“ମୋର ମୋବାଇଲ୍ ଫୋନ୍ ନାହିଁ, ମୁଁ କିଭଳି ଭାବେ ସରକାରଙ୍କ ପାଖରେ ପଞ୍ଜିକରଣ କରିପାରିବି?” ବୋଲି କୁନି ତମାଳିଆ ନାମକ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାର ଆନ୍ନାରାମ ଗ୍ରାମରେ କାମ କରୁଥିବା ଜଣେ ଇଟାଭାଟି ଶ୍ରମିକ ପଚାରିଲେ। ସେ ଭାବିଥିଲେ ଯେ ବୋଧହୁଏ ଆମେମାନେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ତାଙ୍କ ନାମ ପଞ୍ଜିକରଣ କରିବାରୁ ସେଠାକୁ ଆସିଛୁ ଯାହା ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ଓଡିଶାରେ ପହଞ୍ଚାଇବ ।
ତେଲେଙ୍ଗାନା ସରକାରଙ୍କ ୱେବ୍ସାଇଟ୍ରେ ଟ୍ରାନ୍ସପୋର୍ଟ ପାଇଁ ଅନୁରୋଧ କରିବାକୁ ହେଲେ ପ୍ରବାସୀ ଶ୍ରମିକମାନଙ୍କୁ ଏକ ଫୋନ୍ ନମ୍ବର ଦେବା ବାଧ୍ୟତାମୂଳକ ଅଟେ – ଓଡିଶା ସରକାର ମଧ୍ୟ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଖରେ ସମାନ ଦାବି ରଖିଛନ୍ତି।
“ଆଉ ମୁଁ ସେମାନଙ୍କ ଆଧାର କାର୍ଡ ଗାଁ’ରେ ଛାଡି ଦେଇଛି । ସେମାନଙ୍କୁ କ’ଣ ଟ୍ରେନ୍ରେ ଚଢିବାକୁ ଅନୁମତି ମିଳିବ?" ତାଙ୍କର ଦୁଇ ପୁଅ- ଭକ୍ତ (୧୫) ଓ ଜଗନ୍ନାଥ (୯)ଙ୍କ ଆଡକୁ ଉଦ୍ବିଗ୍ନତା ସହିତ ଦେଖି ସେ ପଚାରିଲେ । କୁନି କହିଲେ ଯେ ତାଙ୍କର ବୟସ ପ୍ରାୟ ୪୦ ବର୍ଷ ହେବ ଯଦିଓ ଆଧାର କାର୍ଡରେ ତାଙ୍କର ବୟସ ୬୪ ବର୍ଷ ବୋଲି ଉଲ୍ଲେଖ କରାଯାଇଛି । “କାର୍ଡରେ କଣ ଲେଖାଯାଇଛି ତାହା ମୁଁ ଜାଣେନାହିଁ; ସେମାନେ କେବଳ କମ୍ପ୍ୟୁଟରରେ ଏହାକୁ ଲେଖିଦେଲେ ।
ସେ ନଭେମ୍ବର ୨୦୧୯ରେ ଏକ ଭାଟିରେ କାମ ଆରମ୍ଭ କରିଥିଲେ ଓ ମେ ମାସ ଶେଷରେ ତାଙ୍କ କାର୍ଯ୍ୟ ଅବଧି ଶେଷ ହେବା ପରେ ସେ ଓଡିଶାକୁ ଫେରିଯିବା କାର୍ଯ୍ୟକ୍ରମ ଥିଲା । ହେଲେ ତାଲାବନ୍ଦ କାରଣରୁ କୁନି, ଜଣେ ବିଧବା ମହିଳା ଯିଏ ପ୍ରଥମ ଥର ପାଇଁ ଇଟା ଭାଟିରେ କାମ କରୁଛନ୍ତି, ପାଇଁ ସବୁକିଛି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ସେ ଓ ତାଙ୍କ ପିଲାମାନଙ୍କୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଦୋମୁହାଣି ଗ୍ରାମରୁ ଟ୍ରକ୍ ରେ ଗୁମ୍ମାଡିଡଲା ମଣ୍ଡଳର ଅନ୍ନାରମ୍କୁ ଅଣାଯାଇଥିଲେ।
କୁନି ତାଙ୍କ ପିଲାମାନଙ୍କ ସହିତ ଆନ୍ନାରାମ ଆସିବାର କିଛି ସପ୍ତାହ ପରେ , ସେଠାକୁ ଓଡିଶାରୁ ସୁମିତ୍ରା ପ୍ରଧାନ ,୪୨, ମଧ୍ୟ ଆସି ପହଞ୍ଚିଥିଲେ – ତାଙ୍କର ସ୍ୱାମୀ ଗୋପାଳ ରାଉତ, ୪୦, ଓ ତାଙ୍କର ପାଞ୍ଚଟି ସନ୍ତାନଙ୍କ ସହିତ । ସେମାନେ ଗତ ୭-୮ ବର୍ଷ ହେବ ବଲାଙ୍ଗିର ଜିଲ୍ଲାର ଟିଟ୍ଲାଗଡ ବ୍ଲକ୍ ଅନ୍ତର୍ଗତ ଶଗଡଘାଟ ଗ୍ରାମରୁ ଭାଟିରେ କାମ କରିବାକୁ ଆସୁଛନ୍ତି । ତାଙ୍କର ବଡ ପୁଅ ୨୦ ବର୍ଷ ବୟସ୍କ ରାଜୁ ମଧ୍ୟ ତାଙ୍କ ବାପାମାଙ୍କ ସହିତ ମିଶି କାମ କରନ୍ତି । ସେମାନେ ଘର ଛାଡିବା ପୂର୍ବରୁ, ଇଟା ବୁହାଳି ଭାବେ କାମ କରିବାକୁ ଠିକାଦାର ଏହି ତିନି ଜଣଙ୍କୁ ଅଗ୍ରୀମ ଭାବେ ମୋଟ ୭୫, ୦୦୦ ଟଙ୍କା ଦେଇଛନ୍ତି ।






