ପୂରା ଅଞ୍ଚଳରେ ୪୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲେ ମଧ୍ୟ ଏହି ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ଆମଠାରୁ କିଛି ଦୂରରେ ଏମିତି ଖଣ୍ଡେ ଜାଗା ଅଛି ଯେଉଁଠି ବିଯୁକ୍ତ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ଜଳନ୍ତା ବିଦର୍ଭରେ ‘‘ଭାରତର ପ୍ରଥମ ସ୍ନୋଡୋମ’’। ଏହାର ଆଇସ ରିଙ୍କ ଫାର୍ମ ବା ବରଫ ସ୍କେଟିଂ ପାଇଁ ବ୍ୟବହୃତ ସ୍ଥାନ ପାଇଁ ଦିନକୁ କେବଳ ୪,୦୦୦ ଟଙ୍କା ବିଦ୍ୟୁତ ଶୁଳ୍କ ଦେକାବୁ ପଡ଼ିଥାଏ।
ନାଗପୁର (ଗ୍ରାମାଞ୍ଚଳ) ଜିଲ୍ଲାର ବାଜାରଗାଓଁ ଗ୍ରାମ ପଞ୍ଚାୟତରେ ଥିବା ଫନ୍ ଆଣ୍ଡ୍ ଫୁଡ୍ ଭିଲେଜ୍ ୱାଟର ଆଣ୍ଡ ଆମ୍ୟୁଜମେଣ୍ଟ ପାର୍କରେ ଆପଣଙ୍କୁ ସ୍ୱାଗତ। ଏହି ବିଶାଳ ପରିସରରେ ଥିବା କାର୍ଯ୍ୟାଳୟରେ ଆଗନ୍ତୁକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଏକ ଚିତ୍ର ଅଭିବାଦନ ଜଣାଇଥାଏ। ଏଠାରେ ଆପଣଙ୍କୁ ଦୈନିକ ଡିସ୍କୋ, ଆଇସ୍ ସ୍କେଟିଂ, ଆଇସ୍ ସ୍ଲାଇଡିଂ ଏବଂ ‘କକଟେଲ୍ ସହିତ ଭର୍ତ୍ତି ହୋଇ ରହିଥିବା ଏକ ବାର୍’ ମିଳିଯିବ। ୪୦ ଏକର ପରିମିତ ଏହି ପାର୍କରେ ୧୮ ପ୍ରକାର ୱାଟର୍ ସ୍ଲାଇଡ୍ ଏବଂ ଜଳକ୍ରୀଡ଼ା ସୁବିଧା ରହିଛି। ଏଠାରେ କନଫରେନ୍ସଠାରୁ ଆରମ୍ଭ କରି କିଟ୍ଟୀ ପାର୍ଟୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେବା ଯୋଗାଇ ଦିଆଯାଇଥାଏ।
ସେହି ବାଜାରଗାଓଁ (ଜନସଂଖ୍ୟା ୩,୦୦୦) ଗ୍ରାମରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଥାଏ। ସ୍ଥାନୀୟ ସରପଞ୍ଚ ଯମୁନାବାଇ ୟୁଇକେ କୁହନ୍ତି, ‘‘ପାଣି ଆଣିବା ପାଇଁ ଗାଁର ମହିଳାମାନଙ୍କୁ ଅନେକ ଚକ୍କର ଲଗାଇବାକୁ ପଡ଼ିଥାଏ, ଦିନକୁ ସେମାନେ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାନ୍ତି। ସମ୍ପୂର୍ଣ୍ଣ ଗାଁରେ ମାତ୍ର ଗୋଟିଏ ସରକାରୀ କୂଅ ରହିଛି। ବେଳେବେଳେ ଆମକୁ ଚାରି କିମ୍ବା ପାଞ୍ଚ ଦିନରେ ଥରେ ପାଣି ମିଳିଥାଏ। ଆଉ କେବେ ଦଶ ଦିନରେ ଥରେ।’’
ବାଜାରଗାଓଁକୁ ୨୦୦୪ରେ ମରୁଡ଼ି ପ୍ରଭାବିତ କ୍ଷେତ୍ର ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳ ପୂର୍ବରୁ କେବେ ଏଭଳି ସ୍ଥିତିର ସମ୍ମୁଖିନ ହୋଇନଥିଲା। ଗାଁକୁ ନିଜ ଭାଗ ଆକାରରେ ଛଅ ଘଣ୍ଟା – ଏବଂ ସବୁଠୁ ଖରାପ କଥା ହେଉଛି – ପ୍ରାୟ ମେ ମାସ ପର୍ଯ୍ୟନ୍ତ ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏହା ଗାଁ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପରୀକ୍ଷା ପାଇଁ ପାଠ ପଢ଼ୁଥିବା ପିଲାମାନେ ବେଶୀ ସମସ୍ୟାରେ ପଡ଼ିଥାନ୍ତି। ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଲେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଏ।
ଗ୍ରାମୀଣ ଜୀବନର ଏସବୁ କଠୋର ଆଇନ ଫନ୍ ଏଣ୍ଡ ଫୁଡ୍ ଭିଲେଜ୍ ପରିସରରେ ଲାଗୁ ହୁଏ ନାହିଁ। ଘରୋଇ ସଂସ୍ଥା ଓସିସକୁ ଯେତିକି ପାଣି ମିଳିଥାଏ ବାଜାରଗାଓଁର ବାସିନ୍ଦାମାନେ ସେତିକି ପାଣି ପାଇବାକୁ ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ। ଆହୁରି ଗୋଟିଏ ମୁହୂର୍ତ୍ତ ସୁଦ୍ଧା ବିଦ୍ୟୁତ ଯୋଗାଣ ବନ୍ଦ ହୁଏ ନାହିଁ। ‘‘ଆମେ ହାରାହାରୀ ଆଧାରରେ ବିଦ୍ୟୁତ ବିଲ୍ ପୈଠ କରିଥାଉ। ମାସିକ ପ୍ରାୟ ୪ ଲକ୍ଷ ଟଙ୍କା,’’ ପାର୍କର ମହାପ୍ରବନ୍ଧକ ଯଶଜିତ୍ ସିଂ କୁହନ୍ତି।






