ଏମ କରୁପ୍ପିହ କୋମ୍ବୁ ବଜାଉଥିବା ସମୟରେ ମୃତ୍ୟୁବରଣ କରିବାକୁ ଚାହାଁନ୍ତି । ଠିକ୍ ଅଛି, ଐତିହାସିକ ଭାବରେ, ଯୁଦ୍ଧ ଆରମ୍ଭର ଘୋଷଣା କରିବାକୁ ଯୁଦ୍ଧକ୍ଷେତ୍ରରେ ଉଚ୍ଚ ସ୍ୱରରେ ଫୁଙ୍କି ବଜାଯାଉଥିବା ବାଦ୍ୟଯନ୍ତ୍ର ଏହା ଥିଲା। ପ୍ରାୟ ଆକ୍ଷରିକ ଭାବରେ,ମୃତ୍ୟୁ ପାଇଁ ସଂଗୀତ । କିନ୍ତୁ ପିତ୍ତଳ କିମ୍ବା ବ୍ରୋଞ୍ଜରୁ ନିର୍ମିତ ହାତୀ ଶୁଣ୍ଢ ଆକୃତିର ଏହି ବାଜା ବଜାଇ ଦୁନିଆରୁ ବିଦାୟ ନେବା କରୁପ୍ପିହଙ୍କ ଇଚ୍ଛାର କାରଣ ନୁହେଁ।
୪୯ ବର୍ଷୀୟ କରୁପ୍ପିହଙ୍କ ପାଇଁ କୋମ୍ବୁ ଏକ ମହାନ କଳା। ଏବଂ ସେ ଚତୁର୍ଥ ପିଢିର ଜଣେ ବାଦକ, ମଦୁରାଇ ସ୍ଥିତ ନିଜ ଗାଁରେ ରୋଜଗାର କରିବା ପାଇଁ ବାଧ୍ୟ ହୋଇ ଚଲାଉଥିବା ଅଟୋରିକ୍ସା ଅପେକ୍ଷା ଯନ୍ତ୍ର ସହିତ ସେ ଅଧିକ ଆସକ୍ତ।
କରୁପ୍ପିହ କୁହନ୍ତି, ପ୍ରାୟ ତିନି ଦଶନ୍ଧି ପୂର୍ବରୁ,ଏହି କଳା “ଶୀର୍ଷ”ରେ ଥିଲା। ୧୯୯୧ ମସିହାରେ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ପାଇଁ ସେ କୋମ୍ବୁ ବଜାଇବା କଥା ମନେ ପକାଇଲେ । "ସେ ଆମକୁ ପୁନର୍ବାର ଏହାକୁ ବଜାଇବାକୁ କହିଥିଲେ, ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ!"
କିନ୍ତୁ ଆଜିକାଲି, ଥିରୁପାରନକୁନ୍ଦ୍ରମ ବ୍ଲକର ତାଙ୍କ ଗାଁ ମେଲାକୁୟିଲକୁଡିରେ ତାଙ୍କୁ ଏବଂ ଅନ୍ୟ କୋମ୍ବୁ କଳାକାରମାନଙ୍କୁ କାମପାଇବା ଅତ୍ୟନ୍ତ କଷ୍ଟକର ହେଉଛି । ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ଆରମ୍ଭ ହୋଇଥିବା କୋଭିଡ୍ ଲକ୍ଡାଉନ୍ ସମୟରେ ଦୁର୍ଦିନରେ ଗତି କରୁଥିବା ଏହି ଲୟାତ୍ମକ କଳା ଏବେ ଆଧୁନିକ ପପ୍ ସଂସ୍କୃତି ଦ୍ୱାରା ଅପସାରିତ ହୋଇଛି। କଳାକାରମାନେ ଏବେ କାମ ଓ ଅର୍ଥ ବିନା କାଳାତିପାତ କରୁଛନ୍ତି।
