ମାୟଲାପୁରର ଏକ ଛୋଟ ଗଳିରେ ନୀଳ ରଙ୍ଗ ଦିଆଯାଇଥିବା ଗୋଟିଏ ଆବଦ୍ଧ କୋଠରିରେ ରେଡିଓରୁ ଭାସିଆସୁଥାଏ କର୍ଣ୍ଣାଟକୀ ସଙ୍ଗୀତର ଧ୍ୱନି । କାନ୍ଥରେ ଶୋଭା ପାଉଥାଏ ହିନ୍ଦୁ ଦେବତାଙ୍କ ଫଟୋ ଏବଂ ଚଟାଣରେ ଇତସ୍ତତଃ ପଡ଼ିଥାଏ ଖଣ୍ଡ ଖଣ୍ଡ ପଣସ କାଠ ଓ ଚମଡ଼ା । ହାତୁଡ଼ି, କଣ୍ଟା ଓ ସ୍ୱର ବାନ୍ଧିବା ପାଇଁ କାଠ ଖିଲ ଏବଂ ପାଲିସ୍ କରିବା ପାଇଁ ଥିବା ଜଡ଼ା ତେଲ ମଧ୍ୟରେ ବସି ଯେସୁଦାସ ଆନ୍ଥୋନି ଏବଂ ତାଙ୍କ ପୁଅ ଏଡୱିନ୍ ଯେସୁଦାସ ଏହି କୋଠରିରେ କାମ କରନ୍ତି । ବାହାରେ, କେନ୍ଦ୍ରୀୟ ଚେନ୍ନାଇ ପାଖାପାଖି ଏହି ଆବାସିକ ଅଞ୍ଚଳରେ ପ୍ରତିଧ୍ୱନିତ ହେଉଥାଏ ମନ୍ଦିରର ଘଣ୍ଟାଧ୍ୱନି ।
ଦୁଇ କୁଶଳୀ କାରିଗର ନିର୍ମାଣ କରନ୍ତି ମୃଦଙ୍ଗମ୍, ଯାହାକି କର୍ଣ୍ଣାଟକୀ (ଦକ୍ଷିଣ ଭାରତୀୟ ଶାସ୍ତ୍ରୀୟ) ସଙ୍ଗୀତରେ ସଙ୍ଗତ ରୂପେ ବ୍ୟବହୃତ ଏକ ପ୍ରକାରର ଢୋଲ। ଚେନ୍ନାଇଠାରୁ ୩୫୦ କିଲୋମିଟର ଦୂର ସହରକୁ ଆଖିରେ ରଖି ଏଡ୍ୱିନ୍ କହନ୍ତି, “ମୋ ଜେଜେବାପାଙ୍କ ବାପା ତାଞ୍ଜାଭରରେ ମୃଦଙ୍ଗମ୍ ନିର୍ମାଣ ଆରମ୍ଭ କରିଥିଲେ ।” ତାଙ୍କ ବାପା ମୁଣ୍ଡ ଟେକି ଦେଖନ୍ତି ଏବଂ ମୁଚୁକି ମୁଚୁକି ହସି, ପୁଣି ଦୁଇଟି ଗୋଲାକାର ଚମଡ଼ା ଖଣ୍ଡର ଧାରରେ ଛିଦ୍ର କରିବାରେ ଲାଗିଯାଆନ୍ତି । ତା ପରେ ସେ ଦୁଇଟିଯାକ ଖଣ୍ଡକୁ ଟାଣି ଚମଡ଼ା ପଟିରେ ବନ୍ଧା ଗୋଟିଏ ଫମ୍ପା ଫ୍ରେମ୍ର ଉଭୟ ପାଖ ଖୋଲା ମୁହଁରେ ବାନ୍ଧନ୍ତି । ବାଦ୍ୟଯନ୍ତ୍ରର ‘ପିଣ୍ଡ’ ବା ଅନୁନାଦକର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ମୋଟା ଚମଡ଼ା ପଟି ବୁଣାହୋଇଥାଏ । ଗୋଟିଏ ମୃଦଙ୍ଗମ୍ ନିର୍ମାଣର (ସେମାନେ ଗୋଟିଏ ସମୟରେ ଏକାଧିକ ତିଆରି କରନ୍ତି) ସମଗ୍ର ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପ୍ରାୟ ସାତ ଦିନ ଲାଗେ ।











