ହୀରା ମୁକାନେ ଥାଣେ ଜିଲ୍ଲାର ଶାହପୁର ତାଲୁକାରେ ଥିବା ତାଙ୍କ ଗ୍ରାମ ଡାଲ୍ଖନ୍ର ଉପକଣ୍ଠରେ ମାର୍ଚ୍ଚ ୨୭ରେ ରାତି ଗୋଟାଏ ସମୟରେ ପହଞ୍ଚିଥିଲେ । ହୀରା, ତାଙ୍କ ପୁଅ ମନୋଜ ଓ ବୋହୁ ଶାଲୁ ବିରାମ ବିହୀନ ୧୦୪ କିଲୋମିଟର ପଦଯାତ୍ରା କରି ସେଠାରେ ପହଞ୍ଚିଥଲେ । ସେମାନେ ପାଳଘର ଜିଲ୍ଲା ଅନ୍ତର୍ଗତ ଡହାନୁ ତାଲୁକାର ଗଞ୍ଜଡ ଗ୍ରାମ ପାଖରେ ଥିବା ଇଟାଭାଟି ଯେଉଁଠାକୁ ସେମାନେ କାମ କରିବାକୁ ଯାଇଥିଲେ, ସେଠାରୁ ପଦଯାତ୍ରା କରି ଘରକୁ ଫେରିଛନ୍ତି ।
“କୌଣସି ପରିବହନ ମାଧ୍ୟମ ଉପଲବ୍ଧ ହେଲାନାହିଁ, ଏଣୁ ଆମେ ସାରାଦିନ ଚାଲିଚାଲି ଆସିଲୁ । ସାଧାରଣତଃ ଏସ୍ଟି [ରାଜ୍ୟ ପରିବହନ] ବସ୍ଗୁଡିକ ଗଞ୍ଜଡ୍ରୁ ଶାହପୁରକୁ ଯାଇଥାଏ,” ବୋଲି ହୀରା ୪୫ କୁହନ୍ତି । ସେମାନେ ମାର୍ଚ୍ଚ ୨୬ ପୂର୍ବାହ୍ନ ୪ଟା ବେଳେ ଏହି ୧୨ ଘଣ୍ଟିଆ ଯାତ୍ରା ଆରମ୍ଭ କରିଥିଲେ, ହୀରା ଓ ଶାଲୁ ସେମାନଙ୍କ ମୁଣ୍ଡରେ କନା ବୁଜୁଳା ଓ କଂସାବାସନ ଭର୍ତ୍ତି ଅଖା ମୁଣ୍ଡେଇ ଥିବା ବେଳେ ମନୋଜ ତାଙ୍କ ମୁଣ୍ଡରେ ୧୨ କେଜି ଚାଉଳ ଅଖା ମୁଣ୍ଡେଇ ଥିଲେ ଓ ହାତରେ ୮ କେଜି ରାଗି ଅଟା ଅଖା ଧରିଥିଲେ । “ଆମର ଗୋଡରେ ଯନ୍ତ୍ରଣା ଅନୁଭବ ହେବନାହିଁ କାରଣ ଏସ୍ଟିର ଅନିୟମିତତା ଯୋଗୁଁ ଆମକୁ ଯାହାହେଲେ ମଧ୍ୟ ଚାଲିଚାଲି ବହୁ ପଥ ଯିବାକୁ ପଡିଥାଏ କିନ୍ତୁ କିଛି ରୋଜଗାର କରିନପାରିବା ଅଧିକ ଯନ୍ତ୍ରଣାଦାୟକ ଅଟେ, ବୋଲି ସେ କୁହନ୍ତି ।
ମାର୍ଚ୍ଚ ୨ରେ ହୀରା ଯେତେବେଳେ ୨୭ ବର୍ଷ ବୟସ୍କ ମନୋଜ ଓ ୨୫ ବର୍ଷ ବୟସ୍କ ଶାଲୁ ସହିତ ମିଶି ଇଟାଭାଟିରେ କାମ କରିବାକୁ ଘରୁ ବାହାରି ଥିଲେ, ସେତେବେଳେ ସେମାନେ ଚଳିତ ବର୍ଷ ମେ ମାସରେ ହିଁ ଘରକୁ ଫେରିବେ ବୋଲି ଯୋଜନା କରିଥିଲେ । ହେଲେ, ମାର୍ଚ୍ଚ ମାସରେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯିବା ଯୋଗୁଁ ସେମାନଙ୍କୁ ସେମାନଙ୍କ କାମ ଅଧାପନ୍ତରିଆ ଭାବେ ଛାଡିବାକୁ ପଡିଲା । “ଆମେ ଆଶା କରିଥିଲୁ ଯେ ମାର୍ଚ୍ଚ ରୁ ମେ ମଧ୍ୟରେ ଆମେ ୫୦,୦୦୦ ଟଙ୍କା ରୋଜଗାର କରିବୁ,” ବୋଲି ସେ ମତେ ଫୋନ୍ରେ କହିଲେ । “ମାଲିକ କାମ ବନ୍ଦ କରିଦେଲେ ଓ ଆମକୁ ଘରକୁ ଫେରିଯିବା ପାଇଁ କହିଲେ । ସେ ତିନି ସପ୍ତାହର କାମ ପାଇଁ ଆମକୁ ମାତ୍ର ୮୦୦୦ଟଙ୍କା ଦେଲେ ।’’
ଏଣୁ ସେହି ତିନି ଜଣ ଯେତେବେଳେ ଅପ୍ରତ୍ୟାଶିତ ଭାବେ ମାର୍ଚ୍ଚ ମାସ ଶେଷରେ ଘରକୁ ଫେରିଗଲେ, ହୀରାଙ୍କ ସ୍ୱାମୀ ବିଠ୍ଠଲ୍, ୫୨ ଓ ସେମାନଙ୍କ ୧୫ ବର୍ଷର ଝିଅ ସଙ୍ଗୀତା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ – ହୀରା ସେମାନଙ୍କ ଘର ବାହୁଡା ବିଷୟରେ ସେମାନଙ୍କୁ ଫୋନ୍ରେ ସୂଚୀତ କରିବା ପାଇଁ ସମର୍ଥ ହୋଇପାରିନଥିଲେ । ବିଠ୍ଠଲ୍ ସିକିଲ୍ ସେଲ୍ ରୋଗରେ ଆକ୍ରାନ୍ତ ଓ ସେଥିପାଇଁ କୌଣସି ଶାରିରୀକ ପରିଶ୍ରମ କରିପାରନ୍ତିନି, ଏଣୁ ଅନ୍ୟମାନେ ଗଞ୍ଜଡ୍ ଯାଇଥିବା ବେଳେ ସେ ନିଜ ଗ୍ରାମରେ ସଙ୍ଗୀତା ସହିତ ରହିଥିଲେ ।
ଜୁଲାଇ ୨୦୧୮ରେ ଯେତେବେଳେ ହୀରା ତାଙ୍କ ପରିବାର ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କରିବାକୁ ଡଲ୍ଖାନ୍ର ଏକ ଫାର୍ମରେ ପରିବା ତୋଳୁଥିଲେ ସେତେବେଳେ ହୀରାଙ୍କ ସହିତ ମୋର ଦେଖା ହୋଇଥିଲା । ସେ ମହାରାଷ୍ଟ୍ରରେ ବିଶେଷ ଭାବେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଜନଜାତି ସମୂହ ଭାବେ ତାଲିକାଭୁକ୍ତ ଏକ ଆଦିବାସୀ ସମ୍ପ୍ରଦାୟ କଟକାରୀ ଜନଜାତି ଅନ୍ତର୍ଭୁକ୍ତ ଅଟନ୍ତି ।