ଯେତେବେଳେ କରୁପ୍ପିହ କିଛି କାମ ପାଆନ୍ତି- ମନ୍ଦିର,ସାଧାରଣ କାର୍ଯ୍ୟକ୍ରମ କିମ୍ବା ଅନ୍ତିମ ସଂସ୍କାରରେ କୋମ୍ବୁ ବଜାଇବାର କାମ ପାଆନ୍ତି - ତାଙ୍କର ଗୋଟିଏ ପ୍ରଦର୍ଶନରୁ ୭୦୦ରୁ ୧୦୦୦ ଟଙ୍କା ଆୟ ହୋଇଥାଏ।"ଲକ୍ଡାଉନ କାରଣରୁ ଆମେ ଆଲାଗର କୋଇଲ ଥିରୁଭିଝା କାର୍ଯ୍ୟକ୍ରମରେ ଗତବର୍ଷ ଠାରୁ ପ୍ରଦର୍ଶନ କରିପାରିଲୁ ନାହିଁ।"ଆମେ ସେହି ସମୟରେ ଆଠ ଦିନର କାମ ପାଇଥାଆନ୍ତୁ"। ମଦୁରାଇ ସହରଠାରୁ ୨୦ କିଲୋମିଟର ଦୂରରେ ଥିବା ଆଲାଗର କୋଇଲ ମନ୍ଦିରର ବାର୍ଷିକ ଉତ୍ସବ(ଏପ୍ରିଲ-ମେ ମାସରେ) ସମୟରେ ଲକ୍ଷ ଲକ୍ଷ ଭକ୍ତ ଏକତ୍ରିତ ହୋଇଥାନ୍ତି, ଏହି ସମୟରେ କୋମ୍ବୁ କଳାକାରମାନେ କଳା ପ୍ରଦର୍ଶନ କରିଥାଆନ୍ତି।
ଲୋକ କଳାକାର ଏବଂ କଳାକୁ ସମର୍ଥନ କରୁଥିବା ଚେନ୍ନାଇର ସଂସ୍ଥା ଅଲ୍ଟର୍ନେଟିଭ ମିଡିଆ ସେଣ୍ଟର (ଏଏମସି) ର ପ୍ରତିଷ୍ଠାତା କାଲୀସ୍ୱରନ କୁହନ୍ତି,"ସମସ୍ତେ କୋମ୍ବୁ ବଜାଇପାରିବେ ନାହିଁ। ଏହା ଅଧିକ ଦକ୍ଷତା ଆବଶ୍ୟକ କରେ"। ବାଦ୍ୟଯନ୍ତ୍ର ଏକ କାର୍ଯ୍ୟକ୍ରମର ଆରମ୍ଭରେ, ଏବଂ ତା’ପରେ କାର୍ଯ୍ୟକ୍ରମ ମଧ୍ୟରେ ବାଜାଯାଏ, କିନ୍ତୁ କ୍ରମାଗତ ଭାବରେ ନୁହେଁ । ତେଣୁ କଳାକାରମାନେ ସାଧାରଣତ ୧୫ ମିନିଟ୍ ପାଇଁ ବଜାଇଥାନ୍ତି, ପାଞ୍ଚ ମିନିଟ୍ ବିଶ୍ରାମ କରନ୍ତି ଏବଂ ତା’ପରେ ପୁନର୍ବାର ଆଉ ୧୫ମିନିଟ୍ ପାଇଁ ବଜାଇଥାନ୍ତି । “ସାଧାରଣତଃ, କଳାକାର ବହୁତ ଗଭୀର ନିଶ୍ୱାସ ନିଅନ୍ତି ଏବଂ ଏହାକୁ ଏଥିରେ [କୋମ୍ବୁ] ପ୍ରବାହିତ କରିଥାନ୍ତି।” ଶ୍ୱାସକ୍ରିୟା ଉପରେ ସେମାନଙ୍କର ଦକ୍ଷତା ପାଇଁ ସେମାନେ ଧନ୍ୟବାଦ ପାଇବା ଯୋଗ୍ୟ, କାଲୀସ୍ୱରନ ଦର୍ଶାଇଛନ୍ତି ଯେ ପ୍ରାୟ ୧୦୦ବର୍ଷ ବୟସ୍କ କଳାକାରମାନେ ଏବେବି ପ୍ରଦର୍ଶନ କରୁଛନ୍ତି।











