ସେ ତରବର ହୋଇ ନିଜ ବ୍ୟାଗରୁ ଏକ ରାପିଡ୍ ମ୍ୟାଲେରିଆ ପରୀକ୍ଷା କିଟ୍ ଅଣ୍ଡାଳୁଛନ୍ତି। ବ୍ୟାଗରେ ଔଷଧ, ସାଲାଇନ ବୋତଲ, ଆଇରନ୍ ସପ୍ଲିମେଣ୍ଟ, ଇଞ୍ଜେକ୍ସନ, ରକ୍ତଚାପ ମାପିବା ମେସିନ ଓ ଆହୁରି ଅନେକ ସାମଗ୍ରୀ ଭର୍ତ୍ତି ରହିଛି । ଦୁଇ ଦିନ ଧରି ବିଛଣାରେ ନିଶ୍ଚଳ ହୋଇ ପଡ଼ି ରହିଥିବା ଜଣେ ମହିଳାଙ୍କ ପରିଜନ ତାଙ୍କୁ ଯୋଗାଯୋଗ କରିବା ପରେ ସେ ଏଠାକୁ ଆସିଛନ୍ତି । ସେ ମହିଳାଙ୍କ ଶରୀର ତାପମାତ୍ରା ଖୁବ୍ ଅଧିକ ବଢ଼ିଯାଇଛି । ଏଥର ପରୀକ୍ଷା ରିପୋର୍ଟ ବି ପଜିଟିଭ ଆସିଛି ।
ପୁଣିଥରେ ସେ ତାଙ୍କର ବ୍ୟାଗ ଖୋଜିଲେ, ଏଥର ତାଙ୍କ ହାତରେ ଇଣ୍ଟ୍ରାଭେନସ (ଆଇଭି) ସଲ୍ୟୁସନ-୫୦୦ ମି.ଲି. ଡେକ୍ସଟ୍ରୋଜ୍ ସାଲାଇନ୍ ବୋତଲ ଥିଲା। ମହିଳାଙ୍କ ଶେଯ ଉପରେ ଚଢ଼ି, ସେ ଛାତରେ ଥିବା ଏକ ବିମ୍ ଚାରି ପାଖରେ ଏକ ପ୍ଲାଷ୍ଟିକ୍ ରଶି ବାନ୍ଧି ଦେଲେ ଏବଂ ଖୁବ ଦକ୍ଷତାର ସହ ସେଥିରେ ଆଇଭି ବୋତଲକୁ ଝୁଲାଇ ଦେଲେ।
ସେ ହେଉଛନ୍ତି ୩୫ ବର୍ଷ ବୟସ୍କା ଜ୍ୟୋତିପ୍ରଭା କିସପୋଟ୍ଟା ଯିଏକି ଗତ ୧୦ ବର୍ଷ ଧରି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ବିଭିନ୍ନ ଗ୍ରାମରେ ଡାକ୍ତରୀ ସେବା ଯୋଗାଇ ଆସୁଛନ୍ତି । ଯୋଗ୍ୟତାରେ ସେ ଡାକ୍ତର କିମ୍ବା ନର୍ସ ନୁହନ୍ତି । ସେ କୌଣସି ସରକାରୀ ଡାକ୍ତରଖାନା କିମ୍ବା ସ୍ଵାସ୍ଥ୍ୟ ସେବା କେନ୍ଦ୍ର ସହ ଜଡ଼ିତ ନାହାନ୍ତି । କିନ୍ତୁ ଓରାଓଁ ଜନଜାତିର ଏହି ଯୁବତୀ ଜଣଙ୍କ ପଶ୍ଚିମ ସିଂହଭୂମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗାଁର ଲୋକମାନଙ୍କ ପାଇଁ ପ୍ରଥମ ସାହାରା ଓ ଶେଷ ଆଶା। ଏହି ପଶ୍ଚିମ ସିଂହଭୂମ ର ଆଦିବାସୀ ଗ୍ରାମର ଲୋକମାନେ ସାର୍ବଜନୀନ ସ୍ଵାସ୍ଥ୍ୟ ସେବାଠାରୁ ବଞ୍ଚିତ ରହି ଦୟନୀୟ ଜୀବନଯାପନ କରୁଛନ୍ତି ।
