କାଠଖଣ୍ଡଟିଏରୁ ସ୍ଵର ସୃଷ୍ଟି କରିବା ପାଇଁ ଅନେକ ଦିନ ଲାଗେ । ଏବଂ ଏହା କରିବା ପାଇଁ ଦରକାର ହୁଏ ଅସାଧାରଣ ପ୍ରତିଭା ସଂପନ୍ନ କାରିଗର । ଏବେ ବି ହାତରେ ନାଦସ୍ଵରମ୍ ଗଢୁଥିବା ନରସିଙ୍ଗପେଟ୍ଟାଇ (ତାମିଲନାଡୁର କୁମ୍ବକୋନମ୍ ନିକଟ ଏକ ଗାଁ) ଗାଁର ଏହି ଚାରିଟି ପରିବାର ଏତେ ଦକ୍ଷ ଯେ ଏହା ପ୍ରାୟତଃ ଏକ ସହଜ କାମ ବୋଲି ମନେହୁଏ । ସେମାନଙ୍କ ଘର ପଛ ଅଗଣାରେ ଚିରାକାଠରୂପରେ ସାଇତା ହୋଇ ରହିଛି କଞ୍ଚାମାଲ । ଘରକୁ ଲାଗି ରହିଥିବା କାର୍ଯ୍ୟଶାଳାରେ ଏହି କାଠକୁ, ଅଭ୍ୟାସଲବ୍ଧ ନିପୁଣତାର ସହ କଟାଯାଏ, ଆକାର ଦିଆଯାଏ, ମସୃଣ କରି ଛିଦ୍ର କରାଯାଏ । ଗୋଟିଏ ବାଦ୍ୟଯନ୍ତ୍ର ପାଇବା ପାଇଁ ଏହି କାର୍ଯ୍ୟଶାଳାରେ ଦିନ ଦିନ ଧରି ଅପେକ୍ଷା କରିଛନ୍ତି ବହୁ ନାଦସ୍ଵରମ୍ ବାଦକ, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଅନେକ କିମ୍ବଦନ୍ତୀ ସଙ୍ଗୀତଜ୍ଞ । ସେମାନେ ବହୁ ପୁରସ୍କାର ପାଇଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରିଛନ୍ତି । କିନ୍ତୁ ଏହି ବାଦ୍ୟଯନ୍ତ୍ର କାରିଗରମାନେ ଗୋଟିକରୁ ୧୦୦୦ ଟଙ୍କା ଲାଭ ଅର୍ଜନ କରନ୍ତି; ଭାଗ୍ୟରେ ଥିଲେ ଆଉ ଅଧିକ ୫୦୦ ଟଙ୍କା ମିଳେ ।


Nagapattinam, Tamil Nadu
|TUE, SEP 17, 2019
ନରସିଙ୍ଗାପେଟ୍ଟାଇର ନାଦସ୍ଵରମ୍ ନିର୍ମାତା
ପିଢ଼ି ପରେ ପିଢ଼ି ଏହି କାରିଗରମାନେ ଫୁଙ୍କାଯାଉଥିବା ଏହି ଜଟିଳ ବାଦ୍ୟଯନ୍ତ୍ରକୁ ହାତରେ ଗଢ଼ିଛନ୍ତି । କିନ୍ତୁ ନୂତନ ପିଢ଼ି ଅଧିକ ଲାଭଜନକ ପେସାକୁ ଆପଣେଇ ନେବା ସହିତ ଏହି କାରିଗରୀ ଏବେ ଲୋପ ପାଉଛି
Author
Translator

Aparna Karthikeyan

Aparna Karthikeyan
