ଶାସ୍ତ୍ରୀଜୀ ରିକ୍ସାରେ ବସିଲା ବେଳେ ତାଙ୍କର ଲମ୍ବା ଲାଞ୍ଜ ଧରିପକାନ୍ତି, ଯାହାକି ଗୋଟିଏ ବାଉଁଶ ଚାରିପଟେ ଗୁଡ଼ା ହୋଇଥିବା ନଡ଼ାରୁ ତିଆରି ହୋଇଛି। ତାଙ୍କ ସହିତ ଅଛନ୍ତି ତାଙ୍କ ଦଳର ୧୯ ଜଣ ସାଥୀ, ସମସ୍ତେ ତିନୋଟି ଅଟୋରିସ୍କାରେ ବୋଝେଇ ହୋଇ ଯାଉଛନ୍ତି। ସେମାନେ ଅଯୋଧ୍ୟାରେ ବିଭିନ୍ନ ମଞ୍ଚରେ ଡିଆଁକୁଦା କରିବେ - ସମସ୍ତେ ସମ୍ପୂର୍ଣ୍ଣ ବେଶଭୂଷା ଓ ପରିପାଟିରେ ସଜ୍ଜିତ ହୋଇଛନ୍ତି। ସେମାନେ ସମସ୍ତେ ଜାଣନ୍ତି ବର୍ତ୍ତମାନର ସମୟ ହେଉଛି ସେମାନଙ୍କର ଉପାର୍ଜନର ସମୟ। ଏବେ ଦଶହରା ମାସ।
ବିନାୟକ ଶାସ୍ତ୍ରୀ ହନୁମାନଙ୍କ ଭୂମିକାରେ ଅଭିନୟ କରନ୍ତି। ସେ ହେଉଛନ୍ତି ରାମ କଥା ଗାୟକ ଦଳର ନିର୍ଦ୍ଦେଶକ- ପରିଚାଳକ। ଏହା ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ୬୦ବର୍ଷ ବୟସର ଶାସ୍ତ୍ରୀ ଯେତେବେଳେ ମଞ୍ଚକୁ ଆସିନଥିଲେ ଅଯୋଧ୍ୟାରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସହର ଉପକଣ୍ଠରେ ତାଙ୍କ ପରିବାରର କିଛି ଚାଷଜମି ଅଛି ଏବଂ ସେ ଏହି ଜମିରୁ ଯାହା ଆୟ ହୁଏ ଗାୟକ ଦଳ ଚଳାଇବା ପାଇଁ ଖର୍ଚ୍ଚ କରନ୍ତି। ଦଶହରା ମାସରେ ଏହି ଦଳ ଅତି କମ୍ରେ ପ୍ରତିଦିନ ସନ୍ଧ୍ୟାରେ ସନ୍ଧ୍ୟା ୬ଟାରୁ ଭୋର୍ ୨ଟା ମଧ୍ୟରେ ତିନୋଟି ମଞ୍ଚରେ ପ୍ରଦର୍ଶନ କରନ୍ତି। ପ୍ରତିଟି ସୋ ୨ରୁ ୩ ଘଣ୍ଟାର ହୋଇଥାଏ। କିଛି ସପ୍ତାହ ପାଇଁ ଏମିତି ରାତି ସାରା କାମ କରିଥାନ୍ତି। ଜାନୁଆରୀ ଏବଂ ଫେବୃଆରୀର ଶୀତ ମାସଗୁଡ଼ିକରେ ସେମାନେ ସାଧାରଣତଃ ସପ୍ତାହରେ ୩ ଥର ପ୍ରଦର୍ଶନ କରିଥାନ୍ତି। ବାକି ବର୍ଷସାରା କୌଣସି କାମ ନ ଥାଏ କହିଲେ ଚଳେ।
ଶାସ୍ତ୍ରୀ ସ୍ଥାନୀୟ କ୍ଲବ୍ ବା ମୋହଲ୍ଲା କମିଟିଠାରୁ ସୋ ବୁକ୍ କରିବା ପାଇଁ ଅଗ୍ରୀମ ଭାବରେ ୩,୦୦୦ ଟଙ୍କା ଆଦାୟ କରିଥାନ୍ତି। କେହି କେହି ଆଉ ୨,୦୦୦- ୨,୫୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ସୋ’ ସରିଗଲା ପରେ କ୍ୱଚିତ ପୁରା ପାଉଣା ମିଳିଥାଏ। ଏହି ଦଳର ସଦସ୍ୟମାନଙ୍କୁ ରାତିକ ପାଇଁ ତାଙ୍କର