ପାଉଁଶିଆ ଦେଖାଯାଉଥିବା ଅନୁ କେଶ ଖୋଲା କରି ଦିନେ ସକାଳେ ଗୋଟିଏ ଗଛ ତଳେ ଏକ ଅଧାଚିରା ପ୍ଳାଷ୍ଟିକ ମସିଣା ଉପରେ ବସି ରହିଛନ୍ତି। ସେହି ବାଟ ଦେଇ ଯାଉଥିବା ଲୋକମାନେ ତାଙ୍କ ସହ ଦୂରରେ ଛିଡାହୋଇ କଥା ହେଉଛନ୍ତି। ଗୃହପାଳିତ ପଶୁମାନେ ପାଖରେ ବିଶ୍ରାମ କରୁଛନ୍ତି ଏବଂ ନଡା ବିଡାଗୁଡିକ ଖରାରେ ଶୁଖୁଥାଏ।
ଅନୁ କୁହନ୍ତି, "ଏପରିକି ଯେତେବେଳେ ବର୍ଷା ହୁଏ, ମୁଁ ଛତା ଧରି ଗଛ ମୂଳେ ଛିଡାହୋଇଥାଏ ଏବଂ ଘର ଭିତରକୁ ଯାଏ ନାହିଁ। ଏପରିକି ମୋର ଛାୟା କାହାରି ଉପରେ ପଡିବା ଉଚିତ୍ ନୁହେଁ। ଆମେ ଆମର ଭଗବାନଙ୍କୁ କ୍ରୋଧିତ କରିପାରିବୁ ନାହିଁ।"
ପ୍ରତ୍ୟେକ ମାସରେ ଋତୁସ୍ରାବ ଆରମ୍ଭ ହେବା ପରେ ତିନି ଦିନ ଯାଏଁ ତାଙ୍କର ଘର ଠାରୁ ୧୦୦ ମିଟର ଦୂର ପଡିଆରେ ଥିବା ଏହି ଗଛଟି ତାଙ୍କର ଘର ହୋଇଯାଏ।
ଅନୁ (ନାମ ପରିବର୍ତ୍ତନ କରାଯାଇଛି ) କୁହନ୍ତି, "ମୋର ଝିଅ ଏକ ପ୍ଲେଟରେ ମୋ ପାଇଁ ଖାଇବା ଆଣି ରଖିଦିଏ"। ଏହି ପୃଥକ୍ ବାସର ଦିନଗୁଡିକରେ ସେ ଅଲଗା ବାସନ ବ୍ୟବହାର କରନ୍ତି। "ମୁଁ ଏଠାରେ ଖୁସିରେ ବିଶ୍ରାମ କରିବା ଭଳି ନୁହେଁ। ମୁଁ କାମ କରିବାକୁ ଚାହେଁ[ଘରେ], କିନ୍ତୁ ଆମର ପରମ୍ପରାକୁ ସମ୍ମାନ ଦେବା ପାଇଁ ବାହାରେ ଏଠାରେ ରହୁଛି। କ୍ଷେତରେ ଅଧିକ କାର୍ଯ୍ୟ କରିବାକୁ ଥିବା ସମୟରେ ମୁଁ ସେଠାରେ ମଧ୍ୟ କାର୍ଯ୍ୟ କରେ।" ଅନୁଙ୍କ ପରିବାର ତାଙ୍କର ୧.୫ ଏକର କୃଷି କ୍ଷେତ୍ରରେ ମାଣ୍ଡିଆ ଚାଷ କରନ୍ତି।
ଯଦିଓ ନିଜ ଇଚ୍ଛାରେ ଏହି ଦିନଗୁଡିକରେ ସଂଗରୋଧରେ ଅଛନ୍ତି, ଅନୁ ଏକୁଟିଆ ନୁହଁନ୍ତି ଯିଏକି ଏହି ପ୍ରଥା ଅନୁସାରେ କାର୍ଯ୍ୟ କରିଥାନ୍ତି। ତାଙ୍କର ୧୭ ବର୍ଷ ଓ ୧୯ ବର୍ଷର ଝିଅମାନେ (ଅନ୍ୟ ଜଣେ ଝିଅ ୨୧ ବର୍ଷର ବିବାହିତ) ଠିକ୍ ଏହି ଭଳି କରିଥାନ୍ତି। ଏବଂ ତାଙ୍କ ଗାଁରେ ଥିବା କାଡୁଗୋଲ୍ଲା ସଂପ୍ରଦାୟର ୨୫ଟି ପରିବାରର ସମସ୍ତ ମହିଳା ଠିକ୍ ଏହି ଭଳି ପୃଥକ୍ ବାସରେ ରହିଥାନ୍ତି।
ଯେଉଁ ମହିଳାମାନେ ପ୍ରସବ ବେଦନା ଦେଇ ଗତି କରିଛନ୍ତି ସେମାନେ ମଧ୍ୟ କଠୋର ପ୍ରତିବନ୍ଧକର ସାମ୍ନା କରିଥାନ୍ତି। ଅନୁର ବୃକ୍ଷ-ଆଶ୍ରୟସ୍ଥଳ ନିକଟରେ ପ୍ରାୟ ଛଅଟି କୁଡିଆ ରହିଛି, ପ୍ରତ୍ୟେକଟି ଅନ୍ୟଠାରୁ କିଛି ଦୂରରେ, ସେମାନଙ୍କ ଓ ସେମାନଙ୍କ ଶିଶୁମାନଙ୍କର ଘର। ଏଗୁଡିକ ଅନ୍ୟ ସମୟରେ ଖାଲି ରହିଥାଏ। ଯେଉଁମାନେ ଋତୁସ୍ରାବ କରୁଛନ୍ତି ସେମାନେ କେବଳ ଗଛ ମୂଳରେ ସମୟ ଅତିବାହିତ କରିବେ ବୋଲି ଆଶା କରାଯାଏ।















