ଦୀନକର ଆଇୱଲେଙ୍କ ପାଇଁ ଚଳିତ ବର୍ଷ ଅତ୍ୟନ୍ତ ନିରାଶାପୂର୍ଣ୍ଣ ଥିଲା, ଅନେକ ମାସ ଧରି ତାଙ୍କ ବଂଶୀରୁ କୌଣସି ସ୍ୱର ବାହାରି ନାହିଁ। “ଏ ଯନ୍ତ୍ର ସିଧାସଳଖ ମୁହଁ ସଂସ୍ପର୍ଶରେ ଆସିଥାଏ। ଏ କରୋନା କାଳରେ ଏପରି ସଂସ୍ପର୍ଶରେ ଆସିବା ବିପଦପୂର୍ଣ୍ଣ”, ଇଟା ଓ ମାଟିରେ ତିଆରି ନିଜ ଘର ଭିତରେ ଥିବା କାର୍ଯ୍ୟଶାଳାରେ ବସି ସେ କୁହନ୍ତି।
ତାଙ୍କ ପାଖରେ ଥୁଆ ହୋଇଥିବା ଗୋଟିଏ କାଠ ବାକ୍ସରେ ବିଭିନ୍ନ ପ୍ରକାର ସରଞ୍ଜାମ ପୂରି ରହିଛି। ଯଦି ସେ ସେଗୁଡ଼ିକର ଉପଯୋଗ କରିବେ, ଯାହାକି ସେ ଗୋଟିଏ ବର୍ଷ ପୂର୍ବରୁ କରୁଥିଲେ, ତା’ହେଲେ ତାଙ୍କୁ ଗୋଟିଏ କୋଣରେ ସିଧା ହୋଇ ରଖାଯାଇଥିବା, କଞ୍ଚା ହଳଦିଆ ବାଉଁଶର କାଠିରୁ ବଇଁଶୀ ତିଆରି କରିବା ଲାଗି ଏକ ଘଣ୍ଟାରୁ କମ ସମୟ ଲାଗିବ।
ମାତ୍ର ଏହା କରିବା ପରିବର୍ତ୍ତେ, ୭୪ ବର୍ଷୀୟ ଦୀନକର ଆମର ଆଲୋଚନା ସମୟରେ ବାଉଁଶଗୁଡ଼ିକୁ କେବଳ ଚାହିଁ ରହିଥିଲେ। ମାର୍ଚ୍ଚ ୨୦୨୦ରେ ଲକ୍ଡାଉନ୍ ଆରମ୍ଭ ହେବା ପରେ ତାଙ୍କ କାମ ସମ୍ପୂର୍ଣ୍ଣ ଭାବେ ଅଟକି ଯାଇଥିଲା-ନିଜର ଏହି ଶିଳ୍ପରେ ଦକ୍ଷତା ଅର୍ଜନ କରିବା ଲାଗି ସେ ପାଖାପାଖି ୧୫୦,୦୦୦ ଘଣ୍ଟା ପର୍ଯ୍ୟନ୍ତ କାମ କରିସାରିଛନ୍ତି, ଏବଂ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି, ବର୍ଷକୁ ୨୫୦ ଦିନ ଠାରୁ ଆରମ୍ଭ କରି ୨୭୦ ଦିନ ପର୍ଯ୍ୟନ୍ତ, ଦୈନିକ ୧୦ ଘଣ୍ଟା ପରିଶ୍ରମ କରୁଥିଲେ।
୧୯ ବର୍ଷ ବୟସରୁ ସେ ବଂଶୀ ତିଆରି କରିବା ଆରମ୍ଭ କରିଥିଲେ, ସେବେଠାରୁ ଆଇୱଲେ ଏତେ ଦୀର୍ଘ ସମୟ ଧରି କେବେବି ବିଶ୍ରାମ ନେଇନଥିଲେ। ସେହିପରି ତାଙ୍କୁ ବିଗତ ବର୍ଷ ଶହ ଶହ କିଲୋମିଟର ଯାତ୍ରା କରିବାକୁ ପଡ଼ିନଥିଲା, ଯେପରି ଯାତ୍ରା ତାଙ୍କୁ ସାଧାରଣତଃ ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିଭିନ୍ନ ଯାତ୍ରା (ମେଳା)ରେ ବଂଶୀ ବିକ୍ରି କରିବା ଲାଗି କରିବାକୁ ପଡ଼ିଥାଏ। ଯାତ୍ରା ଭଳି ବଡ଼ ସମାରୋହ ପାଇଁ ଏଯାଏଁ ଅନୁମତି ମିଳିପାରିନାହିଁ।












