“କୋଡ଼ିଏ ବର୍ଷ ତଳେ ଯମୁନା ପାଣି ଏତେ ସଫା ଥିଲା, ସତେ ଯେମିତି କାଚକେନ୍ଦୁ। ନାଳ ବି ଏତେ ଅପରିଷ୍କାର ନ ଥିଲା। ଉପରୁ ପଇସାଟେ ପକେଇଲେ ଯମୁନା ପାଣି ଭିତରେ (ନଦୀ ଭିତରେ ବାଲି ଉପରେ) ଜଳଜଳ ହେଇ ଦିଶୁଥିଲା। ଯମୁନା ପାଣି ଆମେ ସିଧା ସଳଖ ପିଉଥିଲୁ,” କାଦୁଆ ପାଣି ପାପୁଲିରେ ଆଣି ଓଠ ପର୍ଯ୍ୟନ୍ତ ନେଇ କହିଲେ କେଉଟ ରମଣ ହାଲଦାର। ଆମର ଅପମାନଭରା ଚାହାଣି ଦେଖି, ସତୃଷ୍ଣ ହସରେ ପାଣିତକ ଆଙ୍ଗୁଠିବାଟେ ବୁହାଇ ଦେଲେ।
ଆଜିର ଯମୁନାରେ, ପ୍ଲାଷ୍ଟିକ୍, ଫଏଲ୍ ରାପର୍, ଖତ, ଖବରକାଗଜ, ମଲା ଗଛପତ୍ର, ସିମେଣ୍ଟ ଗୋଡ଼ି, ଚିରା ଲୁଗାପଟା, କାଦୁଅ, ପଚା ଖାଦ୍ୟ, ନଡ଼ିଆ, ରାସାୟନିକ ଫେଣ ଏବଂ ପାଣି ଦଳ ଭରି ଗଲାଣି। ଏଥିରୁ ଜଣାପଡ଼ୁଛି ଜାତୀୟ ରାଜଧାନୀରେ ଲୋକଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ଏବଂ ପୌରାଣିକ ବିଶ୍ୱାସ ପାଇଁ କେତେ ଜିନିଷ ସରୁଛି!
ଦିଲ୍ଲୀର ସୀମା ଦେଇ ଯମୁନାର ମାତ୍ର ୨୨ କିଲୋମିଟର(୧.୬ ପ୍ରତିଶତ) ପ୍ରବାହିତ ହେଉଛି। କିନ୍ତୁ ସେହି ସୀମିତ ଅଂଶରେ ଯେମିତି ପରିମାଣର ଆବର୍ଜନା ଏବଂ ବିଷାକ୍ତ ଜିନିଷ ନଦୀ ଭିତରକୁ ଯାଉଛି, ତା ଦ୍ୱାରା ୧, ୩୭୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ନଦୀର ୮୦ ପ୍ରତିଶତ ପ୍ରଦୂଷିତ ହେଉଛି। ଏହା ସ୍ୱୀକାର କରି, ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି)ର ମନିଟରିଂ କମିଟି ରିପୋର୍ଟ ୨୦୧୮ରେ ଦିଲ୍ଲୀ ଦେଇ ଯାଉଥିବା ଯମୁନାକୁ ‘ନାଳ’ ଭାବରେ ଘୋଷଣା କରିଛନ୍ତି। ପାଣିରେ ଅମ୍ଳଜାନର ମାତ୍ରା କମ୍ ହେଉଥିବାରୁ ବହୁ ସଂଖ୍ୟକ ମାଛ ମରି ଯାଉଛନ୍ତି।
ଗତ ବର୍ଷ ଦିଲ୍ଲୀରେ ପ୍ରବାହିତ ଯମୁନାର ଦକ୍ଷିଣ ଭାଗରେ ଥିବା କାଳିନ୍ଦୀ କୁଞ୍ଜ ଘାଟରେ ହଜାର ହଜାର ମାଛ ମରି ପଡ଼ିଥିଲେ। ଦିଲ୍ଲୀ ଦେଇ ବହୁଥିବା ଯମୁନାରେ ଅନ୍ୟ ଜଳଜୀବମାନଙ୍କୁ କଦବା କ୍ୱଚିତ୍ ଦେଖିବାକୁ ମିଳୁଛି।
“ନଦୀର ପରିବେଶ ସଂସ୍ଥାନ ଜୀବନ୍ତ ରହିବାକୁ ହେଲେ, (ପାଣିରେ ଦ୍ରବୀଭୂତ ଅମ୍ଳଜାନ)ର ସ୍ତର ୬ କିମ୍ବା ତଦୁର୍ଦ୍ଧ୍ୱ ହେବା ଦରକାର। ମାଛ ପାଇଁ ଦ୍ରବୀଭୂତ ଅମ୍ଳଜାନର ସ୍ତର ଅତି କମ୍ରେ ୪-୫ ହେବା ଉଚିତ। ଯମୁନାର ଦିଲ୍ଲୀ ଭାଗରେ ଦ୍ରବୀଭୂତ ଅମ୍ଳଜାନ ୦ ରୁ ୦.୪ ରହିଛି,” କହିଛନ୍ତି ଚିକାଗୋ ୟୁନିଭର୍ସିଟିରେ ଟାଟା ସେଣ୍ଟର ଫର୍ ଡେଭେଲପମେଣ୍ଟର ୱାଟର୍-ଟୁ-କ୍ଲାଉଡ୍ ପ୍ରକଳ୍ପର ନିର୍ଦ୍ଦେଶକ ପ୍ରିୟଙ୍କ ହିରାନି। ଏହି ପ୍ରକଳ୍ପ ନଦୀଗୁଡ଼ିକରେ ବାସ୍ତବିକ ପ୍ରଦୂଷଣ ମୂଲ୍ୟାଙ୍କନ କରିଥାଏ।











