ନାଦ୍ସୁର୍ କଟକାରୀୱାଡ଼ିର ଗୋଷ୍ଠୀ ମନ୍ଦିର ବାହାରେ ଯେତେବେଳେ କେତେଗୁଡ଼ିଏ କାର୍ ପହଞ୍ଚିଲା, ସେତେବେଳକୁ ମଧ୍ୟାହ୍ନ ଅତିକ୍ରମ କରିସାରିଥିଲା। ବିଷ୍ଣୁ ୱାଘମୋରେ କିଏ ଆସିଲେ ଦେଖିବା ପାଇଁ ଉଣ୍ଡିଲେ ଏବଂ କଟ୍କାରୀ ଭାଷାରେ କିଛି କହିଲେ। ପୁରୁଷ ଓ ମହିଳାଙ୍କର ପ୍ରାୟ ୧୫ଜଣିଆ ଗୋଟିଏ ଦଳ ଆଗନ୍ତୁକମାନଙ୍କୁ ଅଭ୍ୟର୍ଥନା ଜଣାଇବା ପାଇଁ ବାହାରକୁ ବାହାରିଲେ। ୨୧ବର୍ଷ ବୟସ୍କ ବିଷ୍ଣୁ କହିଲେ, ‘‘ସେମାନେ ଥୋକରେ ଶ୍ରମିକ ନେବାକୁ ଆସିଛନ୍ତି। ବର୍ତ୍ତମାନ ସେମାନେ ମୂଲଚାଲ କରିବାକୁ ବସିବେ। ଆମ ଲୋକଙ୍କ ମଧ୍ୟରୁ ଅଧିକାଂଶ ବୁଝନ୍ତି ନାହିଁ ଯେ ଏହି ମକଦ୍ଦମ [ଠିକାଦାର]ମାନଙ୍କ ଦ୍ୱାରା ସେମାନେ ବୋକା ବନୁଛନ୍ତି। ସେମାନେ ଆମକୁ ଶୋଷଣ କରନ୍ତି, ତଥାପି ଆମେ ପୁଣି ତାଙ୍କ ପାଇଁ କାମ କରିବାକୁ ଯାଉ। ମୁଁ କେବେ ବି ଭାଟିକୁ ଯାଏନାହିଁ। ସେ ଆଖପାଖ ଗ୍ରାମରେ ମିଳୁଥିବା ଯେ କୌଣସି ଛୋଟମୋଟ କାମ କରନ୍ତି।
ନାଦ୍ସୁର କଟକାରୀୱାଡ଼ି ମହାରାଷ୍ଟ୍ରର ରାୟଗଡ (ଜନଗଣନା ଅନୁଯାୟୀ ରାୟଗଡ଼) ଜିଲ୍ଲାର ସୁଧାଗଡ଼ ବ୍ଲକ୍ର ନାଦସୁର ପଞ୍ଚାୟତରେ ଥିବା ଏକ ପଡ଼ା। ଏଠାରେ ବାସ କରୁଥିବା ୩୬୫ଜଣ କଟକାରୀ ଆଦିବାସୀଙ୍କ ମଧ୍ୟରୁ ଅଧିକାଂଶ ଦୀପାବଳି ପରେ ସାଧାରଣତଃ ନଭେମ୍ବର ମାସର ମଧ୍ୟ ଭାଗରେ କାମ କରିବାକୁ ଚାଲିଯାଆନ୍ତି। ଏହି ସମୂହ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଭାବରେ ଚିହ୍ନଟ କରାଯାଇଛି। ସେମାନେ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭିନ୍ନ ଭାଟିରେ କାମ କରିବାକୁ ଯାଆନ୍ତି। ମହାରାଷ୍ଟ୍ରର ଚିପଲନ୍, ଅମରାବତି ଏବଂ ଆଉ କେତେକ ସ୍ଥାନରେ କାମ କରନ୍ତି। ଜୁନ୍ ମାସର ଆରମ୍ଭ ବେଳକୁ ସେମାନେ ପଡ଼ାକୁ ଫେରନ୍ତି। ଏସବୁ ଭାଟି ବବୁଲ ଗଛର କାଠରୁ କୋଇଲା ପ୍ରସ୍ତୁତ କରନ୍ତି। ଯାହାକି ରେଷ୍ଟୁରାଣ୍ଟର ଖୋଲା ଚୁଲି ଏବଂ ତନ୍ଦୁରମାନଙ୍କରେ ବ୍ୟବହୃତ ହୁଏ।
ଶ୍ରମିକମାନଙ୍କୁ ନେଇ ଯାଉଥିବା ଟ୍ରକ୍ ମହାରାଷ୍ଟ୍ର ଭିତରେ ଥିବା ଭାଟିମାନଙ୍କରେ ପ୍ରାୟ ୧୮ଘଣ୍ଟାରେ ପହଞ୍ଚେ ଏବଂ ଅନ୍ୟ ରାଜ୍ୟରେ ପହଞ୍ଚିବା ପାଇଁ ୩୮ଘଣ୍ଟା ପର୍ଯ୍ୟନ୍ତ ସମୟ ନିଏ। କର୍ମସ୍ଥଳରେ ପହଞ୍ଚିବା ପରେ କଟକାରୀମାନେ ଖୋଲା ପଡ଼ିଆରେ ବାଉଁଶ, ନଡ଼ା ଏବଂ ଆଖୁ ଛେଦାରେ ରହଣୀସ୍ଥାନଟିଏ କରନ୍ତି। ଏଠାରେ ସେମାନେ ବିନା ବିଦ୍ୟୁତ ଏବଂ ଶୌଚାଳୟରେ ନିୟମିତ ଭାବରେ ଜଙ୍ଗଲୀ ଜୀବଜନ୍ତୁ ଏବଂ ସାପଙ୍କ ଭୟ ମଧ୍ୟରେ ରୁହନ୍ତି।





