“ମୋ ଜୀବନର କାହାଣୀ ଶୁଣାଇବା ଲାଗି ମୁଁ ଆପଣଙ୍କ ଉପରେ ଭରସା କରିପାରେ କି?”
ଏହା ଏକ ପ୍ରତ୍ୟକ୍ଷ ଓ ଆହ୍ୱାନପୂର୍ଣ୍ଣ ପ୍ରଶ୍ନ ଥିଲା ଯାହା ଆପଣ ପଚାରି ପାରିଥାନ୍ତେ। ଏହି ପ୍ରଶ୍ନ ପଚାରିବା ଲାଗି ପ୍ରଶ୍ନକର୍ତ୍ତାଙ୍କ ନିକଟରେ ଏକ ଉତ୍କୃଷ୍ଟ କାରଣ ଥିଲା। କାରଣ ତାମିଲନାଡ଼ୁର ଭିଲ୍ଲୁପୁରମ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଜଣେ ମହିଳା ଜନନୀ (ଛଦ୍ମନାମ), ନିଜ ଜୀବନର କାହାଣୀ କହିଛନ୍ତି : “ଯକ୍ଷ୍ମା ଏହାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା”।
ତାଙ୍କ ବାହାଘରକୁ ମାତ୍ର ଦେଢ଼ ବର୍ଷ ଏବଂ ତାଙ୍କର ଏକ ଚାରି ମାସର ପୁଅ ଥିବା ସମୟରେ ସେ ଯକ୍ଷ୍ମାରେ ସଂକ୍ରମିତ ହୋଇଥିଲେ। “ତାହା ଥିଲା ମେ ୨୦୨୦ର ଘଟଣା ଏବଂ ମୋର ଲକ୍ଷଣ (ଲଗାତାର କଫ ଓ ଜ୍ୱର) ପାଖାପାଖି ଏକ ମାସ ଧରି ଲାଗି ରହିଥିଲା।” ଯେତେବେଳେ ସବୁ ନିୟମିତ ଯାଞ୍ଚ ଫେଲ ମାରିଲା, ଡାକ୍ତରମାନେ ତାଙ୍କୁ ଟିବି ପରୀକ୍ଷା କରାଇବାକୁ ପରାମର୍ଶ ଦେଲେ। “ସେମାନେ ଯେତେବେଳେ ଯକ୍ଷ୍ମା ବୋଲି ସୁନିଶ୍ଚିତ କଲେ, ମୁଁ ଭାଙ୍ଗି ପଡ଼ିଲି। ମୁଁ ଜାଣିଥିବା କାହାକୁ ଏହି ରୋଗ ହୋଇନଥିଲା ଏବଂ ମୁଁ କେବେ ବି କଳ୍ପନା କରିପାରିନଥିଲି ଯେ ଏହା ମୋତେ ହେବ ବୋଲି।
“ଏମିତି ଏକ ରୋଗ ଯାହାକୁ ମୋ ଗାଁରେ ଘୃଣା ଦୃଷ୍ଟିରେ ଦେଖାଯାଏ, ଏପରି ଏକ ଅସୁସ୍ଥତା ଯାହା ସମସ୍ତ ସାମାଜିକ ସମ୍ପର୍କକୁ ବିଚ୍ଛିନ୍ନ କରିଥାଏ-ତାହା ମୋତେ ହେଲା!”
ସେହି ଦିନ ଠାରୁ, ୨୭ ବର୍ଷୀୟା ଜନନୀଙ୍କୁ ଭଲ ପାଉଥିବା ତାଙ୍କ ସ୍ୱାମୀ ମଧ୍ୟ ସବୁବେଳେ ତାଙ୍କୁ କଟୁ କଥା କହିବାକୁ ଲାଗିଲେ। କାରଣ ସେ ମଧ୍ୟ ରୋଗରେ ସଂକ୍ରମିତ ହୋଇଯିବେ ବୋଲି ଆଶଙ୍କା କରୁଥିଲେ। “ସେ ମୋତେ ଗାଳି ଦେଉଥିଲେ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ। ତାଙ୍କ ମା’ ଆମ ବାହାଘରର ଗୋଟିଏ ବର୍ଷ ପରେ ପୂର୍ବରୁ ଥିବା କିଡନୀ ରୋଗ କାରଣରୁ ଆରପାରିକୁ ଚାଲିଯାଇଥିଲେ। କିନ୍ତୁ ମୋ ସ୍ୱାମୀ ଭାବୁଥିଲେ ମୋ କାରଣରୁ ଏହା ଘଟିଛି।”
ସେହି ସମୟରେ ଯଦି ଜଣେ ବ୍ୟକ୍ତି ଯିଏକି ଗମ୍ଭୀର ବିପଦରେ ପଡ଼ିଥିଲେ ସେ ହେଉଛନ୍ତି ଜନନୀ ନିଜେ।
ଭାରତରେ ସଂକ୍ରାମକ ରୋଗ ମଧ୍ୟରୁ ଯକ୍ଷ୍ମାରେ ଅଧିକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇଥାନ୍ତି।










