“ତାଲାବନ୍ଦ ଯୋଗୁଁ ଇଟାଭାଟିଗୁଡିକ ବନ୍ଦ ହୋଇନି। ଆମେମାନେ ସବୁଦିନ ଭଳି ଏଠାରେ ଆମ କାମ ଜାରି ରଖିଛୁ,” ବୋଲି ଏପ୍ରିଲ ୫ରେ ହୃଦୟ ପରାଭୁଏଙ୍କୁ ମୁଁ ଯେତେବେଳେ ସାକ୍ଷାତ କରିଥିଲି ସେତେବେଳେ ସେ କହିଥିଲେ । “ଏଠାରେ କେବଳ ଗୋଟିଏ ପରିବର୍ତ୍ତନ ଘଟିଛି ଯାହା ହେଉଛି ଏଠାରେ ବସୁଥିବା ସାପ୍ତାହିକ ହାଟ ବନ୍ଦ ହୋଇଯାଇଛି, ଯାହା ଫଳରେ ନିଯୁକ୍ତିଦାତାଙ୍କ ଠାରୁ ଆମକୁ ମିଳୁଥିବା ସାପ୍ତାହିକ ଭତ୍ତା ରାଶିରେ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ଜିନିଷ ସବୁ କିଣିବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି’’ ।
ଗତ ତିନି ବର୍ଷ ହେବ ହୃଦୟ ତେଲେଙ୍ଗାନାର ଏକ ଭାଟିରେ କାମ କରି ଆସୁଛନ୍ତି – ଋଣ ଚାପ ଯୋଗୁଁ ସେ ବାଧ୍ୟ ହୋଇ ଏହି କାମ ଆପଣେଇଛନ୍ତି । ପ୍ରତିବର୍ଷ ସେ ତାଙ୍କ ସ୍ତ୍ରୀଙ୍କୁ ଓଡିଶାର ବଲାଙ୍ଗୀର ଜିଲ୍ଲାର ତୁରେକେଲା ତାଲୁକା ଅନ୍ତର୍ଗତ ତାଙ୍କ ଗ୍ରାମ ଖୁଟୁଲୁମୁଣ୍ଡାରେ ଛାଡି ଏଠାକୁ ଆସନ୍ତି । “ମୁଁ ମୋର ଗ୍ରାମରେ ଲୋହାକାର [କମାର] ଭାବେ କାମ କରି ଭଲ ଉପାର୍ଜନ କରୁଥିଲି କିନ୍ତୁ ମୋର ଘର ତିଆରି କରିବା ପାଇଁ ମୋତେ ଋଣ ନେବାକୁ ପଡିଲା । ତାପରେ ନୋଟ୍ବନ୍ଦି [ବିମୁଦ୍ରାକରଣ] ହୋଇଗଲା,” ବୋଲି ସେ ମିଶାମିଶି ହିଡ଼୍ଧଈରେ କହିଲେ । “ମୋ ଗ୍ରାମରେ କାମଧନ୍ଦା ବିଶେଷ ମିଳେନି ଓ ସେପଟେ ମୋର ଋଣ ଭାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମୁଁ ବାଧ୍ୟ ହୋଇ ମୁଁ ଏଠାକୁ ଇଟା ତିଆରି କରିବାକୁ ଆସିଲି । ଏଠାରେ ସମସ୍ତେ ଋଣଗ୍ରସ୍ତ ଅଟନ୍ତି [ଭାଟିରେ]।’’
ମାର୍ଚ୍ଚ ୨୫ରେ ଅପ୍ରତ୍ୟାଶିତ ଭାବେ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁଁ ସଙ୍ଗାରେଡ୍ଡୀ ଜିଲ୍ଲାର ଜିନ୍ନାରାମ ମଣ୍ଡଳର ଗଦ୍ଦିପୋଥରାମ୍ ଗ୍ରାମରେ ହୃଦୟ କାମ କରୁଥିବା ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ଦ୍ୱନ୍ଦରେ ପଡିଯାଇଛନ୍ତି ତଥା ସେମାନେ ଅନିଶ୍ଚିତା ଦେଇ ଗତି କରୁଛନ୍ତି । “ପ୍ରତି ଶୁକ୍ରବାର ଦିନ ଆମେ ଏଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ଗ୍ରାମ୍ୟ ବଜାରକୁ ଆମର ସାପ୍ତାହିକ ଭତ୍ତା ନେଇ ପନିପରିବା, ଖାଦ୍ୟଶସ୍ୟ କିଣିବା ପାଇଁ ଯାଉଥିଲୁ” ବୋଲି ଜୟନ୍ତି ପରାଭୁଏ, ସେହି ଭାଟିରେ କାମ କରୁଥିବା ହୃଦୟଙ୍କ ଜଣେ ଦୂର ସମ୍ପର୍କୀୟ କୁହନ୍ତି । “କିଛି ଲୋକ ମଦ ମଧ୍ୟ କିଣନ୍ତି । ବର୍ତ୍ତମାନ ତାଲାବନ୍ଦ କାରଣରୁ ବଜାର ବନ୍ଦ ହୋଇଯାଇଥିବାରୁ ସେସବୁ ବନ୍ଦ ହୋଇଯାଇଛି’’।
ଯଦିଓ ତାଲାବନ୍ଦ ଆରମ୍ଭ ହେବାର ଦୁଇଦିନ ପରେ କିଛି ଶ୍ରମିକ ଶୁକ୍ରବାର ବଜାରରୁ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ସମର୍ଥ ହୋଇପାରିଲେ, ହେଲେ ପରବର୍ତ୍ତୀ ଶୁକ୍ରବାର ଦିନ ବଜାର ପୂରା ବନ୍ଦ ହୋଇଯିବାରୁ ସେମାନେ ଅସୁବିଧାରେ ପଡିଗଲେ। “ବର୍ତ୍ତମାନ ଖାଦ୍ୟ ଯୋଗାଡ କରିବାକୁ କଷ୍ଟ ହେଉଛି,” ବୋଲି ହୃଦୟ କହିଥିଲେ। “ଆମେ ଦୋକାନ ଖୋଜି ଖୋଜି ଯେତେବେଳେ ଗ୍ରାମ ଭିତରକୁ ଟିକିଏ ଅଧିକ ଦୂର ପର୍ଯନ୍ତ ସାହସ ସହିତ ପଶିବାକୁ ଆରମ୍ଭ କଲୁ ସେତେବେଳେ ଆମେମାନେ ସେମାନଙ୍କ ଭାଷା [ତେଲୁଗୁ] କହୁନଥିବା କାରଣରୁ ପୋଲିସ୍ ଆମକୁ ସେଠାରୁ ଘଉଡାଇ ଦେଲା।’’








