ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲା ଗୁମାଡିଦଲା ବ୍ଲକର ଡୋମାଡ଼ୁଗୁ ଗାଁରେ ଥିବା ଏକ ଇଟା ଭାଟିରେ ବୈଦେହୀ ଓ ତାଙ୍କ ସ୍ୱାମୀ ଏକ ଦଶନ୍ଧିରୁ ଅଧିକ ସମୟ ହେବ କାମ କରି ଆସୁଛନ୍ତି। ସେମାନେ ନୂଆପଡ଼ା ଜିଲ୍ଲା କୁରୁମପୁରୀ ପଞ୍ଚାୟତରୁ ପ୍ରତିବର୍ଷ ଏଠାକୁ ଆସନ୍ତି। ବୈଦେହୀ କହନ୍ତି, ‘‘ପ୍ରତିବର୍ଷ ଆମେ ସେଠ୍ଙ୍କଠାରୁ ୨୦,୦୦୦ ଟଙ୍କା ଅଗ୍ରୀମ ନେଇଥାଉ। ଏହା ବାଦ ଭାଟି ମାଲିକ ତାଙ୍କୁ ପ୍ରତିଦିନ ଖାଇବା ଖର୍ଚ୍ଚ ବାଦକୁ ୬୦ ଟଙ୍କା ଦିଏ। ‘‘ଦୟାକରି ସେଠ୍ଙ୍କୁ କୁହ ଆମକୁ ଅତି କମରେ ୮୦ ଟଙ୍କା ଦେବେ ଯେଉଁଥିରେ ଆମେ ଅଧା ପେଟରେ ଶୋଇପାରିବୁ। ’’
ବୈଦେହୀଙ୍କ ପରିବାରକୁ ୨୦୧୭ରେ ଭେଟିଥିଲି ଯେତେବେଳେ ମୁଁ ତେଲେଙ୍ଗାନାର ରଙ୍ଗାରେଡ୍ଡୀ, ସଙ୍ଗାରେଡ୍ଡୀ ଏବଂ ୟଦାରୀ ଭୁବନଗିରି ଜିଲ୍ଲାକୁ ଆଉ ଥରେ ଯାଇଥିଲି।
ଏହାର ଅନେକ ବର୍ଷ ପୂର୍ବରୁ, ୧୯୯୦ ଦଶକରେ, ଯେତେବେଳେ କଳାହାଣ୍ଡି (ବର୍ତ୍ତମାନ ବିଭାଜିତ ହୋଇ ନୂଆପଡ଼ା ଜିଲ୍ଲା ହୋଇଛି) ଏବଂ ଏହାର ପାର୍ଶ୍ୱବର୍ତ୍ତୀ ବଲାଙ୍ଗିର ଜିଲ୍ଲାରୁ (ବିଭାଜିତ ହୋଇ ସୋନପୁର ଜିଲ୍ଲା ହୋଇଛି। ଏହାକୁ ଏବେ ସୁବର୍ଣ୍ଣପୁର କୁହାଯାଉଛି) ଲୋକେ ରାଜ୍ୟ ବାହାରକୁ ଯିବା ନେଇ ମୁଁ ଗବେଷଣା ଏବଂ ରିପୋର୍ଟ ପ୍ରସ୍ତୁତ କରୁଥିଲି, ସେତେବେଳେ ଚାରି ପ୍ରକାର ସ୍ଥାନାନ୍ତରଣ ଦେଖିଛି।
ଯେଉଁମାନେ ରାୟପୁର ସହର (ବର୍ତ୍ତମାନ ଛତିଶଗଡ଼ର ରାଜଧାନୀ)କୁ ଯାଆନ୍ତି ସେମାନେ ଦିନ ମଜୁରି କରନ୍ତି, ରିକ୍ସା ଟାଣନ୍ତି, ହୋଟେଲ ସଫା କରନ୍ତି କିମ୍ବା ଅନ୍ୟ କେଉଁଠି ଶ୍ରମିକ ଭାବେ କାମ କରନ୍ତି; ଯେଉଁମାନେ ସମ୍ବଲପୁର ଏବଂ ବରଗଡ଼ ଭଳି ଜଳସେଚିତ ଜିଲ୍ଲାକୁ ଯାଆନ୍ତି; ଯେଉଁ ଯୁବକମାନେ ଦିଲ୍ଲୀ, ମୁମ୍ବାଇ କିମ୍ବା ଅନ୍ୟ ସହରାଞ୍ଚଳକୁ ଯାଆନ୍ତି ସେମାନେ ପ୍ରାୟ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି; ଏବଂ କିଛି ପରିବାର ଆନ୍ଧ୍ରପ୍ରଦେଶକୁ ଇଟା ଭାଟିରେ କାମ କରିବାକୁ ଯାଆନ୍ତି (ଏବଂ ପରେ ଉପକୂଳ ଓଡ଼ିଶାକୁ ଯାଉଛନ୍ତି)।

















