‘‘ବେଳେବେଳେ, ଜଣେ ଜଣେ ମହିଳା ଗୋଟିଏ ପ୍ୟାକେଟ୍ କଣ୍ଡୋମ ନେବା ଲାଗି ମୋତେ ଡାକିଥାନ୍ତି କିମ୍ବା ତାଙ୍କ ପରିବାରର କୌଣସି ପୁରୁଷ ସଦସ୍ୟଙ୍କୁ ମୋ ଘରକୁ ପଠାଇଥାନ୍ତି’’, କଳାବତୀ ସୋନୀ କୁହନ୍ତି । ମହିଳାମାନଙ୍କୁ ଜରୁରି ସାମଗ୍ରୀ ଯୋଗାଇ ଦେଇଥିବା ଟିକାରୀ ଗ୍ରାମର ଏହି ୫୪ ବର୍ଷୀୟା ମହିଳା ‘ଡିପୋ ଦିଦି’ ବିଳମ୍ବିତ ରାତିରେ ଡାକିଲେ ସୁଦ୍ଧା ବିବ୍ରତ ହୁଅନ୍ତି ନାହିଁ । ଉତ୍ତର ପ୍ରଦେଶର ଆମେଥି ଜିଲ୍ଲାରେ ଥିବା ନିଜ ଗାଁର ଏକ ଛୋଟିଆ ଘର ବାରଣ୍ଡାରେ ଖଟିଆ ଉପରେ ବସିଥିବା ବେଳେ ମଜାଳିଆ ଢଙ୍ଗରେ ସେ କହିଥିଲେ, ‘‘ରାତିରେ ସୁଦ୍ଧା ମୁଁ ଖୋଲା ଥାଏ ।’’ ‘‘ଇତନୀ କୋଇ ବଡ଼ି ବାତ୍ ନହିଁ ହୈ (ଏତେ କୌଣସି ବଡ଼ କଥା ନୁହେଁ),’’ କଳାବତୀ ତାଙ୍କର କାମ ବିଷୟରେ କହିଥିଲେ ।
ଗାଁରେ କାର୍ଯ୍ୟରତ ଏକ ଅଣ-ସରକାରୀ ସ୍ୱେଚ୍ଛାସେବୀ ସଂଗଠନ ଠାରୁ ‘ଡିପୋ ଦିଦି’ଙ୍କ ବିଷୟରେ ଶୁଣିବା ପରେ ଆମେ କୌତୁହଳବଶତଃ ତାଙ୍କ ଘରେ ଯାଇ ପହଞ୍ଚିଥିଲୁ । ‘‘ଏଇ! ଯାଇ ସେ ବ୍ୟାଗ୍ ଆଣ’’, କଳାବତୀ ତାଙ୍କ ନାତିକୁ ଡାକି କହିଥିଲେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ପିଲାଟି ଦୌଡ଼ି ଯାଇ ଦୁଇ ମହଲା ବିଶିଷ୍ଟ ପକ୍କା ଘର ଭିତରୁ ଭର୍ତ୍ତି ହୋଇଥିବା ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ନେଇ ଆସିଲା । ବ୍ୟାଗ ଭିତରେ କିଛି କଣ୍ଡୋମ, ସାନିଟାରୀ ନାପକିନ, ଗର୍ଭନିରୋଧକ ବଟିକା, ଓଆରଏସ ପ୍ୟାକେଟ୍ ଆଦି ରହିଥିଲା । ସେଗୁଡ଼ିକୁ ପ୍ରଦର୍ଶନୀ କଲା ଭଳି ସେ ଖଟିଆ ଉପରେ ବିଛାଇ ରଖିଦେଲେ।
‘‘ଇତନୀ କୋଇ ବଡ଼ି ବାତ୍ ନହିଁ ହୈ,’’ ସେ ଜୋର ଦେଇ କହିଥିଲେ । ‘‘ପ୍ରଥମେ ମୁଁ ପରିବାରର ଛୋଟ ଛୋଟ କଥା ବିଷୟରେ ଆଲୋଚନା କରିଥାଏ । ଆମେ ଘରର ପରିସ୍ଥିତି, ଶାଶୂଙ୍କ ସମ୍ପର୍କରେ ଅଭିଯୋଗ, ପିଲାମାନଙ୍କ ବିଷୟରେ କିଛି କଥା ଆଲୋଚନା କରିଥାଉ । ମୁଁ ଧୈର୍ଯ୍ୟର ସହ ସବୁ ଶୁଣିଥାଏ । ଧୀରେ ଧୀରେ, ଏହି ଆଲୋଚନା ଆଗକୁ ବଢ଼ିଥାଏ – ମୁଁ ବେଶୀ ଟିକେ ଗପୁଡ଼ି, ଆପଣ ଦେଖନ୍ତୁ ନା – କଥାବାର୍ତ୍ତାରୁ ସବୁ ମହିଳା ପ୍ରାୟ ସମାନ ସମସ୍ୟାର ସମ୍ମୁଖିନ ହେଉଥିବା ମୁଁ ହୃଦୟଙ୍ଗମ କରିପାରିଥିଲି । ତା’ହେଲେ ଜଣେ କାହିଁକି ଅନ୍ୟ ଜଣଙ୍କୁ ସାହାଯ୍ୟ କରିବ ନାହିଁ? ଏତିକି ତ’ କଥା’’, କଳାବତୀ କହିଥିଲେ । ଏମିତି ଭାବେ ସେ ଟିକାରୀର ‘ଡିପୋ ଦିଦି’ ହୋଇଥିବା କହିଥିଲେ ।
ଜରୁରି ସ୍ୱାସ୍ଥ୍ୟ ସାମଗ୍ରୀ ଯୋଗାଇ ଦେବା ସହିତ ଉନ୍ନତ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ଦେଉଥିବା ଜନସମୁଦାୟର ମହିଳାମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଡିପୋ ହୋଲ୍ଡର’ ବା ଡିପୋଧାରୀ ଉପନାମରେ ସମ୍ବୋଧନ କରାଯାଇଥାଏ । କିନ୍ତୁ କଳାବତୀ ଜଣେ ଅଙ୍ଗନବାଡ଼ି କର୍ମୀ କିମ୍ବା ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ନୁହନ୍ତି, ଯେଉଁମାନେ କି ଔପଚାରିକ ଭାବେ ଗାଁରେ ଡିପୋ ହୋଲ୍ଡର ଭାବେ କାର୍ଯ୍ୟ କରିଥାନ୍ତି । ସେ ଝୋଲାଛାପ (ବିନା ଲାଇସେନ୍ସଧାରୀ ଚିକିତ୍ସକ) ମଧ୍ୟ ନୁହନ୍ତି । ମହିଳାଙ୍କ ମୌଳିକ ପ୍ରଜନନ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପାଇଁ ସବୁ ଦରକାରୀ ଜିନିଷ ସେ ମହଜୁଦ କରି ରଖିଥାନ୍ତି । ତା’ଛଡ଼ା ମହିଳାମାନଙ୍କର ଯୌନ ଏବଂ ପ୍ରଜନନ ସମସ୍ୟା ବିଷୟରେ ସେମାନଙ୍କ ସହିତ ସେ ଆଲୋଚନା କରିଥାନ୍ତି ।







