

Ramanathapuram district, Tamil Nadu
|WED, NOV 06, 2019
ଦୁଃସ୍ଥିତିରେ ତାମିଲନାଡୁର ସାମୁଦ୍ରିକ ଗୁଳ୍ମ ସଂଗ୍ରାହକ
ଏକ ଅସାମାନ୍ୟ କାର୍ଯ୍ୟ ସକାଶେ ତାମିଲନାଡୁ ଭାରତୀନଗରର ମତ୍ସ୍ୟଜୀବୀ ମହିଳାମାନେ ଡଙ୍ଗା ଅପେକ୍ଷା ଅଧିକ ସମୟ ସମୁଦ୍ର ପାଣିରେ ବିତାଇ ଥାଆନ୍ତି। କିନ୍ତୁ ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ସମ୍ବଳର ଅତ୍ୟଧିକ ଉପଯୋଗ ଯୋଗୁଁ ସେମାନଙ୍କ ଜୀବିକା ବିପନ୍ନ ହେବାରେ ଲାଗିଛି
Reporter
Editor
Series Editors
Translator
“ସାମୁଦ୍ରିକ ଗୁଳ୍ମର ବୃଦ୍ଧି ହାର ଖୁବ୍ କମି ଯାଇଛି,” କହନ୍ତି ୪୨ବର୍ଷୀୟା ପି.ରାକାମ୍ମା । କାର୍ଯ୍ୟରତ ଅନ୍ୟାନ୍ୟ ମହିଳା ସଂଗ୍ରାହକଙ୍କ ଭଳି ତାଙ୍କ ଘର ମଧ୍ୟ ତିରୁପୁଲାନି ବ୍ଲକ୍ର ମାୟାକୁଲାମ ନିକଟ ଭାରତୀନଗରରେ । “ଆଗରୁ ଆମେ ଏହାକୁ ଯେତିକି ପରିମାଣରେ ପାଉଥିଲୁ ତାହା ଆଜିକାଲି ମିଳୁନାହିଁ । କେବେ କେବେ ମାସରେ ମାତ୍ର ୧୦ ଦିନର କାମ ମିଳୁଛି।” ବର୍ଷକରେ ମାତ୍ର ପାଞ୍ଚ ମାସ ହିଁ ଠିକ୍ ପ୍ରଣାଳୀରେ ଗୁଳ୍ମ ସଂଗ୍ରହ ହେଉଥିବା କଥା ବିଚାରକୁ ନେଲେ ଏହି ସ୍ଥିତି ଉଦ୍ବେଗଜନକ । ରାକାମ୍ମାଙ୍କୁ ଲାଗେ
ପ୍ରତିଦିନ ଭୋର ୩ଟା ସୁଦ୍ଧା ସେମାନେ ଉଠିଯାଆନ୍ତି । ସକାଳ ୫ଟା ସୁଦ୍ଧା ସେମାନଙ୍କୁ କାର୍ଯ୍ୟସ୍ଥଳରେ ପହଞ୍ଚିବାକୁ ହେବ ଏବଂ ତା ପୂର୍ବରୁ ଘରର ସବୁ କାମ ସାରିବା ଦରକାର । କିଛି ବାଟ ପାଦରେ ଚାଲି ସେମାନଙ୍କ ବିସ୍ତୃତ ଆର୍ଦ୍ର କାର୍ଯ୍ୟକ୍ଷେତ୍ରକୁ ଯାତ୍ରା କରନ୍ତି । ସେମାନେ ଘରୁ ଗୋଡ଼ କାଢ଼ନ୍ତି, ସମୁଦ୍ର ପାଖକୁ ଆଗେଇ ଯାଆନ୍ତି-ଏବଂ ଡାଇଭ୍ ମାରନ୍ତି ।
ବେଳେବେଳେ ସେମାନେ ଡଙ୍ଗାରେ ଆଖପାଖର ବିଭିନ୍ନ ଦ୍ୱୀପକୁ ଯାଆନ୍ତି ଏବଂ ସେଗୁଡ଼ିକ ଚାରିପଟେ ଡାଇଭ୍ ମାରନ୍ତି । ପରବର୍ତ୍ତୀ ୭-୧୦ ଘଣ୍ଟା ଯାଏଁ ସେମାନେ ବାରମ୍ବାର ଏହା କରନ୍ତି ଏବଂ ପ୍ରତି ଥର ବୁଡ଼ି ଉଠିଲା ବେଳେ ହାତରେ ମେଞ୍ଚାଏ ସାମୁଦ୍ରିକ ଗୁଳ୍ମକୁ ଏମିତି ଧରିଥାଆନ୍ତି ଯେ, ସତେ ଯେମିତି ଏହାରି ଉପରେ ହିଁ ସେମାନଙ୍କ ଜୀବନ ନିର୍ଭର କରେ - ବାସ୍ତବରେ ତାହା ହିଁ ହୁଏ । ସମୁଦ୍ର ପାଣିରେ ବୁଡ଼ି ଏସବୁ ସାମୁଦ୍ରିକ ଗୁଳ୍ମ ଓ ଶିଉଳି ସଂଗ୍ରହ କରିବା ହିଁ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲା ଅନ୍ତର୍ଗତ ଭାରତୀନଗରରେ ଥିବା ଏକ କୈବର୍ତ୍ତ ପଲ୍ଲୀର ଏହି ମହିଳାମାନଙ୍କ ରୋଜଗାରର ମୁଖ୍ୟ ସ୍ରୋତ ।
