“କୌଣସି ଅସୁବିଧା ନଥିଲା। କିଛି ମଧ୍ୟ ଅସ୍ୱାଭାବିକ ନଥିଲା। ସବୁକିଛି ଠିକ୍ଠାକ ଥିଲା, ଜୀବନ ସ୍ୱାଭାବିକ ଗତିରେ ଆଗେଇ ଚାଲିଥିଲା,” ବୋଲି ୩୩ ବର୍ଷ ବୟସ୍କ ଦିନେଶ ଚନ୍ଦ୍ର ସୁଥର, ତାଙ୍କ ପରିବାରର ଫାଇଲ୍ ଓ ରିପୋର୍ଟଗୁଡିକ ମଝିରେ ବସି ଓ ଏପରି ଏକ କଳ୍ପନାତୀତ ଘଟଣା ଘଟିବାବେଳେ ସବୁଦିନ ପରିସ୍ଥିତି କିଭଳି ରହୁଥିଲା, ସେ ବିଷୟରେ ମନେ ପକାଇ କୁହନ୍ତି।
ରାଜସ୍ଥାନର ବଂଶୀ ଗ୍ରାମରେ ଥିବା ସୁଥର ଗୃହର କାନ୍ଥରେ ତାଙ୍କର ମୃତ ସ୍ତ୍ରୀଙ୍କର ଏକ ଫଟୋଗ୍ରାଫ୍ ଝୁଲୁଥିଲା। ଦିନେଶ ତାଙ୍କର ଫାଇଲ୍ରେ ଲଗାଇଥିବା ସେହି ଛବି ପରି । ୨୦୧୫ରେ ସେମାନଙ୍କ ବାହାଘର ଅନୁଷ୍ଠିତ ହେବାର କିଛି ମାସ ପରେ ଉଠାଯାଇଥିବା ଏହି ଫଟୋକୁ ଏକ ସରକାରୀ ସ୍କିମ୍ ପାଇଁ ଆବେଦନ ଦାଖଲ କରିବା ସମୟରେ ଆବେଦନ ପତ୍ରରେ ସଂଲଗ୍ନ କରାଯାଇଥାନ୍ତା ।
ପାଞ୍ଚ ବର୍ଷ ହେବ ଦିନେଶ ଏହି କାଗଜ ପତ୍ର ଓ ତାଙ୍କର ସ୍ୱଳ୍ପ ସମୟର ବୈବାହିକ ଜୀବନର ସାକ୍ଷୀ ଏହି ଫଟୋଗ୍ରାଫ୍କୁ ନିଜ ପାଖରେ ରଖିଛନ୍ତି । ସେ ଦୁଇଟି ପୁତ୍ର ସନ୍ତାନର ବାପା ଅଟନ୍ତି, ତିନି ବର୍ଷ ବୟସ୍କ ଚିରାଗ ଓ ଦେବାଂଶ । ବରି ସଦ୍ରି ପୌରପାଳିକାରେ ଅବସ୍ଥିତ ୫୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରେ ଭାବନାଙ୍କ ବନ୍ଧ୍ୟାକରଣ କରିବାବେଳେ ତ୍ରୁଟିବଶତଃ ଅନ୍ତ୍ର ବିଦ୍ଧ ତାଙ୍କର ମୃତ୍ୟୁ ହେବା ବେଳକୁ ଦେବାଂଶକୁ କେବଳ ୨୯ ଦିନ ହୋଇଥିଲା ଓ ତାଙ୍କର ନାମକରଣ ମଧ୍ୟ ହୋଇନଥିଲା ।
ଦିନେଶ – ଯିଏ ଜଣେ ବିଏଡ୍ ଡିଗ୍ରୀଧାରୀ ଶିକ୍ଷକ ଭାବେ ବଂଶୀଠାରୁ ଛଅ କିଲୋମିଟର ଦୂରରେ ଅବସ୍ଥିତ ବଡ୍ୱାଲ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ମାସକୁ ୧୫,୦୦୦ ଟଙ୍କା ଉପାର୍ଜନ କରନ୍ତି – କ୍ରମରେ ଘଟି ଯାଇଥିବା ସେହି ସବୁ ଘଟଣାଗୁଡିକୁ ଏକାଠି କରି ଗୁନ୍ଥି ସେ ମଧ୍ୟରୁ ଢିଲା ରହିଯାଇଥିବା ସୂତା ଖିଅ ଓ ସେହି ଗୋଟିଏ ତ୍ରୁଟି ଯାହା କାରଣରୁ ସେମାନଙ୍କ ଜୀବନ ଆଜି ଏତେ ଜଟିଳ ହୋଇଯାଇଛି ତାହା ଖୋଜି ବାହାର କରିବାକୁ ପ୍ରୟାସ କରୁଛନ୍ତି। ଆଉ ଏସବୁ ଘଟଣା ପାଇଁ ସେ ନିଜକୁ ଦାୟୀ କରୁଛନ୍ତି।
“ମୁଁ ଅସ୍ତ୍ରୋପଚାର ପାଇଁ ସହମତି ପ୍ରଦାନ କରିବାରୁ ତଥା ସବୁକିଛି ଠିକ୍ ଅଛି ବୋଲି ଆଶ୍ୱସ୍ତି ବାଣୀ ପ୍ରକାଶ କରୁଥିବା ଡାକ୍ତରଙ୍କ କଥାକୁ ବିଶ୍ୱାସ କରିବାରୁ କ’ଣ ଏପରି ହେଲା? ବୋଧହୁଏ ମୁଁ ଏନେଇ ଆହୁରି ଅଧିକ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ଥିଲା । ଭଲ ହୋଇଥାନ୍ତା ଯଦି ମୁଁ ଏହି ଅସ୍ତ୍ରୋପଚାର ପାଇଁ ରାଜି ହୋଇନଥାନ୍ତି କିମ୍ବା କାହାକୁ ବିଶ୍ୱାସ କରିନଥାନ୍ତି । ତାହା ସବୁ ମୋର ତ୍ରୁଟି ଥିଲା,” ବୋଲି ଦିନେଶ କୁହନ୍ତି, ଯିଏ ଜୁଲାଇ ୨୪,୨୦୧୯ରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ପରେ ଏକାଧିକ ଥର ଏହିପରି ମାନସିକ ଯନ୍ତ୍ରଣାଦାୟକ ଭାବନା ସହିତ ସଂଘର୍ଷ କରିଆସୁଛନ୍ତି ।
ଜୁନ୍ ୨୫, ୨୦୧୯ରେ, ପ୍ରାୟ ତାଙ୍କ ମୃତ୍ୟୁର ଏକ ମାସ ପୂର୍ବରୁ, ୨୫ବର୍ଷ ବୟସ୍କ ଭାବନା ସୁସ୍ଥ ପୁତ୍ର ସନ୍ତାନ ଦେବାଂଶକୁ ଜନ୍ମ ଦେଇଥିଲେ। ପ୍ରଥମଥର ପରି ଦ୍ୱିତୀୟ ଗର୍ଭଧାରଣ ଓ ପ୍ରସବ ମଧ୍ୟ ସମସ୍ୟାମୁକ୍ତ ଥିଲା। ତାଙ୍କର ରିପୋର୍ଟ, ଚେକ୍-ଅପ୍ ଓ ଏପରିକି ଚିତ୍ତୋରଗଡ ଜିଲ୍ଲାର ବରି ସଦ୍ରି ବ୍ଲକ୍ରେ ତାଙ୍କ ଗ୍ରାମଠାରୁ ପ୍ରାୟ ୬୦କିଲୋମିଟର ଦୂରରେ ବରି ସଦ୍ରିରେ ଥିବା ସିଏଚ୍ସିରେ ହୋଇଥିବା ତାଙ୍କର ପ୍ରସବ ପ୍ରକ୍ରିୟା ଆଦି ସବୁକିଛି ସମସ୍ୟାମୁକ୍ତ ଥିଲା।