କ୍ଷେତ୍ରୀୟ ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟୋତିପ୍ରଭା ସେହି ସଂଖ୍ୟାଧିକ ‘ଆରଏମପି’ମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଗ୍ରାମୀଣ ଭାରତରେ ୭୦ ପ୍ରତିଶତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି। ଅନେକ ଭାବିପାରନ୍ତି ଯେ, ଆରଏମପି ମାନେ ହେଉଛନ୍ତି – ପଞ୍ଜିକୃତ ଚିକିତ୍ସା ସେବା ପ୍ରଦାନକାରୀ (ରୁରାଲ ମେଡ଼ିକାଲ ପ୍ରାକ୍ଟିସନର), ମାତ୍ର ଏହା ଏକ ଭ୍ରମାତ୍ମକ ସଂକ୍ଷିପ୍ତ ନାମ। ଏମାନଙ୍କୁ ସମସ୍ତେ ଝୋଲାଚ୍ଛାପ (କ୍ଵାକ) ଡାକ୍ତରଙ୍କ ରୂପରେ ଜାଣନ୍ତି। ଗ୍ରାମୀଣ ଭାରତରେ ଏକ ସମାନ୍ତରାଳ ଘରୋଇ ସ୍ଵାସ୍ଥ୍ୟ ସେବା ଚଳାଉଥିବା, ଏହି ଅଯୋଗ୍ୟ ଚିକିତ୍ସକମାନଙ୍କୁ ଡାକ୍ତରୀ ପାଠ ଭାଷାରେ ‘କ୍ଵାକ’ କୁହାଯାଏ। ତେବେ ଏମାନେ ସରକାରୀ ସ୍ଵାସ୍ଥ୍ୟ ସେବାର ଦ୍ଵୈତ ଚିତ୍ରକୁ ଉଜାଗର କରିଥାନ୍ତି ।
ଆରଏମପିମାନେ ସାଧାରଣତ ଭାରତର କୌଣସି ମାନ୍ୟତାପ୍ରାପ୍ତ ଚିକିତ୍ସା ପରିଷଦରେ ପଞ୍ଜିକୃତ ହୋଇନଥାନ୍ତି । ଅବଶ୍ୟ ସେମାନଙ୍କ ମଧ୍ୟରୁ କେତେଜଣ ହୋମିଓପାଥି କିମ୍ବା ୟୁନାନୀ ଡାକ୍ତର ଭାବେ ପଞ୍ଜିକୃତ ହୋଇଥାନ୍ତି, କିନ୍ତୁ ଏଲୋପାଥୀ ଚିକିତ୍ସା ଏବଂ ଔଷଧ ବିତରଣ କରିଥାନ୍ତି।
ଜ୍ୟୋତିଙ୍କ ପାଖରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏଲୋପାଥିକ୍ ଚିକିତ୍ସାରେ ଆରଏମପି ପ୍ରମାଣପତ୍ର ରହିଛି, ଏହାକୁ ବେକାର ଗ୍ରାମୀଣ ଚିକିତ୍ସା ଡାକ୍ତରମାନଙ୍କ ପରିଷଦ ବୋଲି କୁହାଯାଇଥାଏ। ଏହି ଶିକ୍ଷାନୁଷ୍ଠାନ ବିହାର ସରକାରଙ୍କ ଦ୍ଵାରା ପଞ୍ଜିକୃତ ହୋଇଥିବା ଦାବି କରିଥାଏ। ସେଠାରେ ଜ୍ୟୋତି ୧୦,୦୦୦ ଟଙ୍କା ଦେଇ ଛଅ ମାସିଆ କୋର୍ସ କରିଛନ୍ତି। ହେଲେ ଏହି ଶିକ୍ଷାନୁଷ୍ଠାନ ଏବେ ଆଉ ନାହିଁ।

