କାମ କରିବାକୁ ଯିବା ଦିନ ସେମାନେ ସାଙ୍ଗରେ ‘ସୁରକ୍ଷା ଉପକରଣ’ ସହିତ ଲୁଗାପଟା ଓ ଜାଲ ତିଆରି ବ୍ୟାଗ୍ ନେଇ ଯାଆନ୍ତି । ପାଣିରେ ପ୍ରଚୁର ଗୁଳ୍ମ ଥିବା ଦ୍ୱୀପ ପାଖକୁ ନାଉରିଆମାନେ ସେମାନଙ୍କୁ ନେଇଯାଆନ୍ତି, ମହିଳାମାନେ ସେମାନଙ୍କ ଶାଢ଼ିକୁ ଧୋତି ଭଳି ଦୁଇ ଗୋଡ଼ ମଝିରେ କଛା ମାରି ପିନ୍ଧନ୍ତି, ଜାଲ ବ୍ୟାଗ୍ଗୁଡ଼ିକୁ ଅଣ୍ଟାରେ ଗୁଡ଼ାଇ ଦିଅନ୍ତି ଏବଂ ଶାଢ଼ି ଉପରେ ଟି-ସାର୍ଟ ପିନ୍ଧି ନିଅନ୍ତି । ‘ସୁରକ୍ଷା’ ଉପକରଣରେ ସେମାନଙ୍କ ଆଖି ପାଇଁ ଚଷମା, ଆଙ୍ଗୁଠିରେ ଗୁଡ଼ା ହୋଇଥିବା କପଡ଼ା କିମ୍ବା କେତେଜଣଙ୍କ ପାଇଁ ସର୍ଜିକାଲ୍ ଗ୍ଲୋବ୍ସ ଏବଂ ଧାରୁଆ ପଥରରେ ପାଦ କଟି ନ ଯିବା ପାଇଁ ସ୍ଲିପର୍ । ସମୁଦ୍ରକୂଳରୁ ଦୂରରେ ଥିଲା ବେଳେ ହେଉ କି ଦ୍ୱୀପରେ ଏଗୁଡ଼ିକୁ ସେମାନେ ବ୍ୟବହାର କରନ୍ତି ।
ଏ ଅଞ୍ଚଳରେ ସାମୁଦ୍ରିକ ଗୁଳ୍ମ ସଂଗ୍ରହ କରିବା ଏକ ପାରମ୍ପରିକ ଜୀବିକା, ଯାହାକି ପିଢ଼ି ପରେ ପିଢ଼ି ଧରି ମାଆ ପାଖରୁ ଝିଅ ଆପଣେଇ ନିଏ। କେତେକ ଏକାକୀ ରହୁଥିବା ଏବଂ ପରିତ୍ୟକ୍ତା ମହିଳାଙ୍କ ପାଇଁ ଏହା ହିଁ ରୋଜଗାରର ଏକମାତ୍ର ଉତ୍ସ ।
ତାପନ ବୃଦ୍ଧିର ପରିଣାମ, ସମୁଦ୍ର ପତ୍ତନରେ ବୃଦ୍ଧି, ଜଳବାୟୁ ଏବଂ ପାଣିପାଗରେ ପରିବର୍ତ୍ତନଯେ, ୨୦୦୪ ଡିସେମ୍ବରର ସୁନାମି ପରଠାରୁ “ସମୁଦ୍ରର ଲହଡ଼ି ତୀବ୍ର ହୋଇଛି ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପାଇଛି” ।

M. Palani Kumar
ଏଭଳି ସବୁ ପରିବର୍ତ୍ତନ କାରଣରୁ, ଆଠ ବର୍ଷ ବୟସରୁ ସମୁଦ୍ରକୁ ଡାଇଭ୍ ମାରି ସାମୁଦ୍ରିକ ଗୁଳ୍ମ ସଂଗ୍ରହ କରୁଥିବା ଏ. ମୁକୁପୋରିଙ୍କ ଭଳି ବହୁ ସଂଗ୍ରାହକ କ୍ଷତିଗ୍ରସ୍ତ ହେଉଛନ୍ତି । ତାଙ୍କ ବୟସ ଖୁବ୍ କମ୍ ଥିଲା ବେଳେ ବାପା ଓ ମାଆଙ୍କର ମୃତ୍ୟୁ ହୋଇଥିଲା ଏବଂ ସଂପର୍କୀୟମାନେ ଜଣେ ନିଶାଖୋର ବ୍ୟକ୍ତିଙ୍କ ସହ ତାଙ୍କର ବାହାଘର କରାଇ ଦେଇଥିଲେ । ଏବେ ୩୫ ବର୍ଷୀୟା ମୁକୁପୋରିଙ୍କର ତିନିଟି ଝିଅ ଏବଂ ସେମାନେ ତାଙ୍କ ସହ ରହୁଛନ୍ତି । କିନ୍ତୁ ତାଙ୍କ ସ୍ୱାମୀ ରୋଜଗାର କରି ପରିବାର ଚଳାଇବାରେ ସହାୟତା କରିବା ଭଳି ଅବସ୍ଥାରେ ନାହାନ୍ତି ।
