ପାରଇ ଡ୍ରମ୍ ବାଜିବା ସହିତ ରାଲି ଆରମ୍ଭ ହେଲା।
ପ୍ରାୟ ୬୦ ଲୋକଙ୍କର ଏକ ଦଳ ସ୍ଲୋଗାନ୍ ଦେଲା: “ଜୟ ଜୟ ଜୟ ଭୀମ, ଜୟ ଆମ୍ବେଦକର୍ ଜୟ ଭୀମ।” ଏହା ହେଉଛି ଧାରାବି, ମୁମ୍ୱାଇର ମହାପରିନିର୍ବାଣ ରାଲି। ପ୍ରତିବର୍ଷ ଡିସେମ୍ବର ୬ ତାରିଖରେ ଡକ୍ଟର୍ ବି ଆର୍ ଆମ୍ୱେଦକରଙ୍କ ଶ୍ରାଦ୍ଧବାର୍ଷିକୀ ଦିନ ଏହି ରାଲି ଆୟୋଜିତ ହୋଇଥାଏ।
ଲୋକମାନେ ଜଣକ ପରେ ଜଣେ ମହମବତୀ ଜଳାଇଲେ ଏବଂ ଧାରାବିର ପେରିୟାର୍ ଛକରେ ସମସ୍ତେ ଏକାଠି ହେଲେ ଏବଂ ତାପରେ ମୁମ୍ୱାଇରେ ଅବସ୍ଥିତ ଏସିଆର ଏହି ସର୍ବବୃହତ୍ ବସ୍ତି ଉତ୍ସବମୁଖର ହୋଇ ଉଠିଲା। ମହାପରିନିର୍ବାଣ ଦିବସ (ଶ୍ରାଦ୍ଧ ବାର୍ଷିକୀ) କାର୍ଯ୍ୟକ୍ରମ ଆୟୋଜିତ କରୁଥିଲେ ଜୟ ଭୀମ ଅନୁଷ୍ଠାନ। ପାଖାପାଖି ଦୁଇ ଘଣ୍ଟା ଧରି ରାଲି ହେବ। ଇ.ଭି. ରାମସ୍ୱାମୀ(ପେରିୟାର୍) ଛକରୁ ପ୍ରାୟ ଦେଢ଼ କିଲୋମିଟର ଦୂର ଗଣେଶନ୍ କୋଭିଲରେ ଥିବା ଆମ୍ବେଦକର ମୂର୍ତ୍ତି ପର୍ଯ୍ୟନ୍ତ ରାଲି ହେବ।
“ଆଜିର ଦିନ ଆମମାନଙ୍କ ପାଇଁ ଗୋଟିଏ ପର୍ବ କହିଲେ ଭୁଲ୍ ହେବ ନାହିଁ। ସାରା ମୁମ୍ବାଇ ସହର ଏପ୍ରିଲ୍ ୧୪ (ଆମ୍ବେଦକର ଜୟନ୍ତୀ) ଏବଂ ଡିସେମ୍ବର ୬ ତାରିଖରେ ମହାନ୍ ନେତାଙ୍କର ଜାତିଗତ ଭେଦଭାବର ଶିକାର ହେଉଥିବା ଲୋକମାନଙ୍କ ପ୍ରତି ଅବଦାନର ସ୍ମୃତିଚାରଣ କରି ଉତ୍ସବ ପାଳନ କରେ,” କୁହନ୍ତି ଭେନିଲା ସୁରେଶ କୁମାର ଯିଏ କି ତାଙ୍କ ସ୍ୱାମୀ ସୁରେଶ କୁମାର ରାଜୁଙ୍କ ସହିତ ଅନୁଷ୍ଠାନର ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି। “ଆମେ ପୂରା ରାସ୍ତାକୁ ନୀଳ ପତାକାରେ ସଜାଇଲୁ ଏବଂ ଦୁଆର ଦୁଆର ଯାଇ ଲୋକମାନଙ୍କୁ ଆମ ସହିତ ଯୋଗ ଦେବା ପାଇଁ ଆମନ୍ତ୍ରିତ କଲୁ।”
ସେ ଧାରାବିରେ ଥିବା ଏକମାତ୍ର ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ। ତା’ପରେ ସେମାନଙ୍କ ନେତାଙ୍କ ଅବଦାନ ପ୍ରତି ସମର୍ପିତ ଏକ ତାମିଲ ଗୀତ ଗାଉଥିବା ଦଳ ସହିତ ଯୋଗ ଦେଲେ।

















