୮୨ ବର୍ଷ ବୟସରେ ଆରିଫା ସବୁକିଛି ଦେଖିଛନ୍ତି । ଆଧାର କାର୍ଡରେ ଥିବା ତଥ୍ୟ ଅନୁଯାୟୀ ସେ ଜାନୁଆରୀ ୧, ୧୯୩୮ରେ ଜନ୍ମଗ୍ରହଣ କରିଥିଲେ। ଏହା ସଠିକ କି ନୁହେଁ ଆରିଫା ତାହା ଜାଣନ୍ତି ନାହିଁ, କିନ୍ତୁ ତାଙ୍କର ମନେ ଅଛି ଯେ ୧୬ ବର୍ଷ ବୟସରେ ସେ ପ୍ରାୟ ୨୦ ବର୍ଷ ବୟସ୍କ ରିଜୱାନ ଖାନଙ୍କ ଦ୍ୱିତୀୟ ପତ୍ନୀ ଭାବେ ହରିୟାଣାର ନୁହ ଜିଲ୍ଲାର ବିୱାନ ଗ୍ରାମକୁ ବୋହୂ ହୋଇଆସିଥିଲେ। “(ରିଜୱାନଙ୍କ ପ୍ରଥମ ପତ୍ନୀ) ତଥା ମୋ ବଡ଼ ଭଉଣୀ ଓ ତାଙ୍କର ୬ ଜଣ ପିଲା ଦେଶ ବିଭାଜନ ସମୟରେ ଦଙ୍ଗାରେ ପ୍ରାଣ ହରାଇଥିଲେ। ଏହାପରେ ମୋ ମା’ ମୋତେ ରିଜୱାନଙ୍କ ସହିତ ବାହା କରି ଦେଇଥିଲେ”, ବୋଲି ଆରିଫା (ଛଦ୍ମନାମ) କୁହନ୍ତି।
ତାଙ୍କର ଅଳ୍ପ ଅଳ୍ପ ମନେ ଅଛି ମେୱାତର ଏକ ଗ୍ରାମକୁ ଥରେ ମହାତ୍ମା ଗାନ୍ଧୀ ଆସିଥିଲେ ଏବଂ ପାକିସ୍ତାନ ଚାଲିନଯିବା ପାଇଁ ମିଓ ମୁସଲିମ ପରିବାରଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରତିବର୍ଷ ଡିସେମ୍ବର ୧୯ ତାରିଖକୁ ହରିୟାଣାର ମିଓ ମୁସଲିମାନେ ମେୱାତ ଦିବସ ଭାବେ ପାଳନ କରିଥାନ୍ତି । ମହାତ୍ମା ଗାନ୍ଧୀ ନୁହ ଜିଲ୍ଲା ଘାସେରା ଗ୍ରାମକୁ ଆସିଥିବାର ସ୍ମୃତିରେ ଏହି ଦିବସ ପାଳନ କରାଯାଇଥାଏ (୨୦୦୬ ମସିହା ପର୍ଯ୍ୟନ୍ତ ନୁହ ଜିଲ୍ଲାର ନାମ ମେୱାତ ଥିଲା।)
ଆରିଫାଙ୍କର ଭଲ ଭାବେ ମନେ ଅଛି ତାଙ୍କ ମା’ ତାଙ୍କୁ ପାଖରେ ବସାଇ କାହିଁକି ସେ ରିଜୱାନଙ୍କୁ ବାହା ହେବା ଉଚିତ ବୋଲି ବୁଝାଇଥିଲେ। “ସେ ସବୁକିଛି ହରାଇଛନ୍ତି, ମୋ ମା’ ମୋତେ କହିଥିଲେ । ଏହାପରେ ମୋ ମା’ ମୋତେ ତାଙ୍କୁ ସମର୍ପି ଦେଇଥିଲେ”, ଗୋଟିଏ ଜିଲ୍ଲାରେ ଥିବା ନିଜ ଗ୍ରାମ ରେଠୋରା ଠାରୁ ୧୫ କିମି ଦୂର ବିୱାନ କିଭଳି ତାଙ୍କର ଘର ପାଲଟିଲା ସେ ସମ୍ପର୍କରେ ମନେ ପକାଇ ଆରିଫା କୁହନ୍ତି । ଏ ଦୁଇଟି ଗ୍ରାମ ଦେଶର ସବୁଠୁ ଦରିଦ୍ରତମ ଅଞ୍ଚଳ ଭାବେ ପରିଗଣିତ ହୋଇଥାଏ।
