“ତୁମେ କିପରି ଅଛ? ତୁମେ କ’ଣ କରୁଛ? ଏପରି କେତେ ଦିନ ପର୍ଯ୍ୟନ୍ତ ଚାଲିବ?” ଚେନାକୋଣ୍ଡା ବାଲାସାମୀ ତାଙ୍କ ପୁଅକୁ ଫୋନ୍ରେ ପଚାରିଲେ । “ଏହା କ’ଣ ଏତେ କଠୋର? ଆମ ଅଞ୍ଚଳରେ ମଧ୍ୟ କ’ଣ ପୋଲିସ୍ମାନେ ଅଛନ୍ତି? ଲୋକମାନେ (କୃଷି ଶ୍ରମିକମାନେ) କ’ଣ କାମକୁ ଯାଉଛନ୍ତି?’’
ବାଲାସାମି ଅନ୍ୟ ଚାରିଜଣ ପଶୁପାଳକଙ୍କ ସହିତ ନଭେମ୍ବରରେ ଦିପାବଳୀ ପରେ ତେଲେଙ୍ଗାନାର ୱାନାପାର୍ଥୀ ଜିଲ୍ଲାରେ ଥିବା ତାଙ୍କ ଗ୍ରାମ କେଥେପାଲ୍ଲେ ଛାଡିଥିଲେ । ସେ ପ୍ରାୟ ୧୦୦୦ ଛେଳି ଓ ମେଣ୍ଡାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି (ତାଙ୍କର ନିଜସ୍ୱ କିଛି ନାହିଁ) ଓ ସବୁବେଳେ ପଶୁମାନଙ୍କ ପାଇଁ ଖାଦ୍ୟ ଅନୁସନ୍ଧାନରେ ଚାରିଆଡେ ବୁଲନ୍ତି ।
ସେ ଓ ଅନ୍ୟ ପଶୁପାଳକମାନେ - ସମସ୍ତେ ତେଲେଙ୍ଗାନାର ଓବିସି ତାଲିକାଭୁକ୍ତ ପଶୁଚାରଣକାରୀ ଯାଦବ ସମ୍ପ୍ରଦାୟର – ମାର୍ଚ୍ଚ ୨୩ରେ, କୋଭିଡ୍- ୧୯ର ବିସ୍ତାରକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯିବାର ଠିକ୍ ଦୁଇ ଦିନ ପୂର୍ବରୁ, ସେମାନେ କେଥେପାଲ୍ଲେଠାରୁ ପ୍ରାୟ ୧୬୦କିଲୋମିଟର୍ ଦୂରରେ ଅବସ୍ଥିତ କୋପୋଲେ ଗ୍ରାମରେ ପହଞ୍ଚି ଥିଲେ ।
ନାଳଗୋଣ୍ଡା ଜିଲ୍ଲାର ଗୁରୁମ୍ପୋଡେ ମଣ୍ଡଳରେ ଅବସ୍ଥିତ ଏକ ଗ୍ରାମ କୋପ୍ପୋଲେରେ, ତାଲାବନ୍ଦ ପରେ, ସେମାନେ ନିଜ ପାଇଁ ଚାଉଳ, ଡାଲି, ପନିପରିବା, ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯାହା ସେମାନେ ସାଧାରଣତଃ ଆବଶ୍ୟକତା ମୁତାବକ ଅଳ୍ପ ପରିମାଣର କିଣିଥାନ୍ତି, ତାହା କିଣିବାକୁ ଅସୁବିଧା ହେଲା ।
ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହୋଇଥିବାରୁ ଓ ତାଲାବନ୍ଦ ସମ୍ବନ୍ଧରେ ଅନିଶ୍ଚିତତା ରହିଥିବାରୁ ପଶୁପାଳକମାନଙ୍କୁ ସେମାନଙ୍କ ପଶୁ ସମ୍ପଦ ପାଇଁ ଆବଶ୍ୟକ ଔଷଧ କିଣିବା, ବେଳେବେଳେ ସେମାନେ ନିଜ ଗ୍ରାମକୁ ଓ ପରିବାର ଦେଖିବାକୁ ଯିବା (ଯାହା ସେମାନେ ସାଧାରଣତଃ କରନ୍ତି) ମୋବାଇଲ୍ ରିଚାର୍ଜ କରିବା ଓ ପଶୁପଲ ପାଇଁ ନୂଆ ଚାରଣ ଭୂମି ଖୋଜି ବାହାର କରିବାରେ ଅସୁବିଧା ଉପୁଜୁଛି- ଏହା ପ୍ରାୟତଃ କରିବା ସମ୍ଭବ ହେଉନାହିଁ ବୋଲି ସେମାନେ କୁହନ୍ତି ।








