“ଆମେ ଯେତେ ଅଧିକ କିଣିବୁ, ଆମ ଉପରେ ଋଣ ବୋଝ ସେତେ ଅଧିକ ବଢିବ।” ସେ ହେଉଛନ୍ତି କୁନାରୀ ଶବରୀ, ୪୦ ବର୍ଷ ବୟସ୍କ ଜଣେ କୃଷକ, ଯିଏ ଆମ ସହିତ ଖଇର ଗ୍ରାମରେ କଥା ହେଉଥିଲେ, ଯେଉଁଠି ମୁଖ୍ୟତଃ ତାଙ୍କ ନିଜ ସଉରା ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି।
“ଗୋବରଖତ ଚାଷ,ହଳ ଚାଷ [ଗାଈ ଗୋବର ଓ ହଳ] ଯାହା ଆମର ନିଜସ୍ୱ, ତାହା ଆଜିକାଲି ଆଉ କେହି କରୁନାହାନ୍ତି,” ବୋଲି ସେ କୁହନ୍ତି। “ବର୍ତ୍ତମାନ ଆମେ ସବୁ ଜିନିଷ ପାଇଁ ବଜାରକୁ ଯାଉଛୁ । ବୀଜ, କୀଟନାଶକ, ସାର । ପୂର୍ବ ସମୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଜି ଆମେ ଯାହା ଖାଉଛୁ ତାହା ମଧ୍ୟ ଆମକୁ କିଣିବାକୁ ପଡ଼ୁଛି।’’
କୁନାରୀଙ୍କ ବର୍ଣ୍ଣନାରେ କପା ଫସଲ ଯୋଗୁଁ ଆସିଥିବା ନିର୍ଭରଶୀଳତାର ଚିତ୍ର ପ୍ରତିଫଳିତ କରିଥାଏ ଯାହା ଓଡିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ପରିବେଶ ଦୃଷ୍ଟିରୁ ସ୍ପର୍ଶକାତର ଉଚ୍ଚଭୂମିରେ ନିଜର ଚେର ବିସ୍ତାର କରିବା ସହିତ ଏହି ସ୍ଥାନର ଉଚ୍ଚକୋଟୀର ଜୈବବିବିଧତା ଭଣ୍ଡାରକୁ ମଧ୍ୟ ପ୍ରଭାବିତ କରୁଛି (ଓଡିଶାରେ ଜଳବାୟୁ ସଂକଟର ବୀଜରୋପଣ କରୁଛି ରେ ଦେଖନ୍ତୁ) । ଆମେ ଦକ୍ଷିଣ-ପୂର୍ବରୁ ରାୟଗଡ଼ାର ଗୁଣୁପୁର ବ୍ଲକ୍ର ସମତଳ ଅଞ୍ଚଳ, ଯେଉଁଠାରେ କପା ପ୍ରଥମେ ପହଞ୍ଚିଥିଲା, ସେହି ଆଡକୁ ଯିବା ବେଳେ ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ସ୍ଥାନଗୁଡିକରେ ଯେଉଁଆଡ଼େ ଆଖି ବୁଲେଇଲେ, ସେଇଆଡ଼େ କେବଳ କପା ଫସଲ ଥିବା ଭୂଭାଗ ଦେଖାଯାଉଛି । ଏହାସହିତ ଦୃଶ୍ୟମାନ ହେଉଛି – ସେମାନଙ୍କ ଗଭୀର ଦୁର୍ଦ୍ଦଶା ।
