“ ଆମେ ପୂର୍ବାହ୍ନ ୫ଟା ବେଳେ ଚାଲି ଚାଲି ବାହାରିଲୁ । ଆମେ ବିଲୋଶି ଯିବାକୁ ଚାହୁଁଛୁ । ସେଠାରେ କୌଣସି ଯାନ ମିଳିଲାନାହିଁ। ଆମର ସେଟ୍ (ନିଯୁକ୍ତିଦାତା) ଆମ ସମସ୍ତଙ୍କୁ ଟଙ୍କା ଦେଇଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦୦୦ଟଙ୍କା । ସେହି ଟଙ୍କାରେ ଆମେ ଲୁଣ ଓ ମସଲା (କିରାଣା ସାମାନ) କିଣିଛୁ । ଯଦି ଆମେ ଘରେ ପହଞ୍ଚି ପାରିବୁନାହିଁ, ତାହାହେଲେ ଆମେ କ’ଣ ଖାଇବୁ? ଆମ ପାଖକୁ ଆମ ଗାଁ’ରୁ ଫୋନ୍ କଲ୍ ଆସିଥିଲା; ଯଦି ତୁମେମାନେ ସମସ୍ତେ ବର୍ତ୍ତମାନ ଫେରିବନି, ତାହାହେଲେ ଦୁଇ ବର୍ଷ ପର୍ଯ୍ୟନ୍ତ ବାହାରେ ରହିବାକୁ ହେବ’’।
ଲୋକମାନେ ମଧ୍ୟ ତାହା କହୁଛନ୍ତି । ସେମାନେ ସେମାନଙ୍କ ମୁଣ୍ଡରେ ଜିନିଷପତ୍ର ମୁଣ୍ଡେଇ ଓ କାଖରେ ଛୋଟ ପିଲାଙ୍କୁ କାଖେଇ ସେହି ପ୍ରଚଣ୍ଡ ସୂର୍ଯ୍ୟ କିରଣରେ ଚାଲି ଚାଲି ଯାଉଥିଲେ। ମୁଁ ସେମାନଙ୍କୁ ମୋର ଗାଁ ଦେଇ ଯିବାର ଦେଖିଲି ଓ ସେମାନଙ୍କ ବିଷୟରେ ପଚାରି ବୁଝିଲି । ସେମାନେ ହେଉଛନ୍ତି ପାଳଘର ଜିଲ୍ଲାର ୱଡା ବ୍ଲକ୍ ଅନ୍ତର୍ଗତ ବିଳୋଶି ଗ୍ରାମ ନିବାସୀ । ସେମାନେ ଇଟା ଭାଟିରେ କାମ କରିବାକୁ ବସାଇ ବ୍ଲକ୍ର ଭତାନେ ଗ୍ରାମକୁ ପ୍ରବାସରେ ଯାଇଥିଲେ । ପିଲା, ମହିଳା ଓ ପୁରୁଷମାନେ – ସେମାନେ ସମସ୍ତେ ମିଶି ୧୮ଜଣ ହେବେ, ସେମାନେ ସମସ୍ତେ ଆଦିବାସୀ, ସମସ୍ତେ କଟ୍କାରୀ ସମ୍ପ୍ରଦାୟର ।
ସେମାନେ କରୋନା ଭୂତାଣୁକୁ ନେଇ ଚିନ୍ତିତ ଥିଲେ । ତାଲାବନ୍ଦ ଯୋଗୁଁ ସେମାନେ ଘରେ ପହଞ୍ଚାଇବା ପାଇଁ କୌଣସି ଯାନ ଉପଲବ୍ଧ ନଥିଲା । ଏପଟେ ଗ୍ରାମକୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା ପାଇଁ ଗ୍ରାମବାସୀଙ୍କଠାରୁ ସେମାନଙ୍କୁ ସେହି କଠୋର ବାର୍ତ୍ତା ମଧ୍ୟ ମିଳିଛି । ଏଣୁ ସେମାନେ ପାଦରେ ଚାଲିଚାଲି ଯିବାକୁ ଆରମ୍ଭ କଲେ । ସେମାନେ ମୋର ଗ୍ରାମ ନିମ୍ବାଭଲିଠାରେ ମାର୍ଚ୍ଚ ୨୯ ପ୍ରାୟ ସକାଳ ପୂର୍ବାହ୍ନ ୧୧ଟା ବେଳକୁ ପହଞ୍ଚିଲେ ।
“ସୂର୍ଯ୍ୟ ଅଗ୍ନି ବର୍ଷୁଥିଲା । ମୁଁ ମୁଣ୍ଡରେ ବୋଝ ମୁଣ୍ଡେଇ ଚାଲୁଥିଲି ଓ ହଠାତ୍ ପଡିଗଲି । ମତେ ଆଘାତ ହେଲା,” ବୋଲି ୪୫ ବର୍ଷ-ବୟସ୍କ କବିତା ଦିବା ତାଙ୍କ ଆଣ୍ଠୁ ଦେଖାଇ କହିଲେ । ତାଙ୍କ ପାଖରେ ବସିଥିଲେ ୨୦ବର୍ଷର ସପ୍ନା ୱାଘ । ସେ ଛଅ ମାସର ଗର୍ଭବତୀ । ସେ ତାଙ୍କର ୨୩ ବର୍ଷ ବୟସ୍କ ସ୍ୱାମୀ କିରଣ ୱାଘଙ୍କ ସହିତ ବିବାହ ପରଠାରୁ ଇଟା ଭାଟିରେ କାମ କରିଆସୁଛନ୍ତି । ଲକ୍ଡାଉନ୍ ଯୋଗୁଁ ସେ ମଧ୍ୟ ତାଙ୍କ ଘରକୁ ଫେରୁଛନ୍ତି, ମୁଣ୍ଡରେ ତାଙ୍କର ଜିନିଷର ବୋଝ ଓ ଗର୍ଭରେ ନୂଆ ଜୀବନ ସହିତ ।


