ଆମ ଟ୍ରେନ୍ ନାଗପୁର ରେଳ ଜଙ୍କସନରେ ପହଞ୍ଚି ସାରିଥିଲା । ଗତ ଡିସେମ୍ବରରେ ସେ ଦିନ ପ୍ରାୟ ମଧ୍ୟାହ୍ନ ହୋଇଥିଲା । ଯୋଧପୁର-ପୁରୀ ଏକ୍ସପ୍ରେସ୍ ନାଗପୁରରେ ଇଞ୍ଜିନ୍ ବଦଳାଏ, ତେଣୁ ଏହା ଏଠାରେ କିଛି ସମୟ ରହେ । ପ୍ଲାଟ୍ଫର୍ମରେ ବହୁ ସଂଖ୍ୟାରେ ଯାତ୍ରୀ ସେମାନଙ୍କ ମୁଣ୍ଡରେ ବ୍ୟାଗ୍ ବୋହି ଯାଉଥାଆନ୍ତି । ସେମାନେ ଥିଲେ ପଶ୍ଚିମ ଓଡ଼ିଆରୁ କାମ ପାଇଁ ଆସିଥିବା ଋତୁକାଳୀନ ବିସ୍ଥାପିତ ଶ୍ରମିକ, ଯେଉଁମାନେ ସିକନ୍ଦରାବାଦ ଯିବାକୁ ଟ୍ରେନ୍ ପାଇଁ ଅପେକ୍ଷା କରିଥାନ୍ତି । ଓଡ଼ିଶାରେ ଫସଲ ଅମଳ ପରେ (ସେପ୍ଟେମ୍ବର ଓ ଡିସେମ୍ବର ମଧ୍ୟରେ), ବହୁ ସଂଖ୍ୟାରେ କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ କୃଷି ଶ୍ରିମିକ ସେମାନଙ୍କ ଘର ଛାଡ଼ି ତେଲଙ୍ଗାନାର ଇଟା ଭାଟିରେ କାମ କରିବାକୁ ଆସନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁକୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରମିକ ଇଟା ଭାଟିରେ କାମ କରିବାକୁ ଯାଆନ୍ତି ।
ରମେଶ (ସେ ତାଙ୍କର ପୁରା ନାଁ କହିବାକୁ ଚାହୁଁନଥିଲେ), ଯିଏ କି ଗୋଟିଏ ଗୋଷ୍ଠୀରେ ଥିଲେ, ସେ କହିଲେ ଯେ ଏହି ବିସ୍ଥାପିତ ଶ୍ରମିକମାନେ ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରୁ ଆସିଥିଲେ । ସେମାନଙ୍କ ଗାଁରୁ ଆରମ୍ଭ ହୋଇଥିବା ସେମାନଙ୍କର ଦୀର୍ଘ ଯାତ୍ରା ପ୍ରାରମ୍ଭରେ ସେମାନେ କଣ୍ଟାବାଞ୍ଝି, ହରିଶଙ୍କର ବା ତୁରେକେଲା ରେଲୱେ ଷ୍ଟେସନ୍ ଯାଏଁ ସଡ଼କ ପଥରେ ଆସିଥିଲେ, ଯେଉଁଠାରୁ ସେମାନେ ନାଗପୁର ପାଇଁ ଟ୍ରେନ୍ ଧରିଲେ, ତା’ ପରେ ସେମାନେ ତେଲେଙ୍ଗାନାର ସିକନ୍ଦରାବାଦକୁ ଯିବାକୁ ଟ୍ରେନ୍ ବଦଳାଇଲେ । ସେଠାରୁ, ସେମାନେ ଇଟା ଭାଟିରେ ପହଞ୍ଚିବା ପାଇଁ ଚାରିଚକିଆ ଯାନରେ ଯାଆନ୍ତି ।
ଅଗଷ୍ଟ-ସେପ୍ଟେମ୍ବରରେ ଠିକ୍ ନୂଆଖାଇ ପର୍ବ ପୂର୍ବରୁ ଶ୍ରମିକମାନେ କଣ୍ଟ୍ରାକ୍ଟରଠାରୁ ଅଗ୍ରୀମ ଟଙ୍କା (ତିନି ଜଣିଆ ପ୍ରାପ୍ତ ବୟସ୍କ ଶ୍ରମିକଙ୍କର ଗୋଟିଏ ଗ୍ରୁପ୍ ପାଇଁ ୨୦,୦୦୦ରୁ ୬୦,୦୦୦ ଟଙ୍କା) ନେଇଯାଆନ୍ତି, ଯେତେବେଳେ ସେମାନେ ଇଷ୍ଟଦେବତାଙ୍କୁ ନୂଆ କରି ଉତ୍ପାଦିତ ହୋଇଥିବା ଚାଉଳରେ ଭୋଗ ଲଗାଇ ନିଜ ଫସଲ ଉତ୍ପାଦନର ପର୍ବ ପାଳନ କରନ୍ତି । ତା’ ପରେ, ସେପ୍ଟେମ୍ବର ଏବଂ ଡିସେମ୍ବର ମଧ୍ୟରେ, ସେମାନେ ଇଟାଭାଟିକୁ ଯାଆନ୍ତି, ସେଠାରେ କାମ କରନ୍ତି ଏବଂ ୬ ମାସ ଯାଏଁ ରହନ୍ତି ଏବଂ ମୌସୁମୀ ପୂର୍ବରୁ ଫେରିଆସନ୍ତି । ବେଳେବେଳେ, ସେମାନେ ନେଇଥିବା ଅଗ୍ରୀମ ଟଙ୍କା ସୁଝିବା ପାଇଁ ଖୁବ୍ କଠିନ ଓ ଦୀର୍ଘ ସମୟ ଯାଏଁ ପରିଶ୍ରମ କରନ୍ତି, ଏହା ଗୋତି ଶ୍ରମିକର ଏକ ପ୍ରଥା ।