ତଥାପି, ସବୁ ଦିନ ସକାଳ ୧୦ଟାରେ ତାଙ୍କ କ୍ଷୁଦ୍ର କାର୍ଯ୍ୟଶାଳାକୁ ଆସନ୍ତି ଚତୁର୍ଥ ପିଢ଼ିର ନାଦସ୍ଵରମ୍ ନିର୍ମାତା ୫୩ ବର୍ଷୀୟ ଏନ୍.ଆର୍.ସେଲଭାରାଜ । ତାଙ୍କର ଦୁଇ ସହାୟକଙ୍କ ଭଳି ସେ କ୍ଷୀଣକାୟ ଏବଂ ବଳିଷ୍ଠ । ପୂଜାଘରୁ ସେ କେତେକ ଲୁହା ଫାଇଲ୍ ଆଣନ୍ତି- ଯେଉଁଥିରୁ କେତେକ ଦୁଇ ଫୁଟ୍ରୁ ଅଧିକ ଲମ୍ବ । କୁଶଳୀ ହାତରେ ଏକ ନଳାକୃତିର କାଠଖଣ୍ଡକୁ ‘ପାଟ୍ଟାରାଇ’ (କାଠ କୁନ୍ଦ) ଉପରେ ରଖି ସେଲ୍ଭରାଜ ମୋତେ ତାଙ୍କ ଗାଁ ଏବଂ ଏହି ଫୁଙ୍କା ବାଦ୍ୟଯନ୍ତ୍ର ସହ ତାଙ୍କର ଦୀର୍ଘ ସମ୍ବନ୍ଧ ସଂପର୍କରେ କହନ୍ତି । ଏହି ବାଦ୍ୟକୁ ବାଦ ଦେଇ ତାମିଲଭାଷୀଙ୍କ କୌଣସି ବିବାହ ଉତ୍ସବ ବା ମନ୍ଦିର ଶୋଭାଯାତ୍ରା କେବେ ବି ପୂର୍ଣ୍ଣାଙ୍ଗ ହୁଏନାହିଁ ।
“ନାଦସ୍ଵରମ୍ ଏକ ‘ମଙ୍ଗଳା ବାଦିୟାମ୍’ (ଶୁଭ ବାଦ୍ୟ)। ଏହି ଅଞ୍ଚଳର ମାୟାଭରମ୍ ନିକଟ ଏକ ଗାଁରୁ ଏହା ଆରମ୍ଭ ହୋଇଥିଲା । ମୋ ଜେଜେବାପାଙ୍କ ବାପା ଗୋବିନ୍ଦସାମୀ ଆଚାରି ସେଠାକୁ ଗଲେ ଏବଂ ଏହି କାରିଗରୀ ଶିଖିଲେ ।” ହାତଘୂରା କୁନ୍ଦର କର୍କଶ ଶବ୍ଦକୁ ଚପାଇ ସେଲ୍ଭରାଜ ବୁଝାଇ କହନ୍ତି ଯେ, ଯଦିଓ ତାଙ୍କ ଜେଜେବାପାଙ୍କ ବାପା ଏହି ଗାଁରେ ଏକ ନୂଆ ବୃତ୍ତିର ପ୍ରଚଳନ କରାଇଥିଲେ, କିନ୍ତୁ ତାଙ୍କ ବାପା ହିଁ ସାରା ବିଶ୍ଵକୁ ଏକ ନୂତନ ବାଦ୍ୟ ପ୍ରଦାନ କରିଥିଲେ । “୧୯୫୫ ମସିହାରେ ମୋ ବାପା ରଙ୍ଗନାଥନ୍ ଆଚାରି ପରୀକ୍ଷାନିରୀକ୍ଷା କଲେ ଏବଂ ମୂଳ ବାଦ୍ୟଯନ୍ତ୍ରରେ କେତେକ ପରିବର୍ତ୍ତନ କରି ଏଭଳି ଏକ ବାଦ୍ୟ ପ୍ରସ୍ତୁତ କଲେ ଯେଉଁଥିରୁ ସମସ୍ତ ସାତଟି ସ୍ଵର ବାହାରୁଥିଲା ।”

Aparna Karthikeyan
ପାରମ୍ପରିକ ଭାବେ ନାଦସ୍ଵରମ୍ଗୁଡ଼ିକ ଆଚାମାରମ୍ (ହାର୍ଡୱିକିଆ ବାଇନାଟା, ଭାରତୀୟ ଶିଶୁକାଠ)ରୁ ତିଆରି ହୁଏ । “କିନ୍ତୁ ଏଥିରେ ଆପଣ ନୂଆ କାଠ ବ୍ୟବହାର କରିପାରିବେନି; ଏହା ଅତି କମ୍ରେ ୭୫-୧୦୦ ବର୍ଷ ପୁରୁଣା ହୋଇଥିବା ଦରକାର । ନୂଆ କାଠ ବଙ୍କେଇ ଯିବ ଏବଂ ନଇଁଯିବ । ଦିନେ ଏସବୁ କାଠ ପୁରୁଣା ଘରଗୁଡ଼ିକରେ ଚୌକାଠ ଏବଂ ଖମ୍ବ ରୂପରେ ରହୁଥିଲା ।” ସେ ତାଙ୍କ ଘର ପଛ ଅଗଣାରେ ଥିବା କାଠଗଦାକୁ ଦେଖାଇ ଦିଅନ୍ତି । “କିନ୍ତୁ କାଠ ନେବା ଆଣିବାରେ ଆମର ଅସୁବିଧା ହୁଏ । ଆମକୁ ଚେକ୍ ପୋଷ୍ଟ୍ ନିକଟରେ ଅଟକାଇ ଦିଆଯାଏ ଏବଂ ବିଲ୍ ଦେଖାଇବାକୁ କୁହାଯାଏ । କିନ୍ତୁ ପୁରୁଣା କାଠ ପାଇଁ କେଉଁ ବିକାଳି ମୋତେ ବିଲ୍ ଦେବେ ?” ଆହୁରି ଖରାପ କଥା ଯେ ସେମାନେ ଚନ୍ଦନକାଠ ଚୋରା କାରବାର କରୁଛନ୍ତି ବୋଲି ଅଭିଯୋଗ ହୁଏ ।
କାଠ କିଣି ଆଣିବା ସହିତ ସେମାନଙ୍କ ଦୁଃଖ ସରିଯାଏନି । ଅନୁତାପଭରା କଣ୍ଠରେ ସେଲ୍ଭରାଜ କହନ୍ତି, “ପ୍ରତିଟି ଖଣ୍ଡ କରିବାକୁ ଆପଣଙ୍କୁ ତିନି ଜଣ ଲୋକ ଦରକାର । କାଠ, ମଜୁରି ଭଳି ସବୁ ଖର୍ଚ୍ଚ ବାଦ ଦେବା ପରେ ଆମକୁ ନାଦସ୍ଵରମ୍ ପିଛା ୧୦୦୦-୧୫୦୦ ଟଙ୍କା ମିଳେ ।”
ରାସ୍ତା ଉପରେ ନାଦସ୍ଵରମ୍ ତିଆରି କରୁଥିବା ଶକ୍ତିଭେଲ ଆଚାରି (ସେଲ୍ଭରାଜଙ୍କ ଦାଦା) କହନ୍ତି, “ବାଦ୍ୟକାରମାନେ ଗୋଟିଏ ବାଦ୍ୟଯନ୍ତ୍ରକୁ ୫୦୦୦ ଟଙ୍କାରେ କିଣନ୍ତି । ସେମାନେ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରନ୍ତି । କିନ୍ତୁ କେତେ ବର୍ଷ ପରେ ପୁଣି ଯେତେବେଳେ ସେମାନେ ଆଉ ଗୋଟିଏ କିଣିବାକୁ ଆସନ୍ତି ସେମାନେ ଏହାକୁ ରିହାତି ଦରରେ ମାଗନ୍ତି।” ସରକାରଙ୍କ ନିରନ୍ତର ଉଦାସୀନତା ସଂପର୍କରେ ବି କ୍ଷୋଭ ବ୍ୟକ୍ତ କରନ୍ତି ଶକ୍ତିଭେଲ । ସେ ପଚାରନ୍ତି ଯେ କାହିଁକି ସବୁ ପୁରସ୍କାର ଓ ସ୍ଵୀକୃତି କେବଳ ବାଦ୍ୟକାରମାନଙ୍କ ପାଇଁ ସଂରକ୍ଷିତ ଏବଂ ଅପରପକ୍ଷରେ ପ୍ରଥମେ ଯେଉଁଠି ପରୀ ନାଦସ୍ଵରମ୍ ତିଆରି ହେଲା (ରଙ୍ଗନାଥନ୍ ଆଚାରିଙ୍କ ଦ୍ଵାରା) ସେହି ଗାଁର କାରିଗରମାନେ କୌଣସି ସ୍ଵୀକୃତି ବିନା ଅନ୍ଧାରରେ ସଢୁଛନ୍ତି ?
