କନକ ନିଜର ଦୁଇ ହାତକୁ ପୁରାପୁରି ମେଲାଇ ଦେଇ କୁହନ୍ତି, “ମୋ ସ୍ୱାମୀ ଶନିବାର ଏହି ଆକାରରେ ତିନି ବୋତଲ ମଦ କିଣନ୍ତି’’। ସେ ହତାଶ ହୋଇ କୁହନ୍ତି, ‘‘ସେ ପରବର୍ତ୍ତୀ ଦୁଇ କିମ୍ବା ତିନି ଦିନ ମଧ୍ୟରେ ଏହାକୁ ପିଇଥାଆନ୍ତି ଏବଂ ବୋତଲଗୁଡ଼ିକ ଖାଲି ହୋଇଗଲେ କାମକୁ ଫେରିଯାଆନ୍ତି। କେତେବେଳେ ବି ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥାଏ। ମୁଁ ନିଜକୁ ଏବଂ ମୋ ପିଲାଙ୍କୁ ଖୁଆଇବାକୁ ଅସମର୍ଥ, ଏବଂ ମୋ ସ୍ୱାମୀ ପୁଣି ଏକ ସନ୍ତାନ ଚାହୁଁଛନ୍ତି । ମୁଁ ଏଭଳି ଜୀବନ ଚାହେଁ ନାହିଁ!”
କନକ (ପରିବର୍ତିତ ନାମ) ଜଣେ ୨୪ ବର୍ଷ ବୟସ୍କା ବେଟା କୁରୁମ୍ବା ଆଦିବାସୀ ମାଆ ଯିଏକି ଗୁଡାଲୁର ଆଦିବାସୀ ଡାକ୍ତରଖାନାରେ ଡାକ୍ତରଙ୍କୁ ଭେଟିବା ପାଇଁ ଅପେକ୍ଷା କରିଛନ୍ତି । ଉଧଗାମଣ୍ଡଲମ୍ (ଉଟି) ଠାରୁ ୫୦ କିଲୋମିଟର ଦୂରରେ ଥିବା ଗୁଡାଲୁର ସହରର ୫୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ତାମିଲନାଡୁର ନୀଳଗିରି ଜିଲ୍ଲାର ଗୁଡାଲୁର ଏବଂ ପନ୍ଥାଲୁର ତାଲୁକାର ୧୨,୦୦୦ରୁ ଅଧିକ ଆଦିବାସୀ ଲୋକମାନଙ୍କୁ ସେବା ଯୋଗାଇଥାଏ ।
ଏକ ଫିକା ସିନ୍ଥେଟିକ୍ ଶାଢି ପରିଧାନ କରିଥିବା ଏବଂ ପତଳା ଚେହେରାର କନକ ତାଙ୍କର ଏକମାତ୍ର କନ୍ୟା ସନ୍ତାନ ପାଇଁ ଏଠାକୁ ଆସିଛନ୍ତି । ଗତ ମାସରେ ଡାକ୍ତରଖାନାଠାରୁ ୧୩ କିଲୋମିଟର ଦୂରରେ ଥିବା ତାଙ୍କ ଗାଁରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ, ହସ୍ପିଟାଲ ସହ ଜଡିତ ଥିବା ଆସୋସିଏସନ୍ ଫର୍ ହେଲଥ୍ ୱେଲଫେୟାର ଇନ୍ ନୀଳଗିରିଜ୍(ଅଶ୍ୱିନୀ)ର ଜଣେ ସ୍ୱାସ୍ଥ୍ୟ କର୍ମୀ ମାତ୍ର ୭.୨ କିଲୋଗ୍ରାମ ଓଜନର ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ (ଆଦର୍ଶ ଓଜନ ହେଉଛି ୧୦-୧୨ କିଲୋ) କନକଙ୍କ ଦୁଇ ବର୍ଷର ଶିଶୁକୁ ଦେଖି ହତବାକ୍ ହୋଇପଡିଥିଲେ । ସେହି ଓଜନ ତାକୁ ଗୁରୁତର ପୁଷ୍ଟିହୀନତା ପରିସରରେ ସାମିଲ କଲା । ସ୍ୱାସ୍ଥ୍ୟ କର୍ମୀ ଜଣକ କନକ ଏବଂ ତାଙ୍କ ଝିଅ ତୁରନ୍ତ ଡାକ୍ତରଖାନାରେ ଦେଖାଇବାକୁ ଅନୁରୋଧ କରିଥିଲେ।
କନକ ତାଙ୍କ ପରିବାରର ଆୟକୁ ଯେତେ ପର୍ଯ୍ୟନ୍ତ ଟାଣୁଛନ୍ତି ସେଥିରେ ଶିଶୁର ପୁଷ୍ଟିହୀନତା ଆଶ୍ଚର୍ଯ୍ୟଜନକ ନୁହେଁ । ୨୦ ଦଶକ ବୟସରେ ଥିବା ତାଙ୍କ ସ୍ୱାମୀ ସପ୍ତାହରେ କେବଳ କିଛି ଦିନ ନିକଟସ୍ଥ ଚା, କଫି, କଦଳୀ ଏବଂ ଗୋଲମରିଚ କ୍ଷେତରେ ଦିନମଜୁରିଆ ଭାବରେ କାର୍ଯ୍ୟ କରି ଦିନକୁ ପ୍ରାୟ ୩୦୦ ଟଙ୍କା ରୋଜଗାର କରନ୍ତି। କନକ କୁହନ୍ତି, "ସେ ମୋତେ ଖାଦ୍ୟ ପାଇଁ ମାସକୁ ମାତ୍ର ଟ. ୫୦୦ ଦିଅନ୍ତି। ସେହି ଅର୍ଥରେ ମୋତେ ପୁରା ପରିବାର ପାଇଁ ରାନ୍ଧିବାକୁ ହୋଇଥାଏ ।’’
କନକ ଏବଂ ତାଙ୍କ ସ୍ୱାମୀ ୫୦ ବର୍ଷ ବୟସର ତାଙ୍କ ମାମୁଁ ଏବଂ ମାଇଁଙ୍କ ସହିତ ରୁହନ୍ତି, ଯେଉଁମାନେ କି ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ମିଳିତ ଭାବେ ପରିବାରର ଦୁଇଟି ରାସନ କାର୍ଡ ଅଛି, ଯାହା ସେମାନଙ୍କୁ ପ୍ରତି ମାସରେ ୭୦ କିଲୋଗ୍ରାମ ମାଗଣା ଚାଉଳ, ଦୁଇ କିଲୋ ଡାଲି, ଦୁଇ କିଲୋ ଚିନି ଏବଂ ଦୁଇ ଲିଟର ତେଲ ରିହାତି ମୂଲ୍ୟରେ ପାଇବାର ହକଦାର କରିଥାଏ । କନକ କୁହନ୍ତି, “ବେଳେବେଳେ ମୋ ସ୍ୱାମୀ ମଦ କିଣିବା ପାଇଁ ଆମର ରାସନ ଚାଉଳ ମଧ୍ୟ ବିକ୍ରି କରି ଦିଅନ୍ତି । ବେଳେ ବେଳେ ଆମ ପାଇଁ କିଛି ଖାଇବାକୁ ନଥାଏ। ”










