

Anantapur, Andhra Pradesh
|TUE, JUL 09, 2019
ରାୟଲ୍ସୀମାରେ ବାଲି ବର୍ଷୁଛି
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଫସଲ ଢାଞ୍ଚାରେ ପରିବର୍ତ୍ତନ, ବନ ଆବରଣ କମ୍ ହେବା, ବୋର୍ୱେଲ୍ ସଂଖ୍ୟା ବୃଦ୍ଧିପାଇବା, ଗୋଟିଏ ନଦୀର ମୃତ୍ୟୁ, ଏବଂ ଆହୁରି ଅନେକ- ମିଶି ଭୂମି, ବାୟୁ, ଜଳ, ବନ ଏବଂ ଜଳବାୟୁ ଉପରେ ନାଟକୀୟ ପ୍ରଭାବ ସୃଷ୍ଟି କରୁଛି
Reporter
Editor
Series Editors
Translator
ଏହା ଭାରତୀୟ ସିନେମାରେ ମରୁଭୂମିରେ ଫାଇଟିଂର ଏକ ସୁନ୍ଦର ଦୃଶ୍ୟ। ବାଲିକୁଦର ଉଚ୍ଚ ଏବଂ ନିଚ୍ଚ ପୃଷ୍ଠଭୂମିରେ ସାମାନ୍ୟ ବୁଦାଗଛ, ନାୟକ ଗୋଟିଏ ଶୁଷ୍କ ଅପନ୍ତରା ସ୍ଥାନର ତାତିଲା ବାଲି ମଧ୍ୟରୁ ଉଠୁଛି ଖଳନାୟକମାନଙ୍କୁ ପିଟି ସାବାଡ଼ କରିବା ପାଇଁ। ପ୍ରକୃତି ଯେତିକି ଉତ୍ତାପ ଏବଂ ଧୂଳି ଦେଇଛି ସେଥିରେ ଆଉ କିଛି ଯୋଗ କରି ସେ ସିନେମାଟିରେ ସୁଖଦ ପରିସମାପ୍ତି ଆଣେ (କେବଳ ଖଳନାୟକକୁ ବାଦ୍ ଦେଇ)। ଅସଂଖ୍ୟ ଭାରତୀୟ ସିନେମାରେ ଏସବୁ ଦୃଶ୍ୟ ପ୍ରସ୍ତୁତ ହୋଇଛି ରାଜସ୍ଥାନର ଅନେକ ନିକାଞ୍ଚନ ଜଙ୍ଗଲରେ ,କିମ୍ବା ମଧ୍ୟପ୍ରଦେଶର ଚମ୍ବଲ ଉପତ୍ୟକାର ଅଣଓସାରିଆ ତୀଖ ଗଡ଼ାଣିରେ।
କେବଳ ଏହି ଶୁଷ୍କ ଜଙ୍ଗଲ ଦୃଶ୍ୟ (ଭିଡିଓ କ୍ଲିପ୍ ଦେଖନ୍ତୁ) ରାଜସ୍ଥାନ କିମ୍ବା ଚମ୍ବଲର କୌଣସି ସ୍ଥାନର ଦୃଶ୍ୟ ବ୍ୟବହାର କରିନାହିଁ। ଏହା ଦକ୍ଷିଣ ଉପଦୀପର ଖୁବ୍ ଭିତରେ, ଆନ୍ଧ୍ରପ୍ରଦେଶର ରାୟଲ୍ସୀମା ଅଞ୍ଚଳରେ ସୁଟିଂ କରାଯାଇଛି। ଏକଦା ବାଜରା ଚାଷ ପାଇଁ ଖ୍ୟାତ ଥିବା ଅନନ୍ତପୁର ଜିଲ୍ଲାର ପ୍ରାୟ ୧,୦୦୦ ଏକର ଏହି ନିର୍ଦ୍ଦିଷ୍ଟ କ୍ଷେତ୍ର – ଗତ କେଇ ଦଶନ୍ଧି ହେବ ଅଧିକରୁ ଅଧିକ ମରୁଭୂମି ପାଲଟି ଯାଉଛି। ଏହା ମୁଖ୍ୟତଃ ବିରୋଧାଭାସୀ କାରକ ଦ୍ୱାରା ସଂଚାଳିତ- ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ଯେପରି ସ୍ଥାନ ଖୋଜିବା ପାଇଁ ଲୋକ ପଠାନ୍ତି ସେପରି ସ୍ଥାନ ପ୍ରସ୍ତୁତ କରିଛି।
ଦରଘା ହୋନୁର୍ ଗ୍ରାମରେ, ଯେଉଁଠାରେ ଏହି ଜମିର ଅଧିକାଂଶ ମାଲିକ ରୁହନ୍ତି, ସେଠାରେ କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ ଯେ ଆମେ ଚଳଚ୍ଚିତ୍ର ପାଇଁ ସ୍ଥାନ ଖୋଜିବାକୁ ଆସିନୁ । ‘‘କେଉଁ ଫିଲ୍ମ ପାଇଁ ଏହା? ଏହା କେବେ ଆସିବ?’’ ଏହା ସାଧାରଣ ପ୍ରଶ୍ନ ଥିଲା କିମ୍ବା ସେମାନଙ୍କ ମନରେ ଏହା ହିଁ ଚାଲୁଥିଲା। ଆମେ ସାମ୍ବାଦିକ ଜାଣିବା ପରେ କେତେଜଣଙ୍କ ଆଗ୍ରହରେ ତୁରନ୍ତ ଭଟ୍ଟା ପଡ଼ିଯାଇଥିଲା।
