ଏମାନେ ହେଉଛନ୍ତି ଲୁଙ୍ଗି ଏବଂ ସାର୍ଟ ପରିହିତ ପୁରୁଷ, ସେମାନଙ୍କ ସାଇକେଲରେ ଗାମୁଚ୍ଛା (ଏକ ପତଳା ଟାଓ୍ୱେଲ୍) ସାହାଯ୍ୟରେ ବଡ଼ ବଡ଼ ଆଲୁମିନିୟମ ହାଣ୍ଡି ବନ୍ଧା ହୋଇଥାଏ । ଚଟଣି ଏବଂ ସମ୍ବର ଥିବା ଛୋଟ ଛୋଟ ଷ୍ଟେନଲେସ୍ ଷ୍ଟିଲ୍ ପାତ୍ର ଏବଂ କେଇବିଡା କାଗଜ ପ୍ଲେଟ ଏକ ପୁରୁଣା ସାଇକେଲ ଟ୍ୟୁବରେ ଏକାଠି ବନ୍ଧା ହୋଇଥାଏ ।
ସକାଳ ୭ଟା ସୁଦ୍ଧା ସେମାନେ ମହାନଗରର ହଜାର ହଜାର ଲୋକଙ୍କ ଜିହ୍ୱାକୁ ସନ୍ତୁଷ୍ଟ କରିବା ପାଇଁ ବାହାରି ଆସନ୍ତି । ଏମାନେ ହେଉଛନ୍ତି ମୁମ୍ବାଇର ନିଜସ୍ୱ ଇଡ୍ଲିଓ୍ୱାଲା। ସେମାନଙ୍କର ନିର୍ଦ୍ଦିଷ୍ଟ ଡାକରା ହେଉଛି ‘‘ପମ୍-ପମ୍’’, ଯାହାକି ଅନେକ ଦୂରରୁ ଶୁଣାଯାଇପାରେ। ଏହି ଅନନ୍ୟ ରବର ହର୍ନର ଶବ୍ଦ ମୁମ୍ବାଇର ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଇଡ୍ଲି ଆଣିଥିବା ଲୋକ ପହଞ୍ଚିଯାଇଥିବାର ସଙ୍କେତ ।
ଏହି ସାଇକେଲରେ ଆସୁଥିବା ବିକ୍ରେତାମାନେ ତାମିଲନାଡୁର ମଦୁରାଇରୁ ଆସିଥିବା ଏକ ପ୍ରବାସୀ ସମୂହ – ଏହି ସମୂହର ପ୍ରାୟ ୫୦୦-୭୦୦ ପରିବାର ଏସିଆର ବୃହତ୍ତମ ବସ୍ତି ଧରାଭିରେ ବାସ କରନ୍ତି। ସେମାନେ ଦକ୍ଷିଣ ଭାରତର ଲୋକପ୍ରିୟ ପ୍ରାତଃ ଭୋଜନ ତିଆରି ଏବଂ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି ଏବଂ ଇଡ୍ଲି-ବରାକୁ ମୁମ୍ବାଇର ଅନ୍ୟତମ ସବୁଠାରୁ ପ୍ରିୟ ଜଳଖିଆରେ ପରିଣତ କରିଛନ୍ତି। ଚାଉଳରେ ତିଆରି ଏହି ପିଠା ଏସବୁ ଘରମାନଙ୍କରେ ପ୍ରତିଦିନ ଅତିକମ୍ରେ ୪୦୦ଟି ଲେଖାଏଁ ତିଆରି ହୁଏ, ଯାହାକି ସେମାନଙ୍କୁ ଦୈନିକ ପ୍ରାୟ ଟ. ୪୦୦-୫୦୦ ଲାଭ ଦେଇଥାଏ। ଦୁଇ ବା ତିନୋଟି ପୁରୁଷ ଥିବା ଗୋଟିଏ ଗୋଟିଏ ପରିବାର ଦିନକୁ ଟ. ୧୦୦୦ ଲେଖାଏଁ ଆୟ କରନ୍ତି ।
ପ୍ରତିଦିନ ଏହି ଛୋଟ ତାମିଲନାଡୁରୁ ୩,୦୦,୦୦୦ରୁ ଅଧିକ ଇଡ୍ଲି ଏବଂ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ସାରା ମୁମ୍ବାଇକୁ ଯାଇଥାଏ। ଏହି ସମୂହ ବାସ କରୁଥିବା ପକ୍କା ବସ୍ତି ଘରଗୁଡ଼ିକରେ ସିଓନ୍ ଏବଂ ମହିମ୍ ଭିତରେ ରହିଛି, ଯାହାକି ସେଣ୍ଟ୍ରାଲ, ଓ୍ୱେଷ୍ଟର୍ଣ୍ଣ ଏବଂ ହାର୍ବର ରେଳ ଲାଇନ୍ର ମିଳନ ସ୍ଥଳରେ ଅଛି । ଏହିଠାରୁ ଏହି ଇଡ୍ଲିଓ୍ୱାଲାମାନେ ସାରା ମହାନଗରକୁ ସହଜରେ ସେମାନଙ୍କ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇପାରନ୍ତି ।