ବରିଷ୍ଠତା ଆଧାରରେ ୨୦୦ରୁ ୩୦୦ ଟଙ୍କା ଦେଇଥାନ୍ତି। ଶାସ୍ତ୍ରୀ କିଛି ପଇସା ପରିବହନ ଏବଂ ବେଶଭୂଷା ଓ ପ୍ରୋବ୍ସ ପାଇଁ ପୈଠ କରିବାକୁ ବ୍ୟବହାର କରିଥାନ୍ତି। ଅଫ୍ ସିଜିନ୍ରେ ଏସବୁ ପ୍ୟାକ୍ କରିଥାନ୍ତି ଏବଂ ବଡ଼ ଧାତବ ଟ୍ରଙ୍କରେ ସ୍ଥାନୀୟ ଧର୍ମଶାଳାରେ ରଖାଯାଇଥାଏ।
ଅଯୋଧ୍ୟାର ରାମକଥା ପ୍ରଦର୍ଶନକାରୀ କେବେ କେବେ ଗୀତ ଗାଇଥାନ୍ତି ଏବଂ ଧୂଳି ଧୂସରିତ ଓ ଭଙ୍ଗା ଦଦରା ଅଡିଟୋରିୟମ୍ରେ ଅଭିନୟ କରିଥାନ୍ତି କିନ୍ତୁ ତାଙ୍କର ପ୍ରକୃତ ପ୍ଲାଟଫର୍ମ ହେଉଛି ପୁରୁଣା ମହଲ୍ଲାଗୁଡ଼ିକର ବଦଳୁଥିବା ମଞ୍ଚ ଯେଉଁଠାରେ ପୁରୁଣା ପରଦା, ରଙ୍ଗଛଡ଼ା ପ୍ରାକୃତିକ ଦୃଶ୍ୟର ବ୍ୟାକ୍ଡ୍ରପ୍ ରହିଥାଏ ଏବଂ ବେଳେ ବେଳେ ପାଉଡର ଉଡ଼ାଇ ଧୂଆଁ ସୃଷ୍ଟି କରାଯାଇଥାଏ।
ରାମକଥାର ବିଭିନ୍ନ ରଙ୍ଗ- ରାମାୟଣର କାହାଣୀ ଏବଂ ବିଷୟଗୁଡ଼ିକ ମହାଆଡମ୍ବରରେ ଉତ୍ସାହର ସହ ଗାଇ ଅଭିନୟ କରାଯାଇଥାଏ - ସମୟ କ୍ରମେ ଏସବୁ ବଦଳିଛି, ଅଯୋଧ୍ୟାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ବିନାୟକ ଶାସ୍ତ୍ରୀ ଜାଣନ୍ତି ଯେ ଏହି ପ୍ରଦର୍ଶନ ଏବେ ବଡ଼ ରାଜନୀତିର ଅଂଶ। ‘‘ରାମଙ୍କ ନାମ ଏବେ ସମସ୍ତଙ୍କର ନାମ ହୋଇଗଲାଣି’’ ସେ କହନ୍ତି ଏବେ ସମସ୍ତେ ରାମଙ୍କୁ ଖୋଜୁଛନ୍ତି।
ଶାସ୍ତ୍ରୀଙ୍କ ଦଳର ସର୍ବକନିଷ୍ଠ ସଦସ୍ୟ ହେଉଛନ୍ତି ୧୨ ବର୍ଷର ବାଳକ ଅକ୍ଷୟ ପାଠକ ଯେ କି ଦଶ ବର୍ଷ ବୟସର ହେବା ଦିନଠାରୁ ସୀତା ଭୂମିକାରେ ଅଭିନୟ କରୁଛନ୍ତି। ସେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛନ୍ତି କିନ୍ତୁ ତାଙ୍କୁ ଦେଖିଲେ ମନେହୁଏ ଯେପରି ତୃତୀୟ ଶ୍ରେଣୀରେ ପଢ଼ୁଥିବେ। ତାଙ୍କର ପତଳା ନହକା ଶରୀରକୁ ଲକ୍ଷ୍ୟ କରି ଶାସ୍ତ୍ରୀ ଏହି ଭୂମିକା ଦେଇଛନ୍ତି। ଶାସ୍ତ୍ରୀ ତାଙ୍କର ବାପା ଉତ୍ତରପ୍ରଦେଶର ଫଇଜାବାଦ ତହସିଲ୍ର ପୁରୋହିତଙ୍କୁ ଜାଣନ୍ତି। ଶାସ୍ତ୍ରୀଙ୍କ ମତରେ ସୀତାଙ୍କୁ ପ୍ରଦର୍ଶନ ଶେଷରେ ଭୂମି ଭିତରକୁ ପ୍ରବେଶ କରିବାକୁ ପଡ଼େ ତେଣୁ ସୀତା ପତଳା ହେବା ଦରକାର।




















