ମାତ୍ର ୨୨ ବର୍ଷ ବୟସର ଏବଂ ପୂର୍ବରୁ ହିଁ ତିନିରୁ ଚାରି ବର୍ଷ ହେଲା ସ୍ୱାସ୍ଥ୍ୟ ସମସ୍ୟାରେ ଅସ୍ତବ୍ୟସ୍ତ, ମୀନୁ ସର୍ଦ୍ଦାର ଯେତେବେଳେ ୨୦୨୧ ମସିହାର ସେହି ଗ୍ରୀଷ୍ମ ସକାଳରେ ପାଣି ଆଣିବାକୁ ବାହାରିଲେ, ସବୁଠାରୁ ଖରାପ ସ୍ଥିତି ଆସିବାକୁ ଥିଲା ବୋଲି କିଛି ବି ତାଙ୍କୁ ଚେତାବନୀ ଦେଇପାରି ନ ଥାନ୍ତା । ଦୟାପୁର ଗାଁରେ ଥିବା ପୋଖରୀକୁ ଯାଉଥିବା ପାହାଚ କିଛି ସ୍ଥାନରେ ଭାଙ୍ଗି ଯାଇଥିଲା । ମୀନୁଙ୍କ ପାଦ ଖସିଗଲା ଏବଂ ସେ ମୁହଁ ତଳକୁ କରି ତଳ ପାହାଚକୁ ଖସି ପଡ଼ିଲେ ।
ସେ ବଙ୍ଗଳାରେ କହିଲେ, ‘‘ମୋର ଛାତି ଓ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା । ମୋର ଯୋନିରୁ ରକ୍ତ ବୋହିବା ଆରମ୍ଭ କଲା । ଯେତେବେଳେ ମୁଁ ବାଥ୍ରୁମ ଗଲି, ସେତେବେଳେ ମୋଠା’ରୁ କିଛି ଖସିଗଲା ଏବଂ ଚଟାଣରେ ଖସିପଡ଼ିଲା । ମୁଁ ଦେଖିଲି ମୋ ଭିତରୁ ମାଂସ ଭଳି ପଦାର୍ଥ ବାହାରୁଛି । ମୁଁ ଏହାକୁ ବାହାର କରିବାକୁ ଚେଷ୍ଟା କଲି, କିନ୍ତୁ ମୁଁ ତାହା ସମ୍ପୂର୍ଣ୍ଣ ବାହାର କରିପାରିଲି ନାହିଁ।’’
ନିକଟସ୍ଥ ଗାଁରେ ଥିବା ଏକ ଘରୋଇ କ୍ଲିନିକ୍କୁ ଯିବାରୁ ଗର୍ଭପାତ ସମ୍ପର୍କରେ ନିଶ୍ଚିତ ହେଲି । ଡେଙ୍ଗା, ପତଳା ଓ ନିଜର ତମାମ୍ ଦୁଃଶ୍ଚିନ୍ତା ସହ ସ୍ମିତହାସ୍ୟ ଦେଉଥିବା ମୀନୁ ସେବେଠାରୁ ଅନିୟମିତ ମାସିକ ଋତୁଚକ୍ର, ତୀବ୍ର ଶାରିରୀକ ଯନ୍ତ୍ରଣା ଓ ଭାବନାତ୍ମକ ସଂକଟ ସହ ଥିଲେ ।
ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଗୋସାବା ବ୍ଲକ୍ରେ ଥିବା ତାଙ୍କ ଗାଁର ଜନସଂଖ୍ୟା ପ୍ରାୟ ୫,୦୦୦ । ବିଶାଳ ଧାନ କ୍ଷେତ ଏବଂ ସୁନ୍ଦରବନର ହେନ୍ତାଳ ବଣ ଦ୍ୱାରା ପରିବେଷ୍ଟିତ ଏହି ଗାଁ ଗୋସାବାର ସେହି କେତୋଟି ଗାଁ ମଧ୍ୟରୁ ଅନ୍ୟତମ ଯେଉଁଠାକୁ ରାସ୍ତା ସଂଯୋଗ ଅଛି ।
ପଡ଼ିଯିବା ପରେ ମୀନୁଙ୍କର ମାସେରୁ ଅଧିକ ସମୟ ଧରି ଅବିରତ ରକ୍ତସ୍ରାବ ହେଲା, ଏବଂ ସେଥିରେ ବି ତାଙ୍କର ଯନ୍ତ୍ରଣା ଶେଷ ହେଲା ନାହିଁ । ସେ କହନ୍ତି, ‘‘ଶାଶୀରିକ ସୋମ୍ପୋର୍କୋ ଏତୋ ବଥା କରେ[ଯୌନ ସମ୍ପର୍କ ଖୁବ୍ ଯନ୍ତ୍ରଣାଦାୟକ], ଏମିତି ଲାଗେ ଯେମିତି ମୁଁ ଚିରି ହୋଇଯାଉଛି । ଯେତେବେଳେ ମୁଁ ମଳତ୍ୟାଗ କରେ ଏବଂ ଚାପ ଦିଏ, ବା ଯେତେବେଳେ ଭାରୀ ଜିନିଷ ଉଠାଏ, ମୁଁ ଅନୁଭବ କରିପାରେ ଯେ ମୋର ଗର୍ଭାଶୟ ତଳକୁ ଚାଲିଆସେ।’’