ଯାହାହେଉନା କାହିଁକି, ସଙ୍ଗୀତ ଜଗତକୁ ରଙ୍ଗନାଥନ୍ ଆଚାରିଙ୍କ ଅବଦାନର ଉଚ୍ଚ ପ୍ରଂଶସା କରି ଲାମିନେଟ୍ କରାଯାଇଥିବା ଏକ ହାତଲେଖା ଚିଠିଟିଏ ରହିଛି । ସେଲ୍ଭରାଜ ଏହାକୁ ବନ୍ଦ କରି ରଖିଦିଅନ୍ତି । ଚିଠିର ଲେଖକ ଥିଲେ ପ୍ରଖ୍ୟାତ ନାଗସ୍ଵରମ୍ ବିଦ୍ଵାନ୍ ଟି.ଏନ୍.ରାଜାରଥିନମ୍ ପିଲ୍ଲାଇ ।
କାର୍ଯ୍ୟଶାଳାରୁ ବାହାରିଥିବା କାଠର ଛେଲା ଏବଂ କାଠ ଖଣ୍ଡ ଜାଳି ମାଟି ଚୁଲିରେ ରନ୍ଧା ହୋଇଥିବା ମଧ୍ୟାହ୍ନ ଭୋଜନ ସମୟରେ ସେଲ୍ଭରାଜଙ୍କ ବଡ଼ପୁଅ ସତୀଶ ମୋତେ ଗାଡ଼ିମଟର ପ୍ରତି ତାଙ୍କ ଆସକ୍ତି ସଂପର୍କରେ କହନ୍ତି । “ଲୋକେ ସେମାନଙ୍କ ମୋବାଇଲ୍ ଫୋନ୍ ସ୍କ୍ରିନ୍ରେ ଦେବଦେବୀ ବା ସେମାନଙ୍କ ପିତାମାତାଙ୍କ ଚିତ୍ର ରଖିଛନ୍ତି । ମୁଁ ଗୋଟିଏ ଭ୍ୟାନ୍ ରଖିଛି !” ବର୍ଷକ ତଳେ, ଯେତେବେଳେ ମୁଁ ତାଙ୍କୁ ପ୍ରଥମେ ଭେଟିଥିଲି, ସତୀଶ ପର୍ଯ୍ୟଟକମାନେ ଯାଆସ କରୁଥିବା ଏକ ଗାଡ଼ି ଚଳାଇବାକୁ ସ୍ଥିର କରିନେଇଥିଲେ । କିନ୍ତୁ ଏବେ ସେ ତାଙ୍କ (ଦାଦାମାନଙ୍କର, ଭଉଣୀମାନଙ୍କର ଓ ମାଆଙ୍କ ଆଶ୍ଵସ୍ତି ଓ ଆକଟ ଦ୍ଵାରା ପ୍ରେରିତ ହୋଇ) ପରିବାରର ବୃତ୍ତିରେ ଯୋଗ ଦେବା ଲାଗି ବିଚାର କରୁଛନ୍ତି । “କିନ୍ତୁ ମୁଁ ମୋ ପର୍ଯ୍ୟଟକ ବ୍ୟବସାୟ ଜାରି ରଖିବି ଏବଂ ତା ସହିତ ଚାଷବାସ ବି କରୁଥିବି ।”

Aparna Karthikeyan
ସତୀଶ ସେ ସବୁ କରିବା ଦରକାର । (ଯାହା ଫଳରେ ଏବେ ପାଠ ପଢୁଥିବା ତାଙ୍କ ସାନଭାଇ ପ୍ରକାଶ ଜଣେ ଇଞ୍ଜିନିୟର ହୋଇପପାରିବ ।) ପୂରା ସମୟ ବାଦ୍ୟଯନ୍ତ୍ର ତିଆରିରେ ଲଗାଇ ଦେଲେ ହୁଏତ ଆଉ ପରିବାର ଚଳାଇ ହେବନାହିଁ । ପରିବାରର ନାଁ ରଖିବା ଭଳି ସମ୍ମାନରୁ ଖର୍ଚ୍ଚ ତୁଲାଇ ହେବ ନାହିଁ । ଆଉ ନିଶ୍ଚିତ ଭାବେ ଏଥିରୁ କାଠର ମୂଲ୍ୟବି ଦେଇ ହେବ ନାହିଁ ।