ଜାତୀୟ ରାଜଧାନୀଠାରୁ ପାଖାପାଖି ୮୦ କି.ମି ଦୂର ଫିରୋଜପୁର ବ୍ଲକ ଅନ୍ତର୍ଗତ ବିୱାନ ଗ୍ରାମ ହରିୟାଣା ଓ ରାଜସ୍ଥାନ ସୀମାର ଆରାବଳୀ ପର୍ବତମାଳାର ପାଦଦେଶରେ ଅବସ୍ଥିତ । ଦିଲ୍ଲୀରୁ ନୁହ ଯିବା ଲାଗି ରାସ୍ତା ଦକ୍ଷିଣ ହରିୟାଣାର ଗୁରୁଗ୍ରାମ ଦେଇ ଯାଇଥାଏ। ଗୁରୁଗ୍ରାମ ଏକ ଆର୍ଥିକ ଓ ଶିଳ୍ପ ସମୃଦ୍ଧ ସହର ଏବଂ ଏଠାକାର ମୁଣ୍ଡପିଛା ଆୟ ଭାରତରେ ତୃତୀୟ ସର୍ବାଧିକ। ଏ ସହର ଦେଇ ଦେଶର ୪୪ତମ ସବୁଠୁ ପଛୁଆ ଜିଲ୍ଲାକୁ ଯିବାକୁ ହୋଇଥାଏ। ଏଠାକାର ସବୁଜ କ୍ଷେତ, ଶୁଷ୍କ ପାହାଡ଼, ଦୁର୍ବଳ ଭିତ୍ତିଭୂମି ଏବଂ ଜଳ ସଙ୍କଟ ଅନେକଙ୍କୁ ଆରିଫାଙ୍କ ଭଳି ଜୀବନ ଜିଇଁବାକୁ ବାଧ୍ୟ କରିଥାଏ।
ହରିୟାଣାର ଏହି ଭାଗର ଅଧିକାଂଶ ସ୍ଥାନରେ ଏବଂ ପଡ଼ୋଶୀ ରାଜସ୍ଥାନର କେତେକ ଭାଗରେ ମିଓ ମୁସଲିମ ସମୁଦାୟ ରହିଛନ୍ତି। (୨୦୧୧ ଜନଗଣନା) ଅନୁଯାୟୀ ନୁହ ଜିଲ୍ଲାର ସମୁଦାୟ ଜନସଂଖ୍ୟାର ୭୯.୨ ପ୍ରତିଶତ ହେଉଛନ୍ତି ମୁସଲିମ।
୧୯୭୦ରେ ଆରିଫାଙ୍କ ସ୍ୱାମୀ ରିଜୱାନ ବିୱାନଠାରୁ ଚାଲି ଚାଲି ଗଲେ ଅଳ୍ପ ଦୂରରେ ଥିବା ଏକ ବାଲି, ପଥର ଓ ସିଲିକା ଖଣିରେ କାମ କରିବା ଆରମ୍ଭ କରିଥିଲେ। ଆରିଫାଙ୍କ ଦୁନିଆ ପାହାଡ଼ ଦ୍ୱାରା ଘେରି ହୋଇ ରହିଥିଲା, ଏବଂ ତାଙ୍କର ମୁଖ୍ୟ କାମ ଥିଲା ଜଳ ସଂଗ୍ରହ କରିବା। ୨୨ ବର୍ଷ ପୂର୍ବେ ରିଜୱାନ ଆରପାରିକୁ ଚାଲିଯିବା ପରେ ଆରିଫା ନିଜେ ଓ ନିଜର ୮ ପିଲାଙ୍କ ପାଇଁ ପେଟ ପୋଷିବା ପାଇଁ ନିକଟସ୍ଥ ଏକ କ୍ଷେତରେ ଶ୍ରମିକ ଭାବେ କାମ କରିବା ଆରମ୍ଭ କଲେ। ଦିନକୁ ୧୦ରୁ ୨୦ ଟଙ୍କା ମିଳୁଥିଲା ବୋଲି ଆରିଫା କୁହନ୍ତି । “ଆମ ଲୋକମାନେ କୁହନ୍ତି, ତୁମେ ଯେତେ ସନ୍ତାନ ଲାଭ କରୁଛ କର, ସେମାନଙ୍କୁ ଆଲ୍ଲା ଦେବେ,” ସେ କୁହନ୍ତି।