ଜୟମ୍ ମନାଡ଼େ ରା (ଆମର ହିଁ ବିଜୟ) – ଚଳଚ୍ଚିତ୍ର ନିର୍ମାତା ଏହି ସ୍ଥାନକୁ ବିଖ୍ୟାତ କରି ଦେଇଥିଲେ। ୧୯୯୮ ଏବଂ ୨୦୦୦ ମଧ୍ୟରେ ଫାଇଟିଂ ଦୃଶ୍ୟଗୁଡ଼ିକ ଏହିଠାରେ ହିଁ ସୁଟିଂ କରିଥିଲେ। ଯେ କୌଣସି ଅଧ୍ୟବସାୟୀ ବ୍ୟବସାୟିକ ଚଳଚ୍ଚିତ୍ର ପରି ସେମାନେ ସେମାନଙ୍କର ସେଟ୍ରେ ମରୁଭୂମିର ପ୍ରଭାବକୁ ଅଧିକ ବୃଦ୍ଧି କରିବା ପାଇଁ ଚେଷ୍ଟା କରିଥିଲେ। ୪୫ ବର୍ଷ ବୟସ୍କ ପୁଜାରୀ ଲିଙ୍ଗାନ୍ନା କୁହନ୍ତି ‘‘ଆମକୁ ଆମ କ୍ଷେତରୁ ଫସଲ ଉପାଡ଼ି ଦେବାକୁ ପଡ଼ିଥିଲା (ସେଥିପାଇଁ ସେମାନେ ଆମକୁ କ୍ଷତିପୂରଣ ପ୍ରଦାନ କରିଥିଲେ)’’ ଫାଇଟିଂ ଦୃଶ୍ୟ ସୁଟିଂ ହୋଇଥିବା ସ୍ଥାନରେ ପୂଜାରୀଙ୍କ ପରିବାରର ୩୪ ଏକର ଜମି ଅଛି।‘‘ଆମେ କେତେକ ବୁଦା ଏବଂ ଗଛ ମଧ୍ୟ ଉପାଡ଼ି ଦେଇଥିଲୁ ଯେପରି ଏହା ଆହୁରି ଅଧିକ ବାସ୍ତବ ଲାଗିବ।’’ ବାକି କାମ କ୍ୟାମେରା ଏବଂ ଫିଲ୍ଟର୍ର ବୁଦ୍ଧିମାନ ବ୍ୟବହାର ଦ୍ୱାରା ହୋଇପାରିଥିଲା।
ଯଦି ଜୟମ୍ ମନାଡ଼େ ରା ର ନିର୍ମାତାମାନେ ଆଜି ୨୦ ବର୍ଷ ପରେ ଏହାର ଏକ ସିକ୍ୱେଲ୍ ସୁଟିଂ କରିଥାନ୍ତେ ତେବେ ସେମାନଙ୍କୁ ଖୁବ୍ କମ୍ କରିବାକୁ ହୋଇଥାନ୍ତା। ସମୟ, ପ୍ରକୃତିର ଯନ୍ତ୍ରଣା ଏବଂ ମନୁଷ୍ୟର ଅବାଧ ହସ୍ତକ୍ଷେପ ଏହି ମରୁସ୍ଥଳୀୟ ବୃଦ୍ଧିକୁ ପ୍ରଭାବିତ କରିଛି ଯାହାକି ସେମାନଙ୍କର ଚାହିଦା ।
କେବଳ ଏହି ଶୁଷ୍କ ଜଙ୍ଗଲ ଦୃଶ୍ୟ (ଭିଡିଓ କ୍ଲିପ୍ ଦେଖନ୍ତୁ) ରାଜସ୍ଥାନ କିମ୍ବା ଚମ୍ବଲର କୌଣସି ସ୍ଥାନର ଦୃଶ୍ୟ ବ୍ୟବହାର କରିନାହିଁ। ଏହା ଦକ୍ଷିଣ ଉପଦୀପର ଖୁବ୍ ଭିତରେ, ଆନ୍ଧ୍ରପ୍ରଦେଶର ରାୟଲ୍ସୀମା ଅଞ୍ଚଳରେ ସୁଟିଂ କରାଯାଇଛି।
କିନ୍ତୁ ଏହା ଏକ ବିଚିତ୍ର ମରୁସ୍ଥଳ। ଏଠାରେ ଏବେ ବି ଚାଷ ହେଉଛି-କାରଣ ଏଠାରେ ଏବେ ମଧ୍ୟ ଭୂତଳ ଜଳ ଭୂପୃଷ୍ଠଠାରୁ ଖୁବ୍ ନିକଟରେ ଅଛି। ଲିଙ୍ଗନ୍ନାଙ୍କ ପୁଅ ପି. ହୋନୁରେଡ୍ଡୀ କୁହନ୍ତି, ‘‘ଏହି କ୍ଷେତରେ ଆମେ ମାତ୍ର ୧୫ଫୁଟ ତଳେ ପାଣି ପାଉଛୁ’’। ଅନନ୍ତପୁରର ଅନ୍ୟ ଅଂଶରେ ବୋରଓ୍ୱେଲ୍ଗୁଡ଼ିକରେ ୫୦୦-୬୦୦ ଫୁଟ ପୂର୍ବରୁ ପାଣି ମିଳିବ ନାହିଁ। ଜିଲ୍ଲାର ଆଉ କେତେକ ଅଞ୍ଚଳରେ ୧୦୦୦ଫୁଟ ପର୍ଯ୍ୟନ୍ତ ମଧ୍ୟ ପାଣି ନାହିଁ। ତଥାପି ଆମେ କଥାବାର୍ତ୍ତା କରୁଥିବା ସମୟରେ ଗୋଟିଏ ବୋରଓ୍ୱେଲ୍ରୁ ପାଣି ବାହାରୁଥିଲା। ଏତେ ପାଣି, ଭୂପୃଷ୍ଠର ଏତେ ନିକଟରେ, ଏହି ଉତ୍ତପ୍ତ ଏବଂ ବାଲିଆ ଅଞ୍ଚଳରେ?
ନିକଟସ୍ଥ ଏକ ଗ୍ରାମର ଜଣେ କୃଷକ ପାଲଥୁରୁ ମୁକନ୍ନା ବୁଝାଇ ଦେଲେ, ‘‘ଏ ସମଗ୍ର ଅଞ୍ଚଳ ଏକ ପରିବର୍ଦ୍ଧିତ ନଦୀ ଶଯ୍ୟା’’। କେଉଁ ନଦୀ? ଆମେ କିଛି ଦେଖିପାରୁନୁ। ‘‘ସେମାନେ କେଇ ଦଶନ୍ଧି [ପ୍ରାୟ ପାଞ୍ଚ] ତଳେ ଏକ ନଦୀବନ୍ଧ ନିର୍ମାଣ କଲେ। ଏହା ହୋନ୍ନୁରଠାରୁ ୨୫-୩୦ କିଲୋମିଟର ଦୂରରେ ଯେଉଁ ବେଦବତୀ ନଦୀ ଏଠାରେ ପ୍ରବାହିତ ହେଉଥିଲା ତାହା ଉପରେ ଏହି ନଦୀବନ୍ଧ ନିର୍ମାଣ ହେଲା। ଆମ ଅଂଶରେ ଥିବା ବେଦବତୀ (ତୁଙ୍ଗଭଦ୍ରାର ଏକ ଉପନଦୀ ଯାହାକୁ ଅଘାରି ମଧ୍ୟ କୁହାଯାଏ) କେବଳ ଶୁଖିଗଲା।’’
ପରିସଂସ୍ଥାନ କେନ୍ଦ୍ର (ଅନନ୍ତପୁରର ଗ୍ରାମୀଣ ବିକାଶ ଟ୍ରଷ୍ଟର) ମଲ୍ଲା ରେଡ୍ଡୀ କୁହନ୍ତି, ‘‘ପ୍ରକୃତରେ ଏହା ହିଁ ହେଲା।’’ ‘‘ଏବଂ ନଦୀ ହୁଏତ ଶୁଖିଯାଇପାରେ କିନ୍ତୁ ଶହ ଶହ ବର୍ଷ ଧରି ଏହା ଏକ ଭୂତଳ ଜଳଭଣ୍ଡାର ସୃଷ୍ଟି କରିଛି, ଯାହାକି ଅବାଧ ଭାବରେ ଖନନ ଏବଂ ଦୋହନ ହେଉଛି। ଏପରି ହାରରେ ଯେ, ଯାହାକି ଆଗାମୀ ବିପର୍ଯ୍ୟୟର ସଙ୍କେତ ଦେଉଛି।’’ ସେ ଯେପରି ଭାବରେ ଏହି ଅଞ୍ଚଳକୁ ଜାଣନ୍ତି, ଖୁବ୍ କମ୍ ଲୋକ ସେମିତି ଜାଣନ୍ତି।’’
