ଗୌରୀ କହିଲେ, ‘‘ମୁଁ ଶୁଣିଛି ସରକାରୀ ଯୋଜନାରେ ବହୁ ଲୋକ ଭଲ ନିଯୁକ୍ତି ପାଇଛନ୍ତି ଆଉ ଜୀବନରେ ଭଲ ଉନ୍ନତି କରିପାରିଛନ୍ତି। ଏକଥା ମୁଁ ଟେଲିଭିଜନ୍ ବିଜ୍ଞାପନରେ ଦେଖିଛି।’’
ଗୌରୀ ବାଘେଲା କିନ୍ତୁ ପ୍ରକୃତରେ ସେମିତି କାହାକୁ ଜାଣିନାହାନ୍ତି, ଯିଏ ରାଜ୍ୟ ସରକାରଙ୍କ ଯୋଜନାରେ ନିଯୁକ୍ତି ପାଇଛନ୍ତି ବା ଭଲ କିଛି କରିଛନ୍ତି, ଯେଭଳି ବିଜ୍ଞାପନରେ ଦାବି କରାଯାଇଛି। ତାଙ୍କ ନିଜ କାମ ବି ଏହା ଭିତରେ ଖୋଜି ପାଉ ନାହାନ୍ତି। ୧୯ ବର୍ଷୀୟ ମହିଳା ଜଣଙ୍କ କହିଲେ, ‘‘ମୁଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଦକ୍ଷତା ବିକାଶ ତାଲିମ ନେଇ ସିଲେଇ ମେସିନ ଚଳାଇବା ଶିଖିଲି। ଏପରିକି ମୁଁ ଗୋଟେ ନିଯୁକ୍ତି ମଧ୍ୟ ପାଇଥିଲି [ଏକ ପୋଷାକ କାରଖାନାରେ]। କିନ୍ତୁ ୮ ଘଣ୍ଟାର କାମକୁ ମାତ୍ର ୪,୦୦୦ ଟଙ୍କା ଦରମା। ମୁଁ ରହୁଥିବା ସ୍ଥାନରୁ ୬ କିଲୋମିଟର ଦୂର। ଯିବା ଆସିବା ଆଉ ଖାଇବାରେ ସବୁ ଟଙ୍କା ଖର୍ଚ୍ଚ ହୋଇ ଯାଉଥିଲା। ତେଣୁ ମୁଁ ଦୁଇ ମାସ ପରେ କାମ ଛାଡିଲି।’’ ସେ ହସିଲେ, ଆଉ କହିଲେ, ‘‘ଏବେ ମୁଁ ଘରେ ପଡୋଶୀଙ୍କ କପଡ଼ା ସିଲେଇ କରୁଛି। ଖଣ୍ଡକୁ ୧୦୦ ଟଙ୍କା ଦାମ୍ରେ। କିନ୍ତୁ ଲୋକେ ଏଠି ବର୍ଷକୁ ମାତ୍ର ଦୁଇ ହଳ ପୋଷାକ କରୁଛନ୍ତି, ତେଣୁ ମୁଁ ବେଶୀ ରୋଜଗାର କରିପାରୁନି।’’
ଗୁଜରାଟ କଛ ଜିଲ୍ଲା ଭୁଜ୍ ସହରର ରାମନଗରୀ ଅଞ୍ଚଳର ଏକ ବସ୍ତିରେ ଆମେ କିଛି ଯୁବତୀଙ୍କ ସହ କଥା ହେଉଛୁ। ଲୋକସଭା ନିର୍ବାଚନ ଉପରେ ଆମର ଆଲୋଚନା-ଏଠାରେ ଭୋଟ ଗ୍ରହଣ ତାରିଖ ଆଜି, ୨୩ ଏପ୍ରିଲ।
୨୦୧୪ରେ କଚ୍ଛର ପାଖାପାଖି ୧୫.୩୪ ଲକ୍ଷ ଭୋଟରଙ୍କ ଭିତରୁ ପ୍ରାୟ ୯.୪୭ ଲକ୍ଷ ଭୋଟିଂ ହୋଇଥିଲା, ରାଜ୍ୟର ସମସ୍ତ ୨୬ଟି ଲୋକସଭା ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି। କଚ୍ଛର ଲୋକସଭା ସଦସ୍ୟ ବିନୋଦ ଚାୱଡ଼ା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦିନେଶ ପରମାରଙ୍କୁ ୨.୫ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଏହାପରେ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ୧୮୨ଟି ଆସନରୁ ୯୯ଟି ବିଜେପି ଜିତିଥିଲ। ଏହି ୯୯ ଆସନ ଭିତରେ ରହିଛି ଭୁଜ୍ ବିଧାନସଭା ଆସନ। କଂଗ୍ରେସ ୭୭ଟି ଆସନ ପାଇଥିଲା।





