କିଶୋରାବସ୍ଥାରେ ପିଲା ଜନ୍ମ ନକରିବାକୁ ନୁସ୍ରତ୍ ବାନୋ ମହିଳାମାନଙ୍କୁ ହୃଦ୍ବୋଧ କରାଇ ପାରିଛନ୍ତି; ସେମାନେ ଗର୍ଭନିରୋଧ ପନ୍ଥା ଆପଣାଇବାକୁ ଅନୁମତି ଦେବା ପାଇଁ ସେ ସେମାନଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ଲଢେଇ କରିଛନ୍ତି; ଏବଂ ସେ ସେମାନଙ୍କର ଶିଶୁମାନଙ୍କୁ ପ୍ରସବ କରିବା ପାଇଁ ମହିଳାମାନଙ୍କୁ ଡାକ୍ତରଖାନା ନେଇଛନ୍ତି। କିନ୍ତୁ ବିହାରର ଅରାରିଆ ଜିଲ୍ଲାର ରାମପୁର ଗ୍ରାମର ଏହି ୩୫ ବର୍ଷୀୟ ଅଧିସ୍ୱୀକୃତ ସ୍ୱାସ୍ଥ୍ୟ କର୍ମୀ (ଆଶା)ଙ୍କ ବିଶ୍ୱାସ ଯେ ତାଙ୍କ କାମର ସବୁଠାରୁ କଷ୍ଟଦାୟକ ଅଂଶ ହେଉଛି ପୁରୁଷମାନଙ୍କୁ ପୁଂ ବନ୍ଧ୍ୟାକରଣ ପାଇଁ ରାଜି କରାଇବା ।
“ଗତ ବର୍ଷ [୨୦୧୮]ରେ ଫୋର୍ବସ୍ଗଂଜ ବ୍ଲକ୍ ଅନ୍ତର୍ଗତ ପ୍ରାୟ ୩୪୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ କେବଳ ଜଣେ ପୁରୁଷ ଏଥିପାଇଁ ରାଜି ହୋଇଥିଲେ,” ବୋଲି ସେ ଆମକୁ କହିଲେ । “ଏବଂ ସେ ଏପରି କରି ସାରିବା ପରେ’’, ତାଙ୍କ ସ୍ତ୍ରୀ ତାଙ୍କୁ ଚପଲରେ ବାଡେଇବାକୁ ଆସିଥିଲେ” ବୋଲି ଚାରିଜଣ ସନ୍ତାନଙ୍କ ଏହି ମା ହସି ହସି କୁହନ୍ତି ।
ରାମପୁରର ଏହି ବିମୁଖତା ବିହାରର ଅନ୍ୟ ଗ୍ରାମଗୁଡିକରେ ମଧ୍ୟ ପ୍ରତିଫଳିତ ହୋଇଥାଏ । “ସେମାନେ ଏତେ ପରିମାଣରେ ଭୟଭୀତ ହେବାର କାରଣ ଏହା ଯେ ଅନ୍ୟ ପୁରୁଷମାନେ ସେମାନଙ୍କୁ ବିଦ୍ରୁପ କରିବେ ଓ ସେମାନଙ୍କ ଉପରେ ହସିବେ,” ବୋଲି ଗତ ବର୍ଷ ବିନୟ କୁମାର୍ ନଭେମ୍ବରରେ ହେବାକୁ ଥିବା ପୁଂ ବନ୍ଧ୍ୟାକରଣ ସପ୍ତାହ ପାଇଁ ଦ୍ୱିତୀୟ ଥର ପ୍ରଚାର ଆରମ୍ଭ କରିବା ପୂର୍ବରୁ ମୋତେ ଜଣାଇଥିଲେ। ସେମାନେ ଏହା ମଧ୍ୟ ଭାବନ୍ତି ଯେ ଏହାଦ୍ୱାରା ସେମାନେ ଦୁର୍ବଳ ହୋଇଯିବେ ଓ ସହବାସ କରିବା ପାଇଁ ସମର୍ଥ ହେବେନାହିଁ , ଯାହା ଏକ ମିଥ୍ୟା ଧାରଣା ଅଟେ । ପ୍ରତିବର୍ଷ ନଭେମ୍ବର ମାସରେ ବିହାର ସରକାର ସମଗ୍ର ରାଜ୍ୟରେ ଏହି ସପ୍ତାହ ଆୟୋଜନ କରୁଛନ୍ତି ।