ପରିବାରର ଏକମାତ୍ର ରୋଜଗାର କରୁଥିବା ସଦସ୍ୟା ମୁକୁପୋରି କହନ୍ତି ଯେ ଆଗକୁ ତିନି ଝିଅଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବାରେ “ଏଣିକି ସାମୁଦ୍ରିକ ଗୁଳ୍ମ ସଂଗ୍ରହର ଆୟ ଯଥେଷ୍ଟ ନୁହେଁ”। ତାଙ୍କ ବଡ଼ଝିଅ ବି.କମ୍ ଡିଗ୍ରୀ ପାଇଁ ପଢୁଛି । ଦ୍ୱିତୀୟ ଝିଅ କଲେଜରେ ନାଁ ଲେଖାଇବା ଅପେକ୍ଷାରେ । ସବା ସାନ ଝିଅ ଷଷ୍ଠ ଶ୍ରେଣୀରେ ପଢୁଛି । ଏତେ ଶୀଘ୍ର “ସ୍ଥିତି ସୁଧୁରିବ ନାହିଁ” ବୋଲି ମୁକୁପୋରି ଆଶଙ୍କା କରନ୍ତି ।
ସେ ଏବଂ ତାଙ୍କ ସାଥୀ ସଂଗ୍ରାହକମାନେ ମୁଥୁରାଇୟାର୍ ସଂପ୍ରଦାୟର, ଯାହା ତାମିଲନାଡୁରେ ଅତି ପଛୁଆ ସଂପ୍ରଦାୟ (MBC) ରୂପେ ବର୍ଗୀକୃତ ହୋଇଛି । ରାମନାଥପୁରମ୍ ମତ୍ସ୍ୟ କର୍ମୀ ସଂଘର ସଭାପତି ଏ. ପାଲାସାମୀଙ୍କ ଆକଳନ ଅନୁସାରେ ତାମିଲନାଡୁର ୯୪୦ କିଲୋମିଟର ସମୁଦ୍ର ଉପକୂଳରେ ସାମୁଦ୍ରିକ ଗୁଳ୍ମ ସଂଗ୍ରହକାରୀ ମହିଳାଙ୍କ ସଂଖ୍ୟା ଅତି ବେଶୀରେ ୬୦୦ ହେବ । କିନ୍ତୁ ସେମାନଙ୍କ କାମରୁ ବହୁସଂଖ୍ୟକ ଲୋକେ ଉପକୃତ ହୁଅନ୍ତି ଯାହା କେବଳ ରାଜ୍ୟ ଭିତରେ ସୀମିତ ନୁହେଁ।
“ଆମେ ଯେଉଁ ସମୁଦ୍ର ଗୁଳ୍ମ ସଂଗ୍ରହ କରୁ ତାହା ଅଗର ପ୍ରସ୍ତୁତ କରିବା ପାଇଁ ପଠାଯାଏ”, ୪୨ ବର୍ଷୀୟା ପି. ରାନିଆମ୍ମା ବୁଝାଇ ଦିଅନ୍ତି । ତାହା ଜେଲି ଭଳି ଏକ ବହଳିଆ ପଦାର୍ଥ, ଯାହା ଖାଦ୍ୟକୁ ଗାଢ଼ କରିବାରେ ବ୍ୟବହୃତ ହୁଏ ।
ଏଠାରୁ ବାହାରୁଥିବା ସାମୁଦ୍ରିକ ଗୁଳ୍ମ ଖାଦ୍ୟ ଶିଳ୍ପରେ, ଏକ ଉପାଦାନ ଭଳି କେତେକ ସାରରେ, ଔଷଧ ପ୍ରସ୍ତୁତି ଲାଗି ଫାର୍ମା କମ୍ପାନିରେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବହୃତ ହୁଏ । ମହିଳାମାନେ ସାମୁଦ୍ରିକ ଗୁଳ୍ମ ସଂଗ୍ରହ କରି ତାହାକୁ ଶୁଖାଇ ଦିଅନ୍ତି ଏବଂ ପରେ ଏହାର ପ୍ରକ୍ରିୟାକରଣ ଲାଗି ମଦୁରାଇ ଜିଲ୍ଲାରେ ଥିବା ବିଭିନ୍ନ କାରଖାନାକୁ ପଠାଇ ଦିଆଯାଏ । ଏ ଅଞ୍ଚଳରୁ ଦୁଇଟି ପ୍ରମୁଖ ପ୍ରକାରର ଗୁଳ୍ମ ମିଳେ- ମାତ୍ତାକୋରାଇ (gracilaria) ଏବଂ ମାରିକୋଝୁନ୍ତୁ (gelidiumamansii)। ବେଳେବେଳେ ଜେଲିଡିୟମ୍କୁ ବିଭିନ୍ନ ସାଲାଡ୍, ପୁଡିଂ ଏବଂ ଜାମ୍ରେ ପରିବେଷଣ କରାଯାଏ । ବିଶ୍ୱାସ କରାଯାଏ ଯେ, ଏହା ଡାଏଟିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଯୋଗୀ ଏବଂ ବେଳେବେଳେ କୋଷ୍ଠକାଠିନ୍ୟ ରୋଗୀ ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ। ଶିଳ୍ପ କ୍ଷେତ୍ରରେ ଅନ୍ୟାନ୍ୟ ଉପଯୋଗ ସହିତ କପଡ଼ା ରଙ୍ଗ କରିବାରେ ମାତ୍ତାକୋରାଇ (graciliaria) ବ୍ୟବହୃତ ହୁଏ ।
