ସେମାନଙ୍କର ଦୁଇ-ବଖୁରିଆ ମାଟିଘରେ ଦୁଆର ସାମ୍ନାରେ ଗୋଟିଏ ସପ ପକାଇ ବସିଥିବା କାନ୍ତି ଦେବଗୁରୁ ଏବଂ ତାଙ୍କ ଝିଅ ଧାନମତି ଚୋପା ଛଡ଼ାଯାଇନଥିବା ଧାନକୁ ଲାଲ ସୂତାରେ ବୁଣିବାରେ ବ୍ୟସ୍ତ ଅଛନ୍ତି। ଏହାପରେ ସେମାନେ ଏହାକୁ ବାଉଁଶ ପାତିଆରେ ବାନ୍ଧିବେ ଏବଂ ଏକତ୍ର କରି ହାର ସିଲେଇ କରିବେ। ଏଗୁଡ଼ିକ କାନ୍ତିଙ୍କ ସ୍ୱାମୀ ଗୋପୀନାଥ ଦେବଗୁରୁଙ୍କ ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ଏକ ପ୍ରତିମା ଗଢ଼ିବା ପାଇଁ ବ୍ୟବହୃତ ହେବ।
ଗୋପୀନାଥ ଗୋଟିଏ ସୂତା ଯନ୍ତ୍ର ଧରି ଘର ବାହାରକୁ ବାହାରି ଆସନ୍ତି। କାନ୍ତି ଏବଂ ଧାନମତି ଧାନ ହାର ତିଆରି କରିବା ଜାରି ରଖିଥିବା ବେଳେ ସେ ସୂତା ଗୁନ୍ଥନ୍ତି ଏବଂ ଲକ୍ଷ୍ମୀ ପୁରାଣର ଗୋଟିଏ ପଦ ଗାଆନ୍ତି। ୩୫ବର୍ଷ ବୟସ୍କା କାନ୍ତି ବୁଝାଇ କୁହନ୍ତି, ‘‘ଆମେମାନେ ଧାନରେ ଶସ୍ୟର ଦେବୀ ମା’ ଲକ୍ଷ୍ମୀଙ୍କର ଧାନ ପ୍ରତିମା ତିଆରି କରିବାର ଏବଂ ତାଙ୍କ ମହାନତା ଗାନ କରିବାର ପରମ୍ପରା ଜାରି ରଖିଛୁ।’’ ସେ ଏବଂ ତାଙ୍କ ପରିବାର ପାରମ୍ପରିକ ଭାଟ ଦେବଗୁରୁ ବା ଦେବଗୁନିଆ ସମୂହର ଅଙ୍ଗ ଏବଂ ସେମାନେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଖୁଦପେଜ ଗାଁ’ରେ ବାସ କରନ୍ତି।
ଦେବଗୁରୁମାନେ ସେମାନଙ୍କର ପୂର୍ବଜମାନଙ୍କଠାରୁ ଲକ୍ଷ୍ମୀପୁରାଣ ଶିଖନ୍ତି ବୋଲି କୁହନ୍ତି, ୪୧ ବର୍ଷ ବୟସ୍କ ଗୋପୀନାଥ। ସେ ଏହି ପୁରାଣର ଏକ ତାଳପତ୍ର ପାଣ୍ଡୁଲିପି ମୋତେ ଦେଖାଇଥିଲେ। ଲକ୍ଷ୍ମୀ ପୁରାଣ ଏକ ୧୫ତମ- ଶତାବ୍ଦୀ କବିତା ଯାହାକି ବଳରାମ ଦାସଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା ଦେବୀ ଲକ୍ଷ୍ମୀଙ୍କ ଏବଂ ପ୍ରଭୂ ଜଗନ୍ନାଥଙ୍କ ସହ ତାଙ୍କର ବିବାହର ପୌରାଣିକ କଥା ଆଖପାଖରେ ଘୂରି ବୁଲେ ଏବଂ ସେ ପାଳନ କରୁଥିବା ରୀତିନୀତି ଓ ଉପବାସଗୁଡ଼ିକୁ ବର୍ଣ୍ଣନା କରିଥାଏ। ଗୋପୀନାଥ ଗୋଟିଏ ତାର ବିଶିଷ୍ଟ ଲକ୍ଷ୍ମୀ ବୀଣା (ବ୍ରହ୍ମ ବୀଣା କିମ୍ବା ଦେବଗୁରୁ ବାଣ ଭାବରେ ମଧ୍ୟ ଜଣାଶୁଣା) ବଜାଇ ଗୀତଟିକୁ ଗାଆନ୍ତି । ଦେବଗୁରୁମାନେ ଏହି ବାଦ୍ୟଯନ୍ତ୍ର ତିଆରି କରନ୍ତି, ଯାହାକି ପ୍ରାୟ ୩ଫୁଟ ଲମ୍ବା, ଏହା ଲାଉ ଏବଂ ବାଉଁଶରେ ତିଆରି ହୋଇଥାଏ।