ଏହି ବିପର୍ଯ୍ୟୟ ଆସିବାକୁ ବିଳମ୍ବ ହୋଇନପାରେ। ଏହି ମରୁଭୂମି ପାଲଟିଥିବା ଅଞ୍ଚଳରେ ୧୨.୫ ଏକର ଜମି ଥିବା ଜଣେ କୃଷକ ୪୬ ବର୍ଷ ବୟସ୍କ ଭି.ଏଲ୍. ହିମାଚଳ କୁହନ୍ତି, ‘‘୨୦ବର୍ଷ ତଳେ ପ୍ରାୟ ଗୋଟିଏ ବି ବୋରଓ୍ୱେଲ୍ ନଥିଲା।’’ ‘‘ଏଠାରେ କୃଷି ବର୍ଷା ଉପରେ ନିର୍ଭରଶୀଳ ଥିଲା। ବର୍ତ୍ତମାନ ପ୍ରାୟ ହଜାରେ ଏକରରେ ୩୦୦-୪୦୦ଟି ବୋର୍ଓ୍ୱେଲ୍ ଅଛି ଏବଂ ଆମେ ୩୦-୩୫ଫୁଟ୍ ତଳେ ପାଣି ପାଉଛୁ। ବେଳେ ବେଳେ ଆଉ ଟିକେ ଅଧିକ।’’ ପ୍ରତି ତିନି ଏକର କିମ୍ବା ତା’ଠାରୁ ସାମାନ୍ୟ କମ୍ ପାଇଁ ଗୋଟିଏ ଲେଖାଏଁ ବୋରଓ୍ୱେଲ୍।
ଏହା ଖୁବ୍ ସଘନ, ଏପରିକି ଅନନ୍ତପୁର ପାଇଁ ମଧ୍ୟ ଯେଉଁଠାରେ ପ୍ରାୟ ୨୭୦,୦୦୦ ବୋର୍ଓ୍ୱେଲ୍ ଅଛି, ଯଦିଓ ଏହି ଜିଲ୍ଲାର ସର୍ବାଧିକ ବୋର୍ଓ୍ୱେଲ୍ ଧାରଣ କ୍ଷମତା ୭୦, ୦୦୦ । ଏହି ବିଶାଳ ସଂଖ୍ୟକ ବୋର୍ଓ୍ୱେଲ୍ ମଧ୍ୟରୁ ଅଧାରୁ ଅଧିକ ଏହି ବର୍ଷ ଶୁଖିଯାଇଛି।’’

Rahul M.

P. Sainath
ତା’ହେଲେ ଏହି ଶୁଖିଲା ଭୂଇଁରେ ବୋରଓ୍ୱେଲ୍ ଗୁଡ଼ିକ କ’ଣ ପାଇଁ? କ’ଣ ଚାଷ ହେଉଛି? ଆମେ ଯେଉଁ ଅଞ୍ଚଳରେ ବୁଲୁଥିଲୁ ସେଠାରେ ଜିଲ୍ଲାର ସର୍ବାଧିକ ପ୍ରଚଳିତ ଚିନାବାଦାମ ଫସଲ ନୁହେଁ ବରଂ ବାଜରା ଚାଷ ହେଉଛି। ଏଠାରେ ବାଜରା ବିହନ ଭାବରେ ବ୍ୟବହୃତ ହେବା ପାଇଁ ଚାଷ କରାଯାଏ। ଖାଇବା ପାଇଁ କିମ୍ବା ବିକ୍ରି ହେବା ପାଇଁ ନୁହେଁ, କିନ୍ତୁ ବିହନ କମ୍ପାନୀଗୁଡ଼ିକ ପାଇଁ। ବିହନ କମ୍ପାନୀଗୁଡ଼ିକ ଏହି କାମ ପାଇଁ ଚାଷୀମାନଙ୍କ ସହ ରାଜିନାମା କରିଛନ୍ତି। ଆପଣ ଦେଖିପାରିବେ ମାଇ ଏବଂ ଅଣ୍ଡିରା ଗଛଗୁଡ଼ିକ ପାଖାପାଖି ଧାଡ଼ିରେ ପରିଷ୍କାର ଭାବରେ ଲଗାଯାଇଛି। କମ୍ପାନୀଗୁଡ଼ିକ ବାଜରାର ଦୁଇଟି ଭିନ୍ନ ପ୍ରଜାତି ମଧ୍ୟରେ ଏକ ଶଙ୍କର ପ୍ରଜାତି ସୃଷ୍ଟି କରୁଛନ୍ତି। ଏହି କାମ ଅନେକ ପାଣି ଆବଶ୍ୟକ କରିବ। ଗଛରୁ ବିହନ ନେଇଯିବା ପରେ ବଳକା ଅଂଶ ଗୋଖାଦ୍ୟ ଭାବରେ ବ୍ୟବହାର କରାଯାଏ।
ପୂଜାରୀ ଲିଙ୍ଗନ୍ନା କୁହନ୍ତି, ‘‘ଆମେ ଏହି ବିହନ ସୃଷ୍ଟି କରିବା କାମ ପାଇଁ କ୍ୱିଣ୍ଟାଲ ପିଛା ୩,୮୦୦ଟଙ୍କା ପାଉ।’’ ଏହା ପରିଶ୍ରମ ଆବଶ୍ୟକ ଯତ୍ନ ତୁଳନାରେ କମ୍ ମନେହୁଏ- ଏବଂ ଅନ୍ୟ ଏକ କଥା ହେଉଛି କମ୍ପାନୀଗୁଡ଼ିକ ସେହି ବିହନକୁ ସମାନସ୍ତରର କୃଷକଙ୍କୁ ଏକ ଅତି ଉଚ୍ଚ ଦାମ୍ରେ ବିକ୍ରୟ କରିବେ। ଏହି ଅଞ୍ଚଳରେ ଚାଷ କରୁଥିବା ଅନ୍ୟ ଜଣେ କୃଷକ ଓ୍ୱାଇ.ଏସ୍ ଶାନ୍ତମ୍ମା କୁହନ୍ତି, ତାଙ୍କ ପରିବାର କ୍ୱିଣ୍ଟାଲ ପିଛା ୩,୭୦୦ଟଙ୍କା ପାଆନ୍ତି।