କିନ୍ତୁ, ସାମୁଦ୍ରିକ ଗୁଳ୍ମର ଲୋକପ୍ରିୟତା ଯୋଗୁଁ ଏଭଳି ଏକ ଶିଳ୍ପ ବହୁଳ ଅଞ୍ଚଳରେ ଏହାର ମାତ୍ରାଧିକ ଉପଯୋଗ କରାଯାଉଛି । କେନ୍ଦ୍ରୀୟ ଲବଣ ଏବଂ ସାମୁଦ୍ରିକ ରସାୟନ ଗବେଷଣା ସଂସ୍ଥା (ରାମନାଥପୁରମ୍ର ମାଣ୍ଡାପମ୍ କ୍ୟାମ୍ପ୍) ପକ୍ଷରୁ ଦର୍ଶାଯାଇଛି ଯେ, ଅନିୟନ୍ତ୍ରିତ ସଂଗ୍ରହ କାର୍ଯ୍ୟ ଯୋଗୁଁ ସାମୁଦ୍ରିକ ଗୁଳ୍ମର ପରିମାଣ ଉଦ୍ବେଗଜନକ ଭାବେ ହ୍ରାସ ପାଇଛି ।

M. Palani Kumar
ସଂଗ୍ରହ ହ୍ରାସ ପାଇବା କଥା ଉତ୍ପାଦନରୁ ହିଁ ଜଣାପଡ଼େ । ୪୫ ବର୍ଷର ଏସ୍. ଅମୃତମ୍ କହନ୍ତି, “ପାଞ୍ଚ ବର୍ଷ ତଳେ ଆମେ ସାତ ଘଣ୍ଟାରେ ଅତି କମ୍ରେ ୧୦ କିଲୋଗ୍ରାମ ମାରିକୋଝୁନ୍ତୁ ସଂଗ୍ରହ କରୁଥିଲୁ’’ । ‘‘କିନ୍ତୁ ଏବେ, ଦିନକ ଯାକରେ ୩ରୁ ୪ କିଲୋରୁ ଅଧିକ ହେଉନାହିଁ । ବର୍ଷକୁ ବର୍ଷ ସାମୁଦ୍ରିକ ଗୁଳ୍ମର ଆକାର ମଧ୍ୟ ହ୍ରାସ ପାଇଛି ।”
ଏହାକୁ କେନ୍ଦ୍ର କରି ଗଢ଼ି ଉଠିଥିବା ଶିଳ୍ପ କ୍ଷେତ୍ର ମଧ୍ୟ ସଂକୁଚିତ ହୋଇଛି । ୨୦୧୪ ମସିହା ପର୍ଯ୍ୟନ୍ତ ମଦୁରାଇରେ ୩୭ଟି ଅଗର ୟୁନିଟ୍ ଥିଲା ବୋଲି କହନ୍ତି ଏହି ଜିଲ୍ଲାରେ ଏକ ସାମୁଦ୍ରିକ ଗୁଳ୍ମ ପ୍ରକ୍ରିୟାକରଣ କାରଖାନାର ମାଲିକ ଏ.ବୋଷ । ସେ କହନ୍ତି, ଏବେ ମାତ୍ର ୭ଟି ୟୁନିଟ୍ ରହିଛି ଏବଂ ଏସବୁ ସେମାନଙ୍କ କ୍ଷମତାର ୪୦ ପ୍ରତିଶତ କାର୍ଯ୍ୟ କରୁଛନ୍ତି । ବୋଷ୍ ଆଗରୁ ଅଲ୍ ଇଣ୍ଡିଆ ଅଗର ଆଣ୍ଡ ଆଲଜିନେଟ୍ ମ୍ୟାନୁଫ୍ୟାକ୍ଚରର ୱେଲଫେୟାର ଆସୋସିଏସନ୍ର ସଭାପତି ଥିଲେ । ସଦସ୍ୟ ଅଭାବରୁ ଏହି ସଂଗଠନ ଗତ ଦୁଇ ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି ।
ଚାରି ଦଶନ୍ଧିରୁ ଅଧିକ ସମୟ ହେଲା ସମୁଦ୍ରରେ ବୁଡ଼ି ସାମୁଦ୍ରିକ ଗୁଳ୍ମ ସଂଗ୍ରହ କରୁଥିବା ୫୫ ବର୍ଷୀୟା ଏମ୍. ମାରିଆମ୍ମା କହନ୍ତି, “ଆମର କାର୍ଯ୍ୟଦିବସ ସଂଖ୍ୟା କମି ଯାଇଛି’’ । ‘‘ଗୁଳ୍ମ ସଂଗ୍ରହ ଋତୁ ବ୍ୟତୀତ ଅନ୍ୟ ସମୟରେ ଆମକୁ ଆଉ କିଛି କାମ କରିବାର ସୁଯୋଗ ମିଳେନାହିଁ ।”
୧୯୬୪ ମସିହାରେ ମାରିଆମ୍ମା ଯେତେବେଳେ ଜନ୍ମ ହୋଇଥିଲେ, ମାୟାକୁଲାମ ଗାଁରେ ବର୍ଷକୁ ୧୭୯ ଦିନ ଧରି ତାପମାନ ୩୮ ଡିଗ୍ରୀ ସେଲ୍ସିୟସ୍ ବା ତା’ଠାରୁ ଅଧିକ ରହୁଥିଲା। ୨୦୧୯ରେ, ଏଭଳି ଗରମ ଅନୁଭୂତ ହେଉଥିବା ଦିନ ସଂଖ୍ୟା ୨୭୧ ହେଲା, ଯାହାର ଅର୍ଥ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଲା । ଏ ବର୍ଷ ଜୁଲାଇରେ ନ୍ୟୁୟର୍କ ଟାଇମ୍ସ ଦ୍ୱାରା ସଂପାଦିତ ଏବଂ ଅନ୍ଲାଇନ୍ରେ ପ୍ରକାଶିତ ଜଳବାୟୁ ଓ ବିଶ୍ୱ ତାପନ ସଂପର୍କିତ ଏକ ଯାନ୍ତ୍ରିକ ହିସାବ ଅନୁସାରେ ଆଗାମୀ ୨୫ ବର୍ଷରେ ଏହି ଅଞ୍ଚଳରେ ଏଭଳି ଗରମ ଅନୁଭୂତ ଦିନ ସଂଖ୍ୟା ୨୮୬ରୁ ୩୨୪ ଯାଏ ହୋଇପାରେ। ଏଥିରେ ସନ୍ଦେହ ନାହିଁ ଯେ ବିଭିନ୍ନ ସମୁଦ୍ରର ଉତ୍ତାପ ବି ବଢ଼ିବାରେ ଲାଗିଛି ।
