ପୂରା କ୍ଲାସ୍ ଚୁପଚାପ୍ ବସି ଧ୍ୟାନ ଦେଇ ଶୁଣୁଛନ୍ତି। ବାୟୋଲୋଜି ଶିକ୍ଷକ ପଢ଼ାଉଛନ୍ତି କିପରି କ୍ରୋମୋଜୋମ୍ ମଣିଷର ଲିଙ୍ଗ ନିର୍ଣ୍ଣୟ କରେ। “ମହିଳାମାନଙ୍କର ଦୁଇଟି X କ୍ରୋମୋଜୋମ୍ ଥିବାବେଳେ ପୁରୁଷମାନଙ୍କର ଗୋଟିଏ X ଏବଂ ଗୋଟିଏ Y କ୍ରୋମୋଜୋମ୍ ଥାଏ। ଯଦି ଦୁଇଟି XX କ୍ରୋମୋଜୋମ୍ ଗୋଟିଏ Y ସହିତ ଯୋଡ଼ି ହୁଅନ୍ତି, ତେବେ ତୁମେମାନେ ସେଇଠି ବସିଥିବା ଭଳି ଜଣଙ୍କୁ ପାଇବ,” ଶିକ୍ଷକ ଜଣେ ଛାତ୍ର ଆଡକୁ ଦେଖାଇ କହିଲେ। ଛାତ୍ରଟି ଅସହଜବୋଧ କରି ଠିଆ ହେବା ପରେ କ୍ଲାସରେ ସମସ୍ତେ ଠୋ ଠୋ ହୋଇ ହସିଲେ।
କିନ୍ନର ସମ୍ପ୍ରଦାୟ ଉପରେ ଆଧାରିତ ନାଟକ ସାନ୍ଦାକାରଙ୍ଗା (ଯୁଦ୍ଧ କରିବାକୁ ଦୃଢ଼-ମନସ୍କ)ର ପ୍ରଥମ ଦୃଶ୍ୟ। ନାଟକର ପ୍ରଥମ ଭାଗରେ ନିର୍ଦ୍ଦିଷ୍ଟ ଲିଙ୍ଗ ସ୍ୱୀକୃତ ଭୂମିକାରେ ଖାପ ଖୁଆଇ ପାରି ନ ଥିବାରୁ ଜଣେ ପିଲାକୁ ସମସ୍ତେ ଅପମାନିତ କରୁଥିବା ଦର୍ଶାଯାଇ ଥିବାବେଳେ ଦ୍ୱିତୀୟାର୍ଦ୍ଧରେ ହିଂସାର ଶିକାର ହୋଇଥିବା କିନ୍ନର ମହିଳା ଏବଂ କିନ୍ନର ପୁରୁଷଙ୍କ ଜୀବନକୁ ଉପସ୍ଥାପିତ କରାଯାଇଛି।
ଦ ଟ୍ରାନ୍ସ ରାଇଟ୍ସ ନାଓ କଲେକ୍ଟିଭ୍ (ଟିଆରଏନ୍ସି) ସମଗ୍ର ଭାରତରେ କିନ୍ନରମାନଙ୍କର ଦଳିତ, ବହୁଜନ ଏବଂ ଆଦିବାସୀମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଉଛି। ନଭେମ୍ବର ୨୩, ୨୦୨୨ ରେ ସେମାନେ ତାମିଲନାଡୁର ଚେନ୍ନାଇରେ ସାନ୍ଦାକାରଙ୍ଗାର ପ୍ରଥମ ପ୍ରଦର୍ଶନ ଉପସ୍ଥାପନ କରିଥିଲେ। ଏକ ଘଣ୍ଟାର ଏହି ନାଟକ ନଅ ଜଣ କିନ୍ନରଙ୍କର ଏକ ଗ୍ରୁପ୍ ଦ୍ୱାରା ନିର୍ଦ୍ଦେଶିତ, ପ୍ରଯୋଜିତ ଏବଂ ଅଭିନୀତ ହୋଇଥିଲା।
“ମୃତ୍ୟୁବରଣ କରିଥିବା କିନ୍ନର ବ୍ୟକ୍ତିବିଶେଷମାନଙ୍କ ସ୍ମୃତିରେ ନଭେମ୍ବର ୨୦ରେ ‘ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସ ଡେ ଅଫ୍ ରିମେମ୍ବ୍ରାନ୍ସ’ ପାଳନ କରାଯାଏ। ସେମାନଙ୍କ ଜୀବନ ସହଜ ନୁହେଁ କାରଣ ସେମାନେ ପ୍ରାୟତଃ ସେମାନଙ୍କ ନିଜ ପରିବାର ଦ୍ୱାରା ଅବହେଳିତ ହୋଇ ସମାଜରୁ ନିର୍ବାସିତ ହୋଇଥାନ୍ତି ଏବଂ ଅନେକଙ୍କୁ ହତ୍ୟା କରାଯାଇଥାଏ କିମ୍ୱା ସେମାନେ ଆତ୍ମହତ୍ୟା କରିଥାନ୍ତି,” କୁହନ୍ତି ଟିଆରଏନସିର ପ୍ରତିଷ୍ଠାତା ଗ୍ରେସ ବାନୁ।




