ଶାନ୍ତମ୍ମା ଏବଂ ତାଙ୍କ ଝିଅ ବନ୍ଦାକ୍ଷୀ କୁହନ୍ତି, ଏଠାରେ ଚାଷ କରିବାର ସମସ୍ୟା ପାଣି ନୁହେଁ। ସେମାନଙ୍କ ମୁଣ୍ଡବ୍ୟଥାର କାରଣ ବାଲି- ଏଠାରେ କେବେ ପ୍ରଚୁର ପରିମାଣର ବାଲି ଅଛି ଏବଂ ଖୁବ୍ଶୀଘ୍ର ଏହା ବାଲି ଜମା କରିପାରେ। ଏହି ବାଲି ମଧ୍ୟରେ ପାଦ ପୋତି ହୋଇପଡୁଥିବାରୁ ଅଳ୍ପ କିଛି ଦୂରତା ଚାଲିବା ମଧ୍ୟ କଷ୍ଟକର। ‘‘ଆମର ଘରେ ପାଇପ ସଂଯୋଗ ନଥିଲେ ମଧ୍ୟ ଆମେ ଗାଁ’ରେ ପାଣି ପାଇଯାଉ।’’
ମା’ ଏବଂ ଝିଅ କୁହନ୍ତି, ‘‘ଏହା ସହଜରେ ଆପଣ କରିଥିବା କାମ ନଷ୍ଟ କରିଦିଏ।’’ ପି. ହୋନୁରେଡ୍ଡୀ ଏଥିରେ ସହମ୍ମତି ପ୍ରକାଶ କରନ୍ତି। ସେ ଆମକୁ ଗୋଟିଏ ବାଲିକୁଦ ତଳେ ଏକ କ୍ଷେତ ଦେଖାଇଲେ ଯେଉଁଠାରେ ସେ ମାତ୍ର ଚାରିଦିନ ତଳେ ଖୁବ୍ ପରିଶ୍ରମ କରି ଗଛଗୁଡ଼ିକ ଧାଡ଼ିରେ ଲଗାଇଥିଲେ। ଏବେ ଏଠି କେବଳ ହିଡ଼ଗୁଡ଼ିକ ବାଲିରେ ପୋତି ହୋଇଅଛି। ଏହି ସ୍ଥାନ କ୍ରମଶଃ ଶୁଷ୍କ ଅଞ୍ଚଳରେ ପରିଣତ ହେଉଛି, ଖୁବ୍ ଜୋର୍ ପବନ ଗାଁ’ରେ ପହଞ୍ଚୁଛି ଏବଂ ଏଠି ବାଲୁକା ଝଡ଼ ହେଉଛି।
ଏହି ମରୂଭୂମିର ଅନ୍ୟ ଜଣେ କୃଷକ ଏମ୍. ବାସା କୁହନ୍ତି, ‘‘ବର୍ଷରେ ତିନିମାସ - ଏଠାରେ ବାଲି ବର୍ଷା ହୁଏ’’। ଏହା ଆମ ଘର ଭିତରକୁ ପଶି ଆସେ, ଖାଦ୍ୟରେ ମଧ୍ୟ ମିଶିଯାଏ। ଯେଉଁ ଘରଗୁଡ଼ିକ ବାଲିକୁଦଠାରୁ ପାଖରେ ମଧ୍ୟ ନାହିଁ, ସେସବୁ ଘରକୁ ମଧ୍ୟ ପବନ ବାଲି ନେଇଯାଏ। ଜାଲି ଲଗାଇବା କିମ୍ବା ଅଧିକା କବାଟ ଲଗାଇବା ମଧ୍ୟ କାମ ଦିଏନି। ଇସିକା ବରଷମ୍ [ବାଲି ବର୍ଷା] ଏବେ ଆମ ଜୀବନର ଅଂଶ, ଆମେ କେବଳ ତା’ସହ ବଞ୍ଚୁଛୁ।

P. Sainath

P. Sainath
ବାଲି ଡି. ହୋନ୍ନୁର ଗ୍ରାମ ପାଇଁ ଅପରିଚିତ ନୁହେଁ। ହିମାଚଳ କୁହନ୍ତି, ‘‘କିନ୍ତୁ ସେଗୁଡ଼ିକର ପରିମାଣ ବୃଦ୍ଧି ପାଇଛି।’’ ଛୋଟ ଛୋଟ କୋଳିବୁଦା ଏବଂ ଛୋଟ ଗଛ ଯାହାକି ଭୀଷଣ ପବନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ତାହା ଚାଲିଯାଇଛି। ହିମାଚଳ ଜଗତୀକରଣ ଏବଂ ବଜାର ଅର୍ଥନୀତିର ପ୍ରଭାବ ସମ୍ପର୍କରେ ଖୁବ୍ ଜ୍ଞାନଶୀଳ ଭାବରେ କଥାବାର୍ତ୍ତା କରୁଥିଲେ। ‘‘ଏବେ ଆମେ ସବୁକିଛି ଅର୍ଥରେ ଗଣନା କରୁଛୁ। ବୁଦା, ଗଛ ଏବଂ ଲତାଗୁଡ଼ିକ ଚାଲିଗଲେ କାରଣ ଲୋକମାନେ ପ୍ରତିଟି ଇଞ୍ଚ ବ୍ୟବସାୟିକ ଚାଷ ପାଇଁ ବ୍ୟବହାର କରିବାକୁ ଚାହିଁଲେ’’। ଏବଂ ‘‘ଯଦି ବିହନ ଗଜା ହେଉଥିବା ସମୟରେ କିମ୍ବା ଗଜା ହେବା ପରେ ବାଲି ପଡ଼େ’’, ‘‘ତା’ହେଲେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ’’ ବୋଲି କୁହନ୍ତି ୫୫ବର୍ଷ ବୟସ୍କ ଚାଷୀ ଏମ୍.ଟିପ୍ପେୟା। ୩୨ ବର୍ଷ ବୟସ୍କ ଚାଷୀ କେ.ସି. ହୋନୁର ସ୍ୱାମୀ କୁହନ୍ତି, ପାଖରେ ପାଣି ଥାଇ ମଧ୍ୟ ଅମଳ କମ୍ ହୁଏ, ‘‘ଆମେ ଏକର ପିଛା ତିନି କ୍ୱିଣ୍ଟାଲ, ଅତିବେଶୀରେ ଚାରି କ୍ୱିଣ୍ଟାଲ ବାଦାମ ପାଉ।’’ ଜିଲ୍ଲାର ହାରାହାରି ଅମଳ ପ୍ରାୟ ୫।
ସେମାନେ ପ୍ରାକୃତିକ ପବନ ପ୍ରତିବନ୍ଧକର କୌଣସି ମୂଲ୍ୟ ଦେଖନ୍ତି ନାହିଁ? ହିମାଚଳ କୁହନ୍ତି, ‘‘ସେମାନେ ବ୍ୟବସାୟିକ ମୂଲ୍ୟ ଥିବା ଗଛ ଲଗାଇବାକୁ ଚାହାଁନ୍ତି, ଯାହାକି ଏହି ପରିସ୍ଥିତିରେ ଖାପ୍ଖୁଆଏ ନାହିଁ। ଏଠାରେ ଆଦୌ ବଢ଼ି ନପାରେ। କର୍ତ୍ତୃପକ୍ଷ ମଧ୍ୟ ଆମକୁ ଗଛ ଲଗାଇବାରେ ସାହାଯ୍ୟ କରିବେ ବୋଲି କୁହନ୍ତି କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇନାହିଁ। ’’
