ବଗାଲକୋଟ-ବେଲଗାଓଁ ରାସ୍ତାରେ, ମୁଁ ଯେତେବେଳେ ଏସ୍.ବନ୍ଦିପ୍ପାଙ୍କୁ ଭେଟିଲି ସେତେବେଳେ ଦ୍ୱିପହର ହୋଇଥିଲା ଓ ସେ ନିଜ ମେଣ୍ଢାପଲ ସହିତ ଚାଲିଚାଲି ଯାଉଥିଲେ । ସେ ଏକ ଚାଷଜମି ଖୋଜୁଥିଲେ ଯେଉଁଠାରେ ସେ ନିଜ ପଶୁମାନଙ୍କ ସହିତ କିଛି ସମୟ ପାଇଁ ରହିପାରିବେ। “ଆମର କାମ ହେଉଛି ଏହିପରି ଜମିମାଲିକଙ୍କ ସନ୍ଧାନ କରିବା ଯିଏ ମୋର ପଶୁମାନେ ସେମାନଙ୍କ ଜମି ପାଇଁ ଉତ୍ପାଦନ କରୁଥିବା ଖତ ପାଇଁ ଉଚିତ ମୂଲ୍ୟ ପ୍ରଦାନ କରିପାରିବେ,” ବୋଲି କହିଲେ । ଏହା ଶୀତଋତୁ ଥିଲା, ଏହା ହେଉଛି ସେହି ସମୟ ଯେତେବେଳ କୁରୁବା ମେଣ୍ଢାପାଳକମାନେ ଯାତ୍ରା କରିବା ପାଇଁ ବାହାରି ପଡନ୍ତି ଯାହା ଅକ୍ଟୋବର୍ — ନଭେମ୍ବରରେ ଆରମ୍ଭ ହୋଇଥାଏ, ଯେତେବେଳେ କୃଷିକାମ ପ୍ରାୟତଃ ବନ୍ଦ ଥାଏ ।
ସେହିଦିନଠାରୁ ପ୍ରାୟ ମାର୍ଚ୍ଚ-ଏପ୍ରିଲ୍ ପର୍ଯ୍ୟନ୍ତ କର୍ଣ୍ଣାଟକର ଏହି କୁରୁବା ମେଣ୍ଢାପାଳକମାନେ, ଯେଉଁମାନେ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ, ଦଳବଦ୍ଧ ଭାବେ ଦୁଇଟି ବା ତିନୋଟି ପରିବାର ଏକତ୍ର ହୋଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ସାଧାରଣତଃ,ସେମାନେ ସେହି ସମାନ ରାସ୍ତାରେ ଯାତ୍ରା କରିଥାନ୍ତି ଓ ସମୁଦାୟ ୬୦୦ ରୁ ୮୦୦ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଆକଳନ କରି କୁହନ୍ତି । ସେମାନଙ୍କ ମେଣ୍ଢା ଓ ଛେଳିମାନେ ଚାଷ ହୋଇନଥିବା ଜମିରେ ଚରିଥାନ୍ତି ଓ ଏହି ପଶୁମାନଙ୍କ ଦ୍ୱାରା ଯେଉଁ ଖତ ଉତ୍ପାଦନ ହୋଇଥାଏ, ସେଥିପାଇଁ ଚାଷୀମାନେ ସେମାନଙ୍କୁ କିଛି ମୂଲ୍ୟ ପ୍ରଦାନ କରିଥାନ୍ତି । ଗୋଟିଏ ସ୍ଥାନରେ କିଛି ଦିନ ରହିଲେ, ବନ୍ଦପ୍ପା ଜଣେ ‘ଭଲ ଜମିମାଲିଙ୍କ’ ଠାରୁ ସର୍ବାଧିକ ୧୦୦୦ ଟଙ୍କା ପାଇଥାନ୍ତି ବୋଲି ସେ କୁହନ୍ତି । ତା’ପରେ ସେ ତାଙ୍କର ପରବର୍ତ୍ତୀ ରହିବା ସ୍ଥାନ ସନ୍ଧାନରେ ବାହାରି ପଡନ୍ତି, ଯେଉଁଠାରୁ ସେ ନିକଟବର୍ତ୍ତୀ ଅଞ୍ଚଳରେ ଏପରି ଏକ ଜମି ଖୋଜନ୍ତି ଯେଉଁଠାରେ ସେ ଉଚିତ୍ ପ୍ରାପ୍ୟ ପାଇପାରିବେ । ଅତୀତରେ, ତାଙ୍କୁ ଖାଦ୍ୟଶସ୍ୟ, ଗୁଡ଼ ଓ ପୋଷାକ ଆଦି ମିଳୁଥିଲା କିନ୍ତୁ ବର୍ତ୍ତମାନ ଚାଷୀମାନଙ୍କୁ ଏଥିପାଇଁ ରାଜି କରେଇବା ପ୍ରାୟତଃ ସମ୍ଭବ ହେଉନାହିଁ ।
“ଜମିମାଲିକଙ୍କ ଜମିରେ ପଶୁ ଓ ପିଲାମାନଙ୍କ ସହିତ ବସବାସ କରିବା ସହଜ କଥା ନୁହେଁ [ବର୍ତ୍ତମାନ]” ବୋଲି ନୀଳପ୍ପା ଚାଚ୍ଡି କୁହନ୍ତି । ବେଲ୍ଗାଓଁ ଜିଲ୍ଲା (ବର୍ତ୍ତମାନ ବେଲାଗଭି)ର ବାଲିହୋଙ୍ଗଲ ତାଲୁକରେ ବୈଲ୍ହୋଙ୍ଗାଲ୍ -ମୁନାଭଲ୍ଲୀ ରାସ୍ତା ନିକଟରେ ଏକ ଚାଷଜମିରେ ମୋର ତାଙ୍କ ସହିତ ଭେଟ ହୋଇଥିଲା, ଯେଉଁଠାରେ ସେ ପଶୁପଲକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଦଉଡିର ପ୍ରାଚୀର ତିଆରି କରୁଥିଲେ ।
କିନ୍ତୁ ପଶୁପାଳକ କୁରୁବାମାନେ କେବଳ ଏହି ପରିବର୍ତ୍ତନର ସମ୍ମୁଖୀନ ହେଉନାହାନ୍ତି । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେବ ଦକ୍ଷିଣ-କେନ୍ଦ୍ରୀୟ ଭାରତର ବନ୍ଧୁର ଡେକାନ ଅଞ୍ଚଳରେ ପାଳନ କରାଯାଉଥିବା ଏହି ମେଣ୍ଡାଙ୍କ ଲୋମରୁ ଉତ୍ପାଦନ ହେଉଥିବା ଉଲ୍ର ଚାହିଦା ମଧ୍ୟ କମିବାରେ ଲାଗିଛି । ଡେକାନ୍ ଅଞ୍ଚଳର ଏହି ବଳିଷ୍ଠ ମେଣ୍ଢାମାନେ ଏହି ଜମିର ଅର୍ଦ୍ଧ-ଶୁଷ୍କ ଜଳବାୟୁର ମୁକାବିଲା କରିବା ପାଇଁ ସମର୍ଥ ଅଟନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ କୁରୁବା ମେଣ୍ଢାପାଳକମାନେ ଖଦଡା କଳା ଉଲ୍ କମ୍ବଳ, ଯାହାକୁ ସ୍ଥାନୀୟ ଭାଷାରେ କାମ୍ବଲି କୁହାଯାଏ (ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଗୋଙ୍ଗାଡି ବା ଗୋଙ୍ଗାଲି କୁହାଯାଏ) ପାଇଁ ଉଲ୍ ଯୋଗାଇ ବେଶ୍ କିଛି ରୋଜଗାର କରିବାକୁ ସମର୍ଥ ହେଉଥିଲେ । ଚାଷୀମାନଙ୍କ ପାଇଁ ସେମାନଙ୍କ ପଶୁମାନେ ଯେଉଁ ଖତ ଉତ୍ପାଦନ କରୁଥିଲେ ସେଥିରୁ କିଛି ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ସେମାନେ ସମର୍ଥ ହୁଅନ୍ତି।