ସମସ୍ତେ ଆମକୁ କାହିଁକି ଘୃଣା କରୁଛନ୍ତି? କାରଣ ଆମେ ହିଞ୍ଜଡ଼ା। ତା’ ଅର୍ଥ କଣ ଆମର ଇଜ୍ଜତ ନାହିଁ?"
ଶୀତଲ ତାଙ୍କ ତିକ୍ତ ଅନୁଭୁତି କହିଲେ। ଏବେ ତାଙ୍କୁ ୨୨ ବର୍ଷ। ପାଖାପାଖି ୧ ଦଶନ୍ଧି ହେଲା ସେ ସ୍କୁଲରେ, କାର୍ଯ୍ୟ କ୍ଷେତ୍ରରେ ଏବଂ ରାସ୍ତାରେ- ସବୁଠି ନିର୍ଯାତନାର ଶିକାର ହୋଇ ଆସୁଛନ୍ତି। ସମସ୍ତେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।
ଏ ସବୁ ତାଙ୍କ ଘରେ-ଇଛଲକରଞ୍ଜି ନେହରୁ ନଗରରେ ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା। ତାଙ୍କ ନାଁ ଥିଲା ଅରବିନ୍ଦ। ସେ କହନ୍ତି, "ମୁଁ ଅଷ୍ଟମ କିମ୍ବା ନବମ ଶ୍ରେଣୀରେ ପଢିବାବେଳେ ଝିଅଙ୍କ ପୋଷାକ ପିନ୍ଧିବାକୁ ଭଲ ପାଇଲି। ମୁଁ ବୁଝି ପାରୁନଥିଲି ମୋର ଏମିତି କାହିଁକି ହେଉଥିଲା ... ଘରେ ମୁଁ ଦର୍ପଣରେ ନିଜକୁ ଚାହୁଁଥିଲି, ଆଉ ମୋ ବାପା ଚିତ୍କାର କରୁଥିଲେ, 'ମାଇଚିଆଙ୍କ ଭଳି ଏତେ କଣ ନିଜକୁ ଦେଖୁଛୁ, ବାହାରେ ଯାଇ ପୁଅପିଲାଙ୍କ ସାଙ୍ଗରେ ଖେଳ୍।' ଯେତେବେଳେ ମୁଁ କହୁଥିଲି ଝିଅଙ୍କ ଭଳି ଶାଢୀ ପିନ୍ଧିବାକୁ ଚାହୁଁଛି, ସେତେବେଳେ ବାପା ପିଟୁଥିଲେ। କହୁଥିଲେ ମତେ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବେ ବୋଲି। ସେ ପିଟିଲେ ମୁଁ ବହୁତ କାନ୍ଦୁଥିଲି।"
ଶୀତଲ (ତାଙ୍କ ଅନୁରୋଧରେ ନାଁ ବଦଳିଛି) ଙ୍କୁ ତାଙ୍କ ପରିବାର ଭଲ କରିବାକୁ ଜଣେ ତାନ୍ତ୍ରିକ ପାଖକୁ ନେଇଥିଲେ। "ମୋ ମା କହୁଥିଲେ, ମୋତେ କେହି କଳାଯାଦୁ କରିଛି। ମୋ ବାପା [କବାଡି ବ୍ୟବସାୟ କରନ୍ତି] କୁକୁଡ଼ା ବଳି ଦେଇଥିଲେ। ମୁଁ ଶାରୀରିକ ଭାବେ ଜଣେ ପୁଅ ଥଲେ ବି ଝିଅ ହେବାକୁ ଚାହୁଁଛି, ଏ କଥା ବାପା ମାଆ ବୁଝି ପାରୁ ନଥିଲେ। ସେମାନେ କେହି ମୋ କଥା ଶୁଣୁ ନଥିଲେ।"
ଯେତେବେଳେ ତାଙ୍କୁ ୧୬ ବର୍ଷ, ସେ ଘର ଛାଡି ରାସ୍ତାରେ ଭିକ ମାଗିବା ଆରମ୍ଭ କଲେ- ଏ କାମ ସେ ଏବେ ବି କରୁଛନ୍ତି। ସେ ସକାଳ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଦୋକାନ ଦୋକାନ ବୁଲି ପଇସା ମାଗୁଛନ୍ତି: ଜୟସିଂପୁର, କୋହ୍ଲାପୁର ଏବଂ ସାଙ୍ଗଲି ଆଦି ପାଖ ସହରକୁ ମଧ୍ୟ ସେ ଭିକ୍ଷା ପାଇଁ ଯାଆନ୍ତି। ଦିନକୁ ହାରାହାରି ତାଙ୍କୁ ୧୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ବେଳେବେଳେ ତାଙ୍କୁ ଅନ୍ୟ ୪-୫ ଜଣ ହିଞ୍ଜଡ଼ାଙ୍କ ସହ ବିବାହ, ଏକୋଇଶା ଏବଂ ଅନ୍ୟାନ୍ୟ ଧାର୍ମିକ ଜାଗାରେ ନାଚିବାକୁ ଆଉ ଗୀତ ଗାଇବାକୁ ଲୋକେ ନିମନ୍ତ୍ରଣ କରିଥାନ୍ତି। ସେଠାରେ ସେ ଜଣକା ୨୦୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି।