ପାଲଥୁରୁ ମୁକନ୍ନା କୁହନ୍ତି, ‘‘କେଇବର୍ଷ ତଳେ କେତେଜଣ ସରକାରୀ ଅଧିକାରୀ ଏହି ବାଲିକୁଦ ଅଞ୍ଚଳକୁ ଏକ ନିରୀକ୍ଷଣ ପାଇଁ ଆସିଲେ। ସେମାନଙ୍କର ଏହି ମରୁଯାତ୍ରା ପରିଣତି ଖରାପ ହେଲା, ସେମାନଙ୍କ ଏସ୍ୟୁଭି ବାଲିରେ ପୋତି ଫସିଗଲା, ଏହାକୁ ଗ୍ରାମବାସୀଙ୍କ ଦ୍ୱାରା ଏକ ଟ୍ରାକ୍ଟରରେ ଭିଡ଼ା ହେଲା, ସେବେଠାରୁ ଆମେ ସେମାନଙ୍କୁ ଆଉ ଦେଖିନୁ। କୃଷକ ମୋଖା ରାକେଶ କୁହନ୍ତି, ‘‘ଏମିତି ବି ସମୟ ଅଛି ଯେତେବେଳେ ବସ୍ ଗାଁ’ର ଅନ୍ୟ ମୁଣ୍ଡକୁ ଆଦୌ ଯାଇପାରେ ନାହିଁ।’’
ବୁଦାଳିଆ ଗଛ ଏବଂ ଜଙ୍ଗଲ କ୍ଷୟ ସମୁଦାୟ ରାୟସୀମା ଅଞ୍ଚଳର ସମସ୍ୟା। କେବଳ ଅନନ୍ତପୁର ଜିଲ୍ଲାରେ ଏକୁଟିଆ ୧୧% ଅଞ୍ଚଳ ‘ଜଙ୍ଗଲ’ ଭାବରେ ବର୍ଗୀକୃତ। ପ୍ରକୃତ ଜଙ୍ଗଲ ବଳୟ ୨%ରୁ ଖସି ଆସିଲାଣି। ଏହାର ମାଟି, ପାଣି, ପବନ ଏବଂ ତାପମାତ୍ରା ଉପରେ ଏକ ଅପରିହାର୍ଯ୍ୟ ପ୍ରଭାବ ରହିଛି। ଅନନ୍ତପୁରରେ ଆପଣ କେବଳ ଗୋଟିଏ ବଡ଼ ଜଙ୍ଗଲ ଦେଖିପାରିବେ, ତାହା ହେଉଛି ପବନକଳର ଜଙ୍ଗଲ- ହଜାର ହଜାର ସଂଖ୍ୟାରେ-ଯେକୌଣସି ଦୃଶ୍ୟପଟ୍ଟରେ ଏପରିକି ଏହି କ୍ଷୁଦ୍ର ମରୂଭୂମିର ସୀମାରେ ମଧ୍ୟ। ଏଗୁଡ଼ିକ ପବନକଳ କମ୍ପାନୀଗୁଡ଼ିକ ଦ୍ୱାରା କିଣାଯାଇଥିବା କିମ୍ବା ଦୀର୍ଘକାଳୀନ ଲିଜ୍ରେ ନିଆଯାଇଥିବା ଜମି ଉପରେ ରହିଛି।
ଡି. ହୋନ୍ନୁର୍ରେ ଦଳେ ମରୁସ୍ଥଳ ଚାଷୀ ଆମକୁ ଆଶ୍ୱାସନା ଦେଲେ ଯେ ସବୁବେଳେ ପରିସ୍ଥିତି ଏମିତି ଥିଲା। ଏହାପରେ ସେମାନେ ଏହାକୁ ବିରୋଧ କରିବା ଭଳି ଦୃଢ଼ ପ୍ରମାଣ ମଧ୍ୟ ଉପସ୍ଥାପନ କଲେ। ବାଲି ଏଠାରେ ସବୁବେଳେ ଥିଲା, କିନ୍ତୁ ଏହାର ବଳ, ବାଲୁକାଝଡ଼ ସୃଷ୍ଟି କରିବାର ବଳ, ବଢ଼ିଯାଇଛି। ଆଗରୁ ଏଠାରେ ଅଧିକ ଗଛ ବୁଦା ଥିଲା। ଏବେ ଖୁବ୍ କମ୍ ଅଛି।. ସେମାନଙ୍କ ପାଖରେ ସବୁବେଳେ ପାଣି ଥିଲା କିନ୍ତୁ ଆମେ ଡେରିରେ ସେମାନଙ୍କ ନଦୀର ମୃତ୍ୟୁ ବିଷୟରେ ଜାଣିଲୁ। ଏକଥା ମଧ୍ୟ କୁହାଗଲା ଯେ, ଦୁଇଦଶକ ତଳେ ଖୁବ୍ କମ୍ ବୋର୍ଓ୍ୱେଲ୍ ଥିଲା, ଏବେ ଶହ ଶହ ସଂଖ୍ୟକ ଅଛି। ସେମାନଙ୍କ ମଧ୍ୟରୁ ସମସ୍ତେ ଚରମ ଜଳବାୟୁ ପରିସ୍ଥିତି ଏହି ଗତ ଦୁଇ ଦଶନ୍ଧିରେ ବୃଦ୍ଧି ପାଇଥିବା ମନେ ପକାଇଥିଲେ।
ବୁଷ୍ଟିପାତର ଶୈଳୀ ବଦଳିଛି। ହିମାଚଳ କୁହନ୍ତି, ‘‘ଯେତେବେଳେ ଆମେ ବର୍ଷା ଆବଶ୍ୟକ କରୁ ସେ ଦୃଷ୍ଟିରୁ କହିବାକୁ ଗଲେ ଏହା ୬୦ ପ୍ରତିଶତ ହ୍ରାସ ପାଇଛି ବୋଲି କହିବି’’। ‘‘ଗତ କେଇବର୍ଷ ଧରି ଉଗାଦି [ତେଲୁଗୁ ନୂଆ ବର୍ଷ, ସାଧାରଣତଃ ଏପ୍ରିଲ୍ରେ] କମ୍ ବର୍ଷା ହେଉଛି।’’ ଅନନ୍ତପୁରକୁ ଉଭୟ ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପୂର୍ବ ମୌସୁମୀ ହାଲକା ଭାବରେ ଛୁଏଁ, କିନ୍ତୁ କାହାର ବି ସମ୍ପୂର୍ଣ୍ଣ ଲାଭ ମିଳେନି।

Rahul M.
