ଶାନ୍ତି କହନ୍ତି, ‘ପ୍ରତିବର୍ଷ ଖରାଦିନେ ମାସକ ପାଇଁ ଆମେ ଏଠାକୁ କିଛି ଟଙ୍କା ରୋଜଗାର କରିବାକୁ ଆସୁ। ସେ ନିଜର ରଙ୍ଗୀନ ଓଢଣୀକୁ ନିଜର କପାଳ ପାଖକୁ ଆଣୁ ଆଣୁ ନଅବର୍ଷୀୟ ନାତି ଅମରଜିତକୁ ରାବଣ ହାତ ବଜାଇବାକୁ ନିର୍ଦ୍ଦେଶ ଦେଲେ।’ “ବଜାଅ, ବଜାଅ” ଶାନ୍ତି ତାଙ୍କୁ କହିଲେ। ସେ ରାବଣହାତର ତାରକୁ ଉତ୍ସାହହୀନ ଭାବେ ବଜାଇଲା।
ପାହାଡ଼ ଦେଖାଯାଉଥିବା ଗୋଟିଏ ସ୍ଥାନକୁ ଆମର ଯାତ୍ରା ସମୟରେ ଆମେ ଶାନ୍ତି ଓ ଅମରଜିତ(ଉପରେ କଭର ଫଟୋରେ ଥିବା)ଙ୍କୁ ଭେଟିଲୁ। ଧର୍ମଶାଳାର ଟିକେ ଉପରେ ହିମାଚଳ ପ୍ରଦେଶର ମ୍ୟାକ୍ଲିଓଗଞ୍ଜରୁ ପ୍ରାୟ ତିନି କିମି ଦୂରରେ ଥିବା ନଡ୍ଡି ଗାଁର ରାସ୍ତା କଡ଼ରେ ଏକ ଉଚ୍ଚା ପ୍ଲାଟଫର୍ମ ଉପରେ ସେମାନେ ବସିଥିଲେ।
ଶାନ୍ତି ଆମକୁ କ୍ଷମାପ୍ରାର୍ଥନା ଢଙ୍ଗରେ କହିଲେ, ‘ପିଲା (ଅମରଜିତ)ର ଜେଜେବାପା ଖୁବ୍ ଭଲ ରାବଣହାତ ବାଦକ, କିନ୍ତୁ ସେ ଆଜି ଅସୁସ୍ଥ ଅଛନ୍ତି, ତେଣୁ ସେ ବଜାଇପାରିବେ ନାହିଁ। ଆମେ ସର୍ବଦା ଏହି ବାଦ୍ୟଯନ୍ତ୍ର ବଜାଇ ଗୀତ ଗାଉ, କିନ୍ତୁ ଆମ ନାତି ଏହାକୁ ବଜାଇବାକୁ ଭଲ ପାଏ ନାହିଁ। ଆଜିକାଲି ପିଲାଙ୍କ ପାଠପଢ଼ିବା କଥା କୁହାଯାଉଛି। ତେଣୁ ସେ ଆମ ଗାଁରେ ଥିବା ସ୍କୁଲକୁ ଯାଉଛି।’
ତୁମେ କେଉଁ ଶ୍ରେଣୀରେ ପଢ଼ୁଛ, ମୁଁ ଅମରଜିତକୁ ପଚାରିଲି। ସେ ହସିକରି କହିଲା ଚତୁର୍ଥ ଶ୍ରେଣୀରେ।
ରାବଣହାତ-ଆକ୍ଷରିକ ଭାବେ କହିଲେ, ‘ରାବଣର ହାତ’- ଏହା ଦୁଇଟି ତାର ଥିବା ଏକ ବାଦ୍ୟଯନ୍ତ୍ର। ଏହାର ଗୋଟିଏ ପାଶ୍ୱର୍ରେ ନଡ଼ିଆ ଖୋଳପା ଓ ଛେଳି ଚମଡ଼ାରେ ତିଆରି ଗୋଟିଏ ଆକୃତି ଥାଏ। ବାଦକ ଅଧା ନଡ଼ିଆର ଶେଷଭାଗକୁ ଧରି ତାଙ୍କର ଶରୀର ଆଡକୁ ଟାଣନ୍ତି ଏବଂ ଲମ୍ବା ବାଉଁଶ ବାଡ଼ି ସାହାଯ୍ୟରେ ତାକୁ ବଜାନ୍ତି। ତାର ଦୁଇଟିରୁ ଗୋଟିଏ ଧାତୁରୁ ଏବଂ ଅନ୍ୟଟି ପଶୁଙ୍କ କେଶରେ ତିଆରି ହୋଇଥାଏ। ବଜାଇବା ପାଇଁ ଧନୁଟିକୁ ତା’ ଉପରେ ଚଳାଯାଏ।



