୧୯୬୮ ମସିହା ଡିସେମ୍ବର ଶେଷ ସପ୍ତାହରେ ବେନମଣି ଗାଁର କୀଝବେନମଣି ପଲ୍ଲୀରେ ଜମିଦାରମାନଙ୍କ ଅତ୍ୟାଚାର ବିରୋଧରେ ସଂଗଠିତ ଶ୍ରମିକମାନଙ୍କର ଦୀର୍ଘ ଦିନର ଅବଦମିତ ସଂଘର୍ଷ ଶାଣିତ କ୍ରୋଧର ରୂପ ନେଲା । ଅଧିକ ମଜୁରି, ଚାଷଜମି ଉପରେ ଅଧିକାର ସହିତ ସାମନ୍ତବାଦୀ ଅତ୍ୟାଚାରର ଅନ୍ତ ଘଟାଇବା ଦାବିରେ ତାମିଲନାଡୁର ନାଗପଟ୍ଟନମ ଜିଲ୍ଲା ଅନ୍ତର୍ଗତ ଏହି ଗାଁର ଦଳିତ ଭୂମିହୀନ ଶ୍ରମିକମାନେ ଆନ୍ଦୋଳନ ଚଳାଇଥିଲେ । ଏହାର କି ଉତ୍ତର ଦେଇଥିଲେ ଜମିଦାରମାନେ? ଏହି ବସ୍ତିରେ ସେମାନେ ୪୪ ଜଣ ଦଳିତ ଶ୍ରମିକଙ୍କୁ ଜୀଅନ୍ତା ଜାଳିଦେଇଥିଲେ । ଅନୁସୂଚିତ ଜାତିର ଏହି ନବ ଜାଗରଣରେ କ୍ଷୁବ୍ଧ ଧନୀ ଓ ଶକ୍ତିଶାଳୀ ଜମିମାଲିକମାନେ କେବଳ ଯେ ଆଖପାଖ ଗାଁରୁ ଶ୍ରମିକମାନଙ୍କୁ ନିୟୋଜିତ କରିବା ଲାଗି ସ୍ଥିର କରିଥିଲେ ତାହା ନୁହେଁ, ସେମାନେ ମଧ୍ୟ ପ୍ରତିଶୋଧ ନେବାକୁ ଏକ ବଡ଼ ଧରଣର ଯୋଜନା କରିଥିଲେ ।
ଡିସେମ୍ବର ୨୫ ତାରିଖ ରାତିରେ ଜମି ମାଲିକମାନେ ବସ୍ତିକୁ ଘେରି ଯାଇ ଆକ୍ରମଣ କଲେ ଏବଂ ଖସି ପଳାଇବା ପାଇଁ ଥିବା ସବୁ ରାସ୍ତା କାଟି ଦେଇଥିଲେ । ଜୀବନ ବଞ୍ଚାଇବା ପାଇଁ ଏକ ମାଟିଘରେ ପଶିଯାଇଥିବା ୪୪ ଜଣ ଶ୍ରମିକଙ୍କୁ ବାହାରୁ ବନ୍ଦ କରିଦେଇ ଆକ୍ରମଣକାରୀମାନେ ଘରେ ନିଆଁ ଲଗାଇ ଦେଇଥିଲେ । ହତ୍ୟାର ଶିକାର ହୋଇଥିବା ଲୋକଙ୍କ ଭିତରୁ ଅଧା ଥିଲେ ୧୬ ବର୍ଷରୁ କମ୍ ବୟସର- ୧୧ଜଣ ବାଳକ ଓ ୧୧ ଜଣ ବାଳିକା । ଦୁଇ ଜଣଙ୍କ ବୟସ ଥିଲା ୭୦ ବର୍ଷରୁ ଅଧିକ । ସମସ୍ତ ମୃତକଙ୍କ ମଧ୍ୟରେ ୨୯ ଜଣ ମହିଳା ଓ ୧୫ ଜଣ ପୁରୁଷ ଥିଲେ । ସେମାନେ ସମସ୍ତେ ଦଳିତ ଓ ଭାରତୀୟ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ସମର୍ଥକ ଥିଲେ ।
୧୯୭୫ ମସିହାରେ ଏହି ହତ୍ୟା ମାମଲାରେ ମାଡ୍ରାସ ହାଇକୋର୍ଟ ସମସ୍ତ ୨୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । କିନ୍ତୁ ଏହି ଅବିଶ୍ଵସନୀୟ ଅତ୍ୟାଚାରର ଇତିବୃତ୍ତକୁ ଲେଖନୀରେ ତୋଳି ଧରିଥିବା ଅନ୍ୟତମ ସ୍ରଷ୍ଟା ମୈଥିଲି ଶିବରାମନ, ବିସ୍ତୃତ ଓ ପ୍ରଭାବଶାଳୀ ଢଙ୍ଗରେ ଏହି ଘଟଣାର ବିଶ୍ଳେଷଣ ଅବ୍ୟାହତ ରଖିବା ଫଳରେ କେବଳ ଯେ ଏହି ଗଣହତ୍ୟା ବିଷୟ ଲୋକଲୋଚନକୁ ଆସିଲା ତାହା ନୁହେଁ, ବରଂ ଏଥିରେ ସଂଶ୍ଳିଷ୍ଟ ବର୍ଗ ଓ ଜାତି ଭିତ୍ତିକ ଅତ୍ୟାଚାର ପ୍ରସଙ୍ଗ ମଧ୍ୟ ପ୍ରକାଶିତ ହେଲା। କୋଭିଡ୍-୧୯ରେ ପୀଡ଼ିତ ୮୧ ବର୍ଷ ବୟସ୍କ ମୈଥିଲି ଶିବରାମନଙ୍କ ବିୟୋଗ ସପ୍ତାହରେ ସେହି ଦୁଃଖଦ ଘଟଣାକୁ ନେଇ ରଚିତ ଏହି କବିତାକୁ ଆମେ ପ୍ରକାଶ କରୁଛୁ ।



