ଗଛଟିକୁ ତାଙ୍କର ଜେଜେବାପା ଲଗାଇଥିଲେ। ଗଛ ଛାଇରେ ବସି ମହାଦେବ କାମ୍ବଲେ କହିଲେ, “ଏହାର ବୟସ ମୋ’ ଠାରୁ ଅଧିକ ।’’ ଏବେ ଟାଙ୍ଗରା ହୋଇପଡ଼ିଥିବା ତାଙ୍କର ୨ ଏକରର ଆମରାଇ (ଆମ୍ବ ବଗିଚାରେ)ରେ କେବଳ ଏହି ଗୋଟିଏ ମାତ୍ର ଗଛ ରହିଯାଇଛି ।
କାମ୍ବଲେ ଏବଂ ବାରଞ୍ଜ ମୋକସା ଗାଁର ଅନ୍ୟମାନେ କ’ଣ ପାଇଁ ଏପ୍ରିଲ ୧୧ ତାରିଖରେ ସାଂସଦ ହଂସରାଜ ଅହିରଙ୍କୁ କ୍ଷମତାଚ୍ୟୁତ କରିବେ ଏହି ଏକମାତ୍ର ଗଛଟି ତାହା ବର୍ଣ୍ଣନା କରୁଛି । ହଂସରାଜ ଅହିର ପୂର୍ବ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରୁ ୪ ଥର ଲୋକସଭାର ସାଂସଦ ରହିଛନ୍ତି । ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ସରକାରରେ ସେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି ।
ଏକ କୋଇଲା ଖଣି ପାଇଁ ତାଙ୍କର ଜମି ଅଧିଗ୍ରହଣ ସମୟରେ କାମ୍ବଲେଙ୍କ ବଗିଚାରେ ଥିବା ଅନ୍ୟ ସମସ୍ତ ଗଛଗୁଡ଼ିକୁ କାଟି ଦିଆଗଲା। ଗତ ୧୦ବର୍ଷ ମଧ୍ୟରେ ସେହି ଅଞ୍ଚଳରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏହି ପ୍ରକଳ୍ପ ଅନ୍ୟତମ ଯାହାକି ବାରଞ୍ଜ ମୋକସା (୨୦୧୧ ଜନଗଣନାରେ ବାରଙ୍ଗ ମୋକସା ଭାବେ ପଞ୍ଜିକୃତ)କୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଏହା ଦ୍ୱାରା ଗାଁର ଲୋକମାନଙ୍କର ସମସ୍ତ ଜମି ଏବଂ ସମ୍ପତ୍ତି ଅଧିଗ୍ରହଣ ହେବା ସହିତ ଜୀବିକା ମଧ୍ୟ ଉଜୁଡ଼ିଯାଇଛି ।
ଏହା ମଧ୍ୟ ଗାଁର ପ୍ରାୟ ୧୮୦୦ ଲୋକଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଯଦିଓ ପ୍ରକଳ୍ପ ପାଇଁ ବାରଞ୍ଜ ମୋକସାକୁ ଅଧିଗ୍ରହଣ କରାଯାଇଛି, ତେବେ ଲୋକମାନଙ୍କୁ ଥଇଥାନ କରାଯାଇନାହିଁ ।