କୁମାର, ୩୮, ଗତ ବର୍ଷ ସରାକରଙ୍କ ଦ୍ୱାରା ବିକାଶ ମିତ୍ର ଭାବେ ଜେହାନାବାଦ୍ର ମଖଦୁମ୍ପୁର ବ୍ଲକ୍ ଅନ୍ତର୍ଗତ ୩୪୦୦ ଜନସଂଖ୍ୟା ବିଶିଷ୍ଟ ବିରା ଗ୍ରାମରେ ନିୟୋଜିତ ହୋଇ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଓ ସେଗୁଡିକୁ କାର୍ଯ୍ୟକାରୀ କରିବା ତାଙ୍କର କାମ ଅନ୍ତର୍ଭୁକ୍ତ ଥିଲା । ପୁରୁଷମାନଙ୍କୁ ବନ୍ଧ୍ୟାକରଣ ପାଇଁ ରାଜି କରାଇବା – ପୁଂ ବନ୍ଧ୍ୟାକରଣ କରାଇବା ଯେଉଁ ପ୍ରକ୍ରିୟାରେ ଏକ ସାଧାରଣ ଅସ୍ତ୍ରୋପଚାର କରାଯାଇ ପୁରୁଷଙ୍କ ଶୁକ୍ର ବାହିକା ଦ୍ୱୟକୁ ବାନ୍ଧି ଦିଆଯାଏ ବା ସିଲ୍ କରିଦିଆଯାଏ (କ୍ଷୁଦ୍ର ଶୁକ୍ରାଣୁ ବହନ କରୁଥିବା ଟ୍ୟୁବ୍) - ଭଳି ଅବାଞ୍ଛନୀୟ କାମ ମଧ୍ୟ ତାଙ୍କ ଟାସ୍କ ଅନ୍ତର୍ଭୁକ୍ତ ଅଟେ ।
ଏହା ଏପରି ଏକ ରାଜ୍ୟ ଯେଉଁଠାରେ ପୁରୁଷ ବନ୍ଧ୍ୟାକରଣ ହାର ଏନ୍ଏଫ୍ଏଚ୍ଏସ୍-୩ (୨୦୦୫ – ୦୬) ରୁ ଏନ୍ଏଫ୍ଏଚ୍ଏସ୍-୪ (୨୦୧୫ – ୧୬) ମଧ୍ୟରେ ନଗଣ୍ୟ ୦.୬ ପ୍ରତିଶତରୁ ଖସି ଶୂନ୍ୟ ପ୍ରତିଶତରେ ପହଞ୍ଚିଛି, ସେଠାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଏହି ସମୟ ଅବଧିରେ ବିହାରରେ ମହିଳା ବନ୍ଧ୍ୟାକରଣ ହାର ମଧ୍ୟ ହ୍ରାସ ପାଇଥିବା ଜଣାପଡିଛି – ଯାହା ବର୍ତ୍ତମାନ ସମୟରେ ୧୫-୪୯ ବର୍ଷ ମଧ୍ୟରେ ବିବାହିତ ମହିଳାଙ୍କ କ୍ଷେତ୍ରରେ ୨୩.୮ରୁ ହ୍ରାସ ପାଇ ୨୦.୭ ପ୍ରତିଶତରେ ପହଞ୍ଚି ଯାଇଛି- କିନ୍ତୁ ଏହି ହାର ପୁଂ ବନ୍ଧ୍ୟାକରଣ ତୁଳନାରେ ଯଥେଷ୍ଟ ଅଧିକ ।
ବିହାରର ଏହି ସଂଖ୍ୟା ଜାତୀୟ ସ୍ତରରେ ପୁରୁଷମାନଙ୍କ ପୁଂ ବନ୍ଧ୍ୟାକରଣ ପ୍ରତି ରହିଥିବା ବିମୁଖତାକୁ ପ୍ରତିଫଳିତ କରୁଛି । ଏନ୍ଏଫ୍ଏଚ୍ଏସ୍-୪ରେ ବର୍ତ୍ତମାନ ସମୟରେ ବିବାହିତ ମହିଳାଙ୍କ ମଧ୍ୟରୁ (୧୫-୪୯ ବୟସ ବର୍ଗ ମଧ୍ୟରେ) ୩୬ ପ୍ରତିଶତ ମହିଳା ବନ୍ଧ୍ୟାକରଣ କରାଇଥିବା ବେଳେ କେବଳ ୦.୩ ପ୍ରତିଶତ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି ।
ଦେଶରେ କଣ୍ଡୋମ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅତି ନଗଣ୍ୟ – ୧୫-୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ବିବାହ କରିଥିବା ମହିଳାଙ୍କ ମଧ୍ୟରେ ମାତ୍ର ୫.୬ ପ୍ରତିଶତ ଗର୍ଭନିରୋଧ ଉପାୟ ଭାବେ କଣ୍ଡୋମ ବ୍ୟବହାର କରୁଛନ୍ତି ।








