ଗତ ତିନି ବର୍ଷ ଭିତରେ ଚିକିତ୍ସା ପାଇଁ ଆପଣ କେତେଟା ହାସପାତାଳକୁ ଯାଇଛନ୍ତି ?
ଏହି ପ୍ରଶ୍ନ ଶୁଣିବା ମାତ୍ରେ ହିଁ ସୁଶୀଳା ଦେବୀ ଏବଂ ତାଙ୍କ ସ୍ୱାମୀ ମନୋଜ କୁମାରଙ୍କ ମୁହଁରେ କ୍ଳାନ୍ତି ଓ ନୈରାଶ୍ୟର ଏକ କଳାବାଦଲ ଘୋଟିଯାଏ । ୨୦୧୭ ମସିହା ଜୁନ୍ ମାସରେ ବାନ୍ଦିକୁଇ ସହରର ମଧୁର ହସ୍ପିଟାଲରେ ସୁଶୀଳା ଦେବୀଙ୍କର ପ୍ରଥମ ନସବନ୍ଦୀ (ଏକ ବନ୍ଧ୍ୟାକରଣ ପ୍ରକ୍ରିୟା) ହେବା ପରଠାରୁ, ଉଭୟ ପତିପତ୍ନୀ (ଏଠାରେ ସେମାନଙ୍କ ନାଁ ବଦଳାଇ ଦିଆଯାଇଛି) ହାସପାତାଳ, ଡାକ୍ତରୀ ପରୀକ୍ଷା ଏବଂ ରୋଗ ଚିହ୍ନଟ ସଂପର୍କରେ ବିରୋଧାଭାସ ଜଡ଼ିତ ରିପୋର୍ଟର ସଂଖ୍ୟା ଗଣିବା ଭୁଲିଯାଇଛନ୍ତି।
ବିବାହର ୧୦ ବର୍ଷ ଭିତରେ ତିନିଟି ଝିଅ ଜନ୍ମ ହେବା ପରେ ଚତୁର୍ଥ ସନ୍ତାନ ରୂପରେ ପୁଅଟିଏ ଜନ୍ମ ନେଇଥିଲା । ବର୍ଷକ ପରେ ୨୭ ବର୍ଷୀୟା ସୁଶୀଳାଙ୍କର ଗର୍ଭନିରୋଧ ଅସ୍ତ୍ରୋପଚାର କରାଇବା ଲାଗି ଏହି ଦମ୍ପତି ସ୍ଥିର କରିଥିଲେ ଏବଂ ସେମାନଙ୍କ ପାରିବାରିକ ଜୀବନ ଆଉ ଟିକେ ଭଲରେ କଟିବ ବୋଲି ଆଶା ରଖିଥିଲେ। ରାଜସ୍ଥାନର ଦୌସା ତହସିଲ ଅନ୍ତର୍ଗତ ତାଙ୍କ ଗାଁ ଧାନି ଜାମାରୁ ମାତ୍ର ତିନି କିଲୋମିଟର ଦୂର କୁନ୍ଦଲ ଗାଁରେ ସରକାରୀ ସର୍ବସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର (PHC) ଥିବା ସତ୍ତ୍ୱେ ୨୦ କିଲୋମିଟର ଦୂର ବାନ୍ଦିକୁଇର ଏକ ଘରୋଇ ହାସପାତାଳ ହିଁ ସେମାନଙ୍କର ପ୍ରଥମ ପସନ୍ଦ ଥିଲା ।
ଜଣେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ୩୧ ବର୍ଷୀୟା ସୁନୀତା ଦେବୀ କହନ୍ତି, “ସାଧାରଣତଃ ଶୀତ ମାସରେ ହିଁ (ସରକାରୀ) ସ୍ୱାସ୍ଥ୍ୟ କେନ୍ଦ୍ରରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଶିବିର ଆୟୋଜିତ ହୋଇଥାଏ । ଶୀତ ଦିନରେ ଏହି ପ୍ରକ୍ରିୟା କରାଇ ନେବାକୁ ମହିଳାମାନେ ପସନ୍ଦ କରନ୍ତି, କାରଣ ଏହି ସମୟରେ କ୍ଷତ ସ୍ଥାନ ଶୀଘ୍ର ଶୁଖିଥାଏ । ଗ୍ରୀଷ୍ମ ଦିନରେ ସେମାନେ ଏହା କରାଇବାକୁ ଚାହିଁଲେ ଆମେ ସେମାନଙ୍କୁ ଦୌସା ଓ ବାନ୍ଦିକୁଇର ବେସରକାରୀ ହାସପାତାଳକୁ ନେଇଯାଉ।” ସେ ଏହି ଦମ୍ପତିଙ୍କୁ ସାଙ୍ଗରେ ନେଇ ୨୫ ଶଯ୍ୟା ବିଶିଷ୍ଟ ଏକ ସାଧାରଣ ହାସପାତାଳ-ମଧୁର ହସ୍ପିଟାଲକୁ ଯାଇଥିଲେ । ରାଜ୍ୟ ସରକାରଙ୍କର ଏକ ପରିବାର କଲ୍ୟାଣ ଯୋଜନାରେ ଏହା ପଞ୍ଜୀକୃତ ହୋଇଛି ଏବଂ ତେଣୁ ସୁଶୀଳାଙ୍କ ଗର୍ଭନିରୋଧ ଅସ୍ତ୍ରୋପଚାର ଲାଗି କୌଣସି ଦେୟ ଦେବାକୁ ପଡ଼ି ନଥିଲା । ତା’ ବଦଳରେ ତାଙ୍କୁ ୧,୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିଥିଲା ।
ଅସ୍ତ୍ରୋପଚାରର କିଛି ଦିନ ପରେ, ସୁଶୀଳାଙ୍କର ମାସିକ ଋତୁସ୍ରାବ ହୋଇଥିଲା ଏବଂ ତା ସହିତ ଆରମ୍ଭ ହୋଇଥିଲା ଅସହ୍ୟ ଯନ୍ତ୍ରଣା ଏବଂ କ୍ଳାନ୍ତିର ଏମିତି ଏକ ଅଧ୍ୟାୟ, ଯାହା ପରବର୍ତ୍ତୀ ତିନି ବର୍ଷ ଯାଏଁ ଲାଗି ରହିବାର ଥିଲା ।
ତାଙ୍କ ସ୍ୱାମୀ, ୨୯ ବର୍ଷୀୟ ମନୋଜ କହନ୍ତି, “ପ୍ରଥମେ ଯେତେବେଳେ ଯନ୍ତ୍ରଣା ହେଲା, ମୁଁ ତାଙ୍କୁ ଘରେ ଥିବା ପେନ୍କିଲର୍ ଦେଲି । ଏଥିରୁ ଯନ୍ତ୍ରଣାର କିଛିଟା ଉପଶମ ହେଲା । ପ୍ରତି ମାସରେ ଯେତେବେଳେ ବି ତାଙ୍କର ମାସିକ ଋତୁସ୍ରାବ ହୁଏ ସେ କାନ୍ଦି ପକାନ୍ତି।”
ସୁଶୀଳା୮ମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଜଣେ ଗୃହିଣୀ ଏବଂ ସେ କହନ୍ତି “କଷ୍ଟ ବଢ଼ିବାରେ ଲାଗିଲା ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମତେ ବାନ୍ତି ମାଡ଼ିଲା ଭଳି ଲାଗିଲା । ସବୁ ସମୟରେ ମତେ ଦୁର୍ବଳ ଲାଗିଲା ।”
ତିନି ମାସ ପର୍ଯ୍ୟନ୍ତ ଏଭଳି ଚାଲିବା ପରେ, ଦ୍ୱିଧାଗ୍ରସ୍ତ ଭାବରେ ଏହି ଦମ୍ପତି କୁନ୍ଦଲରେ ଥିବା ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗଲେ ।







