ଅଞ୍ଜନୀ ଯାଦବ ୨୦୨୦ ଅଗଷ୍ଟରେ ନିଜର ଦ୍ୱିତୀୟ ପ୍ରସବ ପରେ ନିଜ ବାପାଙ୍କ ଘରକୁ ଆସିଥିଲେ । ସେବେଠାରୁ ସେ ତାଙ୍କ ସ୍ୱାମୀ ବା ଶାଶୁ-ଶ୍ୱଶୁରଙ୍କ ପାଖକୁ ଯାଇନାହାନ୍ତି । ୩୧ ବର୍ଷୀୟା ଅଞ୍ଜନୀ ଏବଂ ତାଙ୍କର ଦୁଇ ପିଲା ଏବେ ବିହାରର ଗୟା ଜିଲ୍ଲା ବୋଧଗୟା ବ୍ଲକ୍ ଅଧୀନ ବକରୌର ଗାଁରେ ଥିବା ତାଙ୍କ ବାପ ଘରେ ରହୁଛନ୍ତି । ସେ ନିଜ ସ୍ୱାମୀଙ୍କ ଗାଁ ନାଁ ନେଉନାହାନ୍ତି ଯଦିଓ ତାହା ମାତ୍ର ଅଧା ଘଣ୍ଟା ଦୂର ରାସ୍ତାରେ ଅବସ୍ଥିତ ।
‘‘ସରକାରୀ ହସ୍ପିଟାଲରେ ମୋ ପ୍ରସବର ଦୁଇ ଦିନ ପରେ, ମୋ ଭାଉଜ (ସ୍ୱାମୀଙ୍କ ଭାଉଜ) ମୋତେ ରୋଷେଇ କରିବାକୁ ଏବଂ ଘର ସଫେଇ କରିବାକୁ କହିଲେ । ସେ କହିଲେ ଯେ ତାଙ୍କର ପ୍ରଥମ ପିଲା ଜନ୍ମ କରିବା ପରେ ଘରକୁ ଆସିବା ପରେ ସେ ବି ସମାନ କାମ କରିଥିଲେ । ସେ ମୋ’ଠାରୁ ୧୦ ବର୍ଷ ବଡ଼ । ମୋର ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଏମିତିକି ପିଲା ଜନ୍ମ ହେବା ପୂର୍ବରୁ ନର୍ସ କହିଥିଲେ ଯେ ମୋର ରକ୍ତ ହୀନତା ଥିଲା(ଗୁରୁତର ଆନିମିଆ) ଏବଂ ଫଳ ଓ ପନିପରିବା ଖାଇବା ଦରକାର । ଯଦି ମୁଁ ମୋର ଶାଶୁ ଘରେ ଥାଆନ୍ତି, ମୋର ଅବସ୍ଥା ଆହୁରି ଖରାପ ହୋଇଯାଇଥାଆନ୍ତା ।’’
ନିକଟରେ ଆସିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ଅନୁସାରେ ଗତ ୫ ବର୍ଷ ଭିତରେ ଦେଶର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିଶୁ ଓ ମହିଳାମାନଙ୍କଠାରେ ରକ୍ତହୀନତା ସମସ୍ୟା ଅଧିକ ଦେଖାଯାଉଛି ।
ଅଞ୍ଜନୀ ଆହୁରି କହିଲେ ଯେ ତାଙ୍କର ସ୍ୱାମୀ, ୩୨ ବର୍ଷୀୟ ସୁଖୀରାମ ଗୁଜରାଟର ସୁରଟରେ ଗୋଟିଏ ସୂତା କଳରେ କାମ କରନ୍ତି । ସେ ଦେଢ଼ ବର୍ଷ ହେଲା ଘରକୁ ଆସିନାହାନ୍ତି । ‘‘ସେ ପିଲା ଜନ୍ମ ବେଳେ ଘରକୁ ଆସିବାର ଥିଲା, କିନ୍ତୁ ତାଙ୍କ କମ୍ପାନୀ ଚେତାବନୀ ଦେଲା ଯେ ଦୁଇ ଦିନରୁ ଅଧିକ ଛୁଟି ନେଲେ ସେମାନେ କାମରୁ ବାହାର କରିଦେବେ । ଏହି କୋରୋନା ରୋଗ ପରେ ଆମ ଭଳି ଗରିବଙ୍କର ସ୍ଥିତି ଆର୍ଥିକ, ମାନସିକ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆହୁରି ଖରାପ ହୋଇଯାଇଛି । ତେଣୁ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ଥିଲି ଆଉ ନିଜେ ନିଜେ ସବୁ କରୁଥିଲି ।
ସେ ପରୀକୁ କହିଲେ, ‘‘ତେଣୁ ତାଙ୍କ ଅନୁପସ୍ଥିତିରେ ମୋ ପାଇଁ ସୃଷ୍ଟି ହୋଇଥିବା ମରଣାନ୍ତର ପରିସ୍ଥିତିରୁ ମୋତେ ପଳାଇ ଆସିବାକୁ ହେଲା । ପ୍ରସବ ପରବର୍ତ୍ତୀ ଯତ୍ନ କଥା ଛାଡ଼ନ୍ତୁ, ମୋତେ କେହି ପିଲାର ଦେଖାଶୁଣା କରିବାରେ ବି ସାହାଯ୍ୟ କରୁ ନ ଥିଲେ । ଅଞ୍ଜନୀ ଯାଦବ ଏବେ ବି ଗୁରୁତର ରକ୍ତହୀନତାର ଶିକାର ଅଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ଅନ୍ୟ ମହିଳାଙ୍କ ଭଳି ।
NFHS-5 ରିପୋର୍ଟ ଅନୁସାରେ ବିହାରରେ ପ୍ରାୟ ୬୪ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ।
କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦ର ବୈଶ୍ୱିକ ପୋଷଣ ରିପୋର୍ଟ ଅନୁସାରେ, ‘‘ପ୍ରଜନନ ଆୟୁର ମହିଳାଙ୍କ ମଧ୍ୟରେ ରକ୍ତହୀନତା କମ୍ କରିବା ପାଇଁ ଲକ୍ଷ୍ୟ ପ୍ରାପ୍ତି ଦିଗରେ ଭାରତ କୌଣସି ପ୍ରଗତି କରିନାହିଁ । ଏବେ ବି ୧୫ରୁ ୪୯ ବର୍ଷ ବୟସ ମଧ୍ୟରେ ୫୧.୪ ପ୍ରତିଶତ ମହିଳା ଏହା ଦ୍ବାରା ପ୍ରଭାବିତ ।’’