କେବଳ ଭାରତୀନଗରର ମତ୍ସ୍ୟଜୀବୀ ମହିଳାଙ୍କ ଉପରେ ନୁହେଁ, ଏସବୁର ପ୍ରଭାବ ଆହୁରି ଅନେକ କ୍ଷେତ୍ରରେ ପଡୁଛି । ଅନୁମୋଦନ ନ କରିଥିଲେ ବି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃ ସରକାରୀ ପ୍ୟାନେଲ୍ (IPCC)ର ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଳବାୟୁର ପ୍ରକୋପ ପ୍ରଶମନ ଦିଗରେ ସାମୁଦ୍ରିକ ଗୁଳ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କଥା ବିଭିନ୍ନ ଅଧ୍ୟୟନରୁ ଜଣାଯାଏ । “ସାମୁଦ୍ରିକ ଗୁଳ୍ମ ସଂପର୍କିତ ଜଳଜୀବ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ” ବୋଲି ଏହି ରିପୋର୍ଟରେ ସ୍ୱୀକାର କରାଯାଇଛି ।
ସେହି ରିପୋର୍ଟର ଅନ୍ୟତମ ପ୍ରମୁଖ ପ୍ରଣେତା ଥିଲେ କୋଲକାତାସ୍ଥିତ ଯାଦବପୁର ବିଶ୍ୱବିଦ୍ୟାଳୟର ସମୁଦ୍ର ବିଜ୍ଞାନ ଅଧ୍ୟୟନ ସଂସ୍ଥାର ପ୍ରଫେସର ତୁହିନ ଘୋଷ। ତାଙ୍କର ମତାମତ ଉତ୍ପାଦନ ହ୍ରାସ ସଂପର୍କରେ ମତ୍ସ୍ୟଜୀବୀ ମହିଳାମାନେ କହୁଥିବା କଥାର ସତ୍ୟତାକୁ ସମର୍ଥନ କରେ। ଟେଲିଫୋନ୍ରେ ସେ PARIକୁ କହିଲେ, “କେବଳ ସାମୁଦ୍ରିକ ଗୁଳ୍ମ ନୁହେଁ, ଆହୁରି ଅନେକ ପ୍ରକ୍ରିୟାର ଗତିଶୀଳତା ହ୍ରାସ ପାଉଛି କିମ୍ବା ତ୍ୱରାନ୍ୱିତ ହେଉଛି (ଯେମିତି କି ପ୍ରବାସନ) । ମତ୍ସ୍ୟ ଉତ୍ପାଦନ, ଚିଙ୍ଗୁଡ଼ିଯାଆଁଳ ଉତ୍ପାଦନ ସହିତ କଙ୍କଡ଼ା ସଂଗ୍ରହ, ମହୁ ସଂଗ୍ରହ, ପ୍ରବାସନ (ଯେମିତି ସୁନ୍ଦରବନରେ ଦେଖାଯାଏ) ସମେତ ସମୁଦ୍ର ଓ ଭୂଭାଗ ସହ ସଂପର୍କିତ ଆହୁରି ଅନେକ କ୍ଷେତ୍ରରେ ଏହା ସତ୍ୟ ।”

M. Palani Kumar
ପ୍ରଫେସର ଘୋଷ କହନ୍ତି, ମତ୍ସ୍ୟଜୀବୀ ସଂପ୍ରଦାୟ ଯାହା କହୁଛନ୍ତି, ତାହା ଯଥାର୍ଥ । “କିନ୍ତୁ, ମତ୍ସ୍ୟ କ୍ଷେତ୍ରରେ, ଏହା କେବଳ ଜଳବାୟୁ ପରିବର୍ତ୍ତନ ଜନିତ ନୁହେଁ, ବରଂ ଟ୍ରଲର ଏବଂ ଶିଳ୍ପ ଭିତ୍ତିକ ମାଛଧରା ଯୋଗୁଁ ସାଂଘାତିକ ଭାବେ ଅତ୍ୟଧିକ ଉପଯୋଗ ବି ଏହାର କାରଣ । ଏସବୁ କାରଣରୁ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ଜଳକ୍ଷେତ୍ରରେ ମାଛଧରା ଦ୍ରୁତ ହାରରେ ହ୍ରାସ ପାଇଛି।”
