କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ରିଫାଇନାରିଠାରୁ ପ୍ରାୟ ୧୧୦ କିମି ଦୂରରେ କାର୍ଲାଗାଓଁ ଗାଁରେ ରହୁଥିବା ଜଣେ ଦଳିତ କବି, ଗାୟକ ଏବଂ ସାମାଜିକ କର୍ମୀ ରାଜକିଶୋର ସୁନାନି କହନ୍ତି, ‘ପିଲାଦିନରୁ ମୁଁ ଜଣେ ବିଦ୍ରୋହୀ। ଅନ୍ୟାୟ ବିରୋଧରେ ମୁଁ ସ୍ୱର ଉତ୍ତୋଳନ କରେ। ୨୦୦୨-୦୩ରେ ମୁଁ ଅଭିଯାନ (ନିୟମଗିରି ପାହାଡ଼ରୁ ବକ୍ସସାଇଟ ଉତ୍ତୋଳନକୁ ବିରୋଧ କରି)ରେ ସାମିଲ ହୋଇଥିଲି। ଲୋକଙ୍କୁ ସଚେତନ କରିବାକୁ ମୁଁ ଗୀତ ଲେଖିଥିଲି ଏବଂ ଅଭିଯାନର ବାର୍ତ୍ତା ପହଞ୍ଚାଇବା ପାଇଁ ଗାଁକୁ ଗାଁ ବୁଲିଥିଲି।
ରାଜକିଶୋର ମନେ ପକାନ୍ତି, ‘ସେ ସମୟରେ ମୋ ପତ୍ନୀ ଲୀଲାବତୀ ଏବଂ ମୁଁ ଏଠାକାର ଗାଁରେ ରହୁଥିଲୁ ଏବଂ ଗୀତ ଗାଉଥିଲୁ।’ ଲୋକମାନେ ଏହି ଦମ୍ପତ୍ତିଙ୍କୁ ସେମାନଙ୍କର ଘରକୁ ନିମନ୍ତ୍ରଣ କରି ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଉଥିଲେ। ନିଜ ଗାଁରେ ଚାଷ କରୁଥିବା ସୁନାନିମାନଙ୍କର ସେତେବେଳେ ଆୟର କୌଣସି ସ୍ରୋତ ନଥିଲାଏବଂ ସେମାନେ ଆଦିବାସୀଙ୍କ ବଦାନ୍ୟତା ଉପରେ ନିର୍ଭର କରୁଥିଲେ। ସେ କହନ୍ତି, ‘୨୦୦୪ରେ ବେଦାନ୍ତ ବିରୋଧରେ ଆନ୍ଦୋଳନ ପାଇଁ ମୁଁ ଓ ମୋ ସ୍ତ୍ରୀ ଜେଲ୍ ମଧ୍ୟ ଯାଇଥିଲୁ। ମୁଁ ୩ ମାସ ଓ ଲୀଳାବତୀ ଗୋଟିଏ ମାସ ପାଇଁ ଜେଲରେ ରହିଥିଲୁ। ଆଜି ମଧ୍ୟ, ସରକାର ଓ ଖଣି କମ୍ପାନୀ ଗୁଡିକର ଅସାଧୁ ମେଣ୍ଟ ଜାରି ରହିଛି ଏବଂ ସେମାନେ ଲୋକଙ୍କ ଆନ୍ଦୋଳନକୁ ଦବାଇ ଦେଉଛନ୍ତ।’
ଦକ୍ଷିଣ-ପଶ୍ଚିମ ଓଡିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ପରିବ୍ୟାପ୍ତ ନିୟମଗିରି ପର୍ବତମାଳା ଡଙ୍ଗରିଆ କନ୍ଧ (ବା ଝରଣିଆ କନ୍ଧ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ନାଁରେ ନିଜକୁ ପରିଚୟ ଦିଅନ୍ତି) ଙ୍କର ଆବାସସ୍ଥଳୀ, ଯେଉଁମାନେ ନିର୍ଦ୍ଧିଷ୍ଟ ଭାବେ ଏକ ବିଲୁପ୍ତପ୍ରାୟ ଆଦିବାସୀ ସଂପ୍ରଦାୟ, ଏମାନଙ୍କ ଆନୁମାନିକ ସଂଖ୍ୟା ଏବେ ମାତ୍ର ୮,୦୦୦ ରହିଛି। ନିୟମଗିରି ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ଟି ଗାଁରେ ଏମାନଙ୍କ ସହ ସଂପର୍କିତ ଅନ୍ୟ ଆଦିବାସୀ ସଂପ୍ରଦାୟ ରହନ୍ତି।
ସରକାରୀ ମାଲିକାନାରେ ଥିବା ଓଡିଶା ମାଇନିଂ କର୍ପୋରେସନ୍ ଏବଂ ଷ୍ଟେରେଲାଇଟ୍ ଇଣ୍ଡଷ୍ଟ୍ରିଜ୍ (ଏବେ ବେଦାନ୍ତ), ଏକ ବ୍ରିଟିଶ୍ ବହୁରଷ୍ଟ୍ରୀୟ କମ୍ପାନୀ ଦ୍ୱାରା ପ୍ରସ୍ତାବିତ ଏକ ପ୍ରକଳ୍ପକୁ ଦୀର୍ଘ ସମୟ ଧରି ଡଙ୍ଗରିଆ କନ୍ଧମାନେ ବିରୋଧ କରିଆସୁଥିଲେ। ରାଜ୍ୟର ଲାଞ୍ଜିଗଡ ତହସିଲରେ ଥିବା ବେଦାନ୍ତ ରିଫାଇନାରି ପାଇଁ ଆଦିବାସୀମାନଙ୍କର ପବିତ୍ର ପାହାଡରୁ ବକ୍ସାଇଟ୍ (ଆଲୁମିନିୟମ୍ ତିଆରି ପାଇଁ ବ୍ୟବହୃତ ହୁଏ) ନେବା ଥିଲା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।
୨୦୧୩ରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ନିୟମଗିରି ନିକଟରେ ଥିବା ୧୨ଟି ଆଦିବାସୀ ଗାଁରୁ ସଂଗୃହୀତ ଜନମତ ମାଧ୍ୟମରେ ଆଦିବାସୀମାନେ ସେମାନଙ୍କ ଭୂଇଁରୁ ଖଣିଜ ଉତ୍ତୋଳନକୁ ମିଳିତ ଭାବେ ଅସ୍ୱୀକାର କଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଆନେ୍ଦାଳନର ନେତୃତ୍ୱ ନେଉଥିଲା ସଂପୃକ୍ତ ଅଞ୍ଚଳର ଆଦିବାସୀ ଓ ରାଜକିଶୋରଙ୍କ ଭଳି ସମାଜସେବୀ ମାନଙ୍କୁ ନେଇ ଗଠିତ ନିୟମଗିରି ସୁରକ୍ଷା ସମିତି।
ସେହି ଜନମତ ବା ରେଫରେଣ୍ଡମକୁ ବଦଳାଇବାକୁ ଏ ଯାଏଁ ଚେଷ୍ଟା କରିଆସିଛନ୍ତି ଓଡିଶା ସରକାର(ଏ ଯାଏଁ ସଫଳ ହୋଇନାହାନ୍ତି), ଏବଂ ବେଦାନ୍ତ ରିଫାଇନାରି ଅନ୍ୟ ସୂତ୍ର (ଉତ୍ସ)ରୁ ଅଣାଯାଉଥିବା ବକ୍ସାଇଟ୍ରେ ଚାଲୁଛି। ତେବେ ଏ ଅଞ୍ଚଳର ଆଦିବାସୀଙ୍କ ପୂର୍ବପୁରୁଷଙ୍କ ଭୂଇଁ ଉପରେ ଏବେ ବି ରହିଛି ବିପଦ ।



