“ମୋ ପିଠି ତାତିରେ ପୋଡ଼ି ଯାଉଛି,” ଗାଜୁଭାସ ଗ୍ରାମ ବାହାରେ ଥିବା ଶମୀ ଗଛର ଅଳ୍ପ ଛାଇରେ ବସିଥିବା ବଜରଙ୍ଗ ଗୋସ୍ଵାମୀ କହିଥିଲେ। ଅମଳ ହୋଇସାରିଥିବା ବାଜରା କ୍ଷେତ ଆଡ଼କୁ ଚାହିଁ ସେ କୁହନ୍ତି, “ତାତି ବଢ଼ିଯାଛି ଓ ଫସଲ ଅମଳ ହ୍ରାସ ପାଇଛି”। ରାଜସ୍ଥାନର ଚୁରୁ ଜିଲ୍ଲାର ତାରାନଗର ତହସିଲ ଅନ୍ତର୍ଗତ ଏହି ଗ୍ରାମରେ ଭାଗ ଚାଷୀ ଭାବେ ବଜରଙ୍ଗ ଓ ତାଙ୍କ ପତ୍ନୀ ରାଜ କୌର ଚାଷ କରିଥିବା ୨୨ ବିଘା ଜମି ନିକଟରେ ଛିଡ଼ା ହୋଇ ଓଟଟିଏ ଘାସ ଖାଉଛି ।
ତାରାନଗରର ଦକ୍ଷିଣରେ ଥିବା ସୁଜନଗଡ଼ ତହସିଲର ଗୀତାଦେବୀ ନାୟକ କୁହନ୍ତି, “ମୁଣ୍ଡ ଉପରେ ଟାଣ ଖରା, ତତଲା ବାଲିରେ ପାଦ ପୋଡ଼ିଯାଉଛି”। ଭୂମିହୀନ ବିଧବା, ଗୀତା ଦେବୀ କୃଷି ଶ୍ରମିକ ଭାବେ ଭଗବାନୀ ଦେବୀ ଚୌଧୁରୀଙ୍କ ପରିବାର ମାଲିକାନାରେ ଥିବା ଜମିରେ କାମ କରନ୍ତି। ଦୁହେଁ ଦିନକର କାମ ପାଖାପାଖି ଅପରାହ୍ଣ ୫ଟାରେ ଶେଷ କରିଛନ୍ତି । “ଏବେ ଅଧିକରୁ ଅଧିକ ଗରମ ହେଉଛି”, ବୋଲି କୁହନ୍ତି ଭଗବାନୀ ଦେବୀ।
ଉତ୍ତର ରାଜସ୍ଥାନର ଚୁରୁ ଜିଲ୍ଲାରେ ବାଲିଆ ଭୂମି ଖୁବ ତାତି ଯାଇଥାଏ ଏବଂ ମେ ଓ ଜୁନ ମାସରେ ଗରମ ପବନ ଚିମନୀରୁ ବାହାରୁଥିବା ଗରମ ଧୂଆଁ ଭଳି ଅନୁଭୂତ ହୋଇଥାଏ। ଏଠାକାର ଅସହ୍ୟ ଗରମ ଏବଂ ଏହା ଦିନକୁ ଦିନ କିଭଳି ବୃଦ୍ଧି ପାଉଛି ତା’କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ସେହି ମାସଗୁଡ଼ିକରେ ତାପମାତ୍ରା ଖୁବ ସାଧାରଣ ଭାବେ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଇଥାଏ। ମେ ୨୬ ତାରିଖରେ ପ୍ରକାଶିତ ଖବର ଅନୁଯାୟୀ, ଗତ ମାସ, ମେ ୨୦୨୦ରେ ଏଠାକାର ତାପମାତ୍ରା ବିଶ୍ୱରେ ସର୍ବାଧିକ ୫୦ ଡିଗ୍ରୀ ସେଲସିୟସକୁ ଛୁଇଁଥିଲା।
ଗତବର୍ଷ ମଧ୍ୟ, ଜୁନ ୨୦୧୯ ପ୍ରାରମ୍ଭରେ ପାରଦ ୫୧ ଡିଗ୍ରୀ ସେଲସିୟସ ଟପିଥିଲା। ପାଣି ଫୁଟିବା ପାଇଁ ଆବଶ୍ୟକ ଗରମର ଅଧାଭାଗ ପର୍ଯ୍ୟନ୍ତ ଛୁଇଁଥିବା ତାପମାତ୍ରା ଅନେକଙ୍କ ପାଇଁ ବିରଳ ଥିଲା। ଗାଜୁଭାସ ଗ୍ରାମରେ ନିଜର ବଡ଼ ଘରେ ଏକ ଖଟ ଉପରେ ବସିଥିବା ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ତଥା ଜମିମାଲିକ ୭୫ ବର୍ଷୀୟ ହରଦୟାଲଜୀ ସିଂ କୁହନ୍ତି, “ମୋର ମନେ ପଡ଼ୁଛି ୩୦ ବର୍ଷ ପୂର୍ବେ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ପହଞ୍ଚିଥିଲା”।
ଏହାର ୬ ମାସ ପରେ, ବର୍ଷର ଡିସେମ୍ବର-ଜାନୁଆରୀ ମାସରେ ଚୁରୁରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ମଧ୍ୟ ଖସିଯାଇଥାଏ। ଫେବୃଆରୀ ୨୦୨୦ରେ ଭାରତୀୟ ସମତଳ ଭୂମି ଅଞ୍ଚଳଗୁଡ଼ିକ ମଧ୍ୟରେ ସର୍ବନିମ୍ନ ହାରାହାରୀ ତାପମାତ୍ରା ତୁଳନାରେ ସବୁଠୁ କମ୍ ୪.୧ ଡିଗ୍ରୀ ସେଲସିୟସ ତାପମାତ୍ରା ଚୁରୁରେ ରହିଥିବା ଭାରତୀୟ ପାଣିପାଗ ବିଭାଗ ରେକର୍ଡ କରିଥିଲା।


