ଟ୍ରଲର ଯୋଗୁଁ ହୁଏତ ସାମୁଦ୍ରିକ ଗୁଳ୍ମ କ୍ଷତିଗ୍ରସ୍ତ ହୋଇ ନପାରେ, କିନ୍ତୁ ଅତ୍ୟଧିକ ଉପଯୋଗ ଯୋଗୁଁ ନିଶ୍ଚିତ ଭାବେ ହୋଇଥାଏ । ସେହି ପ୍ରକ୍ରିୟାରେ, ଭାରତୀନଗରର ମହିଳା ଓ ସେମାନଙ୍କ ସାଥୀ ସଂଗ୍ରହକାରୀମାନଙ୍କ ନିଜସ୍ୱ ଭୂମିକା କ୍ଷୁଦ୍ର ହେଲେ ବି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ସେମାନଙ୍କ ସହିତ କାମ କରିଥିବା ସାମାଜିକ କର୍ମୀ ଓ ଗବେଷକମାନେ କହନ୍ତି ଯେ, ସେମାନଙ୍କ ଉତ୍ପାଦନ କମି ଯାଉଥିବାରୁ ସେମାନେ ନିଜ ନିଜ ମଧ୍ୟରେ ବୈଠକ କରନ୍ତି ଏବଂ ସୁନିୟୋଜିତ ସଂଗ୍ରହକୁ ଜୁଲାଇରୁ ପାଞ୍ଚ ମାସ ମଧ୍ୟରେ ସୀମିତ ରଖିବାକୁ ସ୍ଥିର କରିଛନ୍ତି । ତା’ପରେ ତିନି ମାସ ପର୍ଯ୍ୟନ୍ତ ସେମାନେ ଆଦୌ ସମୁଦ୍ରକୁ ଯାଆନ୍ତି ନାହିଁ, ଯାହା ଫଳରେ ସାମୁଦ୍ରିକ ଗୁଳ୍ମର ପୁଣି ସୃଷ୍ଟି ହୋଇଥାଏ । ମାର୍ଚ୍ଚରୁ ଜୁନ୍ ଯାଏ ସେମାନେ ସଂଗ୍ରହ କରନ୍ତି ସତ, ହେଲେ ମାସରେ ମାତ୍ର ଅଳ୍ପ କିଛି ଦିନ ପାଇଁ ଏହା କରନ୍ତି । ସରଳ ଭାଷାରେ କହିବାକୁ ଗଲେ ଏହି ମହିଳାମାନେ ସେମାନଙ୍କର ନିଜସ୍ୱ ଆତ୍ମ-ନିୟନ୍ତ୍ରିତ ବ୍ୟବସ୍ଥା ପ୍ରଣୟନ କରିଛନ୍ତି ।
ଯଦିଓ ଏହା ଏକ ବିଚାରଶୀଳ ଦୃଷ୍ଟିକୋଣ, ତଥାପି ଏଥିପାଇଁ ସେମାନଙ୍କୁ କିଛିଟା ମୂଲ୍ୟ ଦେବାକୁ ପଡ଼େ । ମାରିଆମ୍ମା କହନ୍ତି, “ମତ୍ସ୍ୟଜୀବୀ ମହିଳାମାନଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (MGNREGA) ଅଧୀନରେ କାମ ଦିଆଯାଏ ନାହିଁ ’’। ‘‘ଏମିତି କି ଅମଳ ଋତୁରେ ବି ଆମେ ଦିନକୁ ୧୦୦ରୁ ୧୫୦ ଟଙ୍କା ରୋଜଗାର କରୁ ।” ସଂଗ୍ରହ ଋତୁରେ, ପ୍ରତି ମହିଳା ଦିନକୁ ୨୫ କିଲୋଗ୍ରାମ ସାମୁଦ୍ରିକ ଗୁଳ୍ମ ସଂଗ୍ରହ କରନ୍ତି । କିନ୍ତୁ ସେମାନେ ଯେଉଁ ମୂଲ୍ୟ ହାର (ତାହା ବି କମ୍ ହେବାରେ ଲାଗିଛି) ପାଆନ୍ତି ତାହା ସେମାନେ ଆଣିଥିବା ସାମୁଦ୍ରିକ ଗୁଳ୍ମର ପ୍ରକାର ଅନୁସାରେ ବଦଳି ଥାଏ ।
ନିୟମ ଓ ଆଇନରେ ପରିବର୍ତ୍ତନ ଯୋଗୁଁ ସ୍ଥିତି ଆହୁରି ଜଟିଳ ହୋଇଛି । ୧୯୮୦ ମସିହା ପର୍ଯ୍ୟନ୍ତ ସେମାନେ ନାଲ୍ଲାଥିଭୁ, ଚାଲ୍ଲି, ଉପୁଥାନ୍ନି ଭଳି ବହୁ ଦୂରରେ ଥିବା ଦ୍ୱୀପକୁ ଯାଇପାରୁଥିଲେ । ସେଥିରୁ କେତେକ ଦ୍ୱୀପକୁ ଯିବା ଲାଗି ଡଙ୍ଗାରେ ଦୁଇ ଦିନ ଲାଗେ । ଘରକୁ ଫେରିବା ପୂର୍ବରୁ ସେମାନେ ସେଠାରେ ସପ୍ତାହ ପର୍ଯ୍ୟନ୍ତ ରହି ସାମୁଦ୍ରିକ ଗୁଳ୍ମ ସଂଗ୍ରହ କରିପାରୁଥିଲେ । କିନ୍ତୁ ସେହି ବର୍ଷ ୨୧ଟି ଦ୍ୱୀପ ଗଲ୍ଫ ଅଫ୍ ମାନ୍ନାର ମେରାଇନ୍ ନ୍ୟାସନାଲ ପାର୍କ ଅନ୍ତର୍ଭୁକ୍ତ ହେବା ଦ୍ୱାରା ବନ ବିଭାଗର କାର୍ଯ୍ୟ ପରିସରଭୁକ୍ତ ହେଲା । ବନବିଭାଗ ସେମାନଙ୍କୁ ସେସବୁ ଦ୍ୱୀପରେ ରହିବା ପାଇଁ ଅନୁମତି ଦେବାକୁ ମନା କରିଦେଲା ଏବଂ ଏହା ଫଳରେ ସେହି ସବୁ ସ୍ଥାନକୁ ସେମାନଙ୍କ ଯାତାୟାତ ବନ୍ଦ ହୋଇଗଲା । ଏହି କଟକଣା ବିରୋଧରେ ପ୍ରତିବାଦକୁ ସରକାର ସହାନୁଭୂତି ସହିତ ବିଚାର କଲେ ନାହିଁ । ୮,୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଶଙ୍କାରେ ସେମାନେ ସେ ସବୁ ଦ୍ୱୀପକୁ ଆଉ ଯାଆନ୍ତି ନାହିଁ ।

M. Palani Kumar
ତେଣୁ, ରୋଜଗାର ଦିନକୁ ଦିନ କମ୍ ହୋଇଛି । ୧୨ ବର୍ଷ ବୟସରୁ ସାମୁଦ୍ରିକ ଗୁଳ୍ମ ସଂଗ୍ରହ କରିଆସୁଥିବା ଏସ୍. ଅମୃତମ୍ କହନ୍ତି, “ବିଭିନ୍ନ ଦ୍ୱୀପରେ ସପ୍ତାହେ ବିତାଇବା ବେଳେ ଆମେ ଅତି କମ୍ରେ ୧,୫୦୦ ରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲୁ’’। ‘‘ଆମେ ଉଭୟ ମାତ୍ତାକୋରାଇ ଏବଂ ମାରିକୋଝୁନ୍ତୁ ପ୍ରକାରର ସାମୁଦ୍ରିକ ଗୁଳ୍ମ ପାଉଥିଲୁ । ଏବେ ଆମେ ସପ୍ତାହରେ ୧,୦୦୦ ଟଙ୍କା ରୋଜଗାର କରିବା ବି କଷ୍ଟକର ।”
ହୁଏତ ପରିବେଶ ପରିବର୍ତ୍ତନକୁ କେନ୍ଦ୍ର କରି ଲାଗି ରହିଥିବା ବିତର୍କ ବିଷୟରେ ଏହି ସଂଗ୍ରାହକମାନେ ଜାଣି ନଥିବେ। କିନ୍ତୁ ସେମାନେ ଏହାକୁ ଅନୁଭବ କରିଛନ୍ତି ଏବଂ ଏହାର କେତେକ ପ୍ରଭାବ ସଂପର୍କରେ ସଚେତନ ଅଛନ୍ତି । ସେମାନଙ୍କ ଜୀବନ ଓ ଜୀବିକାରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସେମାନେ ଜାଣିଛନ୍ତି । ସମୁଦ୍ରର ଆଚରଣ ଏବଂ ତାପମାନ, ପାଣିପାଗ ଓ ଜଳବାୟୁରେ ପରିବର୍ତ୍ତନକୁ ସେମାନେ ନିରୀକ୍ଷଣ ଏବଂ ଅନୁଭବ କରିଛନ୍ତି । ଅନେକ ପରିବର୍ତ୍ତନ ପଛରେ ମାନବୀୟ କାର୍ଯ୍ୟକଳାପ (ସେମାନଙ୍କ ନିଜସ୍ୱ ସମେତ) କିଛିଟା ଭୂମିକା ରହିଛି ବୋଲି ସେମାନେ ହୃଦୟଙ୍ଗମ କରିଛନ୍ତି । ତା’ ସହିତ ସମଗ୍ର ଜଟିଳ ପ୍ରକ୍ରିୟା ଯୋଗୁଁ ସେମାନଙ୍କର ଏକମାତ୍ର ରୋଜଗାର ପନ୍ଥା ମଧ୍ୟ ବନ୍ଦ ହୋଇଯାଇଛି । ଏବଂ ସେମାନେ ଜାଣିଛନ୍ତି ଯେ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ- ଯାହା କି MGNREGAରୁ ବାଦ ପଡ଼ିବା ସଂପର୍କରେ ମାରିଆମ୍ମା ବକ୍ତବ୍ୟରୁ ଜଣାପଡ଼େ ।
ମଧ୍ୟାହ୍ନରୁ ଜଳସ୍ତର ବଢ଼ିବା ଆରମ୍ଭ କରେ । ତେଣୁ ସେମାନେ ଦିନଯାକର କାର୍ଯ୍ୟ ସମାପନ କରିବା ଆରମ୍ଭ କରନ୍ତି । ଅଳ୍ପ କେଇ ଘଣ୍ଟାରେ ସେମାନଙ୍କ ସେଦିନର ‘ସଂଗ୍ରହ’କୁ ସେମାନେ ନେଇ ଯାଇଥିବା ଡଙ୍ଗାକୁ ଆଣନ୍ତି ଏବଂ କୂଳରେ ପହଞ୍ଚି ଜାଲ ବ୍ୟାଗ୍ଗୁଡ଼ିକୁ ରଖିଦିଅନ୍ତି ।