ଶକ୍ତିଭେଲଙ୍କ ପରିବାରରେ ବି ଉତ୍ତରାଧିକାରକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଛି । ଶିକ୍ଷା ପ୍ରତି ମନ ବଳାଇଥିବା ତାଙ୍କ ନାତି ସାବରୀ ହିଁ ଏକମାତ୍ର ଉତ୍ତରାଧିକାରୀ । ୧୫ ବର୍ଷ ବୟସରୁ ନାଦସ୍ଵରମ୍ ତିଆରି କରିଥିବା ଶକ୍ତିଭେଲଙ୍କ ପୁଅ ସେନ୍ଥିଲକୁମାରଙ୍କ ବିଶ୍ଵାସ ରହିଛି ଯେ ସାବରୀ “ସିଏନ୍ସି ଟେକ୍ନୋଲୋଜି ପ୍ରୟୋଗ କରି, ଏହାର ଆଧୁନିକୀକରଣ କରିବ।” ଘର ଭିତରେ ଓ ଆଖପାଖରେ ସେ ଦେଇଥିବା ଆଧୁନିକତାର ଛାପକୁ ସେ ମୋତେ ଦେଖାଇ ଦିଅନ୍ତି-ଏକ ପୁନର୍ଗଠିତ ଗୁହାଳ, ବାଡ଼ି ଅଗଣାରେ ଗୋଟିଏ ଜେନେରେଟର ଏବଂ କାର୍ଯ୍ୟଶାଳାରେ ୱାନ୍-ଏଚ୍ପି କ୍ଷମତାର ମୋଟର ଦ୍ଵାରା ଘୂରାଯାଉଥିବା କୁନ୍ଦ । “ଏହା ସମ୍ଭବ ବୋଲି ମୋ ବାପାଙ୍କ ସମେତ କେହି ହେଲେ ବି ଭାବୁ ନଥିଲେ । କିନ୍ତୁ ଏହା ଖୁବ୍ ସୁନ୍ଦର ଭାବରେ କାମ କରୁଛି ।” ଏବଂ ମଜୁରିଆ ଖୋଜି ପାଇବା କେତେ କଷ୍ଟ ତାହା ନଜରରେ ରଖିଲେ, ଏହା ବିଶେଷ ଭାବରେ ସୁବିଧାଜନକ। ପରିହାସ ଛଳରେ ଶକ୍ତିଭେଲ କହନ୍ତି, “ସେମାନଙ୍କ ଆଗମନକୁ ଆମେ ଯୋଡ଼ହସ୍ତରେ ଅପେକ୍ଷା କରିଥାଉ !”

Aparna Karthikeyan
କିନ୍ତୁ ଏହି ମହାନ୍ କାରିଗରୀକୁ ବଞ୍ଚାଇ ରଖିବା ଦିଗରେ ଯୁବ ପିଢ଼ିକୁ ଆକର୍ଷିତ କରିବା ଲାଗି କେବଳ ଆଗ୍ରହୀ ଶ୍ରମିକ ଏବଂ ମୋଟରଚାଳିତ କୁନ୍ଦ ଯଥେଷ୍ଟ ନୁହେଁ । ସେଲ୍ଭରାଜ କହନ୍ତି, “ଯେଉଁ ଚାରିଟି ପରିବାର ଏହି ବୃତ୍ତିକୁ ଜାରି ରଖିଛନ୍ତି ସେମାନଙ୍କୁ ପୁରସ୍କାର ଦେବା ଉଚିତ ।” ତାଙ୍କ କଥାକୁ ଆଗକୁ ବଢ଼ାଇ ସେ କହନ୍ତି ଯେ, ସୁଲଭ ଦରରେ କାଠ ଯୋଗାଇ ଦେବା ଏବଂ ପୁରୁଖା କାରିଗରମାନଙ୍କୁ ପେନ୍ସନ୍ ମିଳିବା ଉଚିତ । ଗୋଟିଏ ନୂଆ ନାଦସ୍ଵରମ୍ରେ ଅନୁସୁ (ବାଦ୍ୟଯନ୍ତ୍ରର ଚଟକା ନିମ୍ନ ଭାଗ)ଲଗାଇବା ପରେ ସେଲଭରାଜ ଠିଆ ହୁଅନ୍ତି ଏବଂ ଅପେକ୍ଷାରତ ଜଣେ ସଂଗୀତକାରଙ୍କୁ ସମ୍ମାନର ସହ ଏହି ବାଦ୍ୟ ପ୍ରଦାନ କରନ୍ତି । ଯେତେବେଳେ ବାଦ୍ୟକାର ମୁରୁଗନନ୍ଦମ୍, ଆରମ୍ଭରୁ ବୋଲ ମାନୁ ନଥିବା ନୂଆ ବାଦ୍ୟଟିରୁ ଜଟିଳ ସ୍ଵର ସୃଷ୍ଟି କରିବାରେ ଲାଗିଥାଆନ୍ତି, ସେଲ୍ଭରାଜ ମୋତେ କହନ୍ତି ଯେ, ଆଜିକାଲି ‘ନରସିଙ୍ଗପେଟ୍ଟାଇ ନାଦସ୍ଵରମ୍’କୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ୍) ମାନ୍ୟତା ଦେବା କଥା କୁହାଯାଉଛି ।
ସେଲ୍ଭରାଜ କହନ୍ତି, “କେତେ ଜଣ ଅଧିକାରୀ ଏଠାକୁ ଆସିଥିଲେ ଏବଂ ଆମ ସହ କଥା ହୋଇଥିଲେ”। ଜିଆଇ ଏକ ଟ୍ରେଡ୍ମାର୍କ ସ୍ଵରୂପ ବୋଲି ମୋତେ କୁହାଯାଇଥିଲା, କିନ୍ତୁ ଏହା କିଭଳି ଆମର ଫାଇଦା କରିବ ସେକଥା ମୁଁ ଜାଣିନି ।” ଅନ୍ୟମାନେ ବି ଏ ସଂପର୍କରେ ସ୍ପଷ୍ଟ ଭାବେ କିଛି ଜାଣିନାହାନ୍ତି; କିନ୍ତୁ ଏଭଳି ଅନୁମୋଦନ ଥାଉ କି ନଥାଉ,ସେମାନେ ବ୍ୟବସାୟ ଚଳାଇ ପାରିବେ ବୋଲି ସେମାନଙ୍କର ଆତ୍ମବିଶ୍ଵାସ ରହିଛି । କିନ୍ତୁ ପ୍ରତିଦିନ ସକାଳୁ ଉଠି ସେମାନେ ଚିନ୍ତା କରନ୍ତି: ଆଜି କିଛି ଆଚାମାରମ ପାଇବେ କି, ସେମାନଙ୍କ ପୁଅମାନେ ବସି ସେମାନଙ୍କଠାରୁ ଶିଖିବେ କି, ସଙ୍ଗୀତ ଜଗତକୁ ସେମାନଙ୍କ ଅବଦାନକୁ ସରକାର ସ୍ଵୀକୃତି ଦେବେ କି... ।
ଏହି ଲେଖା ପ୍ରଥମେ ‘ଦ ହିନ୍ଦୁ’ରେ ପ୍ରକାଶିତ ହୋଇଥିଲା: http://www.thehindu.com/features/magazine/narasingapettais-nadaswaram-makers/article7088894.ece
ଏହି ଲେଖା ‘ଭ୍ୟାନିଶିଂ ଲାଇଭଲିହୁଡ୍ସ୍ ଅଫ୍ ରୁରାଲ ତାମିଲନାଡୁ’ ଶୀର୍ଷକ ଶୃଙ୍ଖଳର ଅଂଶବିଶେଷ ଏବଂ ଏନ୍ଏଫ୍ଆଇର ନ୍ୟାସନାଲ୍ ମିଡିଆ ଆୱାର୍ଡ ୨୦୧୫ ଅଧୀନରେ ସହଯୋଗପ୍ରାପ୍ତ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ନରସିଙ୍ଗାପେଟ୍ଟାଇର-ନାଦସ୍ଵରମ୍-ନିର୍ମାତା