ଏପରିକି ଯେଉଁ ବର୍ଷମାନଙ୍କରେ ଜିଲ୍ଲାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୫୩୫ ମିଲିମିଟର ହୋଇଥାଏ- ସମୟ,ବ୍ୟାପ୍ତି ଏବଂ ବଣ୍ଟନ ଭୀଷଣ ଅନିୟମିତ ହୋଇଆସୁଛି। କେତେକ ବର୍ଷ କୃଷି ବଦଳରେ ଅଣକୃଷି ଋତୁକୁ ବର୍ଷା ଚାଲିଯାଉଛି। ବେଳେ ବେଳେ ପ୍ରଥମ ୨୪-୪୮ଘଣ୍ଟାରେ ଭୀଷଣ ବର୍ଷା ହେଉଛି ଏବଂ ଏହାପରେ ସମ୍ପୂର୍ଣ୍ଣ ଶୁଖିଲା ରହୁଛି, ଗତବର୍ଷ କେତେକ ମଣ୍ଡଳରେ ଚାଷ ଋତୁରେ (ଜୁନ୍ରୁ ଅକ୍ଟୋବର) ପ୍ରାୟ ୭୫ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିଥିଲା। ଅନନ୍ତପୁର ଜିଲ୍ଲାର ଗ୍ରାମୀଣ ଜନସଂଖ୍ୟାର ସମୁଦାୟ ୭୫% ଏବଂ ସମୁଦାୟ ଶ୍ରମିକ ଜନଂସଖ୍ୟାର ୮୦% କୃଷି କ୍ଷେତ୍ରରେ (କୃଷକ କିମ୍ବା ଶ୍ରମିକ ଭାବରେ) ସମ୍ପୃକ୍ତ ଥିବା କାରଣରୁ ଏହା ଖୁବ୍ ବିପର୍ଯ୍ୟୟ କାରକ।
ପରିସଂସ୍ଥାନ କେନ୍ଦ୍ରର ମଲ୍ଲା ରେଡ୍ଡୀ କୁହନ୍ତି, ‘‘ଗତ ଦୁଇଦଶକ ମଧ୍ୟରୁ ପ୍ରତ୍ୟେକଟିରେ ମାତ୍ର ଦୁଇଟି ଲେଖାଏଁ ‘ସାଧାରଣ’ ବର୍ଷ ରହିଛି।’’ ‘‘ବଳକା ୧୬ବର୍ଷରେ ଜିଲ୍ଲାର ଦୁଇ-ତୃତୀୟାଂଶରୁ ତିନି ଚତୁର୍ଥାଂଶ ମରୁଡ଼ି ପ୍ରଭାବିତ ଭାବରେ ଘୋଷଣା କରାଯାଇଛି। ଏହି ସମୟର କୋଡ଼ିଏ ବର୍ଷ ପୂର୍ବରୁ ପ୍ରତିଦଶକରେ ତିନୋଟି ଲେଖାଏଁ ମରୁଡ଼ି ପରିସ୍ଥିତି ହେଉଥିଲା। ଏହି ପରିବର୍ତ୍ତନ ୧୯୮୦ ଦଶକର ଶେଷ ଭାଗରୁ ଆରମ୍ଭ ହୋଇ ବର୍ଷ ପରେ ବର୍ଷ ବଢ଼ିଚାଲିଛି।’’
ଏହି ଜିଲ୍ଲା ଏକଦା ବିବିଧ ପ୍ରଜାତିର ବାଜରାର ମୁଖ୍ୟସ୍ଥଳ ଥିଲା, କ୍ରମଶଃ ବାଦାମ ପରି ବ୍ୟବସାୟିକ ଫସଲ ଆଡ଼କୁ ପରିବର୍ତ୍ତିତ ହେଲା। ଏଥିସହ କ୍ରମାଗତ ଭାବରେ ବୋରଓ୍ୱେଲ୍ ସଂଖ୍ୟା ବଢ଼ିଚାଲିଲା। (ଜାତୀୟ ବର୍ଷା ନିର୍ଭରଶୀଳ କ୍ଷେତ୍ର କର୍ତ୍ତୃପକ୍ଷର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ‘‘କେତେକ ସ୍ଥାନ ରହିଛି ଯେଉଁଠାରେ ଭୂତଳ ଜଳ ଦୋହନ ଶତପ୍ରତିଶତ ଅତିକ୍ରମ କରିଗଲାଣି।’’)
ସି.କେ ‘ବାବ୍ଲୁ’ ଗାଙ୍ଗୁଲି କୁହନ୍ତି, ‘‘୪୦ବର୍ଷ ତଳେ ଆମର ଏକ ସ୍ପଷ୍ଟଶୈଳୀ ଥିଲା- ପ୍ରତି ୧୦ବର୍ଷରେ ତିନୋଟି ମରୁଡ଼ି ଏବଂ ଚାଷୀମାନେ ଜାଣିଥିଲେ କ’ଣ ଲଗାଇବାକୁ ହେବ। ସେମାନଙ୍କ ପାଖରେ ୯ରୁ ୧୨ ପର୍ଯ୍ୟନ୍ତ ବିବିଧ ଫସଲ ଥିଲା ଏବଂ ଏକ ସ୍ଥିର କୃଷି ଚକ୍ର ଥିଲା।’’ ସେ ତିମ୍ବାକ୍ଟୁ କଲେକ୍ଟିଭ୍ ନାମକ ଏକ ଏନ୍ଜିଓ ପରିଚାଳନା କରନ୍ତି ଯାହାକି ଗତ ତିନି ଦଶକ ଧରି ଏହି ଅଞ୍ଚଳର ଗ୍ରାମୀଣ ଦରିଦ୍ରମାନଙ୍କ ଆର୍ଥିକ ଉନ୍ନତିରେ ଧ୍ୟାନକୈନ୍ଦ୍ରିକ କରିଛି। ଏଠାରେ ତାଙ୍କର ଚାରି ଦଶକ ଦୀର୍ଘ ସମ୍ପୃକ୍ତି ତାଙ୍କୁ ଏହି ଅଞ୍ଚଳର କୃଷି ସମ୍ପର୍କରେ ଭୀଷଣ ଦୁରଦୃଷ୍ଟି ପ୍ରଦାନ କରିଛି।
ସେ କୁହନ୍ତି, ‘‘ବାଦାମ [ବର୍ତ୍ତମାନ ଅନନ୍ତପୁରର ସମୁଦାୟ କୃଷି କ୍ଷେତ୍ରର ୬୯ ପ୍ରତିଶତ ବ୍ୟାପ୍ତ] ଆମ ସହ ତାହା କରିଛି, ଯାହା ଆଫ୍ରିକାର ସାହେଲରେ କରିଛି। ଏହି ଏକକ କୃଷି ଯାହାକୁ ଆମେ ଆଦରି ନେଇଛୁ ତାହା ଜଳ ପରିସ୍ଥିତି ବଦଳାଇ ଦେବ ନାହିଁ। ବାଦାମ ଛାଇ ସହିପାରିବ ନାହିଁ, ଲୋକମାନେ ଗଛ କାଟି ଦେଇଛନ୍ତି, ଅନନ୍ତପୁରର ମାଟି ନଷ୍ଟ ହୋଇଯାଇଛି, ବାଜରା କମ୍ ହୋଇଯାଇଛି। ଆଦ୍ରତା ଚାଲିଯାଇଛି, ବର୍ଷା ନିର୍ଭରଶୀଳ କୃଷିକୁ ଫେରିବା କଷ୍ଟକର ହୋଇଯାଇଛି’’। ଫସଲରେ ପରିବର୍ତ୍ତନ ମଧ୍ୟ କୃଷିରେ ମହିଳାମାନଙ୍କ ଭୂମିକାକୁ କମ୍ କରିଦେଇଛି। ପାରମ୍ପରିକ ଭାବରେ ସେମାନେ ଏଠାରେ ବର୍ଷା ନିର୍ଭରଶୀଳ ବିବିଧ ଫସଲର ବିହନଗୁଡ଼ିକର ମୁଖ୍ୟ ରକ୍ଷକ ଥିଲେ। ଥରେ କୃଷକମାନେ ଅର୍ଥକରୀ ଫସଲ ନିମନ୍ତେ ଶଙ୍କରଜାତୀୟ ବିହନ ବଜାରରୁ କିଣିବା ଆରମ୍ଭ କରିବା ପରେ ଯାହା ଅନନ୍ତପୁରକୁ ବ୍ୟାପିଛି (ବାଦାମ ସହ), ମହିଳାମାନଙ୍କ ଭୂମିକା ମୁଖ୍ୟତଃ ଶ୍ରମିକକୁ ହ୍ରାସ ପାଇଛି। ଏଥିସହ ଦୁଇ ପିଢ଼ି ମଧ୍ୟରେ ଅଧିକାଂଶ କୃଷକଙ୍କର ସମାନ କ୍ଷେତରେ ଏକାଧିକ ଏବଂ ବିବିଧ ଫସଲ ଅମଳ କରିବାର ଜଟିଳ କଳାର ଦକ୍ଷତା ହ୍ରାସ ପାଇଛି।

Rahul M.