ଆଉ କିଛି ନହେଲେ ବି ସେମାନଙ୍କ କାର୍ଯ୍ୟକଳାପ ସରଳ ନୁହେଁ ଏବଂ ଏଥିରେ ବିପଦ ଆଶଙ୍କା ରହିଛି । ଦିନକୁ ଦିନ ସମୁଦ୍ରକୁ ଯିବା କଷ୍ଟକର ହୋଇପଡୁଛି ଏବଂ କିଛି ସପ୍ତାହ ତଳେ ଏ ଅଞ୍ଚଳରେ ହୋଇଥିବା ଝଡ଼ରେ ଚାରି ଜଣ ମତ୍ସ୍ୟଜୀବୀ ପ୍ରାଣ ହରାଇଥିଲେ । ମାତ୍ର ତିନିଟି ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ କେବଳ ଚତୁର୍ଥଟି ମିଳିବା ପରେ ହିଁ ପବନର ବେଗ କମିବ ଏବଂ ସମୁଦ୍ର ଶାନ୍ତ ହେବ ।
ସବୁ ସ୍ଥାନୀୟ ଲୋକେ କହନ୍ତି ଯେ ପବନ ଅନୁକୂଳ ନହେଲେ ସମୁଦ୍ର ଭିତରର ସବୁ କାମ ବିପଦପୂର୍ଣ୍ଣ ହୋଇଯାଏ । ଜଳବାୟୁ ସଂପର୍କିତ ପରିସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ସାଙ୍ଗକୁ ଅନେକ ଦିନ ସଂପର୍କରେ କଳନା କରିହେବ ନାହିଁ । ତଥାପି ଜୀବିକାର ଏକମାତ୍ର ପନ୍ଥା ଖୋଜିବା ଲାଗି ମହିଳାମାନେ ଅଶାନ୍ତ ସମୁଦ୍ର ଭିତରକୁ ଯାଆନ୍ତି । ଏହା ଜାଣିଥାଆନ୍ତି ଯେ, ଉଭୟ ଆଳଙ୍କରିକ ଏବଂ କେବେକେବେ ଆକ୍ଷରିକ ଅର୍ଥରେ ସେମାନେ ଅଶାନ୍ତ ସମୁଦ୍ର ଭିତରେ ବାଟବଣା ହେବାକୁ ଯାଉଛନ୍ତି ।

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar

M. Palani Kumar
କଭର ଫଟୋ: ଜାଲ ତିଆରି ବ୍ୟାଗ୍କୁ ଟାଣୁଛନ୍ତି ଏ. ମୁକୁପୋରି । ଏବେ ତାଙ୍କୁ ୩୫ବର୍ଷ । ସାମୁଦ୍ରିକ ଗୁଳ୍ମ ସଂଗ୍ରହ ପାଇଁ ଆଠ ବର୍ଷ ବୟସରୁ ସେ ସମୁଦ୍ର ଭିତରକୁ ଡାଇଭ୍ ମାରି ଆସୁଛନ୍ତି (ଫଟୋ: ଏମ୍. ପାଲାନି କୁମାର/PARI)
ଏହି ଲେଖା ପ୍ରସ୍ତୁତି ପାଇଁ ସାଦର ସହାୟତା କରିଥିବା ସେନ୍ଥାଲିର ଏସ୍.ଙ୍କୁ ଅନେକ ଅନେକ ଧନ୍ୟବାଦ
ସାଧାରଣ ଲୋକଙ୍କ ସ୍ୱର ଓ ନିତିଦିନିଆ ଅନୁଭୂତି ଜରିଆରେ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ଆକଳନ ପାଇଁ UNDP ସହାୟତାରେ ଚାଲିଥିବା PARIର ଦେଶବ୍ୟାପୀ ଖବର ସଂଗ୍ରହ ପ୍ରକଳ୍ପର ଅଂଶବିଶେଷ । ଏହି ଲେଖାକୁ ପୁଣି ପ୍ରକାଶିତ କରିବାକୁ ଚାହୁଁଛନ୍ତି କି ? ଦୟାକରି [email protected]କୁ ଲେଖନ୍ତୁ । ମେଲ୍ର କପି[email protected]ପଠାନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଦୁଃସ୍ଥିତିରେ-ତାମିଲନାଡୁର-ସାମୁଦ୍ରିକ-ଗୁଳ୍ମ-ସଂଗ୍ରାହକ