ତେବେ ଏହି ତନ୍ତୁ ସହଜରେ ଓ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବାରୁ ଏହାର ମୂଲ୍ୟ ଅପେକ୍ଷାକୃତ କମ୍ ହୋଇଥାଏ ଓ ଏହାର ଚାହିଦା ମଧ୍ୟ ଅଧିକ।
ଏହାକୁ ଯେଉଁମାନେ କିଣନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବେଲାଗଭି ଜିଲ୍ଲାର ରାମଦୁର୍ଗ ତାଲୁକା ଅନ୍ତର୍ଗତ ଏକ ଗ୍ରାମ ଦାଦିଭାବି ସଲାପୁର ବୁଣାକାରମାନେ । ଅନେକ ବୁଣାକାର ମଧ୍ୟ କୁରୁବା ଅଟନ୍ତି, ଯାହା ଏହି ସମ୍ପ୍ରଦାୟର ଏକ ଉପଦଳ ଅଟେ । (କୁରୁବାମାନଙ୍କ ସ୍ଥାୟୀ ଘର ଓ ଗ୍ରାମ ମଧ୍ୟ ଅଛି ଓ ବିଭିନ୍ନ ଉପଦଳଗୁଡିକ ବୃତ୍ତିରେ ପଶୁପାଳକ, ବୁଣାକାର, ଚାଷୀ ଆଦି ଅଟନ୍ତି) । ସେମାନେ ବୁଣୁଥିବା କମ୍ବଳଗୁଡିକ ଏକଦା ଦେଶର ସଶସ୍ତ୍ର ବଳ ମଧ୍ୟରେ ଜନପ୍ରିୟ ଥିଲା କିନ୍ତୁ ବର୍ତ୍ତମାନ ଆଉ ଏହାର ଚାହିଦା ନାହିଁ। “ବର୍ତ୍ତମାନ ସେମାନେ ସ୍ଲିପିଂ ବ୍ୟାଗ୍ ବ୍ୟବହାର କରୁଛନ୍ତି,"”ବୋଲି ବୁଣାକାର ପି.ଇଶ୍ୱରପ୍ପା କୁହନ୍ତି, ଯାହାର ଦାଦିଭାବି ସାଲାପୁର୍ରେ ଏକ ପିଟ୍ ଲୁମ୍ ଅଛି, ଯେଉଁଠାରେ ଏବେ ମଧ୍ୟ କଳା ରଙ୍ଗ ଉଲ୍ରେ କମ୍ବଳ ତିଆରି କରାଯାଉଛି ।
“ଡେକାନି ଅଞ୍ଚଳର ଉଲ୍ର ଚାହିଦା କମିବାର କାରଣ ହେଉଛି ଏହାର ଶସ୍ତା ବିକଳ୍ପ ଉପଲବ୍ଧ ହେବା । ବର୍ତ୍ତମାନ ବଜାରରେ କୁତ୍ରିମ ତନ୍ତୁ ତଥା ଅନ୍ୟ କିଷମର ଉଲ୍ ବହୁ ପରିମାଣରେ ଉପଲବ୍ଧ ହେଉଥିବାରୁ ଏହାର ଚାହିଦା କ୍ରମଶଃ କମିବାରେ ଲାଗିଛି” ବୋଲି ଦାଦିଭାବି ସଲାପୁରଠାରୁ ପ୍ରାୟ ୨୦୦କିଲୋମିଟର ଦୂରରେ ଅବସ୍ଥିତ ହାବେରୀ ଜିଲ୍ଲାର ରାଣେବେନର୍ ଟାଉନ୍ର ଜଣେ ଦୋକାନ ମାଲିକ ଦିନେଶ ସେଠ୍ କୁହନ୍ତି ।






