ବର୍ତ୍ତମାନ କୃଷି କ୍ଷେତ୍ରରେ ତିନି ପ୍ରତିଶତରୁ କମ୍ ଅଂଶରେ ପଶୁଚାରା ଫସଲ ରହିଛି। ଗାଙ୍ଗୁଲି କୁହନ୍ତି, ‘‘ଅନନ୍ତପୁରରେ ଏକଦା ଦେଶର ସର୍ବାଧିକ ସଂଖ୍ୟକ ଲଘୁ ପଶୁସମ୍ପଦ ଥିଲେ।’’ ‘‘ଛୋଟ ଛୋଟ ପଶୁ ସବୁଠାରୁ ଭଲ ସମ୍ପତ୍ତି-କୁରୁବା ପରି ପାରମ୍ପରିକ ପଶୁପାଳକମାନଙ୍କର ଆଦିମ ସମୂହମାନଙ୍କ ପାଇଁ-ଭ୍ରାମ୍ୟମାଣ ସମ୍ପତ୍ତି। ଏହା ଏକ ପାରମ୍ପରିକ ଚକ୍ର, ଯେଉଁଠାରେ ପଶୁପାଳକମାନଙ୍କର ଏହି ପଲ କୃଷକମାନଙ୍କ କ୍ଷେତକୁ ଗୋବର ଏବଂ ମୂତ୍ର ଭାବରେ ଅମଳ ପରବର୍ତ୍ତୀ ଖତ ପ୍ରଦାନ କରୁଥିଲେ। ଏହା ଫସଲ ଶୈଳୀରେ ପରିବର୍ତ୍ତନ ଏବଂ ରାସାୟନିକ କୃଷି କାରଣରୁ ଅସ୍ଥିର ହୋଇଯାଇଛି। ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଅଞ୍ଚଳର ଯୋଜନା ଯନ୍ତ୍ରଣାଦାୟକ ପ୍ରମାଣିତ ହୋଇଛି।’’
ହୋନ୍ନୁରରେ ହିମାଚଳ ନିଜ ଆଖପାଖରେ କୃଷିଗତ ଜୈବ ବିବିଧତା ସଂକୁଚିତ ହେବାକୁ ଏବଂ ଏହାର ପରିଣାମକୁ ଚିହ୍ନି ପାରିଛନ୍ତି, ସେ କୁହନ୍ତି, ‘‘ଦିନେ ଆମର ଏହି ଗାଁ’ରେ ବାଜରା, ମଟର, ଝୁଡ଼ଙ୍ଗ, ମଟର, ରାଗି, ବାଜରା, ମୁଗ ଏବଂ ବିହନ… ଆଦି ଥିଲା’’ ସେ ଏକ ଲମ୍ବା ତାଲିକା ଦେଲେ। ‘‘ଚାଷ କରିବାକୁ ସହଜ ହେଉଥିଲା, କିନ୍ତୁ ବର୍ଷା ନିର୍ଭରଶୀଳ କୃଷି ଆମକୁ ଅର୍ଥ ଦେଉନଥିଲା।’’ ବାଦାମ ଦେଲା, କିଛିଦିନ ପାଇଁ।
ବାଦାମର ଫସଲ ଚକ୍ର ପ୍ରାୟ ୧୧୦ଦିନର। ଏ ମଧ୍ୟରୁ ୬୦ରୁ ୭୦ଦିନ ଏହା କେବଳ ମାଟିକୁ କ୍ଷୟ ହେବାରୁ ସୁରକ୍ଷା ଦେଇପାରେ। ଯେଉଁ ସମୟରେ ଭିନ୍ନ ଭିନ୍ନ ପ୍ରକାରର ନଅଟି ବାଜରା ଏବଂ ଡାଲିଜାତୀୟ ଶସ୍ୟ ଚାଷ କରାଯାଉଥିଲା, ସେତେବେଳେ ପ୍ରତିବର୍ଷର ଜୁନ୍ରୁ ଫେବୃଆରୀମାସ ପର୍ଯ୍ୟନ୍ତ ମାଟିକୁ ସୁରକ୍ଷା ମିଳୁଥିଲା, ସବୁବେଳେ ଜମିରେ ଗୋଟିଏ ନହେଲେ ଆଉ ଗୋଟିଏ ଫସଲ ରହୁଥିଲା।
ହୋନ୍ନୁରରେ ହିମାଚଳ ଖୁବ୍ ବିଚାରଶୀଳ ଥିଲେ। ସେ ଜାଣନ୍ତି ବୋର୍ଓ୍ୱେଲ ଏବଂ ଅର୍ଥକରୀ ଫସଲ ଚାଷୀମାନଙ୍କ ପାଇଁ ଅନେକ ସୁବିଧା ଆଣେ। ସେ ଏଥିରେ ମଧ୍ୟ ହ୍ରାସର ଧାରା ଦେଖୁଛନ୍ତି ଏବଂ ଜୀବିକା ପାଇଁ ପ୍ରବାସକୁ ଯିବା ମଧ୍ୟ କମ୍ ହୋଇଛି, ସେ କୁହନ୍ତି, ‘‘ଆଗରୁ ୨ଶହରୁ ଅଧିକ ପରିବାର ବାହାରେ କାମ ଖୋଜୁଥିଲେ।’’ ଅନନ୍ତପୁରର ବୋମନ୍ନାଚଳ ମଣ୍ଡଳର ଏହି ଗ୍ରାମର ୨୦୧୧ ଜନଗଣନା ରେକର୍ଡ ଅନୁଯାୟୀ ଏହା ୧,୨୨୭ ପରିବାରର ଏକ ଷଷ୍ଠାଂଶ। ‘‘ସବୁ ପରିବାର ମଧ୍ୟରୁ ୭୦-୮୦ ପ୍ରତିଶତ କରଜରେ ଅଛନ୍ତି।’’ ଗତ ଦୁଇଦଶକ ଧରି ସାରା ଅନନ୍ତପୁରରେ କୃଷି ବିପର୍ଯ୍ୟୟ ବଢ଼ିଛି ଏବଂ ଆନ୍ଧ୍ରପ୍ରଦେଶର ଏହି ଜିଲ୍ଲା ଚାଷୀ ଆତ୍ମହତ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

P. Sainath

Rahul M.

