ଶହ ଶହ ବର୍ଷ ଧରି, ରାଜସ୍ଥାନର ପାଲି ଜିଲ୍ଲାର ସାଦ୍ରି ଗ୍ରାମରେ ବାସ କରୁଥିବା ରାଇକା ସମ୍ପ୍ରଦାୟର ଲୋକମାନେ ଓଟ ପାଳନକରି ଆସୁଛନ୍ତି । ୨୦୧୪ରେ ଓଟକୁ ରାଜସ୍ଥାନର ପ୍ରାଦେଶିକ ପଶୁ ଭାବେ ଘୋଷଣା କରାଗଲା ଓ ଏହା ସେହି ଜିନିଷକୁ ଉପସ୍ଥାପନ କରିଥାଏ, ଯାହା ସହିତ ଏହି ରାଜ୍ୟର ଅଧିକାଂଶ ଲୋକ ଯୋଡି ହୋଇ ରହିଛନ୍ତି – ମରୁଭୂମି । ପଶୁଚାରଣକାରୀଙ୍କ ପାଇଁ ଓଟ ଅତ୍ୟନ୍ତ ଜରୁରୀ ପଶୁ ଅଟେ କାରଣ ଏହା ଉଚ୍ଚ ତାପମାତ୍ରା ସହ୍ୟ କରିପାରେ, ବଞ୍ଚିବା ପାଇଁ ଅଳ୍ପ ଜଳ ଆବଶ୍ୟକ ହୋଇଥାଏ ଓ ପ୍ରତିବଦଳରେ ତାର ଦୁଗ୍ଧ ଓ କେଶ ପ୍ରଦାନ କରିଥାଏ ।
ବର୍ତ୍ତମାନ, କିନ୍ତୁ ପଶୁପାଳକମାନଙ୍କ ଜୀବନ ଘୋର ସଂକଟ ମଧ୍ୟ ଦେଇ ଗତି କରୁଛି । ରାଇକାମାନଙ୍କୁ ଅନ୍ୟମାନେ ଘୃଣା ଚକ୍ଷୁରେ ଦେଖୁଥିବାରୁ ଓ ଅନେକ ସମୟରେ ସେମାନଙ୍କ ଯାଯାବର ପରମ୍ପରା ପାଇଁ ସେମାନଙ୍କୁ ପ୍ରବଳ ବିରୋଧ କରାଯାଉଥିବାରୁ, ବଞ୍ଚିବା ପାଇଁ ରାଇକାମାନଙ୍କୁ ସଂଘର୍ଷ କରିବାକୁ ପଡୁଛି ।
ଯୋଗାରାମ୍ଜୀ ରାଇକା ହେଉଛନ୍ତି ଏହି ସମ୍ପ୍ରଦାୟର ଜଣେ ବୟୋଜ୍ୟେଷ୍ଠ ପଶୁପାଳକ, ଏହା ସହିତ ସେ ଜଣେ ଧାର୍ମିକ ଗୁରୁ ମଧ୍ୟ- ବା ଭୋପାଜି । ସେ ରାଇକାମାନେ ଯେଉଁ ଭଗବାନଙ୍କୁ ପୂଜା କରନ୍ତି, ତାଙ୍କ ସହିତ ଯୋଗାଯୋଗ ରକ୍ଷା କରିଥାନ୍ତି – ସେମାନଙ୍କ ମୂଳ ଭଗବାନ ହେଉଛନ୍ତି ପାବୁଜି । ଭୋପାଜି ଆତ୍ମାଗୁଡିକ ସହିତ ଯୋଗାଯୋଗ କରିବା ବେଳେ ଅନେକ ସମୟରେ ସଂଜ୍ଞାହୀନ ହୋଇପଡନ୍ତି ।











