‘କୃଷିରେ ସଙ୍କଟ ଭଳି କିଛି ଜିନିଷ ନାହିଁ’।
ପଞ୍ଜାବର ଶକ୍ତିଶାଳୀ ଆର୍ଥିଆ ଆସୋସିଏସନ୍ର ଉପସଭାପତି ଏବଂ ଏହାର ବର୍ଣ୍ଣାଳା ଜିଲ୍ଲା ଶାଖାର ମୁଖ୍ୟ ଦର୍ଶନ ସିଂ ସଙ୍ଘେରାଙ୍କୁ ଭେଟିଲି। ଆର୍ଥିଆ ମାନେ ହେଉଛନ୍ତି କମିସନ ଏଜେଣ୍ଟ, ଏମାନେ କୃଷକ ଓ ସେମାନଙ୍କ ଉତ୍ପାଦe କ୍ରେତାଙ୍କ ମଧ୍ୟରେ ମାଧ୍ୟମ ସାଜିଥା’ନ୍ତି। ସେମାନେ ଉତ୍ପାଦିତ ଶସ୍ୟର ନିଲାମ ଓ ତାକୁ କ୍ରେତାଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରନ୍ତି। ଏମାନେ ମଧ୍ୟ ସାହୁକାର ଯେଉଁମାନଙ୍କର ଏହି ବ୍ୟବସାୟରେ ଦୀର୍ଘ ସମୟର ଇତିହାସ ଅଛି। ଗତ କିଛି ବର୍ଷ ଭିତରେ, ସେମାନେ ଇନପୁଟ୍ ଡିଲର ଭାବେ ମଧ୍ୟ ଉଭା ହୋଇଛନ୍ତି। ଏସବୁର ଅର୍ଥ ହେଲା ରାଜ୍ୟର କୃଷକ ମାନଙ୍କ ଉପରେ ସେମାନଙ୍କର ବହୁ ନିୟନ୍ତ୍ରଣ ରହିଛି।
ଆର୍ଥିଆମାନେ ରାଜନୈତିକ ଦୃଷ୍ଟିରୁ ବି ଶକ୍ତିଶାଳୀ। ସେମାନେ ବିଧାୟକମାନଙ୍କୁ ସେମାନଙ୍କ ମଧ୍ୟରୁ ଜଣେ ଭାବେ ଗଣନା କରନ୍ତି। ଗତ ବର୍ଷ ଜୁଲାଇରେ, ସେମାନେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ‘ଫକର- ଏ- କମ୍’(ସଂପ୍ରଦାୟର ଗୌରବ) ସମ୍ମାନରେ ସମ୍ମାନିତ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ଏହି କାର୍ଯ୍ୟକ୍ରମକୁ ଏକ ବଡ ସମ୍ବର୍ଦ୍ଧନା ଉତ୍ସବ ଭାବେ ବର୍ଣ୍ଣନା କରିଥିଲା। ଏହା ଠିକ୍ ସେହି ଘୋଷଣା ପରେ ହୋଇଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷକମାନେ ଆର୍ଥିଆ ମାନଙ୍କଠାରୁ ଥିବା ନେଇଥିବା ଋଣ ଛାଡ କରିବା କଷ୍ଟକର ହେବ।
ଗ୍ରାମୀଣ ପଞ୍ଜାବରେ କୃଷକ ଓ କୃଷି ଶ୍ରମିକ ମାନଙ୍କର ଋଣଭାର ସ୍ଥିତି ଉପରେ କରାଯାଇଥିବା ଏକ ସମୀକ୍ଷା(ଷ୍ଟଡି)ରେ କୁହାଯାଇଛି ଯେ ପ୍ରାୟ ୮୬ ପ୍ରତିଶତ କୃଷକ ଏବଂ ୮୦ ପ୍ରତିଶତ କୃଷି ଶ୍ରମିକ ଋଣ ଭାରରେ ବୁଡି ରହିଛନ୍ତି। ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଏହି ଗବେଷକମାନେ ଦର୍ଶାଇଛନ୍ତି ଯେ ମୋଟ ଋଣର ପ୍ରାୟ ଏକ ପଞ୍ଚମାଂଶ କମିସନ ଏଜେଣ୍ଟ ଏବଂ ସାହୁକାରଙ୍କ ଠାରୁ ରହିଛି। ସମୟ ସହ ଏହି ଋଣ ଭାର ବଢି ବଢି ଚାଲିଛି। ମଧ୍ୟମ ଓ କ୍ଷୁଦ୍ର ଚାଷୀଙ୍କ କ୍ଷେତ୍ରରେ ଏହା ସବୁଠାରୁ ଅଧିକ। ୧୦୦୭ ଜଣ କୃଷକ ଓ ୩୦୧ ଜଣ କୃଷି ଶ୍ରମିକଙ୍କ ପରିବାର ଉପରେ ଏହି ସମୀକ୍ଷା କରାଯାଇଥିଲା। ଏହାର କ୍ଷେତ୍ର ସମୀକ୍ଷା ୨୦୧୪-୧୫ ମସିହାରେ ପୁରା ରାଜ୍ୟର ସବୁ ଅଞ୍ଚଳରେ କରାଯାଇଥିଲା। ଅନ୍ୟ ଗବେଷଣା ସବୁ ମଧ୍ୟ ଦିନକୁ ଦିନ କୃଷକମାନଙ୍କର ଋଣ ଭାର ଏବଂ ଦୁର୍ଦ୍ଧଶା ବଢୁଥିବା ଦର୍ଶାଇଛନ୍ତି।
ଦର୍ଶନ ସିଂ ସଙ୍ଘେରା କୃଷକମାନଙ୍କର ଏହି ସମସ୍ୟାକୁ ଖଣ୍ଡନ କରନ୍ତି। ସେ ଦୃଢ ଭାବେ କହନ୍ତି, ଏ ସବୁ କୃଷକମାନଙ୍କର ଖର୍ଚ୍ଚ କରିବା ଅଭ୍ୟାସ ଯୋଗୁଁ ହେଉଛି। ଏହା ହିଁ ସେମାନଙ୍କୁ ସମସ୍ୟାରେ ପକାଉଛି। ଚାଷ ପାଇଁ ସାମଗ୍ରୀ କିଣିବାକୁ ଆମେ ସେମାନଙ୍କୁ ଅର୍ଥ ସାହାଯ୍ୟ କରୁ। ସେମାନଙ୍କ ବିବାହ, ଡାକ୍ତରଖାନା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବି ଆମେ ସାହାଯ୍ୟ କରୁ। ଯେତେବେଳେ କୃଷକମାନଙ୍କର ଫସଲ ଉତ୍ପାଦିତ ହୁଏ, ସେମାନେ ତାକୁ ଆଣି ଜଣେ ଆର୍ଥିଆକୁ ଦିଅନ୍ତି। ଆମେ ଶସ୍ୟକୁ ପରିଷ୍କାର କରୁ, ତାକୁ ପ୍ୟାକିଂ କରୁ, ସରକାର, ବ୍ୟାଙ୍କ ଏବଂ ବଜାର ସହ ବୁଝାମଣା କରୁ। ସରକାର ମୋଟ ଧାନ ଏବଂ ଗହମ ଆମଦାନୀର ୨.୫ ପ୍ରତିଶତ ଏଜେଣ୍ଟମାନଙ୍କୁ ଦିଅନ୍ତି। ଏମାନଙ୍କ କାର୍ଯ୍ୟକୁ ସରକାରୀ ଭାବେ ଦେଖାଶୁଣା କରେ ପଞ୍ଜାବ ରାଜ୍ୟ କୃଷି ମାର୍କେଟିଂ ବୋର୍ଡ। କୃଷକମାନେ ଏହି କମିସନ ଏଜେଣ୍ଟଙ୍କ ଜରିଆରେ ସେମାନଙ୍କ ପାଉଣା ପାଆନ୍ତି। ଆଉ ଏସବୁ କିଛି ଆର୍ଥିଆମାନେ ଋଣ ପ୍ରଦାନରୁ ଆୟ କରୁଥିବା ଅର୍ଥରୁ ଭିନ୍ନ ହୋଇଥାଏ।