“ଆମେ ୧୦-୧୨ ବର୍ଷ ପୂର୍ବେ କପା ଚାଷ ଆରମ୍ଭ କରିଥିଲୁ । ଆମ ପାଖରେ ବର୍ତ୍ତମାନ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଆମେ ବାଧ୍ୟ ହୋଇ ଏହି ଫସଲ କରୁଛୁ।’’ ଗୁଣୁପୁର ବ୍ଲକ୍ର ଖଇରାରେ ରହୁଥିବା ଅଧିକାଂଶ ଲୋକ ଆମକୁ ଏହା କହିଛନ୍ତି। ଏହି ଅଞ୍ଚଳର ଅଧିକାଂଶ କୃଷକ ଆମକୁ ଏହା କହିଛନ୍ତି ଯେ ସେମାନେ ଧିରେ ଧିରେ ଅର୍ଥ ପ୍ରଦାନକାରୀ ଫସଲକୁ ଆପଣେଇବା ପରେ, କାଳକ୍ରମେ ସେମାନେ ସେମାନଙ୍କ ନିଜସ୍ୱ ବୀଜ ଓ ଏକାସଙ୍ଗେ ଏକାଧିକ ଫସଲ ଉତ୍ପାଦନ କରିବାର ପାରମ୍ପରିକ କୌଶଳ ହରେଇ ବସିଛନ୍ତି ।
“ଆମର ନିଜସ୍ୱ ଫସଲ ଓ ଆମର ନିଜସ୍ୱ କୃଷି ପ୍ରଣାଳୀ ଥିଲା” ବୋଲି ଅନୁତପ୍ତ କ୍ଷେତ୍ର ଶବର ନାମକ ଜଣେ ଯୁବ ସଉରା ଚାଷୀ କୁହନ୍ତି । “ଆନ୍ଧ୍ରୱାଲାମାନେ ଆସିଲେ ଓ ଆମକୁ କପା ଉତ୍ପାଦନ କରିବାକୁ କହିଲେ ଓ ଏ ସମ୍ବନ୍ଧୀୟ ସବୁକିଛି ଆମକୁ ଶିଖାଇଲେ”। ସନ୍ତୋଷ କୁମାର ଦଣ୍ଡସେନା ଓ ଏଠାରେ ରହୁଥିବା ଅନ୍ୟଜଣେ କୃଷକ, ଲାଭ ହେବା ଆଶାରେ ଗ୍ରାମବାସୀମାନେ କପା ବା କଟନ୍ ଚାଷ ପ୍ରତି ଆକର୍ଷିତ ହେଉଥିବା କଥା ପ୍ରକାଶ କରିଛନ୍ତି। “ପ୍ରାରମ୍ଭରେ ଏହା ଖୁସି ଦେଉଥିଲା, ଆମେ ଟଙ୍କା ରୋଜଗାର କଲୁ । କିନ୍ତୁ ବର୍ତ୍ତମାନ, ଏଥିରୁ କେବଳ ଦୁଃଖ ମିଳୁଛି ଓ ଆମର କ୍ଷତି ହେଉଛି” ବୋଲି ସେ କହିଲା । “ଆମେ ଧ୍ୱଂସ ହୋଇଗଲୁ ଓ ସାହୁକାରମାନେ (ଋଣଦାତାମାନେ) ଖୁସିରେ ଅଛନ୍ତି ।’’
ଆମେ କଥା ହେବା ବେଳେ ଗାଢ ସବୁଜ ରଙ୍ଗର ଜନ୍ ଡିର୍ ଟ୍ରାକ୍ଟର୍ଗୁଡ଼ିକ ଗ୍ରାମ ସଡ଼କରେ ଘଡ଼ ଘଡ଼ ଶବ୍ଦ କରି ଚାଲିଯାଉଥିଲା। ସ୍ଥାନୀୟ ମନ୍ଦିରଗୁଡ଼ିକର କାନ୍ଥରେ ମଞ୍ଜି କମ୍ପାନି ଦ୍ଵାରା ଓଡ଼ିଆ ଭାଷାରେ ବିଟି କଟନ ବିଜ୍ଞାପନ ପୋଷ୍ଟର ସବୁ ଲଗାଯାଇଛି । ଗ୍ରାମ ଛକରେ ସେହି ଫସଲ ପାଇଁ ଉଦ୍ଦିଷ୍ଟ ଜମି କର୍ଷଣ କରିବା ଓ ବୀଜ ବୁଣିବା ଉପକରଣ ରଖା ହୋଇଛି ।