P. Sainath
ମାଲା ରେଡ୍ଡୀ କୁହନ୍ତି, ‘‘ବୋର୍ଓ୍ୱେଲଗୁଡ଼ିକର ବିକାଶ ସମୟ ଚାଲିଗଲାଣି’’। ‘‘ଏଥିସହ ଅର୍ଥକରୀ ଫସଲ ଏବଂ ଏକକ କୃଷି ମଧ୍ୟ।’’ କିନ୍ତୁ ଏହି ତିନୋଟି ଏବେ ମଧ୍ୟ ପ୍ରସାର ଦ୍ୱାରା ପ୍ରେରିତ ଯାହାକି ଉପଭୋଗ ପାଇଁ ଉତ୍ପାଦନ ବଦଳରେ ‘‘ଅଜ୍ଞାତ ବଜାରଗୁଡ଼ିକ ପାଇଁ ଉତ୍ପାଦନ’’ ଆଡ଼କୁ ମୌଳିକ ପରିବର୍ତ୍ତନ କରୁଛି।’’
ଯଦି ଜଳବାୟୁ ପରିବର୍ତ୍ତନ କେବଳ ପ୍ରକୃତି ଏହାକୁ ପୁନଃସ୍ଥାପିତ କରିବାର କ୍ରମ, ତେବେ ଆମେ ହୋନ୍ନୁର ଏବଂ ଅନନ୍ତପୁରରେ ଯାହା ଦେଖୁଛୁ ତାହା କ’ଣ? ଏଥିସହ ବୈଜ୍ଞାନିକମାନେ ଆମକୁ ଯେମିତି କହିଥିଲେ, ଜଳବାୟୁ ପରିବର୍ତ୍ତନ ଏକ ବିଶାଳ ପ୍ରାକୃତିକ ଅଞ୍ଚଳ ଏବଂ କ୍ଷେତ୍ର ବ୍ୟାପି ହୋଇଥାଏ-ହୋନ୍ନୁର ଏବଂ ଅନନ୍ତପୁର ପ୍ରଶାସନିକ ୟୁନିଟ୍ଗୁଡ଼ିକ ଖୁବ୍ ଛୋଟ, ଜଳବାୟୁ ପରିବର୍ତ୍ତନ ପାଇଁ ଯୋଗ୍ୟ ବିବେଚିତ ହେବାକୁ ଖୁବ୍ ଛୋଟ। କ’ଣ ଏପରି ହୋଇପାରେ ଖୁବ୍ ବ୍ୟାପକ କ୍ଷେତ୍ରରେ ପୃଷ୍ଠଭୂମିରେ ପରିବର୍ତ୍ତନ କେବେ କେବେ ଏହା ଭିତରେ ଥିବା ଉପକ୍ଷେତ୍ରଗୁଡ଼ିକରେ ବିଚିତ୍ର ବିଶେଷତ୍ତ୍ୱଗୁଡ଼ିକୁ ବଢ଼ାଇପାରେ?
ଏଠାରେ ପରିବର୍ତ୍ତନର ପ୍ରାୟ ସମସ୍ତ ଉପାଦାନ ମାନବିକ ହସ୍ତକ୍ଷେପ କାରଣରୁ ହୋଇଛି। ‘ବୋର୍ଓ୍ୱେଲ୍ ମହାମାରୀ’, ବ୍ୟବସାୟିକ ଫସଲ ଏବଂ ଏକକ ଚାଷକୁ ବ୍ୟାପକ ପରିବର୍ତ୍ତନ; ଜୈବ ବିବିଧତା ନଷ୍ଟ, ଯାହାକି ଅନନ୍ତପୁର ପାଇଁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଶ୍ରେଷ୍ଠ ପ୍ରତିରକ୍ଷା ହୋଇଥାନ୍ତା; ଚାରଣଭୂମି ପରିସଂସ୍ଥାନକୁ ନଷ୍ଟ କରିବା ଏବଂ ମାଟିର ଭୀଷଣ ମାନ ହ୍ରାସ; ଉଦ୍ୟୋଗ ଆଧାରିତ ରାସାୟନିକ କୃଷିର ଘନତ୍ୱ ବୃଦ୍ଧି, କୃଷି ଏବଂ ଜଙ୍ଗଲ, ପଶୁପାଳକ ଏବଂ କୃଷି ମଧ୍ୟରେ ପରସ୍ପର ନିର୍ଭରଶୀଳ ସମ୍ପର୍କ ନଷ୍ଟ ହେବା-ଜୀବିକା ହରାଇବା; ନଦୀଗୁଡ଼ିକଙ୍କର ମୃତ୍ୟୁ। ଏସବୁଗୁଡ଼ିକ ସ୍ପଷ୍ଟ ଭାବରେ ତାପମାତ୍ରା, ଜଳବାୟୁ ଏବଂ ପାଣିପାଗକୁ ପ୍ରଭାବିତ କରିଛି-ଯାହା ପ୍ରତି ବଦଳରେ ଏହି ପ୍ରକ୍ରିୟାକୁ ଆହୁରି ଗମ୍ଭୀର କରିଦେଇଛି।
ଯଦି ଲୋକମାନେ ଏକ ଅର୍ଥନୈତିକ ଏବଂ ବିକାଶ ଆଧାରିତ ମଡେଲରେ ପାଗଳ ହୋଇଯାଆନ୍ତି, ତେବେ ଏହା ଆମ ପାଇଁ ପରିବର୍ତ୍ତନର ମୁଖ୍ୟ କାରକ ହୋଇଥାଏ। ଏହି ଅଞ୍ଚଳ ଏବଂ ଏହିପରି ଅନେକ ଅଞ୍ଚଳରୁ ଅନେକ କିଛି ଶିଖିବାର ଅଛି।
ହିମାଚଳ କୁହନ୍ତି, ‘‘ଆମେ ହୁଏତ ବୋରଓ୍ୱେଲ୍ଗୁଡ଼ିକୁ ବନ୍ଦ କରି ବର୍ଷା ନିର୍ଭରଶୀଳ କୃଷିକୁ ଫେରିବାକୁ ବାଧ୍ୟ ହେବୁ।’’ ‘‘କିନ୍ତୁ ଏହା ଖୁବ୍ କଷ୍ଟକର।’’
ପି. ସାଇନାଥ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ।
ପ୍ରଚ୍ଛଦ ଫଟୋ: ରାହୁଲ ଏମ୍./ପରୀ
ପରୀର ଦେଶ ବ୍ୟାପୀ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରିପୋର୍ଟିଂ ପ୍ରକଳ୍ପ ସେହି ପ୍ରକ୍ରିୟାକୁ ସାଧାରଣ ଲୋକଙ୍କ ଭାଷାରେ ଏବଂ ଜୀବନ୍ତ ଅନୁଭବରେ ଧରିବା ପାଇଁ ୟୁଏନ୍ଡିପି-ସମର୍ଥିତ ଏକ ପଦକ୍ଷେପ।
ଏହି ଲେଖାଟି ପୁନଃପ୍ରକାଶ କରିବାକୁ ଚାହାଁନ୍ତି କି? ଦୟାକରି [email protected] ରେ ଲେଖନ୍ତୁ ଏବଂ [email protected] ଙ୍କୁ ccରେ ରଖନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ରାୟଲ୍ସୀମାରେ-ବାଲି-ବର୍ଷୁଛି

