ଚମନି ମୀନା ତାଙ୍କ ବୟସ ମନେ ପକାଇ ପାରନ୍ତିନି, କିନ୍ତୁ ସେ ମନେ ରଖିଛନ୍ତି ଯେ ତାଙ୍କ ଯୁବାବସ୍ଥାରେ ଖାଦ୍ୟର ସ୍ୱାଦ ଖୁବ୍ ଭଲ ଥିଲା: “ଆଜିକାଲି ଏହା ଅଲଗା ଲାଗୁଛି । ଆଉ ଆପଣ ଖାଦ୍ୟର ସେହି ସମାନ ବାସ୍ନା ପାଉନାହାନ୍ତି । ଦେଶୀ (ସ୍ୱଦେଶୀ) ବିହନ ଆଉ ନାହିଁ । ଏବେ ବିଭିନ୍ନ କିସମ ଖୋଜିବା କଷ୍ଟକର।”
ରାଜସ୍ଥାନର ଉଦୟପୁର ସହର ଉପକଣ୍ଠ ଘାଟି ଗାଁରେ ରହୁଥିବା ଚମନିବାଇଙ୍କୁ ପ୍ରାୟ ୮୦ ବର୍ଷ ହେଲାଣି ବୋଲି ସେ ମନେ କରନ୍ତି ଏବଂ ପିଲାବେଳରୁ ହିଁ ସେ ବିହନ ସଞ୍ଚୟ କରିଆସୁଛନ୍ତି । ଚମନିବାଇ ମନେ ପକାନ୍ତି ଯେ, କେମିତି ସେ ଓ ତାଙ୍କ ସ୍ୱାମୀ ସେମାନଙ୍କ ଘର ଓ କ୍ଷେତ ଗଢ଼ିଥିଲେ ଏବଂ କେବଳ ବଞ୍ଚି ରହିବା ପାଇଁ ହିଁ କେତେ କାମ କରିବାକୁ ପଡ଼ିଥିଲା । ତଥାପି, ସେ କହନ୍ତି, ସେମାନଙ୍କ ଯୁବାବସ୍ଥାରେ ଜୀବନ ଓ ଖାଦ୍ୟ ଏବର ତୁଳନାରେ ଭଲ ଥିଲା ।













