ଶକ୍ତ ହୋଇଯାଇଥିବା ମାଟିରେ ଥିବା ଏକ ଛୋଟ ଗାତରେ ଏକ ମୃତ କଙ୍କଡା ଅଛି, ଏହାର ଗୋଡ଼ଗୁଡ଼ିକ ଶରୀରଠାରୁ ଅଲଗା ହୋଇଯାଇଛି । “ସେଗୁଡ଼ିକ ଅତ୍ୟଧିକ ତାତି ଯୋଗୁଁ ମରିଯାଉଛନ୍ତି,” ବୋଲି ଦେବେନ୍ଦ୍ର ଭୋଙ୍ଗାଡେ, ତାଙ୍କର ପାଞ୍ଚ-ଏକର ଧାନ କ୍ଷେତରେ ଥିବା ଗାତଗୁଡ଼କ ଆଡକୁ ଅଂଗୁଳି ଦେଖାଇ କହିଲେ ।
ଯଦି ବର୍ଷା ହୋଇଥାନ୍ତା, ତେବେ ଆପଣ ପଲ ପଲ କଙ୍କଡା ଜମିରେ ସେମାନଙ୍କ ଅଣ୍ଡା ଉଷୁମାଉଥିବା ଦୃଶ୍ୟ ଦେଖିପାରିଥାନ୍ତେ, ବୋଲି ସେ ସବୁଜ-ହଳଦିଆ ରଙ୍ଗର କ୍ରମଶଃ ଶୁଖି ଆସୁଥିବା ଧାନ ମଧ୍ୟରେ ଛିଡା ହୋଇ କହିଲେ । “ଧାନ ବିଲର ପିଲ ସବୁ ଝାଉଁଳିଯିବ,” ୩୦ ବର୍ଷ ପାଖାପାଖି ବୟସର କୃଷକ ତାଙ୍କର ଉଦବେଗ ବ୍ୟକ୍ତ କଲେ।
ତାଙ୍କ ଗ୍ରାମ ରାୱାନ୍ୱାଡି, ଯାହାର ଜନସଂଖ୍ୟା ୫୪୨(ସେନ୍ସସ୍୨୦୧୧),ରେ କୃଷକମାନେ ସେମାନଙ୍କ ଜମିରେ ଥିବା ତଳିଘରାରେ ଜୁନ୍ ମାସର ପ୍ରଥମାର୍ଦ୍ଧରେ ମୌସୁମୀ ଆସିବ ବୋଲି ତଳି ବୁଣିଥାନ୍ତି। ଏକାଧିକ ଥର ଭାରି ବର୍ଷା ହୋଇସାରିବା ପରେ, ଯେତେବେଳେ ଶିଆର ଚାରିପାଖରେ କାଦୁଅ ପାଣି ଜମିବାକୁ ଆରମ୍ଭ ହୁଏ, ସେତେବେଳେ ସେମାନେ ଏହି ୩-୪ ସପ୍ତାହର ତଳିଗୁଡ଼ିକୁ ସେମାନଙ୍କ ଜମିକୁ ସ୍ଥାନାନ୍ତରଣ କରି ସେଠାରେ ରୋପଣ କରିଥାନ୍ତି।
ଚଳିତ ବର୍ଷ କିନ୍ତୁ ମୌସୁମୀ ଏହାର ସ୍ୱାଭାବିକ ଆଗମନ ସମୟଠାରୁ ଛଅ ସପ୍ତାହ ବିଳମ୍ବରେ, ଜୁଲାଇ ୨୦ପର୍ଯ୍ୟନ୍ତ ସକ୍ରିୟ ନହେବାରୁ, ରାୱନ୍ୱାଡିରେ ବର୍ଷା ହୋଇନି। ଯାହା କେବଳ ଦୁଇଥର ଝିପିଝିପି ବର୍ଷା ହୋଇଛି, ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଭୋଙ୍ଗାଡେ କୁହନ୍ତି । ଯେଉଁ ଚାଷୀମାନଙ୍କର କୂଅ ଅଛି ସେମାନେ କୌଣସି ପ୍ରକାରେ ଧାନ ଫସଲକୁ ପାଣି ମଡ଼ାଉଛନ୍ତି । ଅଧିକାଂଶ ଚାଷ ଜମିରେ ଆଉ କୌଣସି କାର୍ଯ୍ୟର ସୁଯୋଗ ନଥିବାରୁ, ଭୂମିହୀନ ଶ୍ରମିକମାନେ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଗ୍ରାମ ଛାଡି ଅନ୍ୟଆଡ଼େ ଚାଲିଗଲେଣି ।










