“ମୋର ଯୌବନ ସମୟରେ ସେଠାରେ ଅନେକ କରଦାତା ନଥିଲେ କିନ୍ତୁ ବର୍ତ୍ତମାନ ମେସିନ୍, କୀଟନାଶକ ଓ ସାର ଆଦି କିଣିବା ପାଇଁ ଚାଷୀମାନଙ୍କୁ ପଇସା ଅଧିକ ଦରକାର ହେଉଥିବାରୁ ବହୁସଂଖ୍ୟକ ଚାଷୀ ବର୍ତ୍ତମାନ ଋଣ ନେଉଛନ୍ତି,” ବୋଲି ବଡଗାଓଁ ଗ୍ରାମର ସୁଖଲାଲ ସୁଲିୟା କୁହନ୍ତି ।
“ଆମେମାନେ ଗାଈ ଗୋବର ବ୍ୟବହାର କରୁଥିଲୁ, ଯାହା ମାଟି ପାଇଁ ହିତକାରୀ ଥିଲା ଓ ଏଥିପାଇଁ ଆମକୁ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡୁନ ଥିଲା । କିନ୍ତୁ ତା’ପରେ ସରକାର ୟୁରିଆ ଓ ବିଭିନ୍ନ କୀଟନାଶକଗୁଡ଼ିକର ବ୍ୟବହାର କରିବା ଦ୍ୱାରା ଆମର ଫସଲ ଉତ୍ପାଦନ ହାର ବୃଦ୍ଧି ପାଇବ ବୋଲି କହି ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଏହାର ପ୍ରଚାର କରିବାକୁ ଆରମ୍ଭ କଲେ । ଏସବୁ ପଦାର୍ଥ ମାଟିକୁ ନଷ୍ଟ କରିଦେଉଛି ତଥାପି ବର୍ତ୍ତମାନ, ୪୦ ବର୍ଷ ପରେ ମଧ୍ୟ ଅଧିକାଂଶ ଚାଷୀ ଏହାକୁ ନିଜ ଜମିରେ ବ୍ୟବହାର କରୁଛନ୍ତି ଓ ଏହି ସାର ଓ କୀଟନାଶକ ବାବଦକୁ ପ୍ରଚୁର ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି । ତା’ପରେ ମଧ୍ୟସ୍ଥି ଜରିଆରେ ନିଜର ଉତ୍ପାଦକୁ ବଜାରରେ ବିକ୍ରି କରୁଛନ୍ତି, ଯେଉଁଥିରେ ସେମାନଙ୍କୁ ବେଶି ଲାଭ ମିଳେନାହିଁ କିନ୍ତୁ ମଧ୍ୟସ୍ଥିମାନେ ସେମାନଙ୍କ ଉତ୍ପାଦ ସବୁ କମ୍ ମୂଲ୍ୟରେ କିଣି ସେମାନଙ୍କ ଗ୍ରାହକମାନଙ୍କୁ ବହୁ ଉଚ୍ଚ ମୂଲ୍ୟରେ ବିକ୍ରି କରନ୍ତି । ଏହି କାରଣରୁ ଚାଷୀମାନେ ଅଧିକ ଅର୍ଥ ଉପାର୍ଜନ କରିପାରୁନାହାନ୍ତି’’ ବୋଲି ସେ ଦୁଃଖର ସହିତ ପ୍ରକାଶ କରନ୍ତି ।
ମଧ୍ୟ ପ୍ରଦେଶର ଅଞ୍ଜଦ ତାଲୁକାରେ ଅବସ୍ଥିତ ସକଡ ଗ୍ରାମରେ ଥିବା ଆଧାରଶୀଳା ପ୍ରଶିକ୍ଷଣ କେନ୍ଦ୍ରକୁ ଆମେ ଯେତେବେଳେ ପରିଦର୍ଶନରେ ଯାଇଥିଲୁ ସେତେବେଳେ ଆମେ ୮୩ ବର୍ଷ ବୟସ୍କ ସୁଖଲାଲ୍ଜିଙ୍କ ସହିତ ଏହି ରାଜ୍ୟରେ ଅବସ୍ଥିତ ତାଙ୍କ ଗ୍ରାମ ଅଞ୍ଜଦରେ କଥା ହୋଇଥିଲୁ । ସେଠାରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ତାଙ୍କ ପୁଅ ବଦ୍ରିଙ୍କ ସହିତ ସେଠାକୁ ବୁଲିବାକୁ ଆସିଥିଲେ। ଆମେ ତାଙ୍କଠାରୁ ଗତ ଅର୍ଦ୍ଧ ଶତାବ୍ଦୀରେ ବାଲ୍ୟାବସ୍ଥା କିଭଳି ଭାବେ ବଦଳିଯାଇଛି ସେ ବିଷୟରେ କିଛି ଜାଣିବାକୁ ଚାହିଁଥିଲୁ । ସୁଖଲାଲଜୀ ନିମାଦୀ କୁହନ୍ତି, ଯାହା ହେଉଛି ତାଙ୍କ ଭିଲାଲା ସମ୍ପ୍ରଦାୟର ଭାଷା (ଏକ ଅନୁସୂଚିତ ଜାତି) ଓ ଏହାକୁ ଅନୁବାଦ କରିବା ପାଇଁ ବଦ୍ରି ଆମକୁ ସହାୟତା କରିଥିଲେ ।
“ମୁଁ ଯେତେବେଳେ ଯୁବକ ଥିଲି, ସେତେବେଳେ ମୋ ପାଖରେ ମଇଁଷି ଶଗଡ ବା ସାଇକେଲ୍ ନଥିଲା; ମୁଁ ଚାରିଆଡେ ଚାଲିଚାଲି ଯାଉଥିଲି । ମୁଁ ଥରେ ୪୮ କେଜି ଓଜନ ବୋହି ସାତ କିଲୋମିଟର ଚାଲିଚାଲି ଯାଇଥିଲି । ସେତେବେଳେ ସାଇକେଲ ରଖିବା ଅର୍ଥ ଆଭିଜାତ୍ୟସୂଚକ । ବାସ୍ତବରେ ସେତେବେଳେ ସାଧାରଣତଃ ସରକାରୀ କର୍ମଚାରୀମାନେ ସାଇକେଲ୍ରେ ଗ୍ରାମକୁ ଆସୁଥିଲେ, ଯାହାକୁ ଦେଖି ଆମେ ଡରି ଯାଉଥିଲୁ!’’ ଶୁଖଲାଲଜୀ ହସି ହସି ମନେପକାଇ କୁହନ୍ତି ।






